ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୪
ଦେଖୁଁ ପୁରୁଣା ବହିପତ୍ର
ଏ ଲିପି ଥିଲା କି ବିଚିତ୍ର
କୁକ୍କୁର କଚ୍ଛପ ଓ ପୁତ୍ତ୍ର
ଧର୍ମ୍ମ ବି ଏପରି ମୁଦ୍ରିତ
ଏପରି ଲିଖନ ଅଭ୍ୟାସ
ଆପେ ହୋଇଛି ଏବେ ନାଶ
କିଂତୁ ଆହୁରି ବହୁ ଶବ୍ଦ
ଏଯାଏଁ ଭାଷାକୁ ବିପଦ
ଯେଉଁ ଅକ୍ଷର ବିବର୍ଜିତ
ତାହା ତ ହୋଇଛି ନିହତ
ଏଯାଏଁ ସ୍ବଲିପି ସହିତ
ଅଲୋଡ଼ା ଅଛଂତି ବହୁତ
ଏବେ ବି ତନ୍ତ୍ର ମନ୍ତ୍ର ଯନ୍ତ୍ର
ହୋଇନି ତଂତ୍ର ମଂତ୍ର ଯଂତ୍ର
ଯେମିତି ପତ୍ର ମାତ୍ର ଚିତ୍ର
ହେଲେ ଶୁଖିବ ଲିପି କ୍ଷତ
‘ କେଉଟ ‘ ରହିଲେ ‘ କୈବର୍ତ୍ତ ‘
ମିଳେନି ‘ ମତ୍ସ୍ଯ ‘ ତ ବହୁତ
ସ୍ଥାନୀୟ ଶବ୍ଦକୁ ଧିକ୍କାରି
ଭାଷା ହୁଏନି ଉପକାରୀ
( କ) ଊର୍ଦ୍ଧ୍ୱରୁ ଆଇଚି ନିର୍ଦ୍ଧେଶ
ନିର୍ମ୍ମାଣ କାର୍ଯ୍ୟ କର ଶେଷ
ଚିକ୍କଣ କରିବ ଚଟ୍ଟାଣ
ନ ହେଲେ ଶୁଣିବ ଗର୍ଜ୍ଜନ
ଜ୍ଞାତ କରିଲେ କର୍ତ୍ତୃପକ୍ଷ
ଦଳ କର୍ମ୍ମୀଙ୍କ ମାନ ରଖ
ନଚେତ୍ କ୍ଷମତା ନିର୍ମ୍ମୂଳ
ମୂର୍ଚ୍ଛିତ ହେବେ ନେତାକୁଳ
( ଖ) ଉପରୁ ଆସିଛି ନିର୍ଦେଶ
ନିର୍ମାଣ କାମ କର ଶେଷ
ଚିକଣ କରିବ ଚଟାଣ
ନ ହେଲେ ଶୁଣିବ ଗର୍ଜନ
ଜଣାଇଛଂତି କର୍ତୃପକ୍ଷ
ଦଳ କର୍ମୀଂକ ମାନ ରଖ
ନ ହେଲେ କ୍ଷମତା ନିର୍ମୂଳ
ମୂର୍ଛିତ ହେବେ ନେତା କୁଳ
ବନାନ ଦୁଇ ପ୍ରକାରର
ଯାହାକୁ ଯାହା ରୁଚିକର
ଲୋକେ କରଂତି ବ୍ୟବହାର
ସ୍ବଲିପି ସ୍ବଭାଷା ଆଧାର
ଲେଖା ହୋଇଲେ ଉପକାରୀ
ନିଶ୍ଚୟ ହୁଏ ଦରକାରୀ
ବହିକୁ ମିଳିଲେ ଆଦର
ବଢ଼ଇ ଭାଷାର କଦର
ମୁଁ ରହେଁ ଚିର ଉପେକ୍ଷିତ
ସ୍ବଭାଷା ହେଉ ସୁରକ୍ଷିତ
ଏହି ବିଚାର ମନେ ରଖି
ଚାଲିଛିଁ ଏତେ ସବୁ ଲେଖି
ପ୍ରାର୍ଥନା ସାଧନା ରଚନା
ଏକତ୍ର କରିବି କଳ୍ପନା
ହୋଇବ ନିଶ୍ଚୟ ବାସ୍ତବ
ସ୍ବଭାଷା ପାଇବ ଗୌରବ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.