ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବ୍ୟକ୍ତି ବଦଳେ ଯଦି କୃତି
ଆଲୋଚ୍ୟ ହୋଇପାରେ ନିତି
କୃତିକୁ ମିଳିବ ସ୍ବୀକୃତି
ସାହିତ୍ୟ କରିବ ଉନ୍ନତି
ବ୍ୟକ୍ତିଂକୁ ନିଂଦା କି ପ୍ରଶଂସା
କରିଲେ ହଟେନି ଦୁର୍ଦଶା
ବ୍ୟକ୍ତିଂକ ମୂର୍ତି କଲେ ପୂଜା
ଉଡ଼େନି ବ୍ୟକ୍ତିତ୍ବର ଧ୍ବଜା
ମଂଚରେ ବ୍ୟକ୍ତି ହେଲେ ଉଭା
ଉଜ୍ଜ୍ବଳ ଦିଶଇ ପ୍ରତିଭା
କ୍ଷଣକ ପାଇଁ ମନଲୋଭା
ସେଥି ପାଇଁ ତ ହୁଏ ସଭା
ସ୍ବରର ଉତ୍ଥାନ ପତନ
ଘଟାଇ କଲେ ଉଚ୍ଚାରଣ
ଆକୃଷ୍ଟ ହୁଏ ଶ୍ରୋତା ମନ
ମଧୁର ତୃପ୍ତି ପାଏ କାନ
ଯାହାକୁ କହୁଁ ପଢ଼ାଜ୍ଞାନ
ତାହା ତ ଶୁଦ୍ଧ ଉଦ୍ଧରଣ
ଏହା କାୟିକ ପରିଶ୍ରମ
ନୁହେ କେବେ ପ୍ରତିଭା ସମ
ପ୍ରତିଭାବଂତ ଜଣେ ଲୋକ
କେବେ ବି ଲୋଡ଼େନି ସ୍ତାବକ
ସେ ହୁଏ ସାଧନା-ଆସକ୍ତ
ସ୍ବାନୁଭୂତିରୁ ଜାଣେ ସତ
ଚିତ୍ରକର ଓ ବୁଣାକାର
ତଂତୀ ଓ କାଠ କାରିଗର
ରାଜମିସ୍ତ୍ରି ଓ ନାଟ୍ୟକାର
ସଭିଏଁ ତ ପ୍ରତିଭାଧର
ପ୍ରତିଭା-ଶୂନ୍ୟ କେହି ନାହିଁ
ଏ ସତ୍ୟ ବୁଝୁନୁ କିପାଇଁ
କବିମାନଂକ ସହ ଲାଖି
କିଛି ବି କରିପାରିବା କି ?
ସ୍ବଗୋଷ୍ଠୀ ମହିମା ବ୍ୟାଖ୍ୟାନ
ନ କରି ସୁଦ୍ଧା ବ୍ୟକ୍ତିଗଣ
କରିପାରିବେ ନିଜ କାର୍ଯ
ଏହା କି ଅଟେ ଅସ୍ବୀକାର୍ଯ ?
ନିଜେ ନିଜର ସୀମା ଜଗି
ସଭିଏଁ ହେଲେ ସହଭାଗୀ
ସଂଭବ ଭାଷାର ଉତ୍ଥାନ
ସେହି ଦିଗକୁ ନେଉଁ ମନ
କର୍ମଯୋଗୀ ବ୍ୟକ୍ତିର କୃତି
କେବେ ବି କରେନାହିଁ କ୍ଷତି
କଦାପି ଘଟେନି ସମାପ୍ତି
ଏହା ହିଁ କର୍ମର ପ୍ରକୃତି
Comments are closed.