ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାମ ରଞ୍ଜନ ପ୍ରଧାନ। ତାଙ୍କ ଲେଖନୀର ସ୍ୱର ଖୁବ ଶାଣିତ । ବୃତ୍ତିରେ ଜଣେ ସାମ୍ବାଦିକ ଭାବରେ ସେ ଯେତିକି ଦକ୍ଷ ପ୍ରବୃତ୍ତିରେ ଜଣେ ଗାଳ୍ପିକ ଭାବରେ ମଧ୍ୟ ସେତିକି ପରିଚିତ । ନିଜ ଅନୁଭବ ଓ ଅନୁଭୁତିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି କରନ୍ତି। ପାହାଡ଼, ଡଙ୍ଗର, ନଈ, ଜନଜାତି, ଡ଼ୁମା ଆଦିକୁ ନେଇ ତାଙ୍କ ସୃଷ୍ଟିର କ୍ଷେତ୍ର ଖୁବ ପରିବ୍ୟାପ୍ତ । ସାଧାରଣ ମଣିଷର ନିତିଦିନିଆ ଜୀବନର ଘଟଣାବଳି ସବୁ ତାଙ୍କ କଲମ ମୁନରେ ରୂପ ରଙ୍ଗ ନେଇ ଯେମିତି ଜୀବନ୍ତ ହୋଇ ଉଠନ୍ତି ।
ଡ଼ୁମା ଦେବତା ଓ ଅନ୍ୟାନ୍ୟ ଗଳ୍ପ , ଜୁଆଙ୍ଗ ପର୍ବପର୍ବାଣି , ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ, ବୁଢ଼ାବଳଙ୍ଗର ମାଝୀ, ପେଡ ଗାର୍ଲଫ୍ରେଣ୍ଡ, ଆଦିବାସୀ ନାଚ ଓ ଗୀତ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ଗଳ୍ପର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସର୍ଜନା ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ଶ୍ରୀ ପ୍ରଧାନ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ରଞ୍ଜନ ପ୍ରଧାନଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ
ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ କାରଣଟି କ’ଣ ?
ଉତ୍ତର: ଗଛ ଆମକୁ ଅମ୍ଳଜାନ ନ ଦେଇ ଆଉ କ’ଣ କରିଥାନ୍ତା। ସେମିତି ମୁଁ ସାହିତ୍ୟ ସର୍ଜନା ନ କରି ଆଉ କ’ଣ ବା କରିଥାନ୍ତି। ସାହିତ୍ୟ ସର୍ଜନାରେ ନଥିଲେ ହୁଏତ ବେପାର ବଣିଜ କରୁଥାନ୍ତି କିମ୍ବା ଡକାୟତି କରୁଥାନ୍ତି କିମ୍ବା ନେତାଟିଏ ହୋଇଥାନ୍ତି କିମ୍ବା ସନ୍ନ୍ୟାସୀଟିଏ ହୋଇ ଗଧଙ୍କୁ ପ୍ରବଚନ ଶୁଣାଉଥାନ୍ତି। ସାହିତ୍ୟ ସର୍ଜନାରେ ଅଛି ବୋଲି ତ ବଞ୍ଚୁଛି। ବଞ୍ଚିବା ସହଜ ହେଉଛି। ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ସାହିତ୍ୟ ପ୍ରତି ଆକର୍ଷିତ ହୋଇନି ଯେମିତି କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଗଛ ଆମକୁ ଅମ୍ଳଜାନ ଦେଉନି।
ଆପଣଙ୍କ ବୃତ୍ତି ଆପଣଙ୍କ ପ୍ରବୃତ୍ତିକୁ କିଭଳି ପ୍ରଭାବିତ କରିଛି ?
ସାମ୍ବାଦିକତା ମୋର ବୃତ୍ତି ଓ ଗପ ଲେଖିବା ମୋ’ ପ୍ରବୃତ୍ତି। ଯଦି ବୃତ୍ତି-ପ୍ରବୃତ୍ତି ଭିତରେ ଭଲ ବୁଝାମଣା ହୋଇଯାଏ, କୌଣସି ସମସ୍ୟା ରହେନି। ମୁଁ ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଭଳି ବିଭିନ୍ନ ଜନଜାତିବହୁଳ ଜିଲ୍ଲାରେ ସାମ୍ବାଦିକତା କରିଥିବାରୁ ଏସବୁ ଅନୁଭୂତି ମୋର ଅଧିକାଂଶ ଗପ ଓ ଉପନ୍ୟାସରେ ପ୍ରତିଫଳିତ ହୋଇଛି। ଏହାଛଡ଼ା ଏସବୁ ଜିଲ୍ଲାମାନଙ୍କରେ କାମ କରିବା ଅବସରରେ ଜନଜାତି, ନଦୀ, ପାହାଡ଼ ଓ ପ୍ରକୃତିକୁ ନେଇ ମୋ ଲେଖା ସମୃଦ୍ଧ ହୋଇପାରିଛି ବୋଲି ମୁଁ ଅନୁଭବ କରେ।
ଆପଣ ପ୍ରଥମେ ସାହିତ୍ୟ ନା ପ୍ରଥମେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ?
ଉତ୍ତର: ଏହା ପ୍ରଥମେ ଅଣ୍ଡା ନା ପ୍ରଥମେ କୁକୁଡ଼ା ଭଳି ପ୍ରଶ୍ନ। ଏହି ପ୍ରସଙ୍ଗଟି ଯେମିତି ଅସମାହିତ ସେମିତି ଆପଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ମୋ ପାଇଁ ମୁସ୍କିଲ। ସ୍ଥୁଳ ଦୃଷ୍ଟିରୁ ବିଚାର କଲେ ପ୍ରଥମେ ମୋର ଲେଖାଲେଖି ଆରମ୍ଭ ହୋଇଥିଲା। ଏଇ ଯେମିତି ଗପ, କବିତା ଇତ୍ୟାଦି। ଏହା ସାଥେ ସାଥେ ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ମଧ୍ୟ ଲେଖା ପ୍ରକାଶ ପାଇଲା। ସମ୍ବାଦପତ୍ରମାନଙ୍କ ସହ ମୋର ଗୋଟିଏ ନୈତିକ ଓ ଭାବଗତ ସମ୍ପର୍କ ଗଢ଼ି ଉଠିଲା। ଧୀରେ ଧୀରେ ଖବର ସଂଗ୍ରହ ଓ ସମ୍ବାଦିକତା କ୍ଷେତ୍ରରେ ମୋର ରୁଚି ବଢ଼ିଲା। ବେଳେବେଳେ ଗୋଟିଏ ଗୋଟିଏ ପ୍ରସଙ୍ଗ କିମ୍ବା ସମସ୍ୟାକୁ ନେଇ ଛୋଟ ଛୋଟ ରିପୋର୍ଟିଂ କରିବାକୁ ଇଛା ହେଲା। ଖବରକାଗଜରେ ଛୋଟଛୋଟ ଫିଚର ପ୍ରକାଶ ପାଇଲା। ଏହାପରେ ମୁଁ ବିଧିବଦ୍ଧ ଭାବେ ସାମ୍ବାଦିକ ହେଲି। ସାମ୍ବାଦିକ ହେବାପରେ ମୋ ଲେଖାର ଶୈଳୀଗତ ପରିବର୍ତ୍ତନ ଲକ୍ଷ୍ୟ କଲି। ଲେଖା ଅଧିକ ମାର୍ଜିତ ଓ ବାସ୍ତବଧର୍ମୀ ହେବାକୁ ଲାଗିଲା। ଲେଖକର ଦାୟିତ୍ବ ବଢ଼ିଗଲା। କ୍ରମେ ସାମ୍ବାଦିକତାରୁ ମୋର ଲେଖାଲେଖିର ଉତ୍ତରଣ ଘଟିଲା। ଏହାପରେ ମୋର ଲେଖକୀୟ ଜୀବନ ଭିନ୍ନ ଦିଗରେ ଗତିକଲା। ସାମ୍ବାଦିକଟିଏ ହୋଇଥିବାରୁ ଗବେଷଣା କରିବାକୁ ସହଜ ହେଲା। ଲେଖକୀୟ ଦାୟିତ୍ବବୋଧ ବୃଦ୍ଧି ପାଇଲା।
ଏଥିରୁ କ’ଣ ବୁଝାପଡ଼ିବ ! ପ୍ରଥମେ ସାମ୍ବାଦିକତା ଓ ପରେ ଲେଖାଲେଖି?
ନା ପ୍ରଥମେ ଲେଖାଲେଖି ପରେ ସାମ୍ବାଦିକତା ? ଯାହା ବି ହେଉ ଉଭୟ ଉଭୟଙ୍କର ପରିପୂରକ। ମୁଁ ପ୍ରଥମେ ଲେଖାଲେଖି କରି ପରେ ସାମ୍ବାଦିକ ହୋଇଛି କିମ୍ବା ପ୍ରଥମେ ସାମ୍ବାଦିକ ହୋଇ ପରେ ଲେଖାଲେଖି କରିଛି। ଆପଣ ଯେଉଁ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସବୁଥିରେ ଲେଖାଲେଖିକୁ ଛାଡ଼ି ଆଉ ଭିନ୍ନ କ’ଣ ଅଛି କି? ସବୁଥିରେ ସେହି ଅକ୍ଷର, ଶବ୍ଦ ଓ ଭାବନା।
ସାହିତ୍ୟ ଓ ସାମ୍ବାଦିକତା; କେଉଁଥିରେ ଅଧିକ ଆତ୍ମସନ୍ତୋଷ ଲାଭ କରିଛନ୍ତି ?
ଉତ୍ତର: ଉଭୟ ଲେଖାଲେଖି ଓ ସାମ୍ବାଦିକତାରୁ ମୁଁ ଆତ୍ମସନ୍ତୋଷ ଲାଭ କରିପାରିଛି। ଲେଖକ ଓ ସାମ୍ବାଦିକର ଦ୍ବୈତ ପରିଚୟକୁ ନେଇ ମୁଁ ରୋମାଞ୍ଚିତ ହୋଇଛି। ଲେଖକୀୟ ଜୀବନ ଯଦି ପ୍ରେମିକା ହୁଏ, ସାମ୍ବାଦିକ ଜୀବନ ପତ୍ନୀ। ଲେଖକୀୟ ଜୀବନ ଅଧିକ କେୟାରଲେସ ଏବଂ ସାମ୍ବାଦିକ ଜୀବନ ଖୁବ୍ ରେସ୍ପନ୍ସିବଲ। ଲେଖକଟିଏ ସାରା ରାତି ଜହ୍ନର ଜୋଛନାରେ ଭିଜିବାକୁ ଇଛା କରେ ତ ସାମ୍ବାଦିକଟି ପାଖରେ ସମୟ ନଥାଏ ଜହ୍ନର ଶୀତଳତାକୁ ଅନୁଭବ କରିବାକୁ। ଲେଖକଟିଏ ଅନେକ ସମୟରେ ନିଜକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେବାକୁ ଇଛା କରେ ତ ସାମ୍ବାଦିକଟି ପାଖରେ ଏଭଳି ଦୁଃସାହସ ଦେଖିବାକୁ ମିଳେନି। ଲେଖକଟିଏ ଯେତେବେଳେ ନିଜକୁ ଭାଙ୍ଗିବାର କିମ୍ବା ବିନଷ୍ଟ କରିବାର ଦୁଃସାହସ କରିଥାଏ, ସାମ୍ବାଦିକଟିଏ ନିଜକୁ ଦାୟିତ୍ବବାନ, ପରମକର୍ତ୍ତବ୍ୟବାନ ମନେ କରିଥାଏ। ଏହିସବୁ ଭାଙ୍ଗିବା ଓ ଗଢ଼ିବା, ବିନଷ୍ଟ କରିବା ଓ ନୂତନ ସୃଷ୍ଟି କରିବାର କଳା ମୁଁ ଉଭୟ ଲେଖକ ଓ ସାମ୍ବାଦିକ ଜୀବନରୁ ଶିକ୍ଷାଲଭ କରିଛି। ଲେଖକଟି ସବୁବେଳେ ନିଜକୁ ଅଦୃଶ୍ୟ ହୋଇଯିବାକୁ ଇଛା କରେ ଏବଂ ଅନ୍ଧାର ରାତିରେ ସତ୍ତାହୀନ ହେବାକୁ ପସନ୍ଦ କରିଥାଏ। ମାତ୍ର, ସାମ୍ବାଦିକଟି ଜନପଦ, ନଗର, ବସ୍ତି ସବୁଠି ଦୃଶ୍ୟମାନ ହୋଇଥାଏ ଓ ଆଲୋକରେ ସେ ନିଜକୁ ସହଜ ମନେ କରିଥାଏ। ଅନ୍ଧାର ଆଲୁଅର ଏଭଳି ଚମତ୍କାର ବିରୋଧାଭାଷ ମୋତେ ଏହି ଲେଖକ ଓ ସାମ୍ବାଦିକର ଦ୍ବୈତ ଜୀବନ ହିଁ ଶିଖାଇଛି।
ଉଭୟ କ୍ଷେତ୍ରରେ କାର୍ଯ୍ୟ କରିବା ଭିତରେ ଆପଣ କେଉଁସବୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ?
ଉତ୍ତର: ସେମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଥିବାର ମୋର କାହିଁ ମନେ ହେଉନାହିଁ। ବରଂ ଉଭୟ କାର୍ଯ୍ୟ କରିବା ଦ୍ବାରା ମୁଁ ସମ୍ପୂର୍ଣ୍ଣ ହୋଇପାରିଛି। ସାହିତ୍ୟ କରିବା ବେଳେ ଅନେକ ସମୟରେ କଳ୍ପନା ରାଜ୍ୟରେ ଭାସି ବୁଲୁଥାଏ ତ ସାମ୍ବାଦିକତା ବେଳେ କଠୋର ବାସ୍ତବତାର ଦୁନିଆକୁ ଫେରିବାକୁ ହୁଏ। ସାହିତ୍ୟରେ ଜହ୍ନ ପ୍ରେମିକା ପ୍ରେମିକା ଭଳି ମନେ ହୁଏ। ସାମ୍ବାଦିକତାବେଳେ ଜହ୍ନକୁ ପୃଥିବୀର ଉପଗ୍ରହ ବୋଲି ମାନିବାକୁ ହୁଏ ଏବଂ ସେଥିରେ ମଣିଷ ବସବାସ କରିବା ସମ୍ଭବପର କି ନୁହେଁ ସେ ସମ୍ପର୍କରେ ଭାବିବାକୁ ହୁଏ।
ଆପଣଙ୍କ ସୃଷ୍ଟିସମୂହରେ ଜୀବନଦର୍ଶନକୁ ଆପଣ କିପରି ରୂପାୟନ କରିପାରିଛନ୍ତି ?
ଉତ୍ତର: ମୋ’ ନିଜ ଜୀବନଦର୍ଶନ ମୋର ଅନେକ ଗପରେ ପ୍ରତିଫଳିତ ହୋଇଛି। ଜୀବନର ପ୍ରେମ, ପ୍ରଣୟ, ଘୃଣା, ସଂଘର୍ଷ ଓ ସଂଗ୍ରାମସବୁ ଗପରେ ସବୁ ସମୟରେ ସ୍ଥାନ ପାଇଥାନ୍ତି। ଜୀବନକୁ ଛାଡ଼ି ସାହିତ୍ୟର ପରିକଳ୍ପନା ଅଛି କି?
ଆପଣଙ୍କର ଚର୍ଚ୍ଚିତ ଉପନ୍ୟାସ ‘ବୁଢ଼ାବଳଙ୍ଗର ମାଝି’ ବିଷୟରେ କ’ଣ କହିବେ ?
ଏହା ମୋର ପ୍ରଥମ ଉପନ୍ୟାସ ଏବଂ ବହୁ ପାଠକୀୟତା ଲାଭ କରିପାରିଛି। ଏହି ଉପନ୍ୟାସଟି ଚଳିତବର୍ଷର ସମ୍ମାନଜନକ ‘ଅକ୍ଷୟ ଚନ୍ଦ୍ର ରାୟ ଉପନ୍ୟାସ’ ପୁରସ୍କାର ଲାଭ କରିଛି। ବୁଢ଼ାବଳଙ୍ଗ ନଈର ଉତ୍ପତ୍ତିସ୍ଥଳ ଶିମିଳିପାଳ ଜୈବମଣ୍ଡଳଠାରୁ ଆରମ୍ଭ କରି ଗନ୍ତବ୍ୟସ୍ଥଳ ବାଲେଶ୍ବରର ବଳରାମଗଡ଼ି ମୁହାଁଣ, ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ବାଲେଶ୍ବର ସହରରେ ଥିବା ୟୁରୋପୀୟ ବସତି, ଶିମିଳିପାଳର ଜନଜାତି ଜୀବନଶୈଳୀ, ଲୋକକଥା ଓ କିମ୍ବଦନ୍ତୀକୁ ଆଧାର କରି ମୋର ଏଇ ଉପନ୍ୟାସ ଅଧିକ ଜୀବନ୍ତ ହୋଇଛି।
ଆପଣ ଆଦିବାସୀ ଅଞ୍ଚଳରେ ଦୀର୍ଘ ବର୍ଷ ଧରି କାମ କରୁଛନ୍ତି। ଏ ଅଭିଜ୍ଞତା ଆପଣଙ୍କ ଲେଖାରେ କିଭଳି ପ୍ରତିଫଳିତ ହୋଇଛି ବୋଲି ଆପଣ କହିବେ ?
ଦୀର୍ଘ ଦୁଇ ଦଶନ୍ଧି ଧରି ମୁଁ ଓଡ଼ିଶାର ବିଭିନ୍ନ ଆଦିବାସୀବହୁଳ ଜିଲ୍ଲାମାନଙ୍କରେ କାର୍ଯ୍ୟ କରିବାର ସୁଯୋଗ ପାଇଛି। ଏସବୁ ଜିଲ୍ଲାରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବାବେଳେ ଅନେକ ବିରଳ ଅଭିଜ୍ଞତା ହାସଲ କରିଛି। ଏହି ଅଭିଜ୍ଞତା ପରୋକ୍ଷରେ ମୋ’ ସାହିତ୍ୟରେ ପ୍ରତିଫଳିତ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ବେଳର ଆଦିବାସୀ ବିସ୍ଥାପନ ସମସ୍ୟା ହେଉ କି ଆଦିବାସୀ ଅଞ୍ଚଳରେ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ଶୋଷଣ, ଅନ୍ଧବିଶ୍ବାସ, ଗୁଣିଗାରେଡ଼ି, ଜଙ୍ଗଲ ଧ୍ବଂସ, ଜନଜାତି ଜୀବନ ଓ ସଂସ୍କୃତିରେ ଖଣିଖାଦାନ ଓ ଶିଳ୍ପାୟନର ନକରାତ୍ମକ ପ୍ରଭାବକୁ ନେଇ ମୋର ଅନେକ ଗପ ରହିଛି। ‘ଡୁମା ଦେବତା ଓ ଅନ୍ୟାନ୍ୟ ଗପ’ ବହିଟିରେ କେବଳ ଜନଜାତି ସଂସ୍କୃତି, ପରମ୍ପରା, ସମସ୍ୟା, ପ୍ରସଙ୍ଗକୁ ନେଇ ଗପଗୁଡ଼ିକ ସ୍ଥାନିତ ହୋଇଛି।
ସାହିତ୍ୟରେ ଅଶ୍ଳୀଳତାକୁ ନେଇ ଆପଣଙ୍କ ମତ କ’ଣ ?
ଅଶ୍ଳୀଳତା ଗୋଟିଏ ଆପେକ୍ଷିକ ଶବ୍ଦ। ଏହା ଆମର ଦୃଷ୍ଟିକୋଣ ଉପରେ ନିର୍ଭର କରିଥାଏ। ଯାହା ଆପଣଙ୍କ ପାଇଁ ଅଶ୍ଳୀଳ ମନେ ହୁଏ, ହୁଏତ ମୋତେ ତାହା ହୃଦବୋଧ ହୁଏନି। ଆମେ ଯଦି ସପରିବାର କୋଣାର୍କ, ଖଜୁରାହୋ ଭଳି ମନ୍ଦିର ବୁଲିବାରେ ଆପତ୍ତି ରହେନାହିଁ, ତେବେ ସାହିତ୍ୟରେ କାହିଁକି ଏ ପ୍ରଶ୍ନ? ତେବେ ଅଶ୍ଳୀଳତା ଓ ନଗ୍ନତାକୁ କଳାତ୍ମକ ରୂପରେ ପ୍ରତିଫଳିତ କରିପାରିଲେ ସାହିତ୍ୟ କାଳଜୟୀ ହୋଇପାରିବ। ପ୍ରତିଟି ଗୋପନୀୟତାରେ ସୌନ୍ଦର୍ଯ୍ୟବୋଧ ଥାଏ। ଅଳ୍ପ ଅଳ୍ପ ଦିଶୁଥିବା କଳା ଗାଉନ ପିନ୍ଧା ବେଦୁଇନ ମହିଳାଙ୍କ ପାଦଠାରୁ ୟୁରୋପୀୟ ମହିଳାଙ୍କ ଖୋଲା ଛାତିରେ କ’ଣ ସୌନ୍ଦର୍ଯ୍ୟବୋଧ ଓ କଳାତ୍ମକ ନାନ୍ଦନିକତା ଥାଏ?
ପୁରସ୍କାର ଜଣେ ସାହିତ୍ୟିକର ଜୀବନକୁ ପ୍ରଭାବିତ କରିଥାଏ କି ?
ଉତ୍ତର: ପୁରସ୍କାର ଜଣେ ଲେଖକକୁ ସାମୟିକ ଆନନ୍ଦ ଦେଇଥାଏ। ଅସଲରେ ଭଲ ଲେଖା ହିଁ ଲେଖକକୁ ତା’ ପାଠକ ନିକଟରେ ବଞ୍ଚାଇ ରଖେ। ବେସନ ଗୋଳା ନଥାଇ ଖାଲି ଡାଲିଚଟୁକୁ କଡ଼େଇରେ ବାଡ଼େଇଲେ ସେଥିରେ କି ଲାଭ ହୁଏ? ଆମକୁ ବୁନ୍ଦି ଛାଣିବାକୁ ହେଲେ ବେସନ ଗୋଳାର ଆବଶ୍ୟକତା ରହିଛି। ଯେପର୍ଯ୍ୟନ୍ତ ବେସନ ଗୋଳା ମହଜୁଦ ଥିବ, ସେପର୍ଯ୍ୟନ୍ତ ଡାଲିଚଟୁକୁ କଡ଼େଇରେ ପିଟିବାର ମହତ୍ବ ରହିବ। ବେସନ ଗୋଳା ସରିଗଲେ ଜାଣ ସବୁ ସରିଗଲା।
ସାହିତ୍ୟକୁ ନେଇ ଆଗାମୀ ଯୋଜନା କ’ଣ ?
ସାହିତ୍ୟରେ ଯେଉଁଭଳି ରାଜନୀତି ଚାଲିଛି, ସେଠି କିଛି ଯୋଜନା ବା ପ୍ରକଳ୍ପ କଥା ଚିନ୍ତା ନ କରିବା ଭଲ। କାରଣ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ହେଲେ ସେଠି ଆରମ୍ଭ ହୋଇଯିବ ପ୍ରକଳ୍ପ ବିରୋଧୀ ଜନ ଆନ୍ଦୋଳନ। ବିସ୍ଥାପନ ଓ କ୍ଷତିପୂରଣ ଦାବିରେ ପ୍ରକଳ୍ପ ବିରୋଧୀମାନେ ରାଜରାସ୍ତାକୁ ଓହ୍ଲାଇ ହୋହଲ୍ଲା କରିବେ। ବାଧ୍ୟ ହୋଇ ପ୍ରକଳ୍ପ ପାଇଁ ଚୁକ୍ତିବଦ୍ଧ ଶିଳ୍ପପତି ପ୍ରକଳ୍ପରୁ ଓହରିଯିବ। ଏଣୁ ସାହିତ୍ୟରେ ବିଶେଷ କିଛି ନୂତନ ପ୍ରକଳ୍ପ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଅନ୍ତତଃ ଏବେ ନାହିଁ। ମାତ୍ର ନିଜ ମଧ୍ୟରୁ ଆନନ୍ଦ ଜନ୍ମାଇବା ଏବଂ ଅନ୍ୟକୁ ଆନନ୍ଦ ପ୍ରଦାନ କରିବା ଲକ୍ଷ୍ୟରେ ଯାହା କିଛି ସମ୍ଭବ, ତାହା କରିବି। ଓଡ଼ିଶାର ଜନଜାତି ସାହିତ୍ୟକୁ ନେଇ ମୁଁ କିଛିକିଛି କାମ କରି ସାରିଲିଣି। ଏବେ ଏବେ ନଦୀ ଓ ପାହାଡ଼କୁ ନେଇ କାମ କରୁଛି। ନଦୀକୁ ନେଇ ମୋର ତିନିଖଣ୍ଡ ବହି ମଧ୍ୟ ପ୍ରକାଶ ପାଇଲାଣି।