ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହାର ନାହିଁ କାମ, ଧଂଦା
ସିଏ ହିଁ ମାଗିବୁଲେ ଚାଂଦା
ଯିଏ ପାରେନି ଲୁଟି, ଖଟି
ସିଏ ଆଦାୟ କରେ ବଟି
ଯେଉଁ ବାଟରୁ ଆସୁ ଧନ
ତାହାକୁ ମାନ ଓ ସମ୍ମାନ
ପ୍ରାପ୍ତ ହୁଅଇ ନିତି ଦିନ
ଏମିତି ଚଳେ ଏ ଜୀବନ
ଯଦି କାହା କାମ କରୁଛ
ନ ମାଗି ସୁଦ୍ଧା ମିଳେ ଲାଂଚ
ଏମିତି ଦେଇ, ନେଇ ବଂଚ
ଅଧିକ କେବେ ବି ନ ସଂଚ
ମିଳିଲେ ଉପୁରି ପାଉଣା
କାହାକୁ ପଡ଼େନାହିଁ ଜଣା
ରାଷ୍ଟ୍ର ବି ଲୋଡ଼ଇ ଖଜଣା
ଅର୍ଥତତ୍ତ୍ୱ କରେନି ମନା
ଉପଢୌକନ, ଉପହାର
ଭେଟି, ବିଦାକି ପୁରସ୍କାର
ଧନର ବହୁବିଧ ରୂପ
କେବେ ପାଇନାହିଁ ତ ଲୋପ
ମଜୁରି, ଭଡ଼ା, ବିନିଯୋଗ
ଯାହାକୁ ଯେପରି ସୁଯୋଗ
ମିଳିଲେ କେବେ ବେଳେବେଳେ
ସୁଖେ ଏଠି କୁଟୁଂବ ଚଳେ
ଦେଉଳ ଆଗରୁ ଭିକାରି
କୁଆଡ଼େ ଗଲେଣି ବାହାରି
କାର୍ଯାଳୟ ମଧ୍ୟେ ‘ ଲାଂଚାରି ‘
ଏବେ ତ ରହିଛଂତି ପୂରି
ପେନ୍ସନ୍, ବେତନ ଓ ଭତ୍ତା
ପୁଣି ବିତ୍ତୀୟ ସହାୟତା
ଖାଇ-ଖରଚ ଓ ଦକ୍ଷିଣା
କାହାକୁ ନୁହେ ତ ଅଜଣା
ଯେ ଜାଣେ ମାଗିବା କୌଶଳ
ତାହାକୁ ମିଳଇ ସଂବଳ
ଚଳେ ସବୁଠି ଭାଷା-ଖେଳ
ଏମିତି ବିତିଯାଏ ବେଳ
କହିଜାଣିଲେ ଅସଂଭବ
ନିଶ୍ଚୟ ହୁଅଇ ସଂଭବ
ବୁଝଂତି ଜନସାଧାରଣ
ସଭିଏଁ ଭାଷା-ପରାୟଣ
କଥା କହି ଓ ମନ ମୋହି
ଯିଏ ସଂସାରେ ଥାଏ ରହି
ତା’ର ହାତକୁ ଆସେ ଧନ
ରହିଛି ଅନେକ ପ୍ରମାଣ
ମଣିଷ ହେଲେ ଧନାଗ୍ରହୀ
ହୁଏ ଅନ୍ୟର ଅନୁଯାୟୀ
ଅବଶ୍ୟ ପାଇଥାଏ ଧନ
ବିନଷ୍ଟ ହୁଏ ସ୍ବାଭିମାନ
Comments are closed.