Latest Odisha News

BREAKING NEWS

ଈଶ୍ୱର ହିଁ ସୃଷ୍ଟି ଓ ସର୍ଜନାର ସଂଜ୍ଞା : ନମିତା ପାଇକରାୟ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ନମିତା ପାଇକରାୟ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।

ଆଶାର ସକାଳ , ସୁନୟନା , ବସ୍ତି , ଶବ୍ଦର ଦଙ୍ଗା ,ସମ୍ପର୍କ ପ୍ରଭୃତି ପୁସ୍ତକ ସହ ଅନେକ କବିତା , ଗଳ୍ପ ଓ ଶିଶୁ ସାହିତ୍ୟର ସେ ଜଣେ ସଫଳ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ନମିତା ପାଇକରାୟଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସ୍ରୁଷ୍ଟିର ସଂଜ୍ଞା କ’ଣ ?

ସ୍ରୁଷ୍ଟିର ସଂଜ୍ଞା ବିଶାଳ । ପ୍ରତ୍ୟେକ ମହତ୍ତର ସୃଷ୍ଟିର ଭିନ୍ନ ଭିନ୍ନ ସଂଜ୍ଞା । ସ୍ରଷ୍ଟାଙ୍କ ସୃଜନଶୀଳ ପ୍ରକ୍ରିୟାର ଶେଷ ସିଦ୍ଧାନ୍ତ ହିଁ ସୃଷ୍ଟି । ମହାନ ଇଶ୍ଵରଙ୍କ କୃତ ଏ ପୃଥିବୀ । ପଞ୍ଚଭୂତକୁ ନେଇ ଏ ପୃଥିବୀର ସୃଷ୍ଟି । ଇଶ୍ଵରଙ୍କ ସୃଷ୍ଟି ଭିତରେ ସବୁଠାରୁ ଦୁର୍ମୂଲ୍ଯ ହେଉଛି ମଣିଷର ମନ । ମନ ହେଉଛି ପୃଥିବୀରେ ସବୁଠାରୁ ଶକ୍ତିଶାଳୀ ଚକ୍ଷୁ, ଏବଂ ଗତିଶୀଳ ଯାନ। ଯେତେବେଳ ସୃଜନଶୀଳ ବ୍ଯକ୍ତି ମନଚକ୍ଷୁରେ କିଛି ଦେଖେ, ତାକୁ ରୂପ ଦେବା ପାଇଁ ଶତ ଚେଷ୍ଟା ରେ ଲାଗିଥାଏ ,ତାଙ୍କ ର ପ୍ରଦର୍ଶିତ କୃତିଟିକୁ ଆମେ ସୃଷ୍ଟି କହି ପାରିବା। ମଣିଷର ମନଚକ୍ଷୁ ଯେତେବେଳ ମନର ଭାବାନ୍ତରକୁ ରୂପ ଦେବାକୁ ଚେଷ୍ଟା କରେ ସାହିତ୍ୟର ସାହାରା ନିଏ। ବିଭିନ୍ନ ଭାବଧାରାରୁ ଉତ୍ପନ୍ନ ସାହିତ୍ୟ ସୃଷ୍ଟିର ସଂଜ୍ଞା ମଧ୍ଯ ଭିନ୍ନ। ସେଇଥି ପାଇଁ ସୃଜନଶୀଳ ମଣିଷଙ୍କୁ ଦ୍ଵିତୀୟ ଇଶ୍ଵର କୁହାଯାଏ। ମୋ ମତରେ ସୃଷ୍ଟିର ସଂଜ୍ଞା ଇଶ୍ଵର।

ଆପଣ ଗଳ୍ପ, କବିତା, ଶିଶୁ ସାହିତ୍ୟ ସବୁ ବିଭାଗରେ ଲେଖନୀ ଚାଳନା କରନ୍ତି, ତେବେ ଆତ୍ମତୃପ୍ତି କେଉଁଥିରେ ?

ହଁ, ପ୍ରାୟତଃ ସାହିତ୍ୟର ସବୁ ଦିଗକୁ ମୁଁ ଛୁଇଁବାକୁ ଚେଷ୍ଟା କରିଛି। ଯେତେବେଳ ମୋ ଭାବନାକୁ ରୂପ ଦେବା ପାଇଁ ଅନେକ ଶବ୍ଦ ଲୋଡା ହୁଏ, ସେତେବେଳ ମୁଁ ଗଳ୍ପ ଲେଖେ। ଯେତେବେଳ ମୁଁ ମୋ ଭାବନାକୁ ସୀମିତ ଶବ୍ଦ ଭିତରେ ବାନ୍ଧି ରଖିବାକୁ ଚାହେଁ, ସେତେବେଳ ମୁଁ କବିତା ଲେଖିଥାଏ। ମୋତେ ମୋର କୌଣସି ପ୍ରକାର ଲେଖା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆତ୍ମ ତୃପ୍ତି ଦେଇ ପାରିନି। ବେଳେ ବେଳେ ସ୍ଵତଃ ଝରି ଆସୁଥିବା କିଛି ଶବ୍ଦ ପୃଷ୍ଠାରେ କବିତାର ରୂପ ନିଏ ମୋ ମନ କିଛି ସମୟ ପାଇଁ ଆତ୍ମ ସନ୍ତୋଷ ପାଇଥାଏ କିନ୍ତୁ ଆତ୍ମତୃପ୍ତି ଏ ପର୍ଯ୍ୟନ୍ତ ପାଇ ନାହିଁ ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ଉତ୍ତର. ହଁ ଅନେକ ବର୍ଷ ହେଲାଣି ମୋର ସାହିତ୍ୟ କ୍ଷେତ୍ର ରେ କିନ୍ତୁ ଏ ପର୍ଯ୍ୟନ୍ତ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିନି। ଅନେକ ଲେଖା ଅଧା ଲେଖା ଅବସ୍ଥା ରେ ରହିଛି। ଅନେକ ଲେଖା ପ୍ରକାଶିତ ହୋଇ ପାରିନି। ଅନେକ ଅନୁଭୂତି କୁ କଳ୍ପନା ର ଡେଣା ଲଗାଇ ଉଡାଣ ଭରିବାକୁ ସାଧନା ଓ ପ୍ରକୃଷ୍ଟ ସମୟ ପାଇନି । ସାହିତ୍ୟର କ୍ଷୁଧା ମୋତେ ଜଡରୁ ଜୀବନ ଆଡକୁ ଆକର୍ଷିତ କରିଥାଏ। ଶବ୍ଦ ମାନଙ୍କ ପଛରେ ମୋ ମନ ଧାଉଁଥାଏ କିନ୍ତୁ ଇପ୍ସିତ ସୃଷ୍ଟିର ଆରମ୍ଭ ହେଲେ ଶେଷ ହୋଇ ପାରେନି ମୋତେ ଅପେକ୍ଷାରେ ରହିବାକୁ ହୁଏ ।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାକୁ ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?

ଉତ୍ତର. ନିଶ୍ଚୟ, ନାରୀ ଅନେକ ଅସୁବିଧାର ସାମ୍ନା କରେ । ନାରୀର ବାହ୍ୟ ଅସୁବିଧାକୁ ଅନ୍ୟ ମାନେ ଦେଖି ପାରନ୍ତି ଓ ନାରୀ ମଧ୍ଯ ବଖାଣି ପାରେ ସମୟର ଅଭାବ, ସାଂସାରିକ ଜଞ୍ଜାଳ, ପରିବାରର ସହଯୋଗ ସହମତିର ଅଭାବ କିନ୍ତୁ ନାରୀ ବଖାଣି ପାରେନା ତା ଅନ୍ତର୍ମନର ଅସୁବିଧା କଥା। ନାରୀଟିଏ ଲେଖିକା ହେବାକୁ ହେଲେ ତାକୁ ଅନେକ ମାନସିକ ଯାତନା ସହିବାକୁ ପଡ଼େ । ସବୁବେଳେ ନାରୀର ମାନସିକ ଅବସ୍ଥା ଠିକ ରହିପାରେନାହିଁ । ସେ ପ୍ରତି ମୁହୂର୍ତ୍ତରେ ଆନ୍ଦୋଳିତ ହୁଏ । ନିଜ ଅନ୍ତର୍ଦହନକୁ ସେ ନିଜେ ଆତ୍ମସାତ କରିବାକୁ ଚେଷ୍ଟାକରିଥାଏ । ଯେତେବେଳ ପାରେନାହିଁ , ନାରୀ ଲେଖନୀର ସାହାଯ୍ଯ ନେଇଥାଏ। ଯାହା ପରବର୍ତ୍ତୀ ଅବସ୍ଥାରେ ପ୍ରକାଶିତ ହୋଇ ସାହିତ୍ୟର ଗୋଟିଏ ସ୍ଵତନ୍ତ୍ର ବିଭାଗରେ ସ୍ଥାନ ପାଏ । ଲେଖିକା ବାମାବାଦୀ ବନ୍ଧନୀ ଭିତରକୁ ସ୍ଵତଃ ଆସିଯାଏ ।

ଏବେ ଇ-ପତ୍ରିକା ସବୁ ପ୍ରକାଶିତ ହେଉଛି ସେ ବିଷୟରେ ଆପଣଙ୍କ ମତ କ’ଣ ?

ଇଣ୍ଟରନେଟରେ ଇ-ପତ୍ରିକାର ବହୁଳ ମାତ୍ରାରେ ପ୍ରକାଶିତ ହେଉଛି ଆଗକୁ ଆହୁରି ଅଧିକ ପ୍ରକାଶିତ ହେବ ବୋଲି ଆଶା। ଏହା ଅତି ଆନନ୍ଦର କଥା । ପ୍ରତିଦିନ ନୂତନ ଲେଖକ ଲେଖିକା ସୃଷ୍ଟି ହେଉଛନ୍ତି ।ସେମାନଙ୍କ ଲେଖା ପାଇଁ ତୁରନ୍ତ ଗୋଟେ ପାଠକ ଗୋଷ୍ଠି ସହଜରେ ମିଳି ଯାଉଛନ୍ତି । ଖୁବ କମ ସମୟରେ ଲେଖା ଅଳ୍ପ ଶବ୍ଦରେ ସମୀକ୍ଷା ହୋଇ ଯାଉଛି । କିନ୍ତୁ ପୁସ୍ତକ ପଠନରୁ ଯେଉଁ ନୈସର୍ଗିକ ଆନନ୍ଦ ମିଳେ ତାହା ଇ-ପତ୍ରିକାରୁ ମିଳି ପାରେ ନାହିଁ । ତଥାପି ମଣିଷକୁ ସମୟ ସହ ତାଳ ଦେଇ ଚାଲିବାକୁ ପଡେ ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖା ଟି” ତିନୋଟି ଅବସ୍ଥା” ଶୀର୍ଷକ କବିତା ଥିଲା । ଯାହା ୧୯୮୮ ଜୁନ ମାସର” ସୁଚରିତା “ପତ୍ରିକାରେ ପ୍ରକାଶିତ ହୋଇ ଥିଲା। ଲେଖାଟି ପ୍ରକାଶିତ ହେବ ବୋଲି ଶକୁନ୍ତଳା ପଣ୍ଡା ମାଡାମଙ୍କ ଠାରୁ ପୋଷ୍ଟ କାର୍ଡ଼ରେ ଚିଠି ଖଣ୍ଡିଏ ପାଇଲା ପରେ ମୋ ଭିତରେ ଏକ ଉତ୍ସାହ ଖେଳିଗଲା । ମୁଁ ଖୁବ ଉଲ୍ଲସିତ ହୋଇଥିଲି ଏବଂ ମୋ କବିତା ଲେଖା ତ୍ୱରାନ୍ୱିତ ହୋଇଥିଲା । ମୋ ଭିତରେ ଆତ୍ମ ବିଶ୍ୱାସ ବଢିଗଲା। ତା’ପରେ ମୁଁ କିଛି ପ୍ରଶଂସା ମୂଳକ ପତ୍ର ପାଇଥିଲି। ଯାହା ମୋ ସାହିତ୍ୟ ଜୀବନକୁ ପ୍ରଭାବିତ କରିଥିଲା ।

ଆପଣଙ୍କ ବହୁ ଚର୍ଚ୍ଚିତ ପୁସ୍ତକ “ଆଶାର ସକାଳ “ବିଷୟ କିଛି କହିବେ ?

ମୋର ପ୍ରଥମ ପ୍ରକାଶିତ ପୁସ୍ତକ” ଆଶାର ସକାଳ “(କବିତା ସଙ୍କଳନ ) ମୋ ତରୁଣତାର କିଛି ତିକ୍ତ ମଧୁର ଅନୁଭୁତିର ରୂପକଳ୍ପ । ଯାହା ମୋତେ ସାହିତ୍ୟ ଜଗତରେ ପରିଚିତି ଦେଲା । “ଆଶାର ସକାଳ “ ପୁସ୍ତକଟି ପାଞ୍ଚଟି ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ଏ ପୁସ୍ତକ ପାଇଁ ଅନେକ ପତ୍ର ଓ ଫୋନ କଲ ପାଇଥିଲି। ଅନେକ ଅନୁଭୂତି ଏ ପୁସ୍ତକକୁ ନେଇ ମୁଁ ପାଇଛି। “ଆଶାର ସକାଳ “ଶୀର୍ଷକ କବିତାଟି ରାଉରକେଲାର ଦୂରଦର୍ଶନରେ ପ୍ରସାରିତ ହୋଇ ଥିଲା । ଏଇ ପୁସ୍ତକରୁ ଅନେକ କବିତା ରାଉରକେଲାର ବେତାର ମାଧ୍ୟମରେ ମଧ୍ଯ ପ୍ରସାରିତ ହୋଇ ସାରିଛି ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ବୋଲି ଆପଣ ଭାବନ୍ତି ?

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସମ୍ପୂର୍ଣ୍ଣ ମାତ୍ରାରେ ସହାୟକ ହେବା ଉଚିତ। ସାମାଜିକ ଗଣ ମାଧ୍ୟମରେ ପୁସ୍ତକର ଆଲୋଚନା ସମାଲୋଚନା ସୁସ୍ଥ ସମୀକ୍ଷା ପ୍ରଚାର ପ୍ରସାର ହେଲେ ବହୁଳତାର ସହ ପାଠକ ସୃଷ୍ଟି ହେବେ। ପୁସ୍ତକର ମୂଲ୍ଯାଙ୍କନ ସାଧାରଣ ପାଠକ ମଧ୍ଯ କରି ପାରିବେ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ କେମିତି ପ୍ରୋତ୍ସାହିତ କରେ ?

ନିରୁତା ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ସମ୍ପୂର୍ଣ୍ଣ ମାତ୍ରାରେ ପ୍ରୋତ୍ସାହିତ କରିଥାଏ ଏବଂ ସାହିତ୍ୟ କ୍ଷେତ୍ରରେ ଦାୟିତ୍ବ ବଢାଇଥାଏ । ଲେଖକ ଯେଉଁ ସୃଷ୍ଟି ପାଇଁ ପୁରସ୍କୃତ ହୁଏ, ତା’ଠାରୁ ଆହୁରି ଉନ୍ନତ ସୃଷ୍ଟି ପାଇଁ ସଂକଳ୍ପବଦ୍ଧ ହୁଏ । ସ୍ଵଚ୍ଛ ପୁରସ୍କାର ଲେଖକକୁ ସାଧନାରୁ ସିଦ୍ଧି ଆଡକୁ ପଥ ଦେଖାଏ। କିନ୍ତୁ କୌଣସି ଲେଖକ ପୁରସ୍କାର ପାଇଁ ସାହିତ୍ୟ ସୃଷ୍ଟି କରି ନଥାଏ।

ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?

ଓଡ଼ିଆ ସାହିତ୍ୟର ଭବିଷ୍ୟତ ନିଶ୍ଚୟ ଉଜ୍ଜଳ । ପ୍ରତ୍ୟେକ ଦିନ ନୂଆ ଲେଖକ ସୃଷ୍ଟି ହୋଇ ଚାଲିଛନ୍ତି । ସେମାନଙ୍କୁ ଖୋଲା ମଞ୍ଚ ମିଳିଛି ଫେସବୁକରେ। ସେମାନଙ୍କ ଲେଖାକୁ ତୁରନ୍ତ ପାଠକ ମିଳି ପାରୁଛନ୍ତି। ଉତ୍କୃଷ୍ଟ ଓଡ଼ିଆ ସାହିତ୍ଯ ବୃହତ ପାଠକ ଗୋଷ୍ଠି ସୃଷ୍ଟି କରିବାରେ କ୍ଷମତା ରଖେ। ତେଣୁ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ବଳ ହେବ ବୋଲି ମୋର ଆଶା ।

ନୂଆ ଲେଖକମାନଙ୍କୁ କି ବାର୍ତ୍ତା ଦେବେ ?

ନୂଆ ଲେଖକ ମାନଙ୍କୁ ବହୁତ ବହୁତ ଅଭିନନ୍ଦନ । ସେମାନେ ଓଡ଼ିଆ ଭାଷା ସାହିତ୍ୟର ଉତ୍ତରପୀଢ଼ି ଏବଂ ସୁନ୍ଦର ଲେଖା ଲେଖୁଛନ୍ତି, ଲେଖିବା ସହ ସେମାନେ ପର୍ଯ୍ୟାପ୍ତ ପଢ଼ିବା ଜାରି ରଖିବା ଉଚିତ। କଥାରେ ଅଛି ଗାଡିଏ ପଢିଲେ ଧାଡିଏ ଲେଖିହୁଏ। ଲେଖକ ପ୍ରଥମେ ପାଠକ ହେବା ଜରୁରୀ।

 

Leave A Reply

Your email address will not be published.