ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଭୁଲ୍, ତ୍ରୁଟି ଆଉ ପ୍ରମାଦ
ଦିଶିଲେ ନ କରୁଁ ବିବାଦ
ଯେହେତୁ ସ୍ବାୟତ୍ତ ଏ ଦେଶ
ଉତ୍ପାତ ହେବନାହିଁ ଶେଷ
ସବୁ ବିଚାର ଆଉ ମତ
ଉଚିତ ଅବା ଅନୁଚିତ
ହେଲେ ବି ନେବା ଯଦି ସହି
ଏଠି ପାରିବା ସୁଖେ ରହି
ସଂଶୋଧନ ଭଳିଆ କାମ
ଯୋଗୁଁ ମିଳେନି ପରିଣାମ
ଓଳାଉଥିଲେ ଆବର୍ଜନା
ବହୁ ଲୋକ କରଂତି ମନା
ଅତିବିଶିଷ୍ଟ ଲୋକେ ଏଠି
ଯାହା ପାଇଁ ଖଟଂତି ବେଠି
ସିଏ ହେଲେ ହେଁ ଅଳ୍ପଜ୍ଞାନୀ
କ୍ରମଶଃ ହେଉଥାଏ ଧନୀ
କ୍ଷମତା, ଧନର ପ୍ରଭାବ
ଲୋକେ କଲେ ବି ଅନୁଭବ
ରହଂତି ପ୍ରାୟତଃ ନିରବ
ସଂଭାଳି ଆପଣା ଗୌରବ
ଭାଷାର ରୀତି, ବିଧି ଜାଣି
ନ ପାରେ ଯିଏ ନିଜେ ମାନି
ସ୍ବୈଚ୍ଛିକ ଲିପି ସଂଯୋଜନ
ପ୍ରାୟତଃ ହୁଏ ଅର୍ଥହୀନ
ଅର୍ଥ ନ ହେଲେ ପ୍ରକଟିତ
ବିଚଳିତ ପାଠକ ଚିତ୍ତ
ପଢ଼ିବା କାମ ଦିଏ ଛାଡ଼ି
ଭାଷାଟେ ପାରେନାହିଁ ବଢ଼ି
ଅହଂପୁଷ୍ଟ ଲେଖକଗଣ
ଅନ୍ୟ ଲୋକଂକୁ ମଣି ନ୍ୟୂନ
ଭାଷାକୁ କରଂତି ଦୁର୍ବଳ
ମିଳେନାହିଁ ବାଂଛିତ ଫଳ
ଯେ କେହି କୌଣସି ପୁସ୍ତକ
ପଢ଼ିଲେ ହୁଅଇ ପାଠକ
ତାହାକୁ କରିଲେ ଉପେକ୍ଷା
କିଏ କରିବ ଭାଷା ରକ୍ଷା ?
କମାର ଗଢ଼ିଲେ ବି ଦାଆ
କଟାଳି ନ ଧରିଲେ ତାହା
କଟା ହୋଇପାରେନି ଘାସ
ଅତି ବଢ଼ିଲେ ହୁଏ ଶେଷ
ନ ଥିଲେ କଟାଳି, ଚରାଳି
ଘାସ ଆପଣା ଛାଏଁ ଜଳି
ଗୋଟା ଅରଣ୍ୟ ଦିଏ ଜାଳି
କେହି ନ ପାରଂତି ସଂଭାଳି
ଭାଷା ବି ଗଛ ପରି ବଢ଼େ
ଅଥବା ଘାସ ପରି ପୋଡ଼େ
ଏହି ପ୍ରକ୍ରିୟା ପ୍ରାକୃତିକ
ଏବେ ବୁଝଂତୁ ସବୁ ଲୋକ
Comments are closed.