Latest Odisha News

BREAKING NEWS

ପୁସ୍ତକ ପରିଚୟ : ମହା ଜାଗୃତି

ମହା ଜାଗୃତି
କବି : ଦେବରାଜ ସାହୁ
ପ୍ରକାଶକ : ବନଫୁଲ ପ୍ରକାଶନୀ
ପୃଷ୍ଠା : ୯୦
ମୂଲ୍ୟ : ୧୦୦

ଯେଉଁ ସାହିତ୍ୟରେ ଉଚ୍ଚମାନର ମାନବତାବାଦୀ ଚେତନା ଅତି ନିବିଡ଼ ଭାବରେ ରହିଥାଏ, ତାହା ହିଁ ମଣିଷର ଆତ୍ମାକୁ ସେତେ ଅଧିକ ଆବିଷ୍ଟ କରି ପାରିଥାଏ । ସବୁକାଳର ଅସଲ ସୃଜନଶୀଳତା ହେଉଛି ଜୀବନବାଦୀ ସାହିତ୍ୟ ।ଏଭଳି ଜୀବନନିଷ୍ଠ କବିତା ସମୂହର କବି ଶ୍ରୀ ଦେବରାଜ ସାହୁ ଙ୍କ ଲେଖନୀ ରେ ପାଠକ ଟିଏ ପାଇଥାଏ ସତ୍ଯ, ଶିବ ଏବଂ ସୁନ୍ଦର ପ୍ରତି ଅନନ୍ଯ ଆକର୍ଷଣ । ଅସଂଖ୍ୟ କବିତାର ସ୍ରଷ୍ଟା ସେ । ଆବେଗ ଓ ପ୍ରଜ୍ଞାର ଏକ ସମନ୍ବିତ ରୂପ ତାଙ୍କ କବିତାରେ ନ୍ଦର୍ଶନ ହୋଇଥାଏ ।

କୁହାଯାଏ ଜଣେ କବି ହିଁ ଅନ୍ତରକୁ ଅନ୍ତର ସହିତ ଯୋଡିଦେବାରେ ଖୁବ୍ ବେଶୀ ପାରଙ୍ଗମ ହୋଇଥାନ୍ତି । କବି ଦେବରାଜଙ୍କ କବିତା ହେଉଛି ସେହି ମହାମିଳନର ପାର୍ବଣୀ । ” ମହାଜାଗୃତି ” କବିତା ପୁସ୍ତକ ର ପ୍ରତ୍ୟେକ କବିତା ମଣିଷ ଆତ୍ମାର ସଶ୍ରଦ୍ଧ ଉଚ୍ଚାରଣ ସହିତ ସମ୍ପର୍କିତ ହୋଇ ଶାଶ୍ଵତର ମୂଲ୍ୟ ଲାଭ କରିଛି । କବି ସ୍ବୟଂ ଆତ୍ମବିଶ୍ଳେଷଣରେ ତଲ୍ଲୀନ ହୋଇ ସମଗ୍ର ଜଗତର ମାନବମାନଙ୍କ ପାଇଁ ବ୍ଯସ୍ତ ବିବ୍ରତ ହୋଇ ଉଠିଛନ୍ତି । ଖାସ୍ ସେଇଥିପାଇଁ ତାଙ୍କ କବିତା ରେ ସମାଜ ଜୀବନର ଉନ୍ନତି ପାଇଁ ବ୍ଯାକୁଳତା , ସମାଜରୁ କୁସଂସ୍କାର ଦୂରୀକରଣ ନିମନ୍ତେ ଆହ୍ବାନ, ଆଧ୍ଯାତ୍ମିକ ଉପଲବ୍ଧି ବାରି ହୋଇଯାଏ ।
” ସୁଖ ଦୁଃଖ ର ଏଇ ଦୁନିଆ
କିଏ ଖୁସିରେ କାହାର କଷ୍ଟ
କରମ ପଥେ ଜଂଜାଳ ଭ୍ରଷ୍ଟ ।
ଆଦରି ନେବା ଉନ୍ନତ ମାନ
ପର ଦୁଃଖରେ ଦୁଃଖିତ ହେବା
ଜନମ ନିଜ ସଫଳ କରି
ଦୁନିଆକୁ ଆମେ ଜୟ କରିବା ।
( କବିତା—ହିତ ସାଧନେ ମନ )

ଅତ୍ୟନ୍ତ ସରଳ ଓ ନିରାଡମ୍ବର ଶୈଳୀରେ ସେ କବିତା ସର୍ଜନା କରନ୍ତି । ଏହା ହିଁ ତାଙ୍କ ଶିଳ୍ପସିଦ୍ଧିର ଯଥାର୍ଥ ସାର୍ଥକତା । କବିଙ୍କ ସ୍ବୀକାରୋକ୍ତି ଏଇଆ ଯେ ସେ ଓଡିଆ ସାହିତ୍ୟର ସନ୍ଥକବି ଭୀମଭୋଇ , ଭକ୍ତକବି ମଧୁସୂଦନ ରାଓ, ଦୀନ ଦରିଦ୍ରଙ୍କ ସଖା ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ମହାନ୍ ସାହିତ୍ୟର ମହନୀୟତାରେ ଦ୍ରବୀଭୂତ ହୋଇଯାଇଥାନ୍ତି । ଏଭଳି ଉଚ୍ଚାଙ୍ଗ ସାହିତ୍ୟର ଭାବସ୍ପନ୍ଦନ ସହ ବିହ୍ଵଳ ହୋଇ ମଣିଷକୁ ମଣିଷତାର ଅକଳନ୍ତି ଗୌରବର ମହାନ୍ ତୀର୍ଥ ଆଡକୁ ନେଇ ଯିବାର ପ୍ରୟାସରେ ମଜ୍ଜିଯାଇ କବିତା ସୃଷ୍ଟି ରେ ଆଗଭର ହୋଇଥାନ୍ତି ।

” ଆମାର ହୃଦୟ କ୍ରନ୍ଦନ କରେ
ମାନବ ଜୀବନ ମିଶିତେ
ନିଖିଳର ସାଥେ ମହାରାଜପଥେ
ଚଲିତେ ଦିବସ ନିଶିଥେ ।”
ଉପରୋକ୍ତ ପଂକ୍ତିର ବହୁଳ ପ୍ରଭାବ କବି ଶ୍ରୀ ସାହୁଙ୍କ ଲେଖନୀ ରେ ଦୃଶ୍ୟମାନ ହୋଇଥାଏ ।କବିପ୍ରାଣ ନିଖିଳର ମାନବାତ୍ମା ଉଦ୍ଦେଶ୍ୟରେ ପ୍ରସାରିତ ହୋଇ ଜୀବନର ପରମକୁ
ଉପଲବ୍ଧି କରିପାରିଛି , ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ଉକ୍ତ ସଂକଳନସ୍ଥ ” ମୁଁ ଏକ ଅନ୍ତର୍ଦହନ ” ,
” ଅନ୍ତର୍ଲିଖନ ” , “ଲକ୍ଷ ପଥର ଯାତ୍ରୀ ” ,” ଅନ୍ଧ ମଣିଷ ” ,

” ପ୍ରେମ ଓ ଜୀବନ ” , ” ସ୍ବାର୍ଥ ଓ ହୀନମନ୍ଯତା” ଭଳି ବହୁ ଉଚ୍ଚକୋଟୀର କବିତା ସମୂହ ପ୍ରେମ ,ପରମ ଏବଂ ମାନବୀୟ ସଂବେଗର ଅଭିବ୍ୟକ୍ତି । ପାଶ୍ଚାତ୍ୟ କାବ୍ୟ ଧାରାର ବହୁ ସାହିତ୍ୟିକଙ୍କ ମତରେ —- ” ପ୍ରବଳ ଇଚ୍ଛା ଶକ୍ତି ନଥିଲେ କୌଣସି ବି କାମ ବାସ୍ତବ ଲାଗିବ ନାହିଁ ।” ଏଇ ସତ୍ଯତାର ଉପଲବ୍ଧି ହୁଏ କବିଙ୍କ ସୃଷ୍ଟି ସମୂହରେ ।

ଇଂରାଜୀ ଭାଷା ଓ ସାହିତ୍ୟର ପ୍ରାଧ୍ୟାପକ ହେଲେହେଁ କବି ଶ୍ରୀ ସାହୁଙ୍କ ଲେଖନୀ ଓଡିଆ ସାହିତ୍ୟ ପ୍ରତି ସର୍ବଦା ବଳବତ୍ତର ହୋଇଥିବାର ପ୍ରମାଣ ହେଉଛି ଉକ୍ତ ” ମହାଜାଗୃତି” କବିତା ସଂକଳନ । ତାଙ୍କ ମତରେ ” ଇଂରାଜୀ ଭାଷା ସାହିତ୍ୟ ହେଉଛି ମୋ ପ୍ରେମିକା ଏବଂ ଓଡିଆ ଭାଷା ସାହିତ୍ୟ ମୋର ଜନନୀ ” । ଉଭୟ ଇଂରାଜୀ ଏବଂ ଓଡିଆ ଭାଷା ସାହିତ୍ୟର ପ୍ରେମରେ ସେ ତଲ୍ଲୀନ ହୋଇ ସୃଷ୍ଟି କରିଛନ୍ତି କବିତା , ପ୍ରବନ୍ଧ, ଶିଶୁ ସାହିତ୍ୟ ।

କବିଙ୍କ ସମସ୍ତ କବିତା ମହାମୁକ୍ତିର ପ୍ରସ୍ରବଣ ସଦୃଶ । ସ୍ଥୂଳ କ୍ଳେଦାକ୍ତ ଜଗତଟି ମଧ୍ୟ ଦିବ୍ଯ ଅନୁଭବ ହୁଏ ଉକ୍ତ କବିତାଗୁଡିକୁ ପାଠ କଲାପରେ ।ଜୀବନରୁ ନୈରାଶ୍ଯ ଦୂରେଇ ଯାଇ ନନ୍ଦନ ବନ ର ଉପଲବ୍ଧି ଆସିଥାଏ ।

“ମହାଜାଗୃତି ” ଏ ସମାଜଜୀବନକୁ  ଦିଗଦର୍ଶନ ଦେବା ସହ ପ୍ରତ୍ୟେକ ପାଠକର ଅନ୍ତରରେ ପ୍ରେମ ଓ ପରମ ପ୍ରତି ଆନ୍ତରିକତା ବର୍ଦ୍ଧିତ କରିବ , ଏଥିରେ କୌଣସି ଦ୍ୱନ୍ଦ ନାହିଁ।

ମମତା ପ୍ରିୟଦର୍ଶିନୀ ସାହୁ,
ଓଡ଼ିଆ ଅଧ୍ୟାପିକା,
ସରକାରୀ ଏସ୍ ଏସ୍ ଡି, ଏଚ୍ ଏସ୍ ଏସ୍,
ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ,
ବାଲିଶଙ୍କରା, ସୁନ୍ଦରଗଡ 

Leave A Reply

Your email address will not be published.