ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଯତ୍ନେ ଲିଖିତ ରଚନା
ଦେଖିବା ପାଇଁ ନାହିଁ ମନା
ତା ଯଦି ନୁହେ ଉପଯୁକ୍ତ
ଆପେ ହୋଇବ ପ୍ରତ୍ୟାଖ୍ୟାତ
ଲେଖାକୁ କରିଲେ ଉପେକ୍ଷା
ଲେଖକକୁ ମିଳିବ ଶିକ୍ଷା
ଅଧିକ ହୋଇଲେ ଚର୍ଚିତ
ଲେଖାଳି ହେବ ପରିଚିତ
ପ୍ରତ୍ୟେକେ ଯେହେତୁ ଅନନ୍ୟ
ହୁଅଂତି ଗଣ୍ୟ ବା ନଗଣ୍ୟ
ଏଥିରେ ନାହିଁ କିଛି ନୂଆଁ
ଅଯଥା ନ ହେଉଁ ଛାନିଆଁ
ସେ କରୁଥାଉ ତା’ର କାମ
ଭୋଗିବ ନିଜେ ପରିଣାମ
ଆମ ମନେ ନ ରହୁ ଭ୍ରମ
ଆଦୃତ ହୁଏ ସର୍ବୋତ୍ତମ
ସହସ୍ରାଧିକ ପୃଷ୍ଠା ପାଠ
ପହଂଚେ ଲୋକଂକ ନିକଟ
କିଏ ସତେ ପଢ଼ଂତି କେତେ
ତାହା ସତେ ଅଜଣା ମୋତେ
ତ୍ରୁଟିଭରା ନିକୃଷ୍ଟ ପାଠ
ପାଇଁ ବସିଛି ବଡ଼ ହାଟ
ଏ ସବୁ ହେବେ ସର୍ବୋତ୍କୃଷ୍ଟ
ଭାବନା ଅଟେ ଅତ୍ୟୁତ୍କଟ
ସମସ୍ୟା ହେଲେ ଆଲୋଚିତ
ସମାଧାନ ତ ଉପଗତ
ହେବାର ମିଳୁନି ପ୍ରମାଣ
ଚର୍ଚକଗଣ ହଇରାଣ
ଲୋକଂକ ଶୁଦ୍ଧ ଭାଷା ପ୍ରୀତି
ନ ଥିଲେ ଭାଷାକୁ ବିପତ୍ତି
ପଡ଼ିବା ହୁଏ ସୁନିଶ୍ଚିତ
ଏ କଥା ହେଉ ମନୋଗତ
ଲେଖକ ବାଛେନି ପାଠକ
ପାଠକ ହିଁ ବାଛେ ଲେଖକ
ଲେଖା ହୋଇଛି ଯେତେ ବହି
ସବୁ ତ ପଢ଼ା ହୁଏନାହିଁ !
ଗ୍ରଂଥାଗାରରେ ପଡ଼ିରହି
ଥାଆଂତି ଅପଠିତ ହୋଇ
ଲେଖକେ ନିଜ ରୁଚି ମତେ
ଲେଖଂତୁ ଯେତେ ଇଚ୍ଛା ସେତେ
ଅନୁଭୂତି ହିଁ ଶ୍ରେଷ୍ଠ ଜ୍ଞାନ
ତାହାକୁ ଦେଇ ବେଶି ଧ୍ୟାନ
କରିଲେ ସରଳ ଲିଖନ
ମିଳଇ ବହୁ ମନେ ସ୍ଥାନ
ନ କଲେ ମୋଟେ ମୂଲ୍ୟାଂକନ
ବଢ଼େ, କମେ ବହିର ମାନ
ଲେଖକେ ନ କଲେ ଏ କାମ
ସାହିତ୍ୟ ହୁଏ ମନୋରମ
ମନରେ ରଖି ଶବ୍ଦ-ଜ୍ଞାନ
କରିଲେ ଭାବ ବିତରଣ
ସରଳ ଓ ସ୍ପଷ୍ଟ ଭାଷାରେ
ତାହା ହିଁ ବିଶ୍ବାସ ସଂଚାରେ
କାହା ଲେଖା ବୁଝିବା ପାଇଁ
ଭାଷାକୋଷ ଖୋଜିବ ଯାଇ
ଏପରି ବିରଳ ପାଠକ
ନୁହଂତି ବେଶି ଭାଗ ଲୋକ
ତେଣୁ ତ ଏବେ ପ୍ରଚଳିତ
ଶବ୍ଦ ହୋଇଲେ ବ୍ୟବହୃତ
ରଚନା ହୁଏ ବୋଧଗମ୍ୟ
ଭାଷା ବି ହୁଏନି ଅକ୍ଷମ
ସରଳ ବାଟକୁ ବରଜି
ବଂକା ବାଟକୁ ଖୋଜି ଖୋଜି
ଯେ ହୁଏ ଆପେ ଆପେ ବଣା
ସେ ମାନେନାହିଁ କଟକଣା
ନିଜର ପରିଧିରେ ଲାଖି
ସେ ଯାହା ଦିଏ ନିତି ଲେଖି
ତହିଁର ମୂଳ ଅବା ଡାଳ
ନ ଥାଏ, ଦିଶେନାହିଁ ଫଳ
ଶବ୍ଦ ସହିତ ଖେଳି ଖେଳି
ଯିଏ ଯାଏ ଭାବକୁ ଭୁଲି
କରେ ମୁଖ୍ୟତଃ ପୁନରୁକ୍ତି
ନ ରଖେ ପ୍ରଜ୍ଞାଦୀପ୍ତ ଶକ୍ତି
ଶବ୍ଦ-ଗଠିତ ଯାହା କିଛି
କଥା ବା ଲେଖାରେ ରହିଛି
ଯଦି ପାଠକ ମନେ ରହେ
ତାହା ହିଁ ସାହିତ୍ୟ ବୋଲାଏ
ସଂଖ୍ୟାରେ ହୋଇ ଅଳ୍ପାଧିକ
ଲେଖକ ସହିତ ପାଠକ
ରଖିଲେ ନିସର୍ତ ସଂପର୍କ
ବଢ଼ଇ ସାହିତ୍ଯର ଟେକ
Comments are closed.