Latest Odisha News

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନୀତା ଦାସଙ୍କ ସହ ‘ସ୍ୱଳ୍ପ ଆଳାପ’

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ମୁଁ ଗପ ପଢ଼ିବାକୁ ଖୁବ୍ ଭଲ ପାଏ। ହାଇସ୍କୁଲରେ ପଢ଼ିବା ସମୟରେ ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେଇଥିଲି। ଧିରେ ଧିରେ ପଶୁପକ୍ଷୀଙ୍କୁ ନେଇ ଛୋଟ ଛୋଟ ଗପ ଲେଖିବାକୁ ଆଗ୍ରହ ବଢ଼ିଲା।ଏହିପରି ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମୋର ପ୍ରଥମ ପ୍ରକାଶିତ ଲେଖା ‘ଅନାହାର’ କଥା ସାହିତ୍ୟ ପତ୍ରିକାରେ ୨୦୧୭ ମସିହାରେ ପ୍ରକାଶିତ ହୋଇଥିଲା। ସେଇ ଅନାହାର ଲେଖାଟି ବହୁତ ପ୍ରଶଂସା ସାଉଁଟି ଥିଲା । ସେଇ ପ୍ରଶଂସା ମତେ ପ୍ରେରଣା ଯୋଗାଇଲା।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀକୁ ଶବ୍ଦରେ ସଜାଇବାକୁ ଚେଷ୍ଟା କରେ। ଶବ୍ଦ ମାଧ୍ୟମରେ ପାଠକକୁ ଅନୁଭବ ଟିଏ ଦେବାର ପ୍ରୟାସ ଥାଏ।

ତାଙ୍କ ରଚନାରୁ ଗଳ୍ପ : ଅନୁତାପ

ସୁମତି ସହ ମୋର ଦେଖା ହେଇଥିଲା କଲେଜରେ ଆଡ଼ମିଶନ ଦିନ। ସେହିଦିନଠାରୁ ଆମେ ଏତେ ଘନିଷ୍ଠ ହେଇଗଲୁ ଯେ ସ୍ନାତକୋତ୍ତରର ଏକ ବର୍ଷ ଚାହୁଁ ଚାହୁଁ ବିତିଯାଇଥିଲା । ମୁଁ ହଷ୍ଟେଲରେ ରହୁଥାଏ। ଆଉ ସେ ଘରୁ ଯିବା ଆସିବା କରେ। ତାଙ୍କ ଘରଠୁ କଲେଜ ମାତ୍ର ଦୁଇ କିମି। ମୁଁ କିନ୍ତୁ ଭଦ୍ରକରୁ ଆସି ଏଇ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଓଡ଼ିଆରେ ପି.ଜି କରୁଥିଲି। ମୁଁ ମୋ ହଷ୍ଟେଲରେ ଖର୍ଚ୍ଚ ଉଠାଇବାକୁ ଯାଇ ଗୋଟିଏ ଟିଉସନ କରୁଥିଲି । ଆମ ଦୁହିଁଙ୍କର ଜାତିକୁ ଛାଡିଦେଲେ ପ୍ରାୟତଃ ସବୁ କିଛି ସମାନ ଥିଲା। ଦୁହେଁ ଅଭାବକୁ ଅତି ପାଖରୁ ଦେଖିଥିଲୁ। ଦୁହେଁ ଘରର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ କିଛି ନା କିଛି କରି ରୋଜଗାର କରୁଥିଲୁ। ଦୁହେଁ ମଧ୍ୟ ଓଡ଼ିଆରେ ପି.ଜି କରୁଥିଲୁ। ସବୁଠାରୁ ଭଲ କଥା ହେଲା ଦୁହେଁ ଭଲ ପଢୁଥିଲୁ ।

ୟୁନିଭରସିଟିରେ ମୋର ଆହୁରି ବହୁତ ଭଲ ଭଲ ସାଙ୍ଗ ମଧ୍ୟ ଥିଲେ ଯେଉଁମାନେ ପ୍ରାୟତଃ ମୋ ପାଖକୁ ଆସନ୍ତି ନୋଟ୍ ପାଇଁ। ମୁଁ ଯେବେ ବି କୁହେ ସୁମତି ମୋଠାରୁ ଭଲ ପଢେ।ସେ ନୋଟ୍ କରି ପଢିବାରେ ମାହିର। ତମେ ମାନେ ତା ସହ ବି ମିଶ। ସେମାନେ କେମିତି ଗୋଟିଏ ଘୃଣା ଚକ୍ଷୁରେ ଦେଖି ହସାହସି ହେଇ କୁହନ୍ତି ,”ଗୋଟିଏ ଆଦିବାସୀପାଖକୁ ପୁଣି ଆମେ ଯିବୁ। ସିଏ ଯୋଉ ଏଠି ପାଠ ପଢୁଛି କେବଳ ତା ଜାତି ସଂରକ୍ଷଣ ପାଇଁ।ଆମ ପରି ବ୍ରାହ୍ମଣ ହେଇଥିଲେ କେବେ ବି ଏ ୟୁନିଭରସିଟି ମାଟି ମାଡିପାରିନଥାନ୍ତା।” ମତେ ସେମାନଙ୍କ କଥା ବହୁତ ଖରାପ ଲାଗେ । ମୁଁ ଏଇ ଜାତିପ୍ରଥାକୁ ବିଶ୍ୱାସ କରେନି କି କରିବିନି ମଧ୍ୟ। ମୁଁ ସୁମତିକୁ ଅତି ପାଖରୁ ଦେଖିଛି ,ବୁଝିଛି ବି। ସଂରକ୍ଷଣର ଫାଇଦାରେ ସେ କୈ।ଣସି ଜିନିଷ ପାଇବାକୁ ଚାହେଁନି ବୋଲି ସେ ନିଜେ କୁହେ।

ପ୍ରଥମ ବର୍ଷ ପରୀକ୍ଷା ପାଖେଇଆସିଥାଏ। ସମସ୍ତେ ଜୋରସୋରରେ ପ୍ରସ୍ତୁତି ଚଲେଇଥାନ୍ତି। ପରୀକ୍ଷାର ପ୍ରୋଗ୍ରାମ ବି ବାହାରିସାରିଥାଏ। ସୁମତି ଆଉ ମୁଁ ସେତେ ବେଶୀ ଭେଟ ହେଉନଥିଲୁ କିନ୍ତୁ ଫୋନରେ ବରାବର କଥା ହେଉ। ଗୁରୁତ୍ଵପୂର୍ଣ୍ଣ ଲାଗୁଥିବା ପ୍ରତିଟି ପ୍ରଶ୍ନ ସେ ମୋତେ କୁହେ ।ପ୍ରଥମ ଦିନ ପରୀକ୍ଷା ସରିଲା । ଦୁହିଁଙ୍କର ବି ଭଲ ହେଇଥିଲା । ମୁଁ ଖୁସି ହେଇ କହିଲି ,” ଯାହା ତୁ କହିଥିଲୁ ସେଇ ସବୁ ପ୍ରଶ୍ନ ପଡିଥିଲା ।ସେ ଚୁପ୍ ଚୁପ୍ ହେଇ କହିଲା,” ତୁ କିନ୍ତୁ କାହାକୁ କହିବୁନି ।” ନିଜକୁ ପ୍ରଶଂସା କରି କହିଲା ଯେ କୋଉ ପ୍ରଶ୍ନ ଆସିବ ଆଉ କୋଉଟା ଆସିବନି ସେ କଳା ତାକୁ ଭଲ ଭାବେ ଜଣା। ଦ୍ୱିତୀୟ ଦିନ ପରୀକ୍ଷା ମଧ୍ୟ ସରିଲା ।ସେହି ଦିନ ରାତିରେ ମୋ କଲେଜ ସାଙ୍ଗ ମାନେ ଫୋନ୍ କରି କହିଲେ କି ପ୍ରଶ୍ନ ପତ୍ର ଲିକ୍ ହୋଇଛି।ଆଉ ଲିକ୍ କରିଛି ସୁମତି। ମୁଁ ଏକଥାକୁ ସହଜରେ ବିଶ୍ୱାସ କରିପାରୁନଥାଏ।

ପରଦିନ କଲେଜରେ ଦୋଷୀ ପରି ତାକୁ ଛିଡ଼ା କରାଇ ଥାଆନ୍ତି ପ୍ରିନ୍ସପାଲ। କଲେଜର ସମସ୍ତେ ତା ବିରୋଧରେ ସାକ୍ଷୀ ଦେଉଥାଆନ୍ତି।କିଏ କହୁଥାଏ ତା’ର ପିଅନ ସହ ସମ୍ପର୍କ ଅଛି ତ କିଏ କହୁଥାଏ ସେ ରାତିରେ କଲେଜକୁ ଆସିବା ପିଲା ଦେଖିଛନ୍ତି। ସୁମତିର ଛଳଛଳ ଆଖିରୁ ସ୍ପଷ୍ଟ ବାରି ହେଉଥାଏ ସେ ଦୋଷୀ ନୁହେଁ ବୋଲି। ହେଲେ ପ୍ରମାଣ ସବୁ ତା ବିରୋଧରେ।ସେ ଚିଲେଇ ଚିଲେଇ କହୁଥାଏ ,” ଗୋଟିଏ ଆଦିବାସୀ ଝିଅର ଭଲ ପଢିବାର ଅଧିକାର ନାହିଁ ନା ଏ ଉଚ୍ଚ ଜାତି ତା ପଢ଼ିବାକୁ ନେଇ ଈର୍ଷା କରୁଛନ୍ତି?? ସମସ୍ତେ ତା ଚିତ୍କାରକୁ ଫୁ କରି ହସରେ ଉଡାଇଦେଉଥାଆନ୍ତି। ମୁଁ ଉଦ୍ୟତ ହେଉଥାଏ ଏକଥା କହିବାକୁ ଯେ ସେ ନିର୍ଦ୍ଦୋଷ ।ମୋର ଜଣେ ସାଙ୍ଗ ମୋ ହାତକୁ ଧରି ପକାଇ କହିଲା,”ଯାହା ପାଇଁ ତୁ ଏବେ ବାହାରିଛୁ ଜାଣିଛୁ ସେଇମାନଙ୍କ ପାଇଁ ଆମେ ଆଜି ଏ ଅବସ୍ଥାରେ ଅଛୁ। ସବୁବେଳେ ସରକାର ତାଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି। ଆମେ ଜେନେରାଲ ପରା ମାର୍କ ରଖିଥିଲେ ବି ଚାକିରୀର ଯୋଗ୍ୟ ହୋଇପାରିବୁନି। ସେମାନେ ଆମଠୁ କମ୍ ମାର୍କ ରଖି ଚାକିରି ପାଇବେ ।” ମୁଁ ତଥାପି ତାକୁ କହୁଥାଏ କି ସେଥିରେ ସୁମତି ର କ’ଣ ଦୋଷ? ସେ ତ ବିଚାରୀ ଏକଥା ବି ଜାଣିନଥିବ ପେପର ଲିକ୍ କେମିତି କରାଯାଏ?” ମୋ କଥା ଶୁଣି ମୋ ସାଙ୍ଗଟି ଚିହିଁକି ଉଠି କହିଲା,” ଆଚ୍ଛା,ମତେ ଗୋଟିଏ କଥା କହ, ସେମାନେ ଭଲ ମାର୍କ ରଖିଲେ ଆମ ପାଇଁ ଥିବା ସିଟ୍ ତାଙ୍କୁ ମିଳିଯିବ। ଯଦି ମାର୍କ ଆମର କମିଯାଉଛି ତାହେଲେ ଆମକୁ କ’ଣ ତାଙ୍କ ସିଟ୍ ମିଳୁଛି କି??” ଏଇ ଗୋଟିଏ କଥା ତା’ର ଶୁଣି ଲାଗିଲା ମୋ ମନ ସମୁଦ୍ର ଭିତରେ କେମିତି ଗୋଟିଏ ବଡ଼ ଜୁଆର ଆସିଗଲା।ମତେ ସେହିକ୍ଷଣି ତା ପ୍ରଶ୍ନ ଉଚିତ ବି ଲାଗିଲା। ସେ ପୁଣି କହିଲା,” ତୁ ତା’ର ଭଲ ସାଙ୍ଗ। ତତେ କ’ଣ କୋଉଠି ବି ତା କାର୍ଯ୍ୟକଳାପ ଉପରେ ସନ୍ଦେହ ଆସିନି?” ସେହି କ୍ଷଣି ମୋର ମନେ ପଡିଲା ପ୍ରଥମ ପେପର ଦିନ ସେ ସିଲେକ୍ଟ କରିଥିବା ସବୁ ପ୍ରଶ୍ନରୁ ଅଧିକାଂଶ ପରୀକ୍ଷାରେ ଆସିବା କଥା। ମତେ ବି ସେହି ସମୟରେ ତା ଉପରେ ସନ୍ଦେହ ଆସିଲା। ମୁଁ କିଛି ନ କହି ସେଇଠୁ ଚାଲିଆସିଲି ।କିଛି ସମୟ ପରେ ପ୍ରିନ୍ସପାଲ ମତେ ଡକେଇ ପଠେଇ ସେଇ ଏକା ପ୍ରଶ୍ନ ପଚାରିଲେ ଯାହା ମୋ ସାଙ୍ଗ ମତେ ପଚାରିଥିଲା। ସେତେବେଳେ ମୁଁ ସବୁ କଥା କହିଦେଲି ଯାହା କଥା ହେଇଥିଲା ସୁମତି ଆଉ ମୋ ଭିତରେ। ମୋର ଏଇ ଗୋଟିଏ କଥା ଯାହାର ସତ୍ୟାସତ୍ୟ ନ ଜାଣି ମୁଁ କହିଥିଲି, ସୁମତି ଜୀବନରେ ଅଦିନିଆ ଝଡ଼ ଆଣିବାକୁ ଯଥେଷ୍ଟ ଥିଲା।ସୁମତିକୁ କଲେଜରୁ ବାହାର କରି ଦିଆଗଲା । ସୁମତି ମତେ ଧରି ବହୁତ କାନ୍ଦିଲା।ସେଠି ତା ସପକ୍ଷରେ ଯୁକ୍ତି ବାଢିବାକୁ କେହି ନଥିଲେ। ମୁଁ ବି ନଥିଲି । ହେଲେ ଏକଥା ତାକୁ ଜଣାନଥିଲା । ସେତେବେଳେ ମୋ ଆଖିରୁ ଟୋପେ ଲୁହ ବାହାରି ନଥିଲା।ମୋ ମନ ଓ ଦେହରେ ପରା ମୋ ସାଙ୍ଗ କହିଥିବା ସଂରକ୍ଷଣ ନାମକ କଣ୍ଟା ଫୋଡିହେଉଥିଲା।

ପି.ଜି ଦ୍ୱିତୀୟ ବର୍ଷର ପରୀକ୍ଷା ପାଖେଇ ଆସୁଥାଏ। ସୁମତି ସହ ସମ୍ପର୍କ ଧିରେ ଧିରେ ଛିନ୍ନ ହେଲା ପରେ ମତେ ନିଜ ପାଇଁ କୋଚିଂ ଦରକାର ପଡ଼ିଯାଇଥିଲା। ସେତେବେଳକୁ ମୁଁ ଜାଣିସାରିଥାଏ ସୁମତି ନୁହେଁ ବରଂ ଆମ ସାରଙ୍କ ପୁଅର ଏସବୁ କାମ,ଯିଏ କି ସଂରକ୍ଷଣ ନାମକ ଅସ୍ତ୍ର ବ୍ୟବହାର କରି ସୁମତିକୁ ମିଛ କଥାରେ ଫସେଇବାର ଯୋଜନା କରିଥିଲା। ଅନ୍ୟମାନେ ସମସ୍ତେ ତା ସହ ହାତ ମିଳାଇଦେଲେ ଅତି ସହଜରେ। ଆଉ ମୁଁ ସେମାନଙ୍କ କଥାରେ ପରୋକ୍ଷରେ ମିଶିଗଲି। ମୁଁ ଲଜ୍ଜାରେ ହେଉ ଅଥବା ମୋ ସାଙ୍ଗ କହିଥିବା ସେ କଥା ମାଛ କଣ୍ଟା ସ୍ୱରୂପ ତଣ୍ଟିରେ ଏପରି ଲାଖିଥାଏ ଯେ ମନ ଭିତରୁ ଆସୁଥିବା କଥା ତଣ୍ଟିରେ ହିଁ ଅଟକି ଯାଉଥିଲା।

ସେଦିନ ମୁଁ କୋଚିଂ ଯାଇଥାଏ । ଫେରିବା ବେଳକୁ ରାତି ଆଠଟା।ବାରିପଦା ସହରରେ ରାତି ଆଠଟା କିଛି ବି ନୁହେଁ।ହେଲେ ସେଦିନ କୋଉଠି ଥିଲା କେଜାଣି ଅଦିନିଆ ଝଡ଼ ତୋଫାନ।ପବନ ସହ ବର୍ଷା ଏପରି ହେଉଥାଏ ଯେମିତି ଆକାଶରୁ ସବୁ ମେଘ ବର୍ଷା ଆକାରରେ ବର୍ଷିଯିବ। ମୁଁ ଛତା ବି ଆଣିନଥାଏ।କିଛି ସମୟ କୋଚିଂ ପାଖରେ ଥିବା ଏକ ଦୋକାନ ଯାହା ବନ୍ଦ ଥିଲା ସେଇଠି ଛିଡ଼ା ହେଲୁ ।ମୋ ସହ ମୋର ଦୁଇ ତିନି ଜଣ ସାଙ୍ଗ ଥିଲେ । ସାମାନ୍ୟ ବର୍ଷା ଛାଡ଼ିବା ପରେ ମୋର ବାକି ସାଙ୍ଗମାନେ ଯେ ଯାହା ବାଟରେ ଚାଲିଗଲେ। ମୁଁ ଠିଆହେଇଥାଏ ସେମିତି ନିର୍ବିକାର ଭାବରେ । ଝଡ଼ ବର୍ଷା ସିନା ଟିକିଏ କମିଛି ତଥାପି ଯେତିକି ଜୋର୍ ରେ ହେଉଥାଏ ମତେ ଓଦା କରିବାକୁ ଦୁଇ ମିନିଟ ଯଥେଷ୍ଟ। ସେତେବେଳକୁ ରାତି ନଅଟା ।ମତେ ଟିକେ ଟିକେ ଡର ବି ଲାଗୁଥାଏ। ସହରର ସବୁ ଗଳି କାନ୍ଦି ସେତେବେଳକୁ ଶୁନଶାନ୍।ଆଉ ସେଠି ଅପେକ୍ଷା ନକରି ଚାଲି ଆସିଲି। ବାଟରେ ଏତେ ଜୋରରେ କୁକୁର ଦୁଇ ଚାରିଟା ମତେ ଦେଖି ଭୁକିଲେ ଯେ ମୁଁ ଡରି କରି ଦୌଡ଼ିବାରେ ଲାଗିଲି ।

ଜଣଙ୍କ ଘରର ଆଲୁଅ ମତେ ଦେଖାଗଲା ମୁଁ ସେ ଘର କବାଟ ଯାଇ ବାଡେଇଲି। କବାଟ ଯିଏ ଖୋଲିଲେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ମୁଁ। ସିଏ ଆଉ କେହି ନୁହେଁ ସୁମତିର ମାଆ( ମୁଁ ସୁମତି ଫୋନ୍ ରୁ ତାଙ୍କ ଘର ଲୋକ।ମୋ ପାଟିରୁ ବାହାରିଆସିଲା,” ଏଇଟା ସୁ..ମ…ତି ଘର?”ସେପଟୁ ତା ମା କହିଲେ,”ହଁ,ହେଲେ ତମେ କିଏ ମା? ଏତେ ରାତିରେ ପୁଣି ଝଡ ବର୍ଷା ରାତିରେ ଏମିତି ଓଦା ହେଇ ଆସିଛ! ” ମୁଁ କିଛି କହିବା ଅବସ୍ଥାରେ ନ ଥାଏ ।ସୁମତି ଶୋଇପଡିଥିଲା ବୋଧହୁଏ ଉଠି ଆସି ମତେ ଦେଖି ଆଶ୍ଚର୍ଯ୍ୟ। ମତେ ବସେଇବାକୁ ଦେଲା।ମୋ ମୁଣ୍ଡ ଦେହ ପୋଛି ଦେଇ ପଚାରିଲା,”ତୁ ଆଗ କହ କିଛି ଖାଇଛୁ ନା ନାହିଁ? ମୁଁ ତାକୁ କିଛି ଉତ୍ତର ଦେବା ଆଗରୁ ଆଣ୍ଟି ଆଣି ଖାଇବା ବାଢିଦେଲେ ମୋ ପାଖରେ। ବର୍ଷା ଯୋଗୁଁ କରେଣ୍ଟ ଚାଲିଯାଇଥାଏ । ମୋ ପାଖରେ ବସି ରହି ମତେ ଆଉଁସି ଦେଇ କହିଲେ ଆଗ ଖାଇଦେ ତାପରେ ବାକି କଥାବାର୍ତ୍ତା। ସୁମତିକୁ ବାରମ୍ବାର ଦେଖୁଥାଏ।ତାଙ୍କର ସେଇ ମାଟି ଘରକୁ ଦେଖୁଥାଏ। ଆଜବେଷ୍ଟସ କଣା ହେଇ ଗୋଟିଏ କୋଣରୁ ପାଣି ଗଳୁଥାଏ, ପାଣିକୁ ଆୟତ୍ତ କରିବାକୁ ଯାଇ ଗୋଟିଏ ବାଲତି ଥୁଆହେଇଥାଏ। ଆର କୋଣକୁ ଗୋଟିଏ ଖଟିଆ,ଯୋଉଠି ବୋଧେ ସୁମତି ଶୋଇଥିଲା । ଭିତରକୁ ଛୋଟିଆ କୋଠରୀ ,ଯୋଉଠି ଶୋଇଥାଏ ତା ସାନ ଭାଇ। ପାଖରେ ପଡ଼ିଥାଏ ଗୋଟିଏ ସିଲେଇ ମେସିନ। ମୁଁ ପଚାରିଲି,”ସିଲେଇ କିଏ କରୁଛି କି ମା ?” ସୁମତିର ମା କହିଲେ,”ଏଇ ଝିଅ କରୁଛି,ତାକୁ ତ କଲେଜରୁ ବାହାର କରିଦେଲେ। ତା ବାପାଙ୍କର ସ୍ୱପ୍ନ ଥିଲା ତାଙ୍କ ଝିଅ ଖୁବ୍ ପଢିବ ଆଉ ଗୋଟିଏ ବଡ଼ ଚାକିରୀ କରିବ। ସେ ଏଇ ନିନ୍ଦା ଅପବାଦ ସହି ନପାରି ହାର୍ଟଆର୍ଟକରେ ଚାଲିଗଲେ। ପ୍ରଥମେ ପିଲାଙ୍କୁ ଟିଉସନ କରୁଥିଲା ହେଲେ ଏ ବଦନାମ ଦିନଠୁ ଟିଉସନ ବି ବନ୍ଦ କରିଦେଲେ ସେ ପିଲାଙ୍କ ବାପା ମା। ସେବେଠାରୁ ଏଇ ସିଲେଇ କରି ପେଟ ପୋଷୁଛି।” ତା ମା ଙ୍କ କଥା ଶୁଣି ମୋ ଆଖିରୁ ଅଜାଣତରେ ଲୁହ ଟୋପେ ଝରିଆସିଲା ।

ବାହାରକୁ ଆସି ଖୁବ୍ କାନ୍ଦିଲି। ନିଜକୁ ଅନେକ ଧିକ୍କାର କଲି। ସୁମତି ନିଜେ ଶୋଇଥିବା ଖଟିଆ ମତେ ଦେଇ ମୋ ପାଖରେ ତଳେ ସପଟେ ବିଛେଇ ଶୋଇଲା। ମୋ ଆଖିକି କିନ୍ତୁ ନିଦ ନ ଥାଏ । ଚୁପି ଚୁପି ଢେର କାନ୍ଦିଲି ସେ ରାତି। ପରଦିନ ସକାଳୁ ହଷ୍ଟେଲକୁ ପଳେଇଆସିଲି।ମନ ଖୁବ୍ ଅସ୍ଥିର ଲାଗୁଥାଏ।ଆଖି ଆଗରେ ସୁମତିର ସରଳ ମୁହଁଟା ନାଚି ଉଠୁଥାଏ। କଲେଜର ସବୁ ସାର ମତେ ଭଲ ପାଉଥିଲେ କାରଣ ମୁଁ ଭଲ ପଢ଼ୁଥିଲି। ଭାବିଲି ଥରେ ପ୍ରିନ୍ସପାଲଙ୍କ ସହ କଥା ହେବି କି ! ତା ପରେ ଭାବିଲି ନା ପ୍ରଥମେ ମତେ ପ୍ରମାଣ ଠିକ୍ କରିବାକୁ ପଡ଼ିବ ସୁମତି ନିର୍ଦ୍ଦୋଷ ବୋଲି। ଠୋସ ପ୍ରମାଣ ଖୋଜିବାରେ ଲାଗିପଡିଲି। ଘଟଣା ପୂର୍ବ ଦିନ ରାତିରେ ଯେଉଁ ପିଅନ ଥିଲେ ତାଙ୍କୁ କଲେଜରୁ ବାହାର କରିଦିଆଯାଇଛି ବୋଲି ସାଙ୍ଗ ମାନଙ୍କଠାରୁ ଜାଣିଲି। ତାଙ୍କ ଘର ଖୋଜି ଖୋଜି ଗଲି ।ସେଠି ଯାହା ଶୁଣିଲି ମୋ କାନକୁ ବିଶ୍ଵାସ କରିପାରିଲିନି।ଆମ ଓଡ଼ିଆ ସାରଙ୍କ ପୁଅର ଏସବୁ କାମ।

ସେହି ଦିନ ରାତିରୁ ହିଁ କିଛି ଟଙ୍କା ଗୁଞ୍ଜି ଦେଇ ପିଅନକୁ ବାହାର କରିଦେଇଛି। ପିଅନ ଜଣଙ୍କ କହିଲେ ବେଳେ ମୋ ହାତ ଧରି ମତେ ଭୁଲ୍ ମାଗିଲେ। କାନ୍ଦି କାନ୍ଦି କହିଲେ ସେ ବହୁତ ବଡ଼ ପାପ କରିଛନ୍ତି। ପ୍ରଥମେ ପ୍ରଥମେ ପ୍ରିନ୍ସପାଲଙ୍କ ଆଗରେ ସତ ମାନିବାକୁ ଡରୁଥିଲେ ପରେ ମୋ ଠାରୁ ସୁମତିର ପରିସ୍ଥିତି କଥା ଶୁଣି ସତ ସବୁ କହିବେ ବୋଲି ହଁ ଭରିଲେ। ସେଦିନ ମୋ ଜୀବନର ସବୁଠାରୁ ଭଲ ଦିନ ଥିଲା ଯୋଉଦିନ ପ୍ରିନ୍ସପାଲଙ୍କ ଆଗରେ ସବୁ ସତ ଖୋଲିଯାଇଥିଲା। ଅଧ୍ୟାପକଙ୍କ ପୁଅକୁ ବହିଷ୍କୃତ କରାଗଲା। ଅଧ୍ୟାପକଙ୍କ ସମର୍ଥନର ହାତ ଥିବା ଯୋଗୁଁ ତାଙ୍କୁ ବି ଚାକିରୀରୁ ବାହାର କରାଗଲା। ଆଉ ସୁମତିକୁ କ୍ଷମା ମାଗି ତାକୁ ପୁଣି ପଢ଼ିବା ପାଇଁ ଅନୁରୋଧ କଲେ ନିଜେ ପ୍ରିନ୍ସପାଲ।

ସେ ତା ନିଜ ପରିଶ୍ରମ ବଳରେ କଲେଜ ଟପ୍ପର ହେଇପାରିଥିଲା। ଆମେ ଦୁହେଁ ଏବେ ଭିନ୍ନ ଭିନ୍ନ କଲେଜରେ କିନ୍ତୁ ଗୋଟିଏ ସହରରେ ପ୍ରଫେସର ଭାବେ କାର୍ଯ୍ୟରତ। ସବୁଦିନ ନ ହେଲେ ବି ମାସରେ ଥରେ ଅଧେ ଆମେ ଦେଖାକରୁ । ଆଉ ଯେବେ ଦେଖାହେଉ ସେ ସବୁଥର ପରି ମୋର ଟିକେ ପ୍ରଶଂସା କରେ ଏଇଆ କହିକି ଯେ ମୁଁ ତା ଜୀବନର ଦେବଦୂତଟିଏ। ମୁଁ ଶୁଣେ ,ହସେ, କିନ୍ତୁ ଭିତରେ ଭିତରେ ଶ୍ୱାସରୁଦ୍ଧ ହୁଏ । ଯଦିଓ ମୁଁ ତା ଜୀବନର ମୋଡ଼ ବଦଳାଇବାରେ ସକ୍ଷମ ହେଇଛି। ତଥାପି ଏକଥା ତ କେବେ ଭୁଲି ପାରିବିନି ନା ମୋର ଛୋଟ ଗୋଟିଏ ଭୁଲ ପାଇଁ ତା ଜୀବନରେ ଏଡେ ବଡ଼ ଝଡ଼ ଆସିଥିଲା।ଏବେ ଯେବେ ତାଙ୍କ ଘରକୁ ଯାଏ ଆଉ ସେ କୁଡିଆ ନୁଆଁଣିଆ ଘର ପାଏନି,ପାଏ ସୁନ୍ଦର ଗୋଟିଏ କୋଠା ଯାହାର ଫାଟକ ପାଖେ ଲେଖା ହେଇଥାଏ ସୁମତିର ମା ଙ୍କ ନାଁ “ଲକ୍ଷ୍ମୀ ନିବାସ” ।ଯେବେ ଯେବେ ସେଇ ନାମ ଫଳକ ଦେଖେ ମୋ ଅଜାଣତରେ ଝରି ଆସେ ଦୁଇ ଟୋପା ଖୁସିର ଲୁହ।

Comments are closed.