Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଅଳସ କନ୍ୟା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ପ୍ରାଞ୍ଜଳ ଆଲୋଚନା କରିବା ସମୟରେ ଆମେ ଏହାର ବିଭିନ୍ନ ଅଂଶରେ ହୋଇଥିବା ସୁକ୍ଷ୍ମ କାରୁକାର୍ଯ୍ୟ ବିଷୟରେ ଜାଣିଲେ।

ଏହି ପରିପ୍ରେକ୍ଷୀରେ ଏବେ ଜାଣିବା ମନ୍ଦିର ଗାତ୍ରରେ ଖୋଦିତ ହୋଇଥିବା ବିଭିନ୍ନ “ଅଳସ କନ୍ୟା “ବିଷୟରେ।

ଭାରତୀୟ ଶିଳ୍ପ ଶାସ୍ତ୍ର ବିଶେଷ କରି ଉତ୍କଳୀୟ ଶାସ୍ତ୍ର “ଶିଳ୍ପ ପ୍ରକାଶ “ରେ ବର୍ଣ୍ଣିତ ୧୬ ପ୍ରକାରର ଅଳସ କନ୍ୟା ଯାହା ଶ୍ରୀମନ୍ଦିରରେ ଖୋଦିତ ହୋଇଛି । ସେଗୁଡ଼ିକର ନାମ ଓ ଲକ୍ଷଣ ଏହି ଶାସ୍ତ୍ରରେ ପ୍ରଦତ୍ତ ହୋଇଛି। ଆମେ ପ୍ରତେକ ଅଳସ କନ୍ୟା ବିଷୟରେ ବିଶେଷ ଆଲୋଚନା ନକରି ମୁଖ୍ୟତଃ ସେମାନଙ୍କ ନାମ ଗୁଡିକ ଜାଣିବା ଓ କିଛି କିଛି ଆଲୋଚନା ରଖିବା। ସେମାନଙ୍କ ନାମ ଗୁଡିକ ହେଲା ଅଳସା, ତୋରଣା, ମୁଗ୍ଧା, ମାନିନୀ, ଡାଳମାଳିକା, ପଦ୍ମଗନ୍ଧା, ଦର୍ପଣା ବିନ୍ୟାସା, କେତକୀ ଭରଣା, ମାତୃ ମୂର୍ତ୍ତି, ଚାମରା, ଗୁଣ୍ଠନା, ନର୍ତ୍ତକୀ, ଶୁକ ସାରିକା, ନୁପୁର ପାଦିକା ଓ ମର୍ଦ୍ଦଳା।

ଏହି ସବୁ ନାମଗୁଡ଼ିକ ଅନୁଧ୍ୟାନ କଲେ ମାନସ ଚକ୍ଷୁରେ ସେମାନଙ୍କ ସ୍ୱରୂପ ଉଦ୍ଭାସିତ ହୋଇଥାଏ। କାରଣ ଗବେଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଭାଷାରେ ଉତ୍କଳୀୟ ଶିଳ୍ପୀ ପ୍ରତ୍ୟେକ ଅଳସ କନ୍ୟାଙ୍କ ନାମ ଅନୁସାରେ ପଥର ଦେହରେ ସେମାନଙ୍କ ଭାବ ପୁଟାଇଥାଏ। ଉଦାହରଣ ସ୍ୱରୂପ ଶ୍ରୀମନ୍ଦିର ସାମ୍ନା ଦିଗରେ ଉତ୍ତର ପାର୍ଶ୍ଵକୁ ଚାହିଁଲେ ତୃତୀୟ ଅଳସ କନ୍ୟାଟି ବିକଚ ପଦ୍ମ ଉପରେ ଦଣ୍ଡାୟମାନ। ବାମ ହସ୍ତ ଖଣ୍ଡିତ, କିନ୍ତୁ ଡାହାଣ ହସ୍ତରେ ଧରିଛି ମୁକୁର, ଅଳସ କନ୍ୟାର ପାଦରେ ନୃତ୍ୟର ଛନ୍ଦ, ମୁଖମଣ୍ଡଳରେ ବିଜୟିନୀର ଭାବ ତେଣୁ ସେହିଁ ପ୍ରକୃତ ଅଳସା। ଅଳସ କନ୍ୟା “ମାତୃ ମୂର୍ତ୍ତି “ଆତ୍ମ ଶକ୍ତି ସ୍ୱରୂପିଣୀ ଛୋଟ ଶିଶୁଟିକୁ ମୁହଁ ସାମ୍ନାରେ ତୋଳି ଧରି ବାତ୍ସଲ୍ୟ ପ୍ରେମରେ ଗଦ ଗଦ ଭାବ। ଅଳସ କନ୍ୟା “ମାନିନୀ “ଓଷ୍ଟ କୁଞ୍ଚିତ କରି ମାନ କରିବାର ଭଙ୍ଗୀରେ। ସେହିପରି ନୃତ୍ୟ ଛନ୍ଦରେ ଛନ୍ଦାୟିତ ଅଳସ କନ୍ୟା “ନର୍ତ୍ତକୀ “ତ୍ରିଭଙ୍ଗୀ

ଠାଣି କ୍ଷୀଣ କଟି ସହ ଅପୂର୍ବ ଭାବରେ ଅଳସ କନ୍ୟା “ପଦ୍ମ ଗନ୍ଧା “ଯାହାର ଡାହାଣ ହସ୍ତରେ ପଦ୍ମପୁଷ୍ପ ଏମିତି ବର୍ଣ୍ଣନା କରୁଥିଲେ ପ୍ରତ୍ୟେକ ଅଳସ କନ୍ୟା ଏକ ଏକ ସ୍ୱତନ୍ତ୍ର ସ୍ୱରୂପରେ ନିଶ୍ଚୟ ଉଦ୍ଭାସିତ ହେବେ। ଧନ୍ୟ ସେ ଉତ୍କଳୀୟ ଶିଳ୍ପୀ ଯାହା ଲିହଣ ମୁନରେ ଫୁଟି ଉଠେ ଗୋଟିଏ ପରେ ଗୋଟିଏ ଅପୂର୍ବ ଅଳସ କନ୍ୟାଙ୍କ ରୂପ ଆଉ ମନ୍ଦିର ଗାତ୍ରକୁ କରେ ରୁଦ୍ଧିମନ୍ତ। ଶିଳ୍ପ ଶାସ୍ତ୍ରର ନିର୍ଦ୍ଧିଷ୍ଟ ନିୟମ ଓ ଲକ୍ଷଣ ନେଇ ପ୍ରତ୍ୟେକ ଅଳସ କନ୍ୟା ହୋଇଛନ୍ତି ଅନନ୍ୟା, ଅପରୂପା। ସେହିପରି ଗବେଷକ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣା ଲବ୍ଧ ପ୍ରବନ୍ଧରୁ ଆମେ ଶ୍ରୀମନ୍ଦିର ଗାତ୍ରରେ ଖୋଦିତ ଶ୍ରୀକୃଷ୍ଣ ଲୀଳା ବିଷୟରେ ଅବଗତ ହୋଇଥାଉ। ବିଶେଷ ଭାବରେ ନିମ୍ନଲିଖିତ ବିଷୟଗୁଡ଼ିକ ମନ୍ଦିର ଗାତ୍ରରେ ଖୋଦିତ ହୋଇଛି।

 

୧. ରାଧା କୃଷ୍ଣଙ୍କ ସହ ଗୋରୁ ପଲ୍ଲ

୨ ବିଷ୍ଣୁ ଙ୍କ ଦଶ ଅବତାର

୩ ବଂଶୀବାଦନ ରତ ତ୍ରିଭଙ୍ଗ କୃଷ୍ଣ

୪ ଶ୍ରୀକୃଷ୍ଣ ଙ୍କ ଗିରିଗୋବର୍ଦ୍ଧନ ଧାରଣ

୫ . ଧେନୁକାସୁର ବଧ

୬. ଗୋପୀମାନଙ୍କ ସହ କେଳିରେ କୃଷ୍ଣ

୭. କୃଷ୍ଣ ବଳରାମ ଙ୍କ ରଥରେ ମଥୁରା

ଯାତ୍ରାର ଦୃଶ୍ୟ

 

ଏହା ଶ୍ରୀମନ୍ଦିର ନିର୍ମାଣ ସମୟରେ ଉତ୍କଳରେ ବୈଷ୍ଣବ ଧାରାର ପ୍ରଭାବକୁ ବ୍ୟକ୍ତ କରିଥାଏ। କାରଣ ଗଙ୍ଗ ବଂଶୀୟ ରାଜାମାନେ ପ୍ରାୟ ବୈଷ୍ଣବ ହିଁ ଥିଲେ। ଆଗାମୀ ଅଧ୍ୟାୟରେ ଆହୁରି କିଛି ଗବେଷକମାନଙ୍କ ଗବେଷଣା ତଥ୍ୟ ବିଷୟରେ ଜାଣିବା ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର।

 

ଜ୍ଞାନୀର ଶତ୍ରୁ ମିତ୍ର ନାହିଁ

ନିତ୍ୟ ଉଦାସ ପଣେ ଥାଇ।

ହରି ଚରଣେ ଯାର ଶ୍ରଦ୍ଧା

ତାକୁ ନଲାଗେ ଭବ ବାଧା।

 

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.