Latest Odisha News

BREAKING NEWS

ଆଜିଠୁ ବରଗଡ ଧନୁଯାତ୍ରା, ମଥୁରା ନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି

ବରଗଡ: ଆଜିଠୁ ଆରମ୍ଭ ହେଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ରଡି ରେ କମ୍ପିବ ଧନୁଯାତ୍ରା ପଡିଆ । ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଚଳିତବର୍ଷକୁ ମିଶାଇ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ ।

ଚଳିତବର୍ଷ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ ବର୍ଷ ପୁରୁଥିବାବେଳେ, ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ । ହାଟପଦା ଠାରେ ମହାରାଜା କଂସଙ୍କ ପ୍ରାୟ ୯୫ ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି । ଯାହା ବିଶ୍ବର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଅଟେ । ଅପରାହ୍ନ ୨ ଟା ୩୦ ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୫ ଟା ୩୦ ରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିବ। ସଂଧ୍ୟା ୭ ଟାରେ ଧନୁଯାତ୍ରା ମହୋତ୍ସବର ଉଦଘାଟନ ହେବ ।

ସେପଟେ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପ୍ରଥମ ଦିନରେ ତଳିପଡ଼ା ସ୍ଥିତ ରାମଜୀ ମନ୍ଦିରରେ ହେବ ଦେବକୀ-ବସୁଦେବଙ୍କ ବିବାହ । ତାପରେ କୃଷ୍ଣ ଜନ୍ମ ଓ କଂସ ବଧ ଦୈବ ବାଣୀ ହେବ । ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରାଧିପତି ହେବେ ଯୁବରାଜ କଂସ । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର ଓ ମଝିରେ ବହୁଥିବା ଜୀରା ନଈ ସଜେଇ ହୋଇଯିବ ଯମୁନା ନଈ । କଂସ ଦରବାର, ରଙ୍ଗ ମହଲ ସହ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଛି ।

Leave A Reply

Your email address will not be published.