Latest Odisha News

BREAKING NEWS

ଭାଷା ଭାଗବତ : ସର୍ବମୁଖୀ ହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସର୍ବ ଈକ୍ଷଣ ସର୍ବେକ୍ଷଣ

ବୁଝିଲେ ଶବ୍ଦର ଗଠନ

ସର୍ବେକ୍ଷଣ ନାମ ଯାହାର

କରଇ ସତ୍ୟର ସଂହାର

 

ନମୁନା ଭଳି ଅଳ୍ପ ମତ

ହେଲେ ଅଧିକ ପ୍ରଚାରିତ

ଜଣା ପଡ଼େନି ଭବିଷ୍ଯତ

ଏହା ଅଟେ ମୌଳିକ ସତ୍ୟ

 

ପୂର୍ବାନୁମାନ ଭଳି କାମ

ଦିଏନି ସ୍ପଷ୍ଟ ପରିଣାମ

ବାର୍ତାଜୀବୀ ଗଣମାଧ୍ୟମ

କରଂତି ବୃଥା ପରିଶ୍ରମ

 

ଲୋକଂକ ଚିତ୍ତ ଆଂଦୋଳିତ

ହେଲେ କେବେ କାହାର ହିତ

ହୋଇଛି କେଉଁଠି ସାଧିତ

ଖୋଜିଲେ ସୁଦ୍ଧା ମିଳେନି ତ

 

ସବୁ ଦିଗକୁ ଦୃଷ୍ଟି ଦେଇ

ଏଠାରେ କିଛି ହୁଏନାହିଁ

ନିଜର ଲାଭ ଓ ସୁବିଧା

ଖୋଜିଲେ ଜନ୍ମ ନିଏ ବାଧା

ଅତି ଅଳ୍ପ ନମୁନା ନେଇ

ତାହାକୁ ସବୁ ବୋଲି କହି

ଦେଖାଉଁ ଯେଉଁ ପରିଣାମ

ତା’ ହୁଏ ଏକ ମହାଭ୍ରମ

 

କରିଲେ ଭ୍ରାଂତିର ସଂଚାର

ଦୁର୍ବଳ ହୁଏ ଗଣତଂତ୍ର

ତାହା ହିଁ ଲୋଡ଼ଂତି ଶାସକ

ବୁଝିପାରଂତିନାହିଁ ଲୋକ

 

ବାସ୍ତବତାରୁ ହୋଇ ଚ୍ୟୁତ

ଯା ହୁଏ କଥିତ, ଲିଖିତ

ତାହା ଯେହେତୁ ନୁହେ ସତ୍ୟ

ହୁଏନି ସର୍ବମୁଖୀ ହିତ

 

ଭାଷାରେ କୃତ୍ରିମ କୌଶଳ

ପ୍ରୟୋଗ କରି ନେତା ଦଳ

ସମର୍ଥକଂକୁ ଠକି, ଠକି

ଚଳାଂତି ନିଜର ଚାଲାକି

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.