ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମୁଁ ଯେଣୁ ଜଣେ ପଦ୍ୟକାର
କବି ବନିବା ଦାବି ମୋର
ନ ଥିଲା, ଏବେ ମଧ୍ୟ ନାହିଁ
ଲେଖେଁ ମୁଁ ନିଜ ଭଳି ହୋଇ
ଶବ୍ଦରେ ଗୁଂଥା ଭାବାବଳି
ରଖେଁ ମୁଁ ଯତ୍ନରେ ସଂଭାଳି
ପାଠକେ ବୁଲାଇଲେ ଆଖି
ଭାବ-ରୂପ ପାରଂତି ଦେଖି
ମୁଁ ନିଜ ସମୟର ସାକ୍ଷୀ
ଭାଷାର ମର୍ଯାଦାର ରକ୍ଷୀ
ହୋଇ ଲେଖୁଛିଁ ଯେତେ ଗୀତ
ମୋତେ କରଂତି ଆନଂଦିତ
ଭାବନା ମାନେ ତାଳ, ଲୟ
ତେଣୁ ହୁଏ ସଂଗୀତମୟ
ତାହା ମୁଁ ପାରେଁନାହିଁ ରୋଧି
ହୁଏଁନି ପଦ୍ୟର ବିରୋଧୀ
ଗଦ୍ୟରେ କରେଁ କଥାବାର୍ତା
ନ ହେଲେ ପାଳି ନିରବତା
ଶୁଣିଲେ ମୋ ମନର କଥା
ପଦ୍ୟକୁ ମିଳେ ସ୍ବାୟତ୍ତତା
ସାହିତ୍ୟ ସହ ହୋଇ ଯୁକ୍ତ
ମୁଁ ହୋଇଛିଁ ସତରେ ମୁକ୍ତ
ନାହିଁ ଆକଟ, କଟକଣା
ଜାଣିଛିଁ ନିଜର ଠିକଣା
ଏହି ମୁକ୍ତିର ସ୍ବାଦ ପାଇ
ଏବେ ଅଯଥା ବଂଧା ହୋଇ
ଗଢ଼ିବିନାହିଁ ଗୋଷ୍ଠୀ, ସଂଘ
ହେବନି ମୋ ସଂକଳ୍ପ ଭଂଗ
ସଖା କୈଫିୟତ୍ ମାଗେନାହିଁ
ଶତ୍ରୁ ବିଶ୍ବାସ କରେନାହିଁ
ତେଣୁ ମୁଁ ନିଜ ଭଳି ହୋଇ
ଭାଷା ସଂସାରେ ଥାଏଁରହି
କାହାକୁ କିଛି ବି ନ କହି
ଶବ୍ଦ ସୁଅରେ ଯାଏଁ ବହି
ଶ୍ବାସକୁ କରି ନିୟଂତ୍ରଣ
ଧରିରଖିଛିଁ ମୋ ଜୀବନ
Comments are closed.