Latest Odisha News

BREAKING NEWS

ସାହିତ୍ୟ, ସମର୍ପଣ ଓ ଅନୁରକ୍ତିର ସମ୍ମିଶ୍ରଣ : କମଳ କୁମାର ମହାନ୍ତି

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ କମଳ କୁମାର ମହାନ୍ତି । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ଚିହ୍ନାମାଟି, ବାହୁଡ଼ାବେଳ, ଶବ୍ଦ ଯେସନେ ମାୟାମୃଗ, ନିଜନିଜ ଇନ୍ଦ୍ରପ୍ରସ୍ଥ , ମୁହୂର୍ତ୍ତେ ମହକ, ସହରରେ ଜହ୍ନ ନାହିଁ , ଆଦି କବିତା ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ସାଗରିକା କବିତା ସମ୍ମାନ, ଗୋଦାବରୀଶ ସ୍ମୃତି ସଂସଦ କବିତା ସମ୍ମାନ, ଫକୀର ମୋହନ ସ୍ମୃତି ପରିଷଦ କବିତା ସମ୍ମାନ, ଅଖିଳଚକ୍ର କବିତା ସମ୍ମାନ, ସହ ଆହୁରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।

କବି କମଳ କୁମାର ମହାନ୍ତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

୧- ସାହିତ୍ୟମନସ୍କ କେମିତି ହେଲି କହିପାରିବି ନାହିଁ । ତରୁଣ ବେଳରୁ କବିତା,ଗପ ଓ ଉପନ୍ୟାସ ପଢ଼ୁପଢ଼ୁ କେଉଁ ଅନ୍ୟମନସ୍କତାରେ ସାହିତ୍ଯ ପ୍ରେମରେ ପଡ଼ିଯାଇଥିବି । ଅନେକ ସ୍ରଷ୍ଟା ସେଥିପାଇଁ ମୋର ପ୍ରେରଣା ହୋଇ ପାରନ୍ତି, କେହି ଜଣେ ନୁହଁନ୍ତି । ଭୀମ ଭୋଇଙ୍କ କାଳଜୟୀ ପଙକ୍ତି “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ’ବା ସହୁ”ହେଉ ଅବା ମାନସିଂହଙ୍କ “ମହାନଦୀର ଜ୍ୟୋସ୍ନାବିହାର”ରେ‐
“ଆହା କି ବିପୁଳ ଶୋଭା ଦିଶେ ଆଖି ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜୋଛନା ପରାଗେ,
ବାଣୀ ମୋର ନାହିଁ ଫୁଟେ ମାନି ପରାଭବ ।” ଅବା ମୋ ବୋଉର ଗୀତଖାତାରୁ କିଛି ବି ପ୍ରେରଣାଦାୟୀ ଗୀତ ଅଜାଣତରେ ହୁଏତ ମୋ’ ଉପରେ ପ୍ରଭାବ ପକାଇଥିବ ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ପ୍ରଥମ ପ୍ରକାଶିତ ଲେଖାଟି “ଚିହ୍ନାମାଟି” ଶୀର୍ଷକ କବିତା । ତାହା ବି ମୋର ପ୍ରଥମ ସଙ୍କଳନର ପ୍ରଥମ କବିତା । ତହିଁରେ ଥିଲା ଗାଆଁମାଟିକୁ ନେଇ କାନ୍ତ କୋମଳ ପଦାବଳୀ । ଥିଲା ଅତୀତ ପ୍ରବଣତାର ମୁଗ୍ଧ ମଧୁର ଭାଷା । ସ୍ବପ୍ନମନସ୍କ ମନରେ ଗାଆଁର ବାସ୍ତବତାର ଚିତ୍ରାୟନ,ଯେମିତି ପିଲାଦିନ, ଧୂଳିଘର, ଲୁଚକାଳି, ଅନ୍ଧାର, ନଦୀତଟ କାଶତଣ୍ତୀ, ଫୁଲସଂଜର ଲାଲିମା, ପୌଷର କାଙ୍କରା ଶୀତ, ଅଶିଣର ଆଲବମ, ଓ ଫଗୁଣର ନିଟୋଳପଣକୁ ନେଇ ବିଭୋର ଭାବର କବିତା । ତାହା ସ୍ମରଣ କଲେ ମନ ଖୁସିରେ ଭରିଯାଏ । ସେ କବିତାଟି ପ୍ରକାଶିତ ହେବାପରେ ହିଁ ମୋତେ ଗାଆଁକୁ ନେଇ ଅନେକ କବିତା ଲେଖିବାର ପ୍ରେରଣା ମିଳିଥିଲା ।

କବିତା ଲେଖିବା ପାଇଁ ଅଧିକ ଆଗ୍ରହୀ କାହିଁକି ହେଲେ ?

ଗାଆଁରେ ମୋର ଜନ୍ମ । ଗାଆଁ ହିଁ ମୋର କବିତା ଲେଖାର ପ୍ରଥମ ପ୍ରେରଣା । ଗାଆଁ ଲୋକଙ୍କ ମୁହଁରୁ କଥା କଥାକେ ବାହାରି ପଡ଼େ କବିତା ଭଳି କିଛି ‐
‘ଏମନ୍ତ କଥା କେମନ୍ତ କହିପାରିଲ ହେ ସାଆନ୍ତେ’,
‘ଏଇକଥାକୁ, ନାଆଁ ପେଲିଦେଲି କଲିକତାକୁ’,
‘ଯେତେ ପଢ଼ିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ’ (ଭାଗବତ), ‘ମୋତେ ଯେତେ ମାଠିବୁ ମାଠ,ମୁଁ ସେଇ ଦରପୋଡ଼ା କାଠ’ ….ଏମିତି ଆହୁରି ଅନେକ ଲୋକଭାଷା ଓ ଋଢ଼ି କଥିତ ଭାଷାରେ ବ୍ୟବହୃତ ହୋଇଥାଏ ଘରେ ଘରେ । ଅର୍ଥାତ୍ ଆମ ଲୋକକଥା, ଢଗଢ଼ମାଳିରେ ହିଁ ରହିଛି କବିତାର ଭାଷା ।

କବିତାକୁ ନେଇ ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଉପଲବ୍ଧି କ’ଣ ହୋଇପାରେ?

ଜଣେ ସତ୍ କବି ତା’ର ସୃଷ୍ଟିକୁ ନେଇ ଯେତେ ଗର୍ବିତ, ଅନ୍ୟ କୌଣସି ପାର୍ଥିବ ଉପଲବ୍ଧିକୁ ନେଇ ସେମିତି ଖୁସି ହୋଇପାରେନାହିଁ । ଏହା ଏକ ସୂକ୍ଷ୍ମ ଅନୁଭବ, ଯା’ର ଅନନ୍ୟପଣର ବଖାଣ ନାହିଁ । ସୃଷ୍ଟି ତାକୁ ଯଶ ପ୍ରଦାନ କରୁ କି ନକରୁ, ସେ ଆତ୍ମୋପଲବ୍ଧି ହିଁ ଯଶ ଅବା ଅମରତ୍ବ ତୁଳନାରେ କିଛି କମ୍ ନୁହେଁ ।

ଆପଣ ଏକ ସମ୍ଭ୍ରାନ୍ତ ପତ୍ରିକା ପାହାଚର ସମ୍ପାଦକ । ତେବେ ସାହିତ୍ୟିକ ଜୀବନରେ ସମ୍ପାଦକୀୟ ଭୂମିକା କି ପ୍ରଭାବ ପକାଇଛି ?

‘ପାହାଚ’ ପରି ଏକ ସାହିତ୍ୟ ପତ୍ରିକା ସମ୍ପାଦନା କରିବାରେ ମୋତେ ଅପୂର୍ବ ସାରସ୍ବତ ପ୍ରେରଣା ମିଳିଥାଏ । ଏହା ମୋର ସୃଜନଶକ୍ତିକୁ ଅଧିକ ଉର୍ଜ୍ବଶୀଳ କରିଆସିଛି । ସମ୍ପାଦନା କର୍ମ ବି ଏକ ସାରସ୍ବତ କର୍ମ । ତହିଁରେ ସୃଜନଶକ୍ତିର କ୍ଷୟ ଅବା ବିଲୋପ ହୋଇଯିବା ସମ୍ଭବ ନୁହେଁ ! ବରଂ ସମ୍ପାଦନାକୁ ସଠିକ୍ ଦିଗରେ ଲଗାଇଲେ ଅପୂର୍ବ ନାନ୍ଦନିକତା ଓ ସୃଜନଶୀଳତା ହାସଲ ହୋଇପାରେ । ଆମ ସାହିତ୍ୟର ପୂର୍ବଜମାନଙ୍କ ଭିତରୁ ଯେଉଁମାନେ ସମ୍ପାଦନା କାର୍ଯ୍ୟ ସହିତ ସ୍ବୀୟ ସାହିତ୍ୟକର୍ମରେ ନିୟୋଜିତ ରହୁଥିଲେ, ସେମାନେ ତ ସୃଜନ ଦକ୍ଷତାରେ ଅନୁପମ ଥିଲେ । ମୁଁ ଭାଗ୍ୟବାନ ଯେ ମୋତେ ଉଭୟ କର୍ମରେ ସଫଳତା ମିଳିଛି ।

ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଏହି ବିଷୟରେ କଣ କହିବେ ?

ହଁ,ଏହା ଏକ ଗମ୍ଭୀର ପ୍ରଶ୍ନ । ସମ୍ପ୍ରତି ଅନେକ ଭଲ କାବ୍ଯଗ୍ରନ୍ଥ କେବଳ ପ୍ରକାଶିତ ହେବାର ଭାଗ୍ଯ ନେଇ ଜନ୍ମଲାଭ କରୁଛି । ସେଗୁଡ଼ିକ ପ୍ରତି ଥରେ ଅଧେ ଆଲୋଚନାର ସୁଯୋଗ ମିଳିବା ବି ଦୁରୁହ ବ୍ଯାପାର । ଆଲୋଚନାର ସଙ୍କଟକୁ ତ ଅତିକ୍ରମ କରିପାରିନାହାନ୍ତି ଅନେକ କାବ୍ଯଗ୍ରନ୍ଥ । ଆଉ ଯଦି ବି ଥରେ ଆଲୋଚନା ହୋଇଯାଏ, ତା’ ପରେ ତାହାର ଗୁଣଗରିମାକୁ ନେଇ ସମାଲୋଚକମାନେ ପ୍ରବନ୍ଧ ଲିଖନ ତଥା ଆଲୋଚନା ସଭାରେ ଉପସ୍ଥାପିତ କରିବା ବି ଆଜି ବିରଳ କଥା । ସୁତରାଂ ଆଲୋଚନା/ ସମାଲୋଚନା ଅଭାବ ଯୋଗୁଁ କବିର ସୃଷ୍ଟି ପାଠକଙ୍କ ପାଖରେ ପହଞ୍ଚି ପାରୁନାହିଁ କି ଉତ୍ତମ କବିତାସବୁ ବଛାଯାଇ ପାଠ୍ୟପୁସ୍ତକରେ ସ୍ଥାନିତ ହେଉନାହିଁ । ଏହା ଓଡ଼ିଆ ସାହିତ୍ୟ ପାଇଁ ଏକ ବିଡ଼ମ୍ବନା ନିଶ୍ଚୟ ।

 ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ସବୁ ଲେଖକ ଜଣେ ଜଣେ ସମୀକ୍ଷକ ହୋଇପାରିବେ, ଏହା ସତ । ହେଲେ ବହିର ସମୀକ୍ଷା ହେଉଛି କାହିଁ ! ଜଣେ କବିତା ଲେଖି ପତ୍ର/ପତ୍ରିକାରେ ପ୍ରକାଶିତ ହୋଇଗଲା ପରେ ଭାବୁଛନ୍ତି ଯେ ସେ ଦାୟିତ୍ବମୁକ୍ତ ହୋଇଗଲେ । ସୁବିଧା ହେଲେ ବହିଟେ ଛାପିଦେବେ । ନିଜ କବିତାର ଭାବବସ୍ତୁ ଓ ଅନ୍ତର୍ନିହିତ ଚିନ୍ତନ ନିଜକୁ ଯେମିତି ଜଣା, ତାହା ପାଠକଙ୍କୁ ଅବଶ୍ୟ ତା’ଠାରୁ କମ୍ ଜଣା । ସେହି ହେତୁ ପାଠକ ପାଇଁ ଆମେ ଯଦି ନିଜ ଲେଖାର ସମୀକ୍ଷା ନିଜେ କରିଦେବା, ତା’ହା ହୁଏତ ଅଧିକ ବୋଧଗମ୍ଯ ହୋଇପାରେ । କିନ୍ତୁ ଯଦି ଲେଖକ ନିଜେ ନିଜ କବିତାର ପ୍ରଶସ୍ତି ଓ ପାଟବତାର ବଡ଼ିମା ଦେଖାଇବେ, ତାହା ବି ସାହିତ୍ୟର ଆଉ ଏକ ବିଡ଼ମ୍ବନା ହୋଇଯିବ ଯେ ।

 ଅବସରକାଳୀନ ଜୀବନରେ ଆପଣଙ୍କ ସର୍ଜନଶୀଳତା ପଛରେ ପ୍ରେରଣା କ’ଣ ?

ଅବସର ପରେ ହୁଏତ ଲେଖିବା ପାଇଁ ସମୟ ଟିକେ ଅଧିକ ମିଳିଗଲା । କିନ୍ତୁ ଲେଖିବାପାଇଁ ଯେଉଁ ମନନଶୀଳତା ଆଗରୁ ରହିଥିଲା, ତାହା ପ୍ରଚୁର ସମୟ ପାଇ ଆଉ ଟିକେ ଆଧିକ ପୁଷ୍କଳ ହୋଇଥାଇପାରେ । ହେଲେ ପ୍ରେରଣା ତ ମା’ ଉତ୍କଳ ଭାରତୀ ନିଜେ ଭରିଦେଇଛନ୍ତି ଆମ ଭିତରେ । ଦେବୀ ସରସ୍ବତୀ ଯେବେଠାରୁ ହାତରେ ଲେଖନୀ ଧରାଇ କହିଦେଇଛନ୍ତି ମାଆ,ମାତୃଭାଷା ଓ ମାତୃଭୂମି ପାଇଁ ସମର୍ପିତ ହୋଇ ଲେଖିବାକୁ, ସେତେବେଳେ ଲେଖିବା କର୍ମଟି ମୁଖ୍ୟ ହୋଇଯାଇଛି । କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଭାଷାରେ ‐
‘ମାତୃଭାଷା ପ୍ରତି ଯେ ରଖେ ମମତା,
ନର ନୋହେ ସେହୁ ସ୍ବର୍ଗର ଦେବତା
ମାତା ମାତୃଭାଷା ମାତୃଭୂମି ତିନି
ସ୍ବର୍ଗୁ ଗରିୟସୀ ଚୌବର୍ଗଦାୟିନୀ ।’

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?

ପରିବର୍ତ୍ତନ ତ ଜୀବନର ଧର୍ମ । ନୂଆ ନିୟମକୁ ଜାଗାଟିଏ ଦେଇ ପୁରୁଣା ନିୟମ ବଦଳେ, ଏହା କବି ଟେନିସନ୍ କବିତାରେ କହିଛନ୍ତି । ଆମ ସାହିତ୍ୟର ପାଣିପାଗରେ ଅନେକ ଅକୁହା ଲଘୁଚାପ । ସାହିତ୍ଯ ବିଭାଗଟି ଅବହେଳାର ଶରବ୍ୟ ଚିରକାଳ । ଅନେକଙ୍କ କ୍ଷେତ୍ରରେ ସାହିତ୍ଯପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପ୍ରାୟତଃ ପ୍ରତାରଣାର ପଥ ଧରିଛି । ତଥାପି ଗୋଟିଏ ସୁନେଲି ପୂର୍ବାଶାକୁ ପ୍ରତୀକ୍ଷା କରାଯାଇପାରେ ।

ନୂଆ ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ?

ସତକଥା ହେଉଛି, ନୂତନ ପୀଢ଼ିର କବି ଓ ଲେଖକମାନେ ନୂଆବାଗରେ ଝଲସୁଛନ୍ତି । ଏ ଝଲସିବା ଗୁଣ ଭଲ ଲକ୍ଷଣଟିଏ । ତଥାପି ସାହିତ୍ଯ ସମର୍ପଣ ଓ ଅନୁରକ୍ତି ଖୋଜେ । ନୂଆ କରି କଲମ ଧରୁଧରୁ ପରିଚୟ ସୃଷ୍ଟି ହୋଇଯାଏ ନାହିଁ । ସେଥିପାଇଁ ପଠନକୁ ପ୍ରାଥମିକତା ଦେଲେ ଭଲ । ସାହିତ୍ୟ ପ୍ରଥମେ ଆତ୍ମତୃପ୍ତି ପ୍ରଦାନ କରିଥାଏ, ପରିଚୟ କିନ୍ତୁ ସମୟକ୍ରମେ ଆସେ । ପ୍ରତିବଦ୍ଧତା ଥିଲେ ସତରେ କିଏ କ’ଣ ପ୍ରତାରିତ ହୁଏ !

 

Leave A Reply

Your email address will not be published.