ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲେଖାରେ ହେଲେ ସ୍ବେଚ୍ଛାଚାର
ସାହିତ୍ଯ ପାଏନି ଆଦର
ଭାଷା ବି ହୁଏ ନାରଖାର
ଏ ସତ୍ୟ କରିବା ସ୍ବୀକାର
ଶୃଂଖଳିତ ନ ହେଲେ ଭାଷା
କରିହୁଏନି ହିତ ଆଶା
ଇଚ୍ଛା ସହିତ ଯୋଡ଼ି ଚେଷ୍ଟା
ଦେଖାଉଁ ଭାଷା ପ୍ରତି ନିଷ୍ଠା
ନିଜକୁ ନେଲେ ସୁଧୁରାଇ
କ୍ଷମା ପ୍ରାର୍ଥନା ଲୋଡ଼ା ନାହିଁ
ସୂକ୍ଷ୍ମତା ଲେଖାର ଭୂଷଣ
ସେହି ଆଡ଼କୁ ଦେବା ଧ୍ୟାନ
ଯାହା ବି ଅଟେ ଆମ ପ୍ରିୟ
ତାହା ନ କରୁ ଭାଷା କ୍ଷୟ
ଆପଣା ରୁଚି ବ୍ୟକ୍ତିଗତ
ସାହିତ୍ଯ ସଭିଂକ ସହିତ
ଦୁଇଟି ଲିପିକୁ ଏକତ୍ର
ବର୍ଜନ କରିଲେ ସର୍ବତ୍ର
ଗୋଟିଏ ଲିପି ବ୍ୟବହାର
କରିଚାଲିବା ବାରଂବାର
ନାଟକ ହେଲେ ଅଭିନୀତ
ବୋଲାଏ ଜୀବଂତ ସାହିତ୍ୟ
କେବଳ ହୋଇଲେ ଲିଖିତ
ହୁଏନି ବିଶେଷ ଆଦୃତ
ପ୍ରତ୍ୟେକ ଉତ୍ତମ ନାଟକ
ସତରେ ଲୋଡ଼େ ଅପାଠକ
ନିରବ ଦର୍ଶକ ଓ ଶ୍ରୋତା
ବୁଝିପାରଂତି ମଂଜ କଥା
ସ୍ପଷ୍ଟ, ସରଳ, ଶୁଦ୍ଧ ଭାଷା
ଉପରେ ବଢ଼ିଲେ ଭରସା
ସକଳ ଭାବନା ପ୍ରକାଶ
ନିମଂତେ ମିଳେ ଅବକାଶ
ଶବ୍ଦକୋଷଟେ ପାଶେ ରଖି
କେହି ବି କିଛି ପଢ଼ଇ କି ?
ଅଶୁଣା ଶବ୍ଦ ବ୍ୟବହାର
କରଇ ଭାଷାର ସଂହାର
କଥାର କିଛି ମୂଲ୍ୟ ନାହିଁ
ପାଳନ ନ କରିଲେ କେହି
ଲେଖୁଁ ନିୟମ ଅନୁଯାୟୀ
ସ୍ବଭାଷା ହେବ ଦୀର୍ଘସ୍ଥାୟୀ
ଟିକିଏ ହୋଇଲେ ସତର୍କ
ବନିବା ଅଭିଜ୍ଞ ଲେଖକ
ଧୀର ଶାଂତ ମନର ଚିଂତା
କେବେ ବି ହୁଏନାହିଁ ବୃଥା
ଲେଖକ ରୂପେ ହୋଇ ଜାତ
କେହି ଏ ସଂସାରେ ନାହିଁ ତ
ଯିଏ ହୁଏ ସାଧନାରତ
ସିଏ ହିଁ କରିପାରେ ହିତ
ଅଳପ ଅବା ବେଶି ଜ୍ଞାନ
ମଣିଷ କରଇ ଅର୍ଜନ
କେହି ତ ନୁହଂତି ଅଜ୍ଞାନ
ନାହିଁ କାହାର ସର୍ବଜ୍ଞାନ
ଜ୍ଞାନାଂଶଧାରୀ ଆମେ ସର୍ବେ
କାଳ ବିତାଉଁ ଏହି ଭବେ
ଯାହାର ଯେତେ ପ୍ରୟୋଜନ
ସେ କରେ ସେତିକି ଅର୍ଜନ
ଅନାୟାସେ ଲିଖିତ ଲେଖା
ହୁଏନି ପାଠକର ସଖା
ପାଠକ ହେଲେ ବୀତସ୍ପୃହ
ସ୍ଥିତି ହୁଏନି ସୁଖାବହ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.