ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩
ପ୍ରାଚୀନ ସହିତ ନୂତନ
ଭାଷାରେ କରେ ଅବସ୍ଥାନ
କିଛି ବି ହୁଏନି ନିଶ୍ଚିହ୍ନ
ଏହା ହିଁ ଅକ୍ଷରର ଗୁଣ
ସବୁ କାଳର ସମନ୍ବୟ
ଭାଷାରେ ଚଳେ ଅହରହଃ
କାଳୋତ୍ତୀର୍ଣ ଓ ସ୍ଥଳୋତ୍ତୀର୍ଣ
ହୋଇ ବଢ଼େ ଲିପିର ମାନ
ଯା ଥିଲା, ଯାଇନି ଉଭେଇ
ଯାହା ରହିଛି, ଥିବ ରହି
ପରଂପରା ସହସ୍ରଧାର
ସାହିତ୍ଯ କରଇ ଅମର
ଶବ୍ଦର ସଂଗ୍ରହ ଆଳୟ
କେବଳ ବୃଦ୍ଧି, ନାହିଁ କ୍ଷୟ
ତେଣୁ ତ ଜନ ସମୁଦାୟ
ନିଅଂତି ଭାଷାର ଆଶ୍ରୟ
ଏବର ଯେତକ ସାହିତ୍ଯ
ଲିଖିତ ମୁଦ୍ରିତ ଗଚ୍ଛିତ
କଦବା ହେଲେ ବି ପଠିତ
ସ୍ବଭାଷା ହେଉନି ଆଦୃତ
ଯୋଜନାବଦ୍ଧ ଯଶ ଖ୍ୟାତି
କବି ଓ ଲେଖକ ପାଆଂତି
ତେବେ ବି ଭାଷାର ଉନ୍ନତି
ଘଟିବା କେହି ନ ଜାଣଂତି
ଦେଶଜ, ବୈଦେଶିକ ଶବ୍ଦ
ଭେଦକୁ କରିଲେ ବିବାଦ
ଭାବପ୍ରକାଶକ୍ଷମ ଭାଷା
ଭୋଗୁଛି ଅକଥ୍ୟ ଦୁର୍ଦଶା
ସାମାନ୍ୟ ଧନପ୍ରାପ୍ତି ପାଇଁ
ଯେ ପାରେ ଭାଷା ଛାଡ଼ିଦେଇ
କିପରି ଭାଷାପ୍ରୀତି ତାର
ଚିହ୍ନିଛି ଦେଶ ଓ ସଂସାର
ଏପରି କେତେ ଯଶଲୋଭୀ
ଆଗ ପଛ କିଛି ନ ଭାବି
କରଂତି ନିଜ ଭାଷା ତ୍ୟାଗ
ଏହା ତ ବିଚିତ୍ର ବିରାଗ
ଏପରି ଲୋକ ଅନୁରାଗୀ
ହେବେ ନିଜ ଭାଷାର ଲାଗି
କରିହେଉନି ଏଠି ଆଶା
ଦୋହଲି ଗଲାଣି ଭରସା
ଅଳ୍ପ କେତେକ ଭାଷାପ୍ରେମୀ
ପାରିବେ ବାଧା ଅତିକ୍ରମି
କରିପାରିବେ ଜ୍ଞାନୀଗଣ
ପୁନଃ ମର୍ଯାଦା ସଂସ୍ଥାପନ
ସ୍ବେଚ୍ଛାରେ ହୋଇଲେ ସଂପୃକ୍ତ
କାମ କରିଲେ ଯୁକ୍ତିଯୁକ୍ତ
ଯାହା ହୋଇଛି ଅପହୃତ
ସେ ସବୁ ପୁଣି ହେବ ପ୍ରାପ୍ତ
Comments are closed.