ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଦଳ, କଂଦଳ ହେଲେ ଯୋଡ଼ି
ଦେଶ ପାରେନି ଆଗେ ବଢ଼ି
ଚକ୍ର-ପଥରେ ଗଡ଼ି, ଗଡ଼ି
ରହେ ସେହି ଜାଗାରେ ପଡ଼ି
ଘୂର୍ଣନ ହେଲେ ସୁଦ୍ଧା ଗତି
ତା’ ଯୋଗୁଁ ହୁଏନି ଉନ୍ନତି
ଏହା ତ ବୈଜ୍ଞାନିକ ସତ
ନ ରହୁ ଆଉ ଭିନ୍ନ ମତ
ବିକାଶ ହେଲେ ମୂଳମଂତ୍ର
ଶାସନ ହୁଏନାହିଁ ଯଂତ୍ର
ଲୋକହିତର ଅନୁଯାୟୀ
ହୁଏ ସମସ୍ୟା ପାଇଁ ଦାୟୀ
ଏଡ଼ାଇ ଦେଲେ ଭିନ୍ନ ମତ
ଆପେ ହୁଏନି କେବେ ମୃତ
ମତ ଧାରଣ କରେ ମତି
କେବେ ବି କରେନାହିଁ କ୍ଷତି
ମତାବଲଂବୀ ବହୁ ଲୋକ
ହୋଇଲେ ବୁଝି, ଜାଣି ମୂକ
ମତିରେ ଶଢ଼ି, ଶଢ଼ି ମତ
ଅବଶ୍ଯ ହୁଅଇ ବିସ୍ମୃତ
ସ୍ବଦେଶ ଭୂଖଂଡ କେବଳ
ନୁହେ, ବୁଝିଲେ ଗୋଟେ ଦଳ
ଜାଗ୍ରତ କରେ ଲୋକଶକ୍ତି
ତାହା ହିଁ ସର୍ବୋତ୍ତମ ଭକ୍ତି
ବ୍ୟକ୍ତି-ସ୍ତୁତିରେ ରହି ମାତି
ହେଉଛି ବହୁବିଧ କ୍ଷତି
ଏହି ପ୍ରଥାର ଅବସାନ
କେବେ କି ହୋଇବ ସଂପନ୍ନ ?
ପ୍ରଶ୍ନର ଉତ୍ତର ମିଳୁନି
ଅଥଚ ଦୁର୍ଦଶା ଟଳୁନି
ଅନ୍ୟୋପାୟ ନ ପାଇ ଲୋକ
ପାଲଟିଯାଆଂତି ଚାତକ
ଦେଶ ସ୍ବାଧୀନ, ଲୋକେ ଦାସ
ଏ ସ୍ଥିତି ଆନଂଦ ଉଲ୍ଲାସ
ସହିତ କରିଲେ ସ୍ବୀକାର
ହେବନି କାହା ଉପକାର
ଯାହା ନୁହଇ ନିୟମିତ
ତା’ ହୋଇଥାଏ ଅନାଦୃତ
ଲୋକଂକ ଅଶୁଦ୍ଧ ଅଭ୍ୟାସ
ଘଟାଏ ଭାଷାର ବିନାଶ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.