ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କରିଲୀ ଯାହା ହୁଏ ମନ
ବୁଦ୍ଧିର ନାହିଁ ପ୍ରୟୋଜନ
ପ୍ରୟୋଗ ନ କରିଲେ ଜ୍ଞାନ
ସାର୍ଥକ ହୁଏନି ଜୀବନ
ଇଚ୍ଛାନୁବର୍ତୀ ହେଲେ ଲୋକ
ଦେଖା ଯାଏନି ପ୍ରଜ୍ଞାଲୋକ
ନ ହେଲେ ଜଣେ ସ୍ଥିତପ୍ରଜ୍ଞ
କଦାପି ହୁଏନାହିଁ ବିଜ୍ଞ
ମନକୁ କଲେ ନିୟଂତ୍ରଣ
ସଂଶୋଧନ ଓ ସଂଯୋଜନ
ଉତ୍ପନ୍ନ ହୁଏ ସୁଖ, ଶାଂତି
ମନରେ ରହେନାହିଁ ଭ୍ରାଂତି
ସ୍ବମନ ଚାଳିତ ମଣିଷ
ବନିଯାଏ ମନର ଦାସ
ଜୀବନସାରା ଅସଂତୋଷ
ଭୋଗେ ଓ ପାଉଥାଏ କ୍ଳେଶ
ସାମାନ୍ୟ ସୁଖ ଟିକେ ପାଇଁ
ନିଜକୁ ଜ୍ଞାନଠୁଁ ଦୂରେଇ
ହୋଇଲେ ସୁଦ୍ଧା ଧନବଂତ
ତା ମନ ସର୍ବଦା ଅଶାଂତ
ଦୋଳାୟମାନ ହେଲେ ମନ
ଭଲରେ କଟେନାହିଁ ଦିନ
ସର୍ବଦା ଏପାଖ ସେପାଖ
ହେଉଥାଆଂତି ବହୁ ଲୋକ
ମନକୁ ରଖିବାକୁ ସ୍ଥିର
ଅଟଳ ଧୈର୍ଯ ଦରକାର
ଧୈର୍ଯ ହିଁ ସର୍ବଶ୍ରେଷ୍ଠ ବଳ
ସର୍ବଦା ଦିଏ ଭଲ ଫଳ
ତତ୍କାଳ ଲାଭ ପ୍ରାପ୍ତି ପାଇଁ
ଏଠୁ ସେଠାକୁ ଧାଇଁ ଧାଇଁ
ବିଶେଷ କିଛି ମିଳେନାହିଁ
ଏ କଥା ଅନ୍ୟଥା ନୁହଇ
ମନ ତ ସ୍ବଭାବେ ଚଂଚଳ
ନୁହେ ଯଂତ୍ର ଅଥବା କଳ
ତା ହେଲେ ବ୍ୟକ୍ତିର ଆୟତ୍ତ
ସଂସାର ହୁଏ ଉପକୃତ
ଭାଷାକୁ କଲେ ତ୍ରୁଟିଶୂନ୍ୟ
ମନ ବି ହୁଏ ପରିଚ୍ଛନ୍ନ
ଭାବନା ହେଲେ ପ୍ରସାରିତ
ସଂସାର ହୁଏ ବିକଶିତ
ସାମାନ୍ୟ ଜ୍ଞାନ ପ୍ରଦର୍ଶନ
ଆଡ଼କୁ ନେଲେ ନିଜ ମନ
ଲେଖକେ ହୋଇ ଲୋକଚ୍ୟୁତ
ଦୂଷିତ କରୁଥାଂତି ଚିତ୍ତ
Comments are closed.