ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ । ତାଙ୍କର ସମସ୍ତ ସୃଷ୍ଟି ପାଠକଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ। ପ୍ରତେକଟି ରଚନା ଭିତରେ ପାଠକ ଭେଟି ପାରନ୍ତି ସଂପ୍ରତି ଘଟୁଥିବା ସମାଜର ଘଟଣା ଓ ଚରିତ୍ର ମାନଙ୍କୁ।
ପାନ୍ଥଶାଳା , ଲେଭେଲ କ୍ରସିଂ , ଆସଟ୍ରେ , ଲଣ୍ଠନ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । କଥା ନବପ୍ରତିଭା ପୁରସ୍କାର , ମୟୁରଭଞ୍ଜ ଯୁବା ପୁରସ୍କାର , କିଶୋରୀ ଚରଣ ଗଳ୍ପ ପୁରସ୍କାର , ଜଷ୍ଟିସ ହରିହର ମହାପାତ୍ର ନାଟ୍ୟସାହିତ୍ୟ ପୁରସ୍କାର ସହ ଆହୁରି ଅନେକ ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ଦ୍ୱାରା ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ଦିଲ୍ଲୀପ ବେହେରାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
ଆପଣ ସାହିତ୍ୟ ପ୍ରତି କେମିତି ଆକର୍ଷିତ ହେଲେ ?
ସାହିତ୍ୟ ପ୍ରତି ମୋର ଆକର୍ଷଣ ଜାଣିଶୁଣି ନୁହଁ। ଏହା ସ୍ୱତଃପ୍ରବୃତ ଏବଂ ଅନେକାଂଶରେ ସହଜାତ। ମୁଁ ବଢିଥିବା ପରିବେଶ, କାଟିଥିବା ବାଲ୍ୟକାଳ ଅବଚେତନରେ ସଞ୍ଚିତ କରିଛି ଯଥେଷ୍ଟ ପ୍ରେରଣା ଏବଂ ଅନୁଭୂତି। ନିପଟ ମଫସଲର ଏକ ନିମ୍ନମଧ୍ୟବିତ୍ତ ଯୌଥ ଚାଷୀ ପରିବାର, ଗାଁ ଏବଂ ପାର୍ଶ୍ଵବର୍ତ୍ତୀ ସବୁଜିମା, ବିସ୍ତୀର୍ଣ୍ଣ ଜଙ୍ଗଲ, ଧାନକ୍ଷେତ, ଗାଁ ନଈ , ଚିର ଅଭାବବୋଧ ଏବଂ ତା ସହ ମୋ ବାପାଙ୍କ ଗଳ୍ପ ମୁଖରତା ମୋର ଗଳ୍ପ ମନସ୍କତାର ପ୍ରଧାନ ଉପାଦାନ। ଛାତ୍ରଜୀବନରେ ମୋ ସାହିତ୍ୟ ଶିକ୍ଷକଙ୍କ ପ୍ରେରଣା, ତତପରବର୍ତ୍ତୀ ସମୟରେ ପ୍ରଥମେ ଫକୀର ମୋହନ ଏବଂ ପରେ ମନୋଜ ଦାସଙ୍କୁ ଗଭୀର ଏବଂ ଗମ୍ଭୀର ପଠନ, ମୋତେ ଲେଖିବାକୁ ପ୍ରବର୍ତ୍ତେଇଛି।
ଜଣେ ଲେଖକ ଭାବରେ ନିଜକୁ କିପରି ବର୍ଣ୍ଣନା କରିବେ ?
ଜଣେ ଲେଖକ କେବେ ନିଜକୁ ବର୍ଣ୍ଣନା କରିପାରେନା ଏବଂ ତାହା ହିଁ ତାର ସବୁଠୁ ବଡ ଅସହାୟତା। ଲେଖକଟେ ନିଜକୁ ବର୍ଣ୍ଣନା କରିବାକୁ ପ୍ରୟାସ କରିବା, ତାର ବୃଥା ଆସ୍ଫାଳନ ଅବା ବାହାସ୍ଫୋଟରେ ଗଣା ହେବ। ଲେଖକଟେ ସବୁବେଳେ ବର୍ଣ୍ଣିତ ହୁଏ ତାର ସଚ୍ଚା ପାଠକର ଶବ୍ଦରେ, ସ୍ନେହରେ, ତିରସ୍କାରରେ।
ଅନୁଭୂତି ଓ ଅଭିଜ୍ଞତା ଜଣେ ଲେଖକଙ୍କୁ ଅଧିକ ସାନ୍ଦ୍ର କରେକି ?
ନିଶ୍ଚୟ। ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ। ସମ୍ପୂର୍ଣ୍ଣ କଳ୍ପନା ବୋଲି କିଛି ନାହିଁ। ପ୍ରତିଟି କଳ୍ପନା ପ୍ରଚ୍ଛଦପଟରେ ରହିଥାଏ କିଛି ସ୍ମୃତି, କିଛି ଶ୍ରୁତି, କିଛି ଦୃଶ୍ୟ ଅବା କିଛି ଅନୁଭୂତି। ଜଣେ ଯେତେ ଅଭିଜ୍ଞ ତା ସୃଷ୍ଟି ସେତେ ପରିପକ୍ଵ। ହଁ, କହିରଖେ, ଅଭିଜ୍ଞତା କିମ୍ବା ପରିପକ୍ଵତା ସହ ବୟସର କୌଣସି ସମ୍ପର୍କ ନାହିଁ।
ଜଣେ ସ୍ରଷ୍ଟାର ନିଜସ୍ୱ ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ହୋଇପାରେ ?
ଏକଥା କେବେ ବି ସ୍ରଷ୍ଟା ନିଜେ ନିର୍ଦ୍ଧାରିତ ନକରୁ। ସେଥିରେ ଉଭୟ ସାହିତ୍ୟ ଏବଂ ସ୍ରଷ୍ଟାର ମଙ୍ଗଳ।
ଦାୟିତ୍ୱ ଓ ଦାୟବଦ୍ଧତା ଭିତରେ ଛନ୍ଦି ହୋଇଛନ୍ତି କି ?
ଦାୟିତ୍ବ ଶବ୍ଦ ଭିତରେ ଦାୟବଦ୍ଧତା ଅବା ଉତ୍ତରଦାୟିତ୍ୱ ରହିଛି। ଏ ଦୁଇଟି ଶବ୍ଦ ପରସ୍ପର ସମ୍ପର୍କିତ। ରୋଗୀକୁ ଉତ୍ତମ ସେବା ଯୋଗେଇବା ଗୋଟେ ଡାକ୍ତରର ଦାୟିତ୍ବ , ସେହିପରି ଚିକିତ୍ସାର ପରିଣାମ, କୁପରିଣାମ ପାଇଁ ସେ ଉତ୍ତରଦାୟୀ। ଅର୍ଥାତ ଦାୟବଦ୍ଧତା, ଦାୟିତ୍ବ ଭିତରେ ନିହିତ। କିନ୍ତୁ ସାହିତ୍ୟ କ୍ଷେତ୍ରରେ ଏହା ଅଲଗା। ଏଥିରେ ଲେଖକ ଏବଂ ପାଠକ ଉଭୟ ସ୍ୱାଧୀନ। ଜଣେ କଣ ଲେଖିବ, ନ ଲେଖିବ ସେଥିରେ ତାର ସ୍ବାଧୀନତା ଅଛି। ଲେଖିବା ଏକ ଦାୟିତ୍ବ ବୋଲି ଜଣେ ଗ୍ରହଣ କରିପାରେ ଅବା ନ କରି ମଧ୍ୟ ପାରେ। ସେହିପରି ଲେଖା ପାଇଁ ଲେଖକଟେ ଉତ୍ତରଦାୟୀ ରହିପାରେ ଅବା ରହି ନ ପାରେ କାରଣ ପାଠକୀୟ ସ୍ବାଧୀନତା ଅଛି, ଲେଖାକୁ ଗ୍ରହଣ ଅବା ଅସ୍ବୀକାର କରିବାକୁ।
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଧାରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ସାହିତ୍ୟ କେବେ ବି ସଂଖ୍ୟାର ଧାର ଧାରେନି। ସାହିତ୍ୟର ଅଗ୍ରଗତି ପାଇଁ ଲେଖାର ଗୁଣାତ୍ମକ ମାନ ଏବଂ ସମସାମୟିକତା ବେଶୀ ଗୁରୁତ୍ୱପୂର୍ଣ୍ଣ। ଚାଷ ଯଦି ଅଧିକ ହେଉଛି ତେବେ ଭଲ କଥା। ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚାଷକୁ ପ୍ରତ୍ସାହିତ କରିବା ଉଚିତ। ବାକି ରହିଲା ଅଗାଡି କଥା। ଅମଳ ସମୟରେ ଅଗାଡି ଅଲଗା ହେଇଯିବେ। ଖାଉଟି ଜମା ବି ମୁର୍ଖ ନୁହଁନ୍ତି। ପାଠକ ଏବଂ ସମୟ ହାତରେ ସାହିତ୍ୟର ନିୟତି।
ଅନୁଶୀଳନ ସହ ଅନୁସୃଜନ ଜଡ଼ିତ କି ?
ସୃଜନଶୀଳ ସାହିତ୍ୟ ପାଇଁ ଗଭୀର ଅନୁଶୀଳନ ତଥା ଅନୁଭୂତି ଏବଂ ଅଭିଜ୍ଞତା ଜରୁରୀ। କିନ୍ତୁ ଅନୁସୃଜନ ପାଇଁ ଭାଷାଗତ ଜ୍ଞାନ, ଗଭୀର ଅଧ୍ୟୟନ ତଥା ମୂଳ ଲେଖାର ଭାବଗତ ଆବେଦନକୁ ବୁଝିବା ନିତାନ୍ତ ଆବଶ୍ୟକ।
ପୁରସ୍କାର ଓ ପ୍ରଶଂସା ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ?
ପୁରସ୍କାର ଏବଂ ପ୍ରଶଂସା ଦୁଇପଟ ଧାର ଥିବା ଖଡ୍ଗ ପରି। ହୁଏତ ଏସବୁ କାହାକୁ ଗଭୀର ଭାବେ ପ୍ରଭାବିତ ଏବଂ ପ୍ରେରିତ କରିପାରେ କିମ୍ବା ହୁଏତ ଜଣକର ସୃଜନଶୀଳତାକୁ ହରଣ କରିପାରେ। ଦେଖିବାକୁ ପଡିବ, ଜଣେ ପୁରସ୍କାର ପାଇଁ ଲେଖୁଛି ନା ତାର କୃତି ପାଇଁ ପୁରସ୍କାର ମିଳୁଛି। ପୁରସ୍କାର ଏବଂ ପ୍ରଶଂସା କେବଳ ଏକ ସ୍ଵୀକୃତି ସ୍ତରରେ ରହିଲେ ଠିକ। ଲେଖକଟେ ପୁରସ୍କାର ସର୍ବସ୍ବ ହେଇଗଲେ କଥା ସରିଲା। ଅନେକ ଫନ୍ଦିଫିକର ମାଧ୍ୟମରେ ରାତାରାତି ପୁରସ୍କାର, ପ୍ରଶଂସା ସାଉଁଟି ଲୋକପ୍ରିୟ ହେଇଥିବା ଲେଖକ, ନିଜ ଲେଖାରେ ନିଷ୍ଠା ଏବଂ ଅଧ୍ୟବସାୟ ଅଭାବରୁ, କାଳବକ୍ଷରେ ହଜିଯିବାର ଅନେକ ନମୁନା ରହିଛି।
କରୋନା କାଳରେ ରୋଗୀ ସେବା ଓ ସାହିତ୍ୟ ସାଧନା ଭିତରେ କିପରି ସମନ୍ୱୟ ରଖିଛନ୍ତି ।
ଯାହା ବି ସମନ୍ୱୟ ଥିଲା କରୋନା ସବୁ ବିଗାଡି ଦେଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ କରୋନା ମହାମାରୀ ସବୁଠୁ ବଡ ବିପତ୍ତି ଭାବରେ ଆମ ଆଗରେ ଠିଆ ହେଇଛି। ସାମାଜିକ, ଅର୍ଥନୈତିକ ବିଧିବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକେଇଛି। ମଣିଷ ଜାତି ପାଇଁ ଏ ବିପତ୍ତି ପ୍ରଥମ ନୁହଁ, ଏମିତି ଅନେକ ଦୁଃସମୟରୁ ଏ ଜାତି ମୁକୁଳିଛି, ଅଣ୍ଟା ସଳଖି ଠିଆ ହେଇଛି। ସେହିଭଳି କରୋନାରୁ ମୁକୁଳି, ପୁଣି ଥରେ ଦମ୍ଭ ହେଇ ଠିଆ ହେବ, ମାନବ ଜାତି। କିନ୍ତୁ ବର୍ତ୍ତମାନର ସମୟରେ ଜୀବନ ଏବଂ ଜୀବିକା ବଞ୍ଚେଇ ରଖିବା, ଏକ ବଡ ଆହ୍ୱାନ। ମୁଖ୍ୟତଃ ଡାକ୍ତର ହିସାବରେ ଖୁବ୍ କଠିନ ସମୟ ଦେଇ ଗତି କରିବାକୁ ପଡୁଛି। ଡାକ୍ତରଖାନାର କାମ ଚାପ ସହ ବଳକା ସମୟରେ ଫୋନ ଯୋଗେ ଯେତେ ସମ୍ଭବ ଲୋକଙ୍କୁ ଚିକିତ୍ସା ପରାମର୍ଶ ଦେବାକୁ ପଡୁଛି। ଯେହେତୁ ମୋ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେଇ ଅନେକେ ଘରେ ରହି ଚିକିତ୍ସିତ ହେଉଛନ୍ତି, ତାଙ୍କର ଉତ୍ତରଦାୟୀତ୍ୱ ମୋ ଉପରେ ନ୍ୟସ୍ତ ରହୁଛି। ତେଣୁ ସେଥିରେ ଅନେକ ସମୟ ବିନିଯୋଗ ହେଉଛି। କାହାର ଦୁର୍ଯୋଗ ସମୟରେ କିଞ୍ଚିତ ସାହାଯ୍ୟ କରିପାରୁଛି ବୋଲି, ଖୁବ୍ ଆତ୍ମତୃପ୍ତି ମିଳୁଛି। ମଣିଷ ଜୀବନ ଥାଉ, ସାହିତ୍ୟ ଆଜି ନହେଲେ କାଲି ହେବ।
ସମସାମୟିକ ଲେଖକ ମାନଙ୍କ ପାଇଁ କି ବାର୍ତ୍ତା ଦେବେ?
ସମସାମୟିକ ଲେଖକମାନେ କୌଣସି ବାର୍ତ୍ତାର ଆବଶ୍ୟକତା ରଖନ୍ତିନି। ସମସ୍ତେ ଖୁବ୍ ପ୍ରାଜ୍ଞ ଏବଂ ବିଚାରବନ୍ତ। ନିଜ ରାସ୍ତା ନିଜେ ନିର୍ଦ୍ଧାରିତ କରିବାକୁ ସମର୍ଥ। କେବଳ ଏତିକି କହିବି ଅନ୍ୟର ମାର୍ଗଦର୍ଶନରେ ନୁହଁ; ବରଂ ନିଜେ ବାଛିଥିବା ରାସ୍ତାରେ ଚାଲନ୍ତୁ ସମସ୍ତେ ।