Latest Odisha News

ସାହିତ୍ୟରେ ସର୍ଜନାର ଗଭୀରତାକୁ ମପାଯାଉ : ରାଜଲକ୍ଷ୍ମୀ ତ୍ରିପାଠୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ରାଜଲକ୍ଷ୍ମୀ ତ୍ରିପାଠୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ହେଁ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର ଗୂଢତତ୍ତ୍ୱ ଏବଂ ସମାଲୋଚନାର ଅନାଲୋଚିତ ଦିଗ , ବିପୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ଏକାୟନ, ଆଦ୍ୟ ସ୍ରୋତ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ ଗଳ୍ପ, କବିତା ଏବଂ ପ୍ରବନ୍ଧର ସେ ଜଣେ ନିଆରା ସ୍ରଷ୍ଟା।

ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି ଆପଣଙ୍କୁ ସାହିତ୍ୟ ମନସ୍କ କରାଇଲା ?

ଉତ୍ତର – ପ୍ରାଥମିକ ଶିକ୍ଷା ସମୟରୁ ସାହିତ୍ୟ ବିଷୟଟି ମୋର ଅତି ପ୍ରିୟ। ସାହିତ୍ୟ ବହିରେ ଥିବା କବିତାଗୁଡିକ ମୁଖସ୍ଥ ରହୁଥିଲା। ଯହିଁରୁ ଏ ପର୍ଯ୍ୟନ୍ତ ବି କେତେକ ମନେ ଅଛି। ଘରେ ବୋଉର ପ୍ରାଚୀନ କାବ୍ୟ, ଛନ୍ଦକବିତା, ପୁରାଣ ଗ୍ରନ୍ଥ ଆଦି ପଢିବା ମତେ ସାହିତ୍ୟମନସ୍କ କରିବାରେ ପ୍ରେରଣା ଯୋଗାଇଛି । ପ୍ରକୃତି କବି ଗଙ୍ଗାଧର ମେହେର ଓ ଭକ୍ତକବି ମଧୁସୂଦନଙ୍କ କବିତା ମତେ ବହୁତ ଆକର୍ଷିତ କରିଛି।

ଆପଣଙ୍କ ସୃଜନୀର ଗତିଶୀଳତା ଉପରେ କିଛି କୁହନ୍ତୁ ?

ହାଇସ୍କୁଲରେ ପଢିବା ସମୟରେ ଅନେକ ଛନ୍ଦ କବିତା ଲେଖୁଥିଲି। ପରେ କବିତା ଓ ଗପ ଲେଖିଛି । ଯଦିଓ ମୋର ସ୍ନାତକୋତ୍ତର ଶିକ୍ଷାର ବିଷୟ ମନୋବିଜ୍ଞାନ ଥିଲା କିନ୍ତୁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସ୍ବତନ୍ତ୍ର ରୁଚି ଓ ଓଡ଼ିଆରେ ଲେଖା ଲେଖି କରିବା ଏକ ସହଜ ଅଭ୍ୟାସରେ ପରିଣତ ହୋଇଥିଲା। ସ୍ବଳ୍ପ କିଛି ଲେଖା ପ୍ରକାଶିତ ହୋଇଥିଲେ ମଧ୍ୟ ଏ ଲେଖିବା କାର୍ଯ୍ୟଟି ନୀରବତାର ଏକ ନମ୍ର ସ୍ବରରେ ଚାଲିଛି। ମୋ ଭିତରେ ଥିବା ଲେଖିକା ଅପେକ୍ଷା ଭଲ ପାଠିକାଟିକୁ ମୁଁ ଅଧିକ ସମ୍ମାନ କରେ।

କବିତାର ଭାବ, ଗଳ୍ପର ଚରିତ୍ରକୁ ବାଦ୍ ଦେଇ , ପ୍ରବନ୍ଧ ରଚନା ଓ ବିଶ୍ଲେଷଣ ପ୍ରତି କେମିତି ଆକୃଷ୍ଟ ହେଲେ ?

କବିତା ସହ ମୋର ଯେଉଁ ଆତ୍ମିକ ସମ୍ପର୍କ ତାହା ଜୀବନର ଗତିଶୀଳତାକୁ ପ୍ରାଣବନ୍ତ କରିଛି। କବିତାର ସୂକ୍ଷ୍ମ ଅବବୋଧ ତଳେ ମୋ କୋମଳ ସରଳ ହୃଦୟର କିଛି ଝଲକ ବାହାରି ଆସେ। ମୋ ଗଳ୍ପ ସର୍ଜନାରେ ଦୈନନ୍ଦିନ ଜୀବନରେ ମୋ ଚାରିପଟେ ଘଟୁଥିବା ଘଟଣା, ଦୁର୍ଘଟଣା, ହସ-କାନ୍ଦ, ଲହୁ-ଲୁହର ଜୀବନ ବଞ୍ଚୁଥିବା ଚରିତ୍ରମାନଙ୍କର ରୂପାୟନ ହିଁ ହୋଇଥାଏ। ପ୍ରବନ୍ଧ ଲେଖିବାକୁ ଭଲପାଏ। ବିଶେଷ କରି ପ୍ରାଚୀନ କବିମାନଙ୍କର କାବ୍ୟ, କବିତା ଓ ଗ୍ରନ୍ଥ ବିଷୟରେ। ପ୍ରବନ୍ଧ ରଚନା ଏକ ବୌଦ୍ଧିକ ସମ୍ପ୍ରସାରଣ । ପ୍ରଚୁର ଅଧ୍ୟୟନର ଅଭିଜ୍ଞତା ଓ ସ୍ଥିର ମନନଶୀଳତା ର ଆବଶ୍ୟକତା ଏଥିରେ ବେଶୀ।

ଅଧିକାଂଶ ପ୍ରବନ୍ଧରେ ଆଦର୍ଶବାଦ ଜଡ଼ିତ ଥାଏ। ଏହା କେତେମାତ୍ରାରେ ପ୍ରଯୁଜ୍ୟ ବୋଲି ଆପଣ ଭାବନ୍ତି ?

ମୋ ମତରେ ପ୍ରବନ୍ଧରେ ଆଦର୍ଶବାଦ ନିର୍ଦ୍ଦିଷ୍ଟ ଭାବେ କିଛି ନାହିଁ  କିନ୍ତୁ କିଛି ପ୍ରସଙ୍ଗରେ ଯାହା ସମାଜର ତ୍ରୁଟି ବିଚ୍ୟୁତି , କ୍ଷତି କାରକ ବ୍ୟବସ୍ଥା ଓ ପରମ୍ପରାର ସଂଶୋଧନ ଓ ପରିବର୍ତ୍ତନ ସମ୍ବନ୍ଧୀୟ ତଥ୍ୟ ବା ମତ ରହିଥାଏ ସେଠାରେ ଆଦର୍ଶବାଦର କଥା ଆସେ। ଏହି ଦୃଷ୍ଟିରୁ ପ୍ରବନ୍ଧ ସର୍ଜନାର ମୁଖ୍ୟ ଭୂମିକା ହେଉଛି ସମାଜରେ ଏକ ସୁସ୍ଥ ଓ ସୁନ୍ଦର ଜୀବନବୋଧର ବିଶ୍ୱାସ ସୃଷ୍ଟି କରିବା।

ନୂତନ ପୀଢିର ଲେଖକମାନେ ପ୍ରବନ୍ଧ ପ୍ରତି କାହିଁକି ଆଗ୍ରହ ଦେଖାଉନାହାନ୍ତି ?

ନୂତନ ପୀଢିର ଲେଖକମାନଙ୍କର ପ୍ରବନ୍ଧ ପ୍ରତି ଆଗ୍ରହ ନାହିଁ, ମୁଁ ଏକଥା ଠିକ୍ ଭାବେନି। ପ୍ରବନ୍ଧ ସର୍ଜନାରେ ଅବାଧ ସ୍ବାଧୀନତା ଥିବା ହେତୁ ମୌଳିକ ଅନୁଭବର ଭଲ ପ୍ରବନ୍ଧ ନିଶ୍ଚୟ ନୂତନ ପୀଢିକୁ ଆକୃଷ୍ଟ କରିବ। ତା’ଛଡ଼ା ଦେଶ ଓ ଆନ୍ତର୍ଜାତୀୟ ସାମ୍ପ୍ରତିକ ସମସ୍ୟାକୁ ନେଇ ରଚିତ ଅଭିବ୍ୟକ୍ତି ସ୍ପଷ୍ଟ ପ୍ରବନ୍ଧ ନିଶ୍ଚୟ ସମସ୍ତଙ୍କ ପାଇଁ ମହତ୍ତ୍ଵ ରଖେ। ନୂତନ ପୀଢିଙ୍କର ଗଭୀର ଜ୍ଞାନ ଓ ପଠନର ଅଭିଜ୍ଞତା ଏଥିପାଇଁ ନିଶ୍ଚୟ ଲୋଡ଼ା । ସର୍ବୋପରି ଆମର ଲୋକ ଚେତନାରେ ପ୍ରବନ୍ଧ ପଢିବା ପାଇଁ ଆଗ୍ରହ ରହିବା ଉଚିତ ।

ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ,ଏ ବିଷୟରେ କ’ଣ କହିବେ? ଏପରି ହେବା ଦ୍ବାରା ଆମର ଅନେକ ଶବ୍ଦ ଧିରେ ଧିରେ ବିଲୁପ୍ତ ହୋଇଯିବାର ଭୟ ରହିଛି କି ?

ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି,ଏହା ଭଲ ଲକ୍ଷଣ ନୁହେଁ। କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ଆମ କଥିତ ଓଡ଼ିଆରେ ମଧ୍ୟ ଅନେକ ଇଂରାଜୀ ଶବ୍ଦ ଯୁବ ପୀଢିଙ୍କ ମଧ୍ୟରେ ସ୍ଥାୟୀ ଭାବେ ରହିଗଲାଣି, ଯେପରି କଥା କଥାରେ ସେମାନେ ‘ବଟ ହ୍ବାଟ ସୋ’ ଇତ୍ୟାଦି ଇଂରାଜୀ ଶବ୍ଦକୁ ବ୍ୟବହାର କରୁଛନ୍ତି। ହୁଏତ କିଛି ବର୍ଷ ପରେ କେତେକ ଓଡ଼ିଆ ଶବ୍ଦ ଲୁଚି ଯାଇପାରେ ସମ୍ପୂର୍ଣ୍ଣ ଭାବେ। ଆମେ ସମସ୍ତେ ଜାଣୁ, ଭାଷା ହିଁ ଏକ ଜାତିର ଆତ୍ମା। ଆମର ପ୍ରତିଟି ଶବ୍ଦ ଏକ ଏକ କୁସୁମ ସଦୃଶ। ସମୟ ଧାରାରେ ସେଗୁଡିକ ତାର ମହକ ହରାଇ ନବସୁ ।

ସାହିତ୍ୟରେ ଯେ କୌଣସି ବିଷୟର ଆଲୋଚନା ହେବା ପରେ ତାହା କେବଳ ଏକ “ଖବର” ହୋଇଯାଏ ।

ହଁ, ଏକଥା ପଢିଛି ଓ ଶୁଣିଛି। କିନ୍ତୁ ଏହା ସେତେଟା ଗୁରୁତ୍ୱପୂର୍ଣ୍ଣ ମନେ ହୁଏନା। ଏହା ଉପରେ ଆହୁରି ତର୍ଜମା ଆବଶ୍ୟକ। କାରଣ ସାହିତ୍ୟକୁ ବୁଝିବା ପାଇଁ ଆମର ପ୍ରକୃତ ସାମର୍ଥ୍ୟ ଥିବା ଦରକାର। ଯଦି ଏହି କଥାର ପ୍ରଭାବ ଥାଏ ତେବେ ପ୍ରଭାବ ବିଷୟରେ ଆମେ ଯତ୍ନବାନ ହେବା ଉଚିତ।

 ସାମାଜିକ ଗଣମାଧ୍ୟମ ସୃଜନଶୀଳତାର ପଥକୁ ବିକଶିତ କରିଛି କି ?

ସାମାଜିକ ଗଣମାଧ୍ୟମ ସୃଜନଶୀଳତାର ପଥକୁ ନିଶ୍ଚିତ ଭାବରେ ସୁଗମ ଓ ବିକଶିତ କରିଛି। ବଣମଲ୍ଲୀ ଅକାଳରେ ନଝଡି ତା’ମହକ ସାରା ବିଶ୍ବର ବିଭିନ୍ନ କୋଣରେ ବିଛାଡି ଦେଉଛି। କେବଳ ସେତିକି ନୁହେଁ ବିଶ୍ବ ସାହିତ୍ୟ ଓ ଆମ ବିଭିନ୍ନ ରାଜ୍ୟର ଭାଷା ସାହିତ୍ୟ ବିଷୟରେ ଜ୍ଞାନ ପାଉଛୁ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ବପ୍ନ ଦେଖନ୍ତି?

ସେମିତି କିଛି ସ୍ବପ୍ନ ନାହିଁ। ଯାହା ଅଛି ସେ ସବୁ ସ୍ବପ୍ନତାରାଙ୍କୁ ଚିରୁଡାଏ ରାତି ମାତ୍ର। ସମୟ ସହ ତାଳ ଦେଇ ଯାହା ସାଉଁଟି ଲେଖି ପାରିଲି, ସେତିକି ମୋର ପ୍ରାପ୍ୟ।

ନୂଆ ପୀଢ଼ିର ଲେଖକଙ୍କୁ କି ବାର୍ତ୍ତା ଦେବେ?

ଆମ ଭାଷା ସାହିତ୍ୟ ପ୍ରତି ସେମାନଙ୍କର ଅନୁରାଗ ବଢୁ। ଅଧ୍ୟୟନ ନିରନ୍ତର ଚାଲିବା ଉଚିତ। ଆମ ପ୍ରାଚୀନ ସାହିତ୍ୟର କାବ୍ୟ କବିତା ଅନ୍ୟାନ୍ୟ ଭାରତୀୟ ଭାଷା ପରି ଅତି ସମୃଦ୍ଧ। ଆମର ଗାଉଁଲି ଭାଷା, ଲୋକ କଥା, ଲୋକ ଗୀତ ଆଦିକୁ ଖୋଜି ସାଇତିବାକୁ ପଡିବ। ଏମାନେ ଆମ ଭାଷାର ମହକ। ଅନେକ ଗାଉଁଲି ଶବ୍ଦ କାଳଗର୍ଭରେ ହଜିଗଲାଣି। ଅନୁବାଦ ସାହିତ୍ୟକୁ ଗୁରୁତ୍ୱ ଦିଆଯାଉ। ଇଂରାଜୀ ଶବ୍ଦର ବ୍ୟବହାର ଆମ ସାହିତ୍ୟରେ ଅତି ଆବଶ୍ୟକ ସ୍ଥଳେ କରାଯାଉ। ବିଶିଷ୍ଟ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ମତରେ “ଶବ୍ଦ ଓ ରକ୍ତ ମିଶିଲେ ହିଁ ସାହିତ୍ୟ ହୁଏ।”  ତେଣୁ ସାହିତ୍ୟରେ କେବଳ ବ୍ୟକ୍ତିର ସର୍ଜନାର ଗଭୀରତାକୁ ହିଁ ମପାଯାଉ।

Leave A Reply

Your email address will not be published.