ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଇତିହାସ ଓ ସମସ୍ୟାଦି
ପୁନର୍ଲିଖନ କରୁଁ ଯଦି
ମିଳିବନାହିଁ ସମାଧାନ
ଏହା ତ ସାଧାରଣ ଜ୍ଞାନ
ଇତିହାସର ବିଲୋପନ
ପ୍ରତି ନ ଦେଲେ ବେଶି ଧ୍ୟାନ
ଏଠାରେ ଯାହା ବର୍ତମାନ
କରିବ ଭବିଷ୍ଯ ଗଠନ
ସ୍ମୃତିରେ ନ ହେଲେ ଆଚ୍ଛନ୍ନ
ମନରେ ଜାତ ହୁଏ ସ୍ବପ୍ନ
ସେହି ସ୍ବପ୍ନକୁ କଲେ ଭିତ୍ତି
ଘଟିବ ସକଳ ଉନ୍ନତି
ନୂଆ ଢଂଗରେ କଲେ ଚିଂତା
ଦିଶିପାରେ ଅନେକ ରାସ୍ତା
କିଂତୁ ବିକଳ୍ପ ଚିଂତାକାରୀ
ଜଣେ ବି ନାହାଂତି ବାହାରି
ଉଠାଇ ଅସଂଖ୍ୟ ପ୍ରସଂଗ
କରିଲେ ଏକାଗ୍ରତା ଭଂଗ
କିଛି ହୁଏନି କାର୍ଯକାରୀ
ଏ ସତ୍ୟ ଦେଇଛୁଁ ପାସୋରି
ଲୋକେ ଆଳସ୍ୟପରାୟଣ
ତେଣୁ ଘଟେନି ଉନ୍ନୟନ
ଭାଷାର ସର୍ବୋନ୍ନତି ପାଇଁ
ନିଜକୁ ଦେଉଁ ବଦଳାଇ
ଥିଲେ ହେଁ ଅଭ୍ୟସ୍ତ ଲେଖକ
ନାହାଂତି ଅଭ୍ୟସ୍ତ ପାଠକ
ଯୁଗ ଯେ ଗଲାଣି ବଦଳି
ଲେଖକେ ପାରଂତିନି କଳି
ଏବେ ଲୋକଂକ ବହୁ କାମ
ପେସାରୁ ମିଳୁନି ବିଶ୍ରାମ
ଦିନକୁ ବାର ଘଂଟା ଖଟି
କେମିତି ହେବେ ବହୁପାଠୀ ?
ସାହିତ୍ୟ ଲେଖାରେ ଅଟକି
ଭାଷାଟେ ବଢ଼ି ପାରିବ କି?
ଏ ପ୍ରଶ୍ନ ଲୋଡ଼ୁଛି ଉତ୍ତର
ଏପରି ଅବସ୍ଥା ଆମର
Comments are closed.