Latest Odisha News

BREAKING NEWS

ଭାଷା ଭାଗବତ : ଆତ୍ମ-ଧିକ୍କାରକାରୀ କେହି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଆତ୍ମ-ଧିକ୍କାରକାରୀ କେହି
ନିଜକୁ ନିଜେ ହିଁ ଗଢ଼ଇ
ତାହାର ଭାବନା, ବଚନ
କେବେ ହୁଏନି ଅସମାନ

କଥା ଓ କାମ ହେଲେ ଭିନ୍ନ
ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନ
ବେଳେ ହିଁ ପଡ଼େ ବହୁ ବିଘ୍ନ
ଘଟେ ଚେଷ୍ଟାର ଅବସାନ

ନିଜର ପରିଧି ନ ଲଂଘି
ଯିଏ ବି ହୁଏ ସହଭୋଗୀ
କରେ ସମସ୍ୟା ସମାଧାନ
ହୁଏନି ବ୍ୟକ୍ତିତ୍ୱ ନିଶ୍ଚିହ୍ନ

ଅନ୍ୟ କାହାକୁ କରି ତୃପ୍ତ
ଯିଏ ବି ହୁଏ ଅନୁତପ୍ତ
ତାହାର ଅଂତର୍ଲୀନ ଦୁଃଖ
ଦେଖି ପାରଂତିନାହିଁ ଲୋକ

ଶୈଶବ ବିତିଯିବା ପରେ
ଯିଏ ନିଜର ବାଟ ଧରେ
ସେ ହୁଏ ସଂକଳ୍ପ-ଚାଳିତ
ବୁଝେ କାର୍ଯର ହିତାହିତ

ମନୁଷ୍ୟକୃତ ଯେତେ କାର୍ଯ
ହେଉ ବା ନ ହେଉ ସ୍ବୀକାର୍ଯ
କାର୍ଯର ମୋଟ ପରିମାଣ
କରଇ ବୈଶିଷ୍ଟ୍ୟ ଗଠନ

ଖ୍ୟାତି ହୋଇଲେ ବିସ୍ତାରିତ
ଯେ ହୁଏ ସତେ ଉଲ୍ଲସିତ
ତାହାର ନିକୃଷ୍ଟ ସାଧନା
ଲୋକଂକୁ ପଡ଼ିଯାଏ ଜଣା

ଏପରି ପ୍ରାୟୋଜିତ ଖ୍ୟାତି
କରେ ବ୍ୟକ୍ତିର ଯେତେ କ୍ଷତି
କେବେ ବି ତହିଁର ଭରଣା
କରିବା ସଂଭବ ହୁଏନା

ବାସ୍ତବ ଅନୁଭୂତି-ଜାତ
ରଚନା କରେ ସର୍ବହିତ
ଅଯଥା କଳ୍ପନା ବିଳାସ
ଘଟାଏ ତୁରଂତ ବିନାଶ

Comments are closed.