ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩
ଉଚିତ ଭାବରୁ ଔଚିତ୍ୟ
ସହିତ ଭାବରୁ ସାହିତ୍ୟ
ଏପରି ହୋଇଛି ବିଧାନ
ନୁହେ ମତ କି ଅନୁମାନ
ଉଦ୍ଧତ ଭାବରୁ ଔଦ୍ଧତ୍ୟ
ତହିଁରେ ନାହିଁ ତିଳେ ସତ୍ୟ
ତେଣୁ ତହିଁର ପ୍ରଦର୍ଶନ
ନ ହୋଇପାରେ ସମୀଚୀନ
ଲେଖକ ହେଲେ ଅହଂପୁଷ୍ଟ
ସାହିତ୍ଯ ହୋଇଥାଏ ନଷ୍ଟ
ପାଠକ ପାଉଥାଏ କଷ୍ଟ
ଭାବ ଓ ଭାଷା ହୁଏ ଭ୍ରଷ୍ଟ
ଯାହା ମନର ଅଂତର୍ଗତ
ତାହା କରିଲେ ପ୍ରକଟିତ
ମିଳେ ବିରଳ ଶାଂତି ତୃପ୍ତି
ଏହା ହିଁ ଭାବ ଭାଷା ପ୍ରୀତି
ଭାବନା ସଂଚିଲେ କଷଣ
ବାଂଟିଲେ ହୁଏ ଗତିମାନ
ଚଳିଲେ ଆଦାନ ପ୍ରଦାନ
ସୁଖୀ ହୁଅଂତି ସର୍ବଜନ
ମନରୁ ପଡ଼େ ଯା ଉଛୁଳି
ଲେଖିଲେ ଅଧିକ ନ ଭାଳି
ଆୟାସହୀନ ଲେଖାବଳି
ପାଠକ ଦେଖି ଯାଏ ଭୁଲି
ନ ଥିଲେ ଅସଂଖ୍ୟ ପାଠକ
କିଏ ରଖିବ ଭାଷା ଟେକ
ଥରଟେ ଏବେ ଭାବି ଦେଖୁଁ
ତା’ପରେ ଯାହା ଇଚ୍ଛା ଲେଖୁଁ
ସାଧକ ଲୋଡ଼ିଲେ ବିଶ୍ରାମ
ହୋଇପାରେନି ଭଲ କାମ
ମିଳିଲେ ତତ୍କାଳ ପ୍ରଶଂସା
ହଟେନି ଭାଷାର ଦୁର୍ଦଶା
ଅଧିକ ଚର୍ଚା ଆଲୋଚନା
ଯୋଗୁଁ ପ୍ରସଂଗ ବାଟବଣା
ହୋଇଲେ ଘଟେନି ବିକାଶ
ଅଯଥା ହୁଏ ଧୈର୍ଯ ନାଶ
କହି ଅଳପ ହିତକଥା
କାମକୁ ଦେଇ ଏକାଗ୍ରତା
ରହିଲେ ଅଧିକ ସକ୍ରିୟ
ହୁଏନା କେବେ ପରାଜୟ
ସାହିତ୍ୟ ପାଇଁ ବର୍ଜନୀୟ
ନ ଥାଏ କୌଣସି ବିଷୟ
ସବୁ ଭାବର ସମନ୍ବୟ
ଘଟାଇପାରେ ଜ୍ଞାନୋଦୟ
Comments are closed.