ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୩
ଅନୁସ୍ବାର ସୂଚକ ଶୂନ
ସହିତ କଖଗଘ ବର୍ଣ
ଉଭୟ ହୋଇଲେ ସଂଲଗ୍ନ
*ଙ୍* କରିଥାଉଁ ଉଚ୍ଚାରଣ
ଅଂକ ଶଂଖ ଓ ସଂଗ ସଂଘ
ଅଙ୍କ ଶଙ୍ଖ ଓ ସଙ୍ଗ ସଙ୍ଘ
ଅଙ୍କ ଶଙ୍ଖ ଓ ସଙ୍ଗ ସଙ୍ଘ
ସମୋଚ୍ଚାରିତ, ବୁଝୁଁ ଆଗ
ଅନୁସ୍ବାର ଅର୍ଥକ ଶୂନ
ଉତ୍ତାରୁ ଚଛଜଝ ବର୍ଣ
ରହିଲେ *ନ୍* ଉଚ୍ଚାରଣ
ହୁଏ ଓ ଶୁଣେ ଆମ କାନ
ସଂଚୟ ସନ୍ଚୟ ସଞ୍ଚୟ
ଦେଖୁଁ ଓ ବୁଝୁଁ ଏ ବିଷୟ
*ଥ* ଉପରେ *ଓ* ଟିଏ ଲେଖି
*ଞ୍ଚ* ଦେଖେନାହିଁ ଆଖି
ଅନୁସ୍ବାରାଂତେ ଟଠଡଢ
*ନ୍* ଉଚ୍ଚାରଣ ହୁଏ ଦୃଢ଼
*ଣ* ତଳେ ଟଠ.. ଆଦି ଲେଖି
ଅସ୍ବଚ୍ଛ କରୁଛୁଁ କାହିଁକି ?
ବଂଟନ ଲୁଂଠନ ଖଂଡନ
ବନ୍ଟନ ଲୁନ୍ଠନ ଖନ୍ଡନ
ବଣ୍ଟନ ଲୁଣ୍ଠନ ଖଣ୍ଡନ
ବଣ୍ଟନ ଲୁଣ୍ଠନ ଖଣ୍ଡନ
କେଉଁ ପ୍ରକାର ଉଚ୍ଚାରଣ
ହୁଏ, କହ ଓ ନିଜେ ଶୁଣ
ଯାହା ନିଜର ଅନୁଭୂତି
ମାନିଲେ, ଘଟେ ସର୍ବୋନ୍ନତି
ଅନୁସ୍ବାରାଂତେ ତଥଦଧ
*ନ୍* ଉଚ୍ଚାରଣ ସର୍ବଶୁଦ୍ଧ
ଚିଂତା କଂଥା ଓ କଂଦା ବଂଧା
ଚିନ୍ତା କନ୍ଥା ଓ କନ୍ଦା ବନ୍ଧା
ଉଚ୍ଚାରଣ ତ ହୁଏ ସଦା
ନ୍ତନ୍ଥନ୍ଦନ୍ଧ ହିଁ ବଡ଼ ବାଧା
ଅନୁସ୍ବାରାଂତେ ପଫବଭ
*ମ୍* ଉଚ୍ଚାରଣ ହିଁ ସଂଭବ
କଂପ ଲଂଫ ଓ ଖଂବ ଦଂଭ
କମ୍ପ ଲମ୍ଫ ଓ ଖମ୍ବ ଦମ୍ଭ
ଭଳି କଲେ ହେଁ ଉଚ୍ଚାରଣ
କରୁଁ ମ୍ପମ୍ଫମ୍ବମ୍ଭ ଲିଖନ
ଏ ତଥ୍ୟ କରିବା ବିଚାର
ଅନୁସ୍ବାର କି ଦରକାର
ଯୁକ୍ତାକ୍ଷର କି ମୁକ୍ତାକ୍ଷର
ବୁଝୁଁ କେଉଁଟି ସ୍ପଷ୍ଟତର
ଲିପିକୁ କଲେ କଷ୍ଟକର
ବଢ଼େନି ଆଗ୍ରହ କାହାର
ସରଳ ଲିଖନ ପଦ୍ଧତି
ଭାଷାକୁ ଦିଏ ଦ୍ରୁତ ଗତି
ପରଂପରା ଆଶ୍ରିତ ହୋଇ
ସ୍ବଲିପି ବ୍ୟାପି ପାରୁନାହିଁ
ଏ ସ୍ଥିତି କରିଲେ ସ୍ବୀକାର
ହାତ ଲେଖିବ ଅନୁସ୍ବାର
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.