ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସବୁଠି ଚଳନ, ଘୂର୍ଣନ
ହେଲେହେଁ ମଣିଷର ମନ
କିପାଇଁ ହୋଇଅଛି ସ୍ଥିର
ଥରଟେ କରିବା ବିଚାର
ପୂର୍ବର ରୀତିନୀତି ଧରି
ଏବେ ଚଳୁଛୁଁ ଯେଉଁପରି
ତହିଁରୁ ମିଳୁଛି କି ହିତ
କେବେ ହେଉନି ବିବେଚିତ
କାଳ ସହିତ ଦେଇ ତାଳ
ଚଳିଲେ ମିଳଇ ସୁଫଳ
ଏହା ଥିଲେହେଁ ସର୍ବେ ଜାଣି
କେବେ ବି ପାରୁନାହିଁ ମାନି
ଖାଦ୍ୟ, ପାନୀୟ, ବେଶଭୂଷା
ଯାତାୟାତ ଓ ନୂଆ ପେସା
କରୁଛୁଁ ଆଗ୍ରହେ ଗ୍ରହଣ
ଭାଷା ବେଳକୁ ମତ ଭିନ୍ନ
ସର୍ବତ୍ର ଘଟୁଛି ସମୃଦ୍ଧି
ଭାଷାର ଗତିପଥ ରୋଧି
ପାରିବା ଆଉ କେତେ ଦିନ
ଭାବଂତୁ ଭାଷାଭିଜ୍ଞ ଜନ
ପରିବର୍ତନ ପ୍ରତି ଭୀତି
ରହିଲେ ହୁଏ ଯେତେ କ୍ଷତି
ତାହା ହେଲେ ହେଁ ଏଠି ନିତି
ଜାଗ୍ରତ ହେଉନାହିଁ ଜାତି
ସଭିଏଁ ହେବେ ସର୍ବଦକ୍ଷ
ଏହା ତ ନୁହେ ବାସ୍ତବିକ
ଏଠାରେ କବି ଓ ଲେଖକ
ରଖଂତୁ ସ୍ବଭାଷାର ଟେକ
ଶୃଂଖଳାଧୀନ ହେବା ପାଇଁ
କୌଣସି ଗ୍ରଂଥ ଲୋଡ଼ାନାହିଁ
ସ୍ବାନୁଭୂତିରୁ ବୁଝି, ଶିଖି
ଲେଖକେ ହୁଅଂତୁ ବିବେକୀ
ପ୍ରତ୍ୟେକ ଘର ଶିକ୍ଷାଳୟ
ନ ହେଲେ ଭାଷା ହେବ କ୍ଷୟ
ବାପା ଓ ମାଆ ଶିକ୍ଷା ଦେଲେ
ସବୁ କଥା ବୁଝିବେ ପିଲେ
ଅନ୍ୟ କାହାର ଜିମା ଦେଲେ
ଭାଷା ବିଦ୍ବେଷୀ ହେବେ ପିଲେ
ତାଂକର ଭାଷା-ବିମୁଖତା
ନିଶ୍ଚୟ ଅଭାବିତ କଥା
ଜ୍ଞାନ ତ ଅନଂତ ଅଶେଷ
ଜାଣିବା ହୁଏନାହିଁ ଶେଷ
ଜୀବନ କାଳ ଯାଏ ବିତି
ପ୍ରତ୍ୟେକେ ଅଳପ ଶିଖଂତି
ସବୁ ତ ଭାଷା ଅଂତର୍ଗତ
ତେଣୁ ଏ ଭାଷା ଭାଗବତ
ନାମରେ ହୋଇଛି ନାମିତ
ରହୁନି ଛବି ବା ସଂଗୀତ
ଅକ୍ଷରାଶ୍ରିତ ଅଭିବ୍ୟକ୍ତି
ବଢ଼ିଲେ, ବଢ଼େ ଭାଷାସକ୍ତି
ଧ୍ବନିକୁ କରୁଁ ଏବେ ଲିପି
ସାରା ବିଶ୍ୱରେ ଯାଉଁ ବ୍ୟାପି
Comments are closed.