Latest Odisha News

BREAKING NEWS

କବିତା : ଆଶା ସଳିତା

ବାସନ୍ତୀ ଲତା ଜେନା

ସପନ ବିଭୋର ମାନବ ହୁଅଇ
ଆଶା ଆକାଂକ୍ଷାକୁ ନେଇ
କେତେକ ସପନ ପୂରଣ ହୁଅଇ
ଅଧା କେତେ ରହୁଥାଇ।

ସପନ ଦେଖିବା ମନୁଷ୍ୟ ସ୍ଵଭାବ
ଆଗକୁ ବଢ଼ିବା ପାଇଁ
ଯାହା ମନେ ସ୍ବପ୍ନ ଉଦ୍ରେକ ନହୁଏ
ନିରର୍ଥ ଜୀବନ ସେହି।

ଜନ୍ମରୁ ମରଣ ଯେତେ କାଳ ଥାଏ
ବହୁ କର୍ମରେ ଜଡିତ
ଜୀବନର ପଥ ଅଙ୍କା ବଙ୍କା ରାସ୍ତା
ମନ ପ୍ରାଣ ହୁଏ କ୍ଷତ।

ଭଲ ମନ୍ଦ ଆଉ ଦୁଃଖ ସୁଖ ସାଥେ
ଜୀବନ ଧାରାର ପ୍ରେମ
ଆତ୍ମୀୟ ସ୍ୱଜନ ସଖା ସହୋଦର
ସଭିଏଁ କରନ୍ତି କର୍ମ।

କେତେକ ସପନ ପୂର୍ଣ୍ଣ ହୋଇଯାଏ
ମିଳଇ ଅମାପ ଶାନ୍ତି
ଯେଉଁ ସ୍ବପ୍ନ କେବେ ପୂର୍ଣ୍ଣହୁଏ ନାହିଁ
ଘାରଇ ମନେ ଅଶାନ୍ତି।

ଦୃଢ଼ ସଂକଳ୍ପରେ କର୍ମଟି କରିଲେ
ହୁଏ ଅସାଧ୍ୟ ସାଧନ
ବିଶ୍ୱାସ ଭରସା ଉଚ୍ଚ ମନା ଆଶା
ନିଷ୍ଠାରେ ହୁଏ ସମ୍ପୂର୍ଣ୍ଣ।

ସପନ ଦୀପର ଆଶା ସଳିତାକୁ
କେବେ ଲିଭାଇବ ନାହିଁ
ଧୈର୍ଯ୍ୟ ନ ହରାଇ କର୍ତ୍ତବ୍ୟ କରିଲେ
ଯଶ ଖ୍ୟାତି ତୁମ ପାଇଁ।

ଅଧର୍ମ ପଥରେ ସ୍ୱାର୍ଥର ଲାଳସା
ସପନ ହୁଏ ଅନୀତି
ସମ୍ପତ୍ତିର ଲୋଭ ରସାତଳ ନିଏ
ଲୋକେ ନିନ୍ଦା କରିଥାନ୍ତି।

ଶୋଇ ରହି ଯେବେ ସପନ ଦେଖିବ
ଆହାର ଯୋଗାଡ଼ ପାଇଁ
ଆପେ ଆପେ ଖାଦ୍ୟ ମୁଖେ ନ ପଶିବ
ଉଦର ପୂଇବ ନାହିଁ।

ଶୋଷ ମେଣ୍ଟାଇବ ଜଳାଶ୍ରୟେ ଯାଇ
ଜଳାଶ୍ରୟ ଆସେ ନାହିଁ
ବିଭୁ ଆଶ୍ରା ରଖି କର୍ମ କରି ଯିବ
ସପନ ସାର୍ଥକ ପାଇଁ।

ସପନ ଦେଖିବା ଯିଏ ଭୁଲି ଯାଏ
କର୍ମ କୁଡ଼ି ସେ ହୁଅଇ
ବଡ଼ ବଡ଼ କଥା ତା ମୁଖର ଶୋଭା
ଲାଭ କିଛି ହୁଏ ନାହିଁ।

ସପନକୁ ଯେବେ ଜୀବନ୍ତ କରିବ
ଜାଗ୍ରତ ସଦା ରହିବ
ମନରେ ବିଶ୍ୱାସ ଦୃଢ଼ ରଖି ଥିବ
ନିଶ୍ଚେ ସଫଳ ହୋଇବ।

Leave A Reply

Your email address will not be published.