ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନଗରେ ଏବେ ଯେତେ ଘର
ନାହାଂତି ସେତେ ନାରୀ, ନର
ଅନେକ ବିଶାଳ ନିବାସ
ଭିତରେ ଜଣେ କରେ ବାସ
ଏଠି କୃତୀ ସଂତାନଗଣ
କରଂତି ସୁଦୂରେ ପ୍ରସ୍ଥାନ
ମାଆ ବାପାଂକୁ ଏକା ଛାଡ଼ି
କେବେ କି ଆସିବେ ବାହୁଡ଼ି ?
ଅବ୍ୟବହୃତ ଯେତେ ଘର
ଆଖିକୁ ଦିଶଂତି ସୁଂଦର
ଭିତରେ ଦୁଇ ବୁଢ଼ାବୁଢ଼ୀ
ଲୁହ ଝରାଂତି ମିଛେ ପଡ଼ି
ଏମିତି ବିଶାଳ ଭବନ
ଗଢ଼ିଦେଲେ ସଂତାନଗଣ
ତାଂକର ସାଧାରଣ ଜ୍ଞାନ
ମୋଟେ ନ ଥିଲା ବୋଲି ଜାଣ
ନିଜ କୃତିତ୍ୱ ପ୍ରଦର୍ଶନ
ନିମଂତେ ସଦା ବ୍ୟସ୍ତ ମନ
ହରାଏ ନିଜ ପରିଚୟ
ସ୍ନେହ, ଶ୍ରଦ୍ଧାରେ ନାହିଁ ଲୟ
ନିର୍ଜନ ଏତେ କୋଠାଘର
ପୂରିତ ଏ ମହାନଗର
ସବୁ ଦିଗରୁ ହେଲେ ଭ୍ରଷ୍ଟ
ଲୋକଂକୁ ମିଳେ ବହୁ କଷ୍ଟ
କାହାଠୁଁ ନେଇ ଅନୁମତି
ପିଲାଏ କଲେ ଏତେ କ୍ଷତି
କେହି କି କରିଛି ହିସାବ ?
ଏ ଅତି ବିଚିତ୍ର ସ୍ବଭାବ
ଆହୁରି ଅନେକ ଭବନ
ଏବେ ଦିଶେ ନିର୍ମାଣାଧୀନ
କାର୍ଯ ହୋଇଲେ ସମାପନ
ନଗର ହେବ ଶିରୀ-ହୀନ
ବୁଢ଼ାଏ ହେବେ ଜଗୁଆଳ
ପିଲେ କରିବେ ନାନା ଆଳ
କାହାକୁ ମିଳିବନି ଫଳ
ସଭିଏଁ ହୋଇବେ ଦୁର୍ବଳ
ଆଖପାଖରେ କେହି ନାହିଁ
କଥା କହିବେ କାହା ପାଇଁ
ଲୋକଂକର ଏକାଂତବାସ
ଭାଷାକୁ କରିପାରେ ନାଶ
Comments are closed.