Latest Odisha News

ସାହିତ୍ୟ ମତେ ଆତ୍ମବିଶ୍ୱାସୀ କରିଛି : ଆଦ୍ୟାଶା ନନ୍ଦ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆଦ୍ୟାଶା ନନ୍ଦ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ‘ନବ ପ୍ରତିଭା’ ଆଦ୍ୟାଶା ନନ୍ଦଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ପିଲାଟି ଦିନରୁ ଗଳ୍ପ, କବିତା ପଢିବା ପ୍ରତି ଥିଲା ମୋର ଅହେତୁକ ଦୁର୍ବଳତା । ଗୋଟେ ବହି ସମ୍ପୂର୍ଣ୍ଣ ନସରିବା ପର୍ଯ୍ୟନ୍ତ ଉଠୁନଥିଲି । କହିବାକୁ ଗଲେ ଗୋଟେ ନିଶା । ମନ ତଳର କିଛି ଅକୁହା କଥା, ଅବ୍ୟକ୍ତ ଭାବନା,କିଛି ଖଟା ମିଠା ସ୍ମୃତିକୁ ବାହାରେ ପରିପ୍ରକାଶ କରି ହାଲକା ହେବାର ଇଚ୍ଛା ହିଁ ମତେ ବାଟ କଢେଇ ନେଲା ଲେଖିବାକୁ ।ଏଇ ଗଳ୍ପ କବିତା ମାନେ ହିଁ ମୋର ହଜିଯାଇଥିବା ଅସ୍ତିତ୍ବକୁ ମତେ ଫେରାଇଦେଇଛନ୍ତି, ଫେରାଇଦେଇଛନ୍ତି ମୋର ଆତ୍ମବିଶ୍ୱାସ ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ପଢିବା ମୋର ନିଶା । ପଢିବାରୁ ହିଁ କିଛି ଲେଖିବା ପ୍ରତି ଆଗ୍ରହ ସୃଷ୍ଟି ହେଲା । ସ୍କୁଲ ସମୟରେ ଓଡ଼ିଆର ସରଳାର୍ଥ କୁହନ୍ତୁ କି ରଚନା ମୁଁ କୌଣସି ବହିରୁ ଦେଖିକି ଲେଖେନି। ମନକୁ ଆସୁଥିବା ଭାବନା ସବୁକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରେ । ଆଉ ଗୋଟେ କଥା, ସାହିତ୍ୟ ମୋର ରକ୍ତରେ ବହୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋର ଅଜା ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଦାଶ, ଏକାଧାରରେ ଜଣେ କବି, ଗାଳ୍ପିକ, ନାଟ୍ୟକାର l ସେ ମୋର ପ୍ରଥମ ପ୍ରେରଣାର ଉତ୍ସ ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ସେ କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ପ୍ରଥମେ ପ୍ରକାଶିତ ଲେଖାଟି ଥିଲା “ମମତାର ବନ୍ଧନ”। ଯାହା କି କଳ୍ପନା ନୁହେଁ ସମ୍ପୂର୍ଣ୍ଣ ବାସ୍ତବ ଘଟଣାକୁ ନେଇଥିଲା । ସେଇ ଲେଖାଟି ମତେ ଦେଇଥିଲା ପାଠକମାନଙ୍କର ଅସରନ୍ତି ଭଲପାଇବା, ଅଜସ୍ର ଆଶୀର୍ବାଦ, ବାନ୍ଧି ଦେଇଥିଲା ଅନେକ ମମତାର ବନ୍ଧନରେ । ତା’ପରେ ମୁଁ ନିଜ ଭିତରେ ସୁପ୍ତ ଅବସ୍ଥାରେ ଥିବା ଲେଖିକାଟିକୁ ଆବିଷ୍କାର କରିବାରେ ସଫଳ ହୋଇପାରିଥିଲି ।

ଗଳ୍ପ /କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତାଥାଏ ?

ସାହିତ୍ୟ, ଯାହାର ଆରମ୍ଭ ଅଛି ନା ଅନ୍ତ । ସାଗରଠାରୁ ବି ଗଭୀର, ସୀମାହୀନ ଆକାଶ ଭଳି ବିସ୍ତୃତ । ଏ ବିଶାଳ ସାହିତ୍ୟ ରୂପକ ସିନ୍ଧୁରେ ମୋର ସ୍ଥାନ ଅତି ନଗଣ୍ୟ । ଶିଖିବାକୁ ଅଛି ଅନେକ କିଛି, ସାଉଁଟିବାକୁ ଅଛି ଅନେକ ସ୍ମୃତି । ମୋ ଭାଷା ସାହିତ୍ୟ ମତେ ଦେଇଛି ଆଶାତୀତ ଭଲପାଇବା, ସମ୍ମାନ । ମୋର ପ୍ରତ୍ୟେକଟି ଲେଖାରେ ଆପଣ ପାଇବେ ଘର ପରିବାର, ଆମ ଆଖପାଖରେ ଘଟୁଥିବା ଘଟଣାମାନ ଯାହାକି ନିଚ୍ଛକ ସତ ଘଟଣାକୁ ନେଇ ପର୍ଯ୍ୟବେସିତ । ମୋ ଲେଖନୀରେ ଯଦି କିଞ୍ଚିତ ପରିବର୍ତ୍ତନ କରିପାରିବି ମୋ ସମାଜକୁ, ସୁଧାର ଆଣିପାରିବି ଆଜିର ତଥାକଥିତ ଲୋକମାନଙ୍କର ମାନସିକତାରେ, ବିରୋଧ କରିପାରିବି ନିର୍ଯ୍ୟାତନାକୁ, ସେ ବୋହୂ ଉପରେ ହେଉ କି ବାପା, ମାଆଙ୍କ ଉପରେ ତାହେଲେ ନିଜକୁ ଧନ୍ୟ ମନେ କରିବି। ଗର୍ବ କରିବି ମୁଁ ଓଡ଼ିଆ।

ତାଙ୍କ ରଚନାରୁ ଗଳ୍ପ : ଜୀବନ ଦୋ ଛକିରେ

ସୌରଭ ଦାଶ, ଡାକ୍ତର ଶୁଭଙ୍କର ଦାଶ ଓ ଅଧ୍ୟାପିକା ଅନୀତା ଦେବୀଙ୍କର ଏକମାତ୍ର ପୁତ୍ର, ଏକୋଇରବଳା ବିଶିକେଷନ। ଭାରତୀୟ ପ୍ରଶାସନିକ ସେବାରେ ଅଧିକାରୀ ଭାବରେ ପ୍ରତିଷ୍ଠିତ। ନିଜର ଶାନ୍ତ, ସରଳ, ମାର୍ଜିତ ବ୍ୟବହାର ପାଇଁ ସମସ୍ତଙ୍କର ପ୍ରିୟ ସୌରଭ।

ବାପା-ମା’ଙ୍କର ଗେଲବସର ପୁଅ ଆଜି ଘରକୁ ଆସୁଛି। ଗୋଡ଼ ଆଜି ତଳେ ଲାଗୁନି ଦୁହିଁଙ୍କର। ପୁଅକୁ ପାଛୋଟି ଆଣିବାକୁ ବାପା ଶୁଭଙ୍କର କାହିଁ କେତେବେଳୁ ଚାଲି ଗଲେଣି ଏୟାରପୋର୍ଟକୁ। ଘରେ ପୁଅର ସବୁ ମନପସନ୍ଦ ଖାଇବା ତିଆରି କରି ଦୁଆର ମୁହଁରେ ଜଗି ବସିଛନ୍ତି ଅନୀତା ଦେବୀ।

ଗାଡ଼ି ଆସି ଲାଗିଗଲା ତାଙ୍କ ଦାଣ୍ତ ଦୁଆରେ। ଗାଡ଼ିରୁ ବାହାରି ପଡ଼ିଲେ, ସୌମ୍ୟ, ଶାନ୍ତ, ସର୍ବଦା ହସ ହସ ମୁହଁ ଥିବା ତାଙ୍କ ସୁପୁତ୍ର ସୌରଭ, ଅତି ଆଦରର ଅଂଶୁ। କୋଳେଇ ନେଲେ ପୁଅକୁ ମା’। ଆଖିର ଲୁହ ଯେମିତି ବନ୍ଧବାଡ଼ ମାନୁ ନଥିଲା ଆଜି। କାହିଁ କେତେ ମାସରୁ ଦେଖିନଥିଲେ ତାଙ୍କ ନୟନର ତାରାକୁ।

ଖାଇବା ପିଇବା ସରିବା ପରେ ସମସ୍ତେ ଚାଲିଗଲେ ନିଜ ନିଜ ରୁମ୍ କୁ। ନିଜର କ୍ଳାନ୍ତ ଶରୀରକୁ ବିଛଣାରେ ଗଡ଼ାଇ ଦେଲେ ଅନୀତା ଦେବୀ। କାହିଁ କେତେ ମାସର ନିଦ ଯେ ଆଜି ତାଙ୍କର ପୂର୍ଣ୍ଣ ହେବ।

ହଠାତ୍ କାହାର ହାତର ସ୍ପର୍ଶରେ ନିଦ ଭାଙ୍ଗିଗଲା ତାଙ୍କର। “ଅଂଶୁ, କ’ଣ ହେଲାରେ ବାବା, କହି ଉଠିଗଲେ ଅନୀତା ଦେବୀ। କିଛି ଦରକାର ଥିଲା କି ତୋର? ” ମା’ଙ୍କ ହାତ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ସୌରଭ, ବ୍ୟସ୍ତ ହୋଇପଡିଲ ଅନୀତା ଦେବୀ କିଛି ଗୋଟେ ଅଘଟଣ ଆଶଙ୍କା କରି। କ’ଣ ହେଇଚି କହ ମତେ, ମୁଁ ସବୁ ଠିକ୍ କରିଦେବି କହି ଆଶ୍ୱାସନା ଦେଉଥାନ୍ତି ପୁଅକୁ।

ତମକୁ ନ ଜଣାଇ ମୁଁ ଗୋଟେ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇସାରିଛି।ମୁଁ ତାକୁ ବହୁତ ଭଲପାଏ ମା’। ମତେ କ୍ଷମା କରିଦିଅ।

ଠୋ ଠୋ ହୋଇ ହସିଉଠିଲେ ଅନୀତା ଦେବୀ, ପାଖକୁ ଆଉଜାଇ ନେଲେ ପୁଅକୁ। ନିଜ ପଣତକାନିରେ ଲୁହକୁ ପୋଛିଦେଇ କହିଲେ, ଏଥିପାଇଁ କାନ୍ଦୁଛୁ ପିଲାଟି ପରି। ଏ ତ ବହୁତ ଖୁସିର କଥା। ଏ ବୁଢ଼ା ବୁଢୀ ବୟସରେ ଆମ ମୁଣ୍ଡରୁ ଗୋଟେ ବଡ଼ ବୋଝ ହାଲୁକା କରିଦେଲୁ।

ଆଗ ମତେ ଟିକେ ମୋ ବୋହୁ ଫଟୋ ଦେଖେଇଲୁ, ତା ନାଁ କଣ ଟିକେ କହ,ଘର କୋଉଠି, ବାପାଙ୍କ ନାଁ କ’ଣ ଏମିତି ଅନେକ ପ୍ରଶ୍ନ ପଚାରିଗଲେ ଅନୀତା ଦେବୀ ଗୋଟେ ନିଶ୍ୱାସରେ।

ମା’ ସେ ଆମ ମାମୁଁଘର ପାଖ ଜଗନ୍ନାଥପୁର ଗାଁର ବ୍ୟାଙ୍କ ଅଫିସର ସାଗର ମହାନ୍ତିଙ୍କ ଝିଅ ସୁରଭି, ମୋ ସହିତ ଏକାଠି ପଢୁଥିଲା। ବହୁତ ଭଲ ଝିଅଟି ମା’। ତା’ ଭିତରେ ମୁଁ ତୁମର ପ୍ରତିଛବି ଦେଖିଛି।

କ’ଣ କହିଲୁ ଅଂଶୁ, ସାଗର ମହାନ୍ତି। ସା….. ଗ….. ର…… ସୁରଭି।

ହଁ ମା’ ଏବେ ବାପାଙ୍କୁ ବୁଝେଇବାର ଦାୟିତ୍ୱ ତମର କହି ଚାଲିଗଲା ଅଂଶୁ ତା ଶୋଇବା ଘରକୁ।

ସାଗରଙ୍କ ଝିଅ “ସୁରଭି”। ସତରେ କ’ଣ ସାଗର ତାକୁ ମନେରଖିଛନ୍ତି। ସେଥିପାଇଁ ଝିଅର ନାଁ ” ସୁରଭି ” ରଖିଛନ୍ତି। ଯାହାକି ସେମାନେ ଠିକ୍ କରିଥିଲେ ଦୀର୍ଘ ତିରିଶ ବର୍ଷ ତଳେ। “ସୌରଭ, ସୁରଭି।”

ତିରିଶ ବର୍ଷ ତଳୁ ଛାତି ଭିତରେ ରହିଥିବା ପାଉଁଶ ତଳର ନିଆଁ ସତେଯେମିତି ଆଜି ପଦାକୁ ବାହାରି ପଡ଼ିବ। ହଠାତ୍ ବିଚଳିତ ହୋଇପଡ଼ିଲେ ଅନୀତା ଦେବୀ। ସେଇ ମୁହୂର୍ତ୍ତ ଯେମିତି ସେଇଠି ସ୍ଥିର ହୋଇଗଲା ତାଙ୍କ ପାଇଁ। ଆଖି ଆଗରେ ନାଚି ଉଠିଲା ଅତୀତର ହୃଦୟ ବିଦାରକ କାହାଣୀ।

ସେ ଥିଲେ ଗୋଟେ ଅଭିଜାତ୍ୟପୂର୍ଣ୍ଣ ପରିବାରର ଝିଅ। ବାପା ଥିଲେ ରେଲୱେର ଉଚ୍ଚପଦସ୍ଥ କର୍ମଚାରୀ। ଘରେ ସମସ୍ତଙ୍କର ଗେଲବସର ଝିଅ ଥିଲେ ଅନୀତା। ଉଚ୍ଚ ଶିକ୍ଷା ପାଇଁ ଘର ଠାରୁ ବହୁତ ଦୂର ସମ୍ବଲପୁର ୟୁନିଭରସିଟିରେ ଯୋଗ ଦେଇଥାନ୍ତି ସେ। ପ୍ରଥମ ଥର ଘର ପରିବାର ଠାରୁ ଏତେ ଦୂରରେ ଥିବାରୁ ଦୁଃଖରେ ଭାଙ୍ଗିପଡ଼ିଥାନ୍ତି, ପାଠ ପଢ଼ାରେ ବି ମନ ଲାଗୁ ନଥାଏ।

ଥରେ ୟୁନିଭରସିଟି ଯିବା ବାଟରେ ହଠାତ୍ ତାର ଦେଖା ହେଇଗଲା ଗାଁ ପାଖ ପିଲା ସାଗର ସହିତ। ଅଜଣା, ଅଚିହ୍ନା ଜାଗାରେ ବହୁତ ଦିନ ପରେ ନିଜର କାହାକୁ ଦେଖିଦେଲେ, ଲାଗେ ଯେମିତି ସବୁ ଖୁସି ମିଳିଗଲା। ସେଦିନ ଠିକ୍ ସେମିତି ଲାଗିଥିଲା ଅନୀତାକୁ। ଦୁହେଁ ବହୁତ ସମୟ ମନ ଖୋଲା କଥା ହେଲେ ଗାଁ ଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ। ଅନୀତା ଜାଣିବାକୁ ପାଇଲା, ସାଗର ସେଇ ପାଖରେ ଗୋଟେ ବ୍ୟାଙ୍କରେ ଚାକିରୀ ପାଇଛନ୍ତି। ନମ୍ବର ଦିଆନିଆ ହୋଇ ଫେରିଗଲେ ନିଜ ନିଜ ଜାଗାକୁ।

ତା ପର ଠାରୁ ସାଗର ପ୍ରତି ୪-୫ ଦିନରେ ଫୋନ୍ କରି ଅନୀତାର ଭଲମନ୍ଦ ବୁଝୁଥିଲେ। ବହୁତ ଭଲ ଲାଗୁଥିଲା ଅନୀତାକୁ ସାଗରର ତା ପ୍ରତି ଥିବା ବ୍ୟସ୍ତତା ଓ ଚିନ୍ତା ଦେଖିକି। ଧୀରେ ଧୀରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବଢିଲା। ବନ୍ଧୁତା ବି ବଢିବାକୁ ଲାଗିଲା। ଏ ବନ୍ଧୁତା ଯେ, କେତେବେଳେ ପ୍ରେମରେ ପରିଣତ ହୋଇଗଲା ଜାଣିପାରିଲେନି ଅନୀତା। କଥାରେ ଅଛି ସ୍ନେହ ମମତା ପାଇଲେ ପଶୁ ଟିଏ ବି ନିଜର ହେଇଯାଏ, ପଥର ବି ତରଳି ଯାଏ। ଆଉ ସେ ତ ଛାର ରକ୍ତ, ମାଂସ ରେ ଗଢା ସାଧାରଣ ମଣିଷଟେ।

ଦିନକୁ ଦିନ ସାଗରର ଭଲପାଇବା, ଯତ୍ନ ବଢିବାକୁ ଲାଗିଲା ତା ପ୍ରତି, ତା ପାଠପଢ଼ା ପ୍ରତି। ସବୁ କ୍ଷେତ୍ରରେ ସାଗର ରହିଲେ ତା ସହିତ ଛାଇଟେ ଭଳି। ତା’ର ସବୁ ଛୋଟ ଛୋଟ ଖୁସିର ଖିଆଲ ରଖିଲେ। ଠାକୁରଙ୍କ ପାଖରେ କେହି କାହାକୁ ଭୁଲିବେନି, ଏକାଠି ରହିବେ ବୋଲି ପ୍ରତିଜ୍ଞା କଲେ।

ଖରା ଦିନ ଛୁଟି ପାଇଁ ଅନୀତା ଆସିଥାଏ ଘରକୁ। ଜାଣିବାକୁ ପାଇଲା ତା ପାଇଁ ବିବାହ ପ୍ରସ୍ତାବ ଘରେ ଖୋଜୁଛନ୍ତି। ହଠାତ୍ ତା ପାଦ ତଳୁ ମାଟି ଖସିଗଲା, ପାହାଡ଼ ଛିଡିପଡ଼ିଲା ମୁଣ୍ଡରେ।

ବହୁତ ସାହସ କରି ମା’ଙ୍କ କହିଥିଲା ସାଗର କଥା। ହେଲେ ଏ କ’ଣ?? ଜୀବନରେ ସବୁ ଖୁସି ପାଦ ତଳେ ଅଜାଡ଼ି ଦେବାକୁ କହୁଥିବା ମା’ ଆଜି ନିଜ ମୁଣ୍ଡ ଛୁଆଁଇ ଝିଅର ସବୁ ଖୁସି ମାଗିନେଲେ ନିଜ ପରିବାରର ମିଛ ବଡିମା, ଆତ୍ମଗର୍ବ, ଆଭିଜାତ୍ୟର ଦ୍ୱାହି ଦେଇ। ଅନୀତାର ପାଦରେ ବାନ୍ଧି ଦେଲେ ବେଡ଼ି ସବୁ ଦିନ ପାଇଁ।

ସାଗରଙ୍କ ଭଲ ପାଇବାରେ ସେ ଏମିତି ହଜିଯାଇଥିଲା ଯେ, ଭୁଲି ଯାଇଥିଲା ସେ ଯେ, ଜମିଦାର ଉମାଶଙ୍କର ଚୌଧୁରୀଙ୍କ ନାତୁଣୀ। ତଥାକଥିତ ଆଭିଜାତ୍ୟସମ୍ପର୍ଣ୍ନ ଉଚ୍ଚ ଜାତିର ଝିଅ। ସାଗର ଯେ, ତା ଠାରୁ ଜାତିରେ ଛୋଟ।

ସେ ଏମିତି ଏକ କଳୁଷିତ ସମାଜରେ ରହୁଛି, ଯୋଉଠି ଚୋରି, ଡକାୟତି, ହତ୍ଯା, ନାରୀ ଧର୍ଷଣ ଅତି ସାଧାରଣ କଥା। ହେଲେ ଭଲପାଇବାଟା ଏକ ଅକ୍ଷମଣୀୟ ଅପରାଧ। ଯେଉଁ ସମାଜରେ ଲୋକମାନେ ନିଜର ଛୋଟ ଛୋଟ କାମ ପାଇଁ ମେସିନ୍ ଉପରେ ନିର୍ଭରଶୀଳ। ଝିଅମାନେ ଯାଇ ମହାକାଶରେ ପହଞ୍ଚିଲେଣି, ପ୍ରତି କ୍ଷେତ୍ରରେ ଆଗୁଆ। ସବୁକିଛି ବଦଳିଛି, ହେଲେ ବଦଳିପାରିନି ସେମାନଙ୍କ ଚିନ୍ତାଧାରା, ରୁଗ୍ଣ ମାନସିକତା, ଯୋଉଠି କି ଆମର ମିଛ ଆଭିଜାତ୍ୟ, ପରମ୍ପରା, ଅହଙ୍କାର, ଜାତିପ୍ରଥା ଆଗରେ ସବୁକିଛି ଲାଗେ ନଗଣ୍ଯ।

କ’ଣ କରିବ ସେ, ଏବେ ସେ ଜୀବନର ଦୋ ଛକିରେ। ଗୋଟେ ପଟେ ସାଗରଙ୍କ ଅନାବିଳ ସ୍ନେହ, ଭଲପାଇବା। ଆଉ ଅନ୍ୟ ପଟେ ଦୀର୍ଘ ୨୩ ବର୍ଷର ସମ୍ପର୍କ। ଯୋଉ ବାପା, ମା’ ପିଲାଦିନୁ କେବେ ଅବହେଳା କରିନାହାନ୍ତି ତା ପ୍ରତି। ସାଗରକୁ ପାଇଲେ, ଜୀବନର ସବୁ ଖୁସି ପାଇଯିବ ସେ, ହେଲେ ସବୁଦିନ ପାଇଁ ହରେଇଦେବ ନିଜ ବାପା, ମା’ଙ୍କୁ, ସେମାନଙ୍କ ଭଲପାଇବାକୁ। ମନ କହୁଛି ସାଗର, ଆତ୍ମା କହୁଛି ପରିବାର। ଦୀର୍ଘ ଦୁଇ ଦିନର ମନ ଆଉ ଆତ୍ମାର ସଂଘର୍ଷ ଭିତରେ ଆତ୍ମାକୁ ବାଛିନେଲା ସେ।

ଶେଷଥର ପାଇଁ ସାଗରକୁ ଡାକିଥିଲା ସେଇ ମନ୍ଦିରକୁ, ଯୋଉଠି ସେମାନେ ତିଆରି କରିଥିଲେ ସ୍ୱପ୍ନର ତାଜମହଲ। ଆଖିର ଲୁହ, ଛାତିର କୋହକୁ ଲୁଚାଇ ସାଗରକୁ ଶୁଣାଇ ଦେଇଥିଲା ଶେଷ ନିଷ୍ପତ୍ତି।ଭାଙ୍ଗିପଡ଼ିଥିଲେ ସାଗର, ତଥାପି ଓଠରେ ହସ ଟିକେ ଖେଳେଇ କହିଥିଲେ, ଅନୀତା, ଯୋଉ ଆନନ୍ଦ ତ୍ଯାଗରେ ଥାଏ, ଭୋଗରେ ମିଳେନି। ଘର ଲୋକଙ୍କ ଇଚ୍ଛାରେ ବାହା ହୋଇ ଖୁସିରେ ରୁହ। ତମ ଖୁସିରେ ତ ମୋ ଖୁସି। ଗୋଟେ ଶେଷ ଅନୁରୋଧ ରଖିବ। ଜୀବନରେ କେବେ ମୋ ବିଷୟରେ କିଛି ବୁଝିବାକୁ ଚେ଼ଷ୍ଟା କରିବନି। ନିଜ ସ୍ତ୍ରୀ ଧର୍ମ ପାଳନ କରିବା। ତାହେଲେ ଯାଇ ମୋ ଭଲପାଇବାର ମାନ ରହିବ। ରାଣ ପକାଇ ଲକ୍ଷ୍ମଣରେଖା ଟାଣିଦେଇଥିଲେ।ସେଦିନ ସାଗରଙ୍କ ପବିତ୍ର ଓ ଶାଶ୍ୱତ ପ୍ରେମ ପାଖରେ ମୁଣ୍ଡ ନଇଁ ଯାଇଥିଲା ଅନୀତାଙ୍କର।

ବାସ୍ ତା ପରେ ପରିବାର ଇଚ୍ଛା ରେ ବାହା ହୋଇଯାଇଥିଲା ସେ ଶୁଭଙ୍କର ବାବୁଙ୍କୁ। ପେଷାରେ ଡାକ୍ତର। ଟଙ୍କା ପଇସାର ଅଭାବ ନଥିଲା ତାଙ୍କର। ଅଭାବ ଥିଲା ତ ସ୍ନେହ ମମତା, ଆଦର, ସମୟର। କଥା ପଦେ ହେବା ପାଇଁ ଅନୀତାଙ୍କ ସହିତ ତାଙ୍କ ପାଖରେ ସମୟ ନଥାଏ। ହେଲେ କିଛି ଫରକ ପଡ଼ୁନଥିଲା ଅନୀତାଙ୍କୁ।ନିଜ ସ୍ତ୍ରୀ ହେବାର ସମସ୍ତ କର୍ତ୍ତବ୍ଯ କରିଚାଲିଥିଲେ ସେ। ତାଙ୍କ ଛୋଟ ଛୋଟ ଖୁସି ର ଖିଆଲ ରଖୁଥିବା ମଣିଷକୁ ତ ଛାଡ଼ି ଦେଇ ଆସିଲେ ବହୁତ ପଛରେ। ଏ ସବୁ ବୋଧେ ତାର ଫଳ ଭାବି ନିଜ ମନକୁ ବୁଝାଇ ଦଇଥିଲେ।

ତାଙ୍କ ଜୀବନର ଶୁଖିଲା ମରୁଭୂମି ସେଇ ଦିନ ସବୁଜିମାରେ ଭରିଗଲା, ଯେଉଁ ଦିନ ଏ ସୌରଭ ଆସିଥିଲା ତାଙ୍କ କୋଳକୁ। ଯିଏ ତାଙ୍କ ନାରୀତ୍ୱକୁ ପରିପୂର୍ଣ୍ଣ କରିଛି।

ଆଜି ଜୀବନରେ ପ୍ରଥମ ଥର ପାଇଁ ସେ ତାଙ୍କୁ କିଛି ମାଗିଛି। ଦେବେ ସେ ନିଶ୍ଚୟ ଦେବେ। ଏବେ ସେ ଗୋଟେ ମା’। ଏକ ବିଂଶ ଶତାବ୍ଦୀର ଶିକ୍ଷିତା ମା’। ସେ ବୁଝିଛନ୍ତି ମଣିଷର ଦୁଇଟି ଜାତି। ନାରୀ ଓ ପୁରୁଷ। ଜାତିପ୍ରଥାର କିଛି ମୂଲ୍ଯ ନାହିଁ। ମୂଲ୍ଯହୀନ ଏଠି ବଂଶ, ଆଭିଜାତ୍ୟ, ମିଛ ଅହଙ୍କାର। ଏଥିପାଇଁ ଯଦି ତାଙ୍କୁ ସାରା ଦୁନିଆ ସହିତ ଲଢିବାକୁ ପଡିବ ସେ ଲଢିବେ ନିଜ ପୁଅର ଖୁସି ପାଇଁ। ପୁଅ ଆଗରେ ଟାଣି ବେନି ସେ ଲକ୍ଷ୍ମଣରେଖା, ଯାହା ତାଙ୍କ ସହିତ ଘଟିଥିଲା ଆଜକୁ ଠିକ୍ ତିରିଶ ବର୍ଷ ତଳେ।

ଜୀବନ ଆଜି ପୁଣି ତାଙ୍କୁ ଏମିତି ଏକ ଦୋ ଛକିରେ ଠିଆ କରେଇ ଦେଇଛି, ଯୋଉଠି ଗୋଟେ ପଟେ ପୁଅର ଖୁସି, ଅନ୍ୟ ପଟେ ସାଗରଙ୍କ ରାଣ। କେମିତି ସାମ୍ନା କରିବେ ସେ ସାଗରଙ୍କୁ ଦୀର୍ଘ ତିରିଶ ବର୍ଷ ପରେ। ହଁ ସେ ସାମ୍ନା କରିବେ ଗୋଟେ ମା’ର ପରିଚୟରେ। ସୃଷ୍ଟି ହେବାକୁ ଦେବେନି ଆଉ ଗୋଟେ ସାଗର-ଅନୀତାଙ୍କୁ ଏ ସମାଜରେ। ସୁରଭି କୁ ବୋହୁ ନୁହେଁ ଝିଅ ଭଳି ରଖି ସୁଝିବେ ସେ ସାଗରଙ୍କ ନିଷ୍ପାପ, ନିଷ୍କପଟ ଭଲପାଇବାର ଋଣକୁ।

ସକାଳର ପହିଲି କିରଣ ଆଣିଦେଲା ସମସ୍ତଙ୍କ ଜୀବନରେ ଖୁସିର ଜୁଆର। ଯେତେବେଳେ ଅନୀତା ଦେବୀ ଡାକ ପକାଇଲେ, ଅଂଶୁ, ଜଲଦି ବାହାରେ, ଯିବା ପରା ସୁରଭି ର ହାତ ମାଗିବାକୁ। “ସୌରଭ-ସୁରଭି” ସତରେ କେତେ ସୁନ୍ଦର ଯୋଡି଼ କହି ଗୋଟେ ଆତ୍ମତୁପ୍ତି ର ହସ ହସିଲେ ଅନୀତା ଦେବୀ। ସତେ ଯେମିତି ଅତୀତ ତାର ବନ୍ଧନକୁ ହୁଗୁଳା କରିଦେଇଛି l ବାଟ ଛାଡିଦେଇଛି ବର୍ତ୍ତମାନ ସହିତ ଭବିଷ୍ୟତକୁ ଆପଣେଇନେବାକୁ l ଦୀର୍ଘ ତିରିଶ ବର୍ଷ ପରେ ଅନିତା ଆଜି ଭେଟିବେ ସାଗରଙ୍କୁ l ଚାରି ଆଖିର ମିଳନରେ ଅନିତା କଣ ରୋକିପାରିବେ ନିଜ ଆଖିର ଲୁହକୁ, ଯାହାକୁ ସେ ବାହାରକୁ ଆସିବାକୁ ଦେଇନାହାନ୍ତି ଆଜିପର୍ଯ୍ୟନ୍ତ ? ଚାହିଁ ରହିଥିଲା ସୌରଭ ତା ସ୍ନେହମୟୀ,ମମତାମୟୀ ମା’ ର ମୁହଁକୁ। ସବୁକିଛି ଲାଗୁଥିଲା ତାକୁ ଆଜି ଏକ ସ୍ୱପ୍ନ ଭଳି।

 

Comments are closed.