ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଚଳୁଛି ଯେତେ ବଂଟାବଂଟି
କେହି ତ ପାରିବେନି ଖଟି
ଆଗକୁ ଅଛି ତିଖ ଘାଟି
କାହାକୁ ଏବେ ଦିଶୁଛି ଟି
ଚାଂଦା, ଭେଦା, ବିଦାକି, ଭେଟି
ଲାଂଚ, ଉତ୍କୋଚ ଆଉ ବଟି
ନାମରେ ଧନ ନେଲେ ଲୁଟି
କେ କିଆଁ କରିବ ପାଇଟି ?
ମାଗଣା ପାଇବା ଅଭ୍ୟାସ
ଯୋଗୁଁ ଯେ ଘଟୁଛି ବିନାଶ
ବୁଝାଇଲେ ବି ଅର୍ଥନୀତି
ବୁଝେନି ଶାସକଂକ ମତି
ଲୋକଂକୁ କଲେ କର୍ମକୁଂଠ
ଜାତି ଯେ ହୋଇଥାଏ ନଷ୍ଟ
ରହିଛି ଅସଂଖ୍ୟ ପ୍ରମାଣ
କେହି ଦିଅଂତିନାହିଁ ଧ୍ୟାନ
ନିଖଟୁ ପାଏ ଯଦି ଟଂକା
ମନରେ ରହେନାହିଁ ଶଂକା
ଅର୍ଜନ ବିମୁଖ ଜନତା
ଯୋଗୁଁ ହିଁ ଏହି ଦୁରବସ୍ଥା
କେବଳ ଖାଇ, ପିଇ, ଶୋଇ
ଲୋକେ ତ ଅଳସୁଆ ହୋଇ
ସୁଖରେ ବିତାଂତି ଜୀବନ
ନ ହେଲେ ସୁଦ୍ଧା ସମୀଚୀନ
ପ୍ରତ୍ୟେକ ଲୋକ ହେଲେ ଏକା
କେହି ହୁଏନି କାହା ସଖା
କେହି ନ ହେଲେ ବି କାହାରି
ପ୍ରତ୍ୟେକେ ହୁଅଂତି ଭିକାରି
ଔଚିତ୍ୟ, ଆଦର୍ଶ ବରଜି
ବଂଚିବା ପାଇଁ ହେଲେ ରାଜି
ହାତକୁ ଆସୁଥାଏ ଧନ
କେହି ନୁହେ ଗରିବ, ଦୀନ
ଥିଲେ ବି ଯିଏ ବେଶି ମାଗେ
କୌଣସି କାମରେ ନ ଲାଗେ
ମାଗି, ଠକି ଆଣିଲେ ଧନ
ବଢ଼େନି ଆଦର, ସମ୍ମାନ
ସବୁ ବିଷୟ ଜାଣି, ବୁଝି
ଯିଏ ବି ହୋଇଯାଏ ରାଜି
କରିବା ପାଇଁ ବଂଶ ଧ୍ବଂସ
ତା ମୁଖେ ଉକୁଟେନି ହସ
ମନକୁ କଲେ ସର୍ବଶୁଦ୍ଧ
ବଢ଼େ ଆତ୍ମ-ମର୍ଯାଦା ବୋଧ
ନିଜକୁ ନ ଦେଲେ ସମ୍ମାନ
ଦୁଃସ୍ଥ, ଅସୁସ୍ଥ ହୁଏ ଜନ
Comments are closed.