ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜ ଭାବନା ଆଉ ଚିଂତା
କବିଏ କରିଲେ କବିତା
ପାଠକେ ତହିଁ ଅର୍ଥନ୍ୟାସ
କରି କାଢ଼ିପାରଂତି ରସ
ଯେ ଯାହା ରୁଚି ଅନୁଯାୟୀ
ହୁଅଂତି ନବ ରସପାୟୀ
କାବ୍ୟକୃତିରେ ଅର୍ଥାରୋପ
କରିଲେ ଦେଖଂତି ସ୍ବରୂପ
କବିତା ଅର୍ପିତ ଦର୍ପଣ
ତହିଁର ଗୁଣ, ଅବିଗୁଣ
ପାଠକେ କରଂତି ନିର୍ଣୟ
ଉଭୟ ବୃଦ୍ଧି ଆଉ କ୍ଷୟ
ନିରୀହ କବି ମହାଶୟ
ସତରେ ଅତି ନିରାଶ୍ରୟ
ହୋଇ ବି ଲେଖଂତି କବିତା
ତାହା ହିଁ ତାଂକ ମୂଳ ସତ୍ତା
ଲିଖିତ ହେଲେ ଗୋଟେ ଗୀତ
ନ ଥାଏ କବିର ଆୟତ୍ତ
ପାଠକେ ନିଜ ମତ ଧରି
ଗୃହୀତ, ଅଗୃହୀତ କରି
ଗୀତକୁ ହୁଅଂତି ସୁମରି
ଅଥବା ଦିଅଂତି ପାସୋରି
ଶବ୍ଦଂକୁ ମିଳିଗଲେ ଅର୍ଥ
କବି ହୁଅଂତିନାହିଁ ବ୍ୟର୍ଥ
ଆଶା, ଆଶଂକା, ସ୍ବପ୍ନ, ସ୍ମୃତି
ସ୍ଥବିରତା ଓ ଦ୍ରୁତ ଗତି
କରିଲେ ସୂକ୍ଷ୍ମ ନିରୀକ୍ଷଣ
ଉପୁଜେ ଶାବ୍ଦିକ ପ୍ରମାଣ
ତାହାକୁ କହିଲେ କବିତା
ଅଲୋଡ଼ା ଏତେ କଥାବାର୍ତା
ତୃପ୍ତ, ଏକାଂତ ଶବ୍ଦଚାଷୀ
ହୁଅଂତି ବିନୟୀ ସାହସୀ
ଆତ୍ମାର ସ୍ଥିର ନିରବତା
ସଂସାରେ ବୋଲାଏ କବିତା
କବିତା ଲେଖୁଁ କି ନ ଲେଖୁଁ
କବି ଭଳିଆ ଜିଇଁ ଶିଖୁଁ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.