ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିର୍ଜନ ଏବେ ରାଜୋଦ୍ୟାନ
ଜନୋଦ୍ୟାନରେ ନାହିଁ ତୃଣ
ଏ ସବୁ ବୋଲାଂତି ବଗିଚା
ଗୋଟେ କଂଚା, ଆରଟି ପଚା
ଟଳିଯାଇନି ରାଜାସନ
ମାଟି ହୋଇଛି ଜନାସନ
ଏପରି ହୋଇଛି ବ୍ୟବସ୍ଥା
ଅନୁପସ୍ଥିତ ସବୁ ଆସ୍ଥା
ଜନତା ଅଜାଡ଼ିଲେ ମତ
ନେତା ହୁଏ କ୍ଷମତାଯୁକ୍ତ
କାୟାରେ ଶୁଖିଲେ ବି ରକ୍ତ
ପ୍ରତ୍ୟେକେ ଏଠି ଧନାସକ୍ତ
ଗଠିତ ହେଲେ ସରକାର
ସ୍ବତଃ ହୁଏନି ପ୍ରତିକାର
ଲୋକଂକୁ ଦେଲେ ବି ଲୋଭେଇ
ଯଂତ୍ରଣା ଯାଏନି ଉଭେଇ
ପୀଡ଼ାସହିଷ୍ଣୁ ନାଗରିକ
କାଳକ୍ରମେ ବନିଲେ ମୂକ
କହି ପାରେନି ପଦେ କଥା
ସର୍ବଦା ସହେ ସବୁ ବ୍ୟଥା
ପ୍ରାସାଦ ସବୁ ଜନଶୂନ୍ୟ
କୁଡ଼ିଆ ଲୋକ-ପରିପୂର୍ଣ
ସଭିଏଁ ନିତି ଦେଖୁଥାଂତି
ଧାଡ଼ିଏ ସୁଦ୍ଧା ନ ଲେଖଂତି
ରାଜାଂକୁ କେହି ଡାକିଆଣି
ଶୁଣାଇ ପାରେନି କାହାଣୀ
କେବଳ ସଭାରେ ଭାଷଣ
ଶୁଣିଲେ ଆଶା ଉତ୍ପାଦନ
କରେ ଯେଉଁଠି ମତଦାତା
ଭାଂଗିପାରେନି ନିରବତା
ଏହା ହିଁ ଗଣତଂତ୍ର-ଗାଥା
ଘୂରାଇଥାଏ ଲୋକ-ମଥା
ଅରାଜକତା ସର୍ବଭକ୍ଷୀ
ସମସ୍ତ ଗଣତଂତ୍ର-ରକ୍ଷୀ
ବୁଜି କାନ, ନାକ ଓ ଆଖି
ବନିଗଲେ ପରୋକ୍ଷ ସାକ୍ଷୀ
ଦଳରେ ରହିଛଂତି ଲାଖି
କେହି ନୁହେ ସ୍ବାଧୀନ ପକ୍ଷୀ
ଏପରି ଦୃଶ୍ୟାବଳି ଦେଖି
କିଏ ପାରିବ କ’ଣ ଶିଖି ?
Comments are closed.