Latest Odisha News

BREAKING NEWS

କବିତାର ସାନିଧ୍ୟ, ଆନନ୍ଦ ଓ ଆତ୍ମତୃପ୍ତି ଦେଇଥାଏ : ଶୈଳବାଳା ମହାପାତ୍ର

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ଶୈଳବାଳା ମହାପାତ୍ର । କବିତା ଗଳ୍ପ , ଆଲେଖ୍ୟ , ଶିଶୁ ସାହିତ୍ୟ ଓ ଅନୁବାଦ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟର କଳେବର । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ ।

ଜୀବନ ବିଚିତ୍ର ଫୁଲ , ଆମେ ଦୁହେଁ ସମୟ ସାମ୍ନାରେ , ନିଜର ନିର୍ଜନ ପଣ , କେତେ ରଙ୍ଗର ସମୟ, ଅଧା ଅଧା ସ୍ଵପ୍ନ ଯେତେ ଛୋଟ ଛୋଟ କଥାରେ ଈଶ୍ୱର , ତୁମ୍ ଖୁଦ୍ ଅପନେ ଆପ୍ କୋ କର୍ ଲୋ ମୁକ୍ତ (ହିନ୍ଦୀ କବିତା ସଙ୍କଳନ ), ଚୁନ୍ ମୁନି ଜିଣିଲା (ଓଡ଼ିଆ), ଭଗବାନ ଚଲେ ସାକ୍ଷୀ ବନ୍ନେ(ହିନ୍ଦି) ଦ ଉଇଲି ଜ୍ୟାକଲ ଟୁଆଁ ଆଣ୍ଡ ଟୁଇଁ, ଦ ବିଟିଙ୍ଗ ଟ୍ରିଟ, ଦ ଷ୍ଟୋରି ଅଫ ଏ ରିଭର , ଭୋର୍ ବେଳାର ଲିପି (ନିବନ୍ଧ ସଙ୍କଳନ) ସହ ପଚାଶରୁ ଅଧିକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ଶୈଳବାଳା ମହାପାତ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ବହୁତ ପିଲାବେଳୁ ପ୍ରଥମ ଦ୍ଵିତୀୟ ଶ୍ରେଣୀରେ ପଢ଼ିଲା ବେଳଠୁ ମତେ ସାହିତ୍ୟ ବହିର ଗପ କବିତା ପଢ଼ିବାକୁ ଭଲ ଲାଗୁଥିଲା। ସେତେବେଳେ ୟା ବ୍ୟତୀତ ବି ଆଉ କିଛି ଗପ କବିତା ବହି ଅଛି ବୋଲି ଧାରଣା ହିଁ ନଥିଲା । ତେଣୁ ସେଇ ଲେଖା ଗୁଡ଼ିକ ବାରମ୍ବାର ପଢ଼ି ମୁଖସ୍ଥ ହୋଇ ଯାଉଥିଲା। ସେ କବିତାସବୁ ସୁର କରି ମୁଁ ସବୁବେଳେ ଗାଉଥାଏ। ଏମିତିକି ହାଇସ୍କୁଲ ପଢ଼ିବାବେଳେ “ଭଲକରି ନାଆ ବୁହାରେ ନାଉରୀ …” କିମ୍ବା କାଳିନ୍ଦୀ ଚରଣଙ୍କର ” ଗାନ୍ଧାରୀର ଆଶୀର୍ବାଦ ” କବିତା ବଡ଼ ପାଟିରେ ସ୍ୱର କରି ବୋଲୁଥିଲି । ଏଇ ସବୁ ମୋ ଭିତରେ ସାହିତ୍ୟ ପ୍ରତି ଏକ ଆଗ୍ରହ ସୃଷ୍ଟି କରେଇଥିଲା। ପରେ ଷଷ୍ଠ ଶ୍ରେଣୀରେ ଆର୍ତ୍ତ ସାରଙ୍କ ପ୍ରୋତ୍ସାହନରେ ଦୁଇ ଚାରିଧାଡ଼ିଆ ପଦ ଲେଖୁ ଲେଖୁ ଏଇଠି ପହଞ୍ଚିଲି ।

କବିତା , ଆଲେଖ୍ୟ, ଶିଶୁ ସାହିତ୍ୟ ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?

ଆଉ ଗୋଟେ କଥା ଛାଡ଼ିଗଲେ , ଗପ ! ମୁଁ ଗପ ବି ଲେଖୁଥିଲି । ଗପ ପଢ଼ିବାକୁ ଶୁଣିବାକୁ କହିବାକୁ ମତେ ଭାରି ଭଲ ଲାଗେ । ତେବେ କବିତା କେମିତି କେତେବେଳେ ଆସି ଡାକିନେଲା ତା’ ପାଖକୁ । କବିତାର ସାନିଧ୍ୟରେ ଖୁବ୍ ଆତ୍ମତୃପ୍ତି ! ଫିଚର ଗୁଡ଼ାଏ ଲେଖିଛି। ସେଥିରେ ବି ମୁଁ ଆନନ୍ଦ ପାଇଥାଏ।

ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?

ଆଦୌ ନୁହେଁ । ପୁରସ୍କାର କିଛି ମୁହୂର୍ତ୍ତର ପୁଲକ । ପାଦେ ଆଗେଇବାକୁ ଅବଶ୍ୟ ଆବେଗିତ କରେ। ମାତ୍ର ତାହା ସର୍ଜନାର ମାପଦଣ୍ତ ନୁହେଁ । ଆଉ ଏବେ ତ ପୁରସ୍କାର ପାଇବାର ଯେଉଁ ବ୍ୟବସ୍ଥା ତାହା ସମସ୍ତଙ୍କୁ ଜଣା। ବରଂ ଜଣେ ନିରୁତା ପାଠକର ପଦେ କଥା, ଖଣ୍ଡିଏ ଚିଠି ଲକ୍ଷେ ପୁରସ୍କାରଠୁଁ ବଳି।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଏବଂ ନିଜ ଲେଖାର ମୁଦ୍ରିତ ରୂପ ଦେଖି ଆପଣଙ୍କ କଣ ଅନୁଭବ କରିଥିଲେ?

ପ୍ରଥମ ପ୍ରକାଶିତ ଲେଖା କବିତା ହିଁ ଥିଲା। ୧୯୭୬ ମସିହାରେ ମ୍ୟାଟ୍ରିକ ପରେ ପରେ ଏହା ପ୍ରକାଶ ପାଇଥିଲା । ସେତେବେଳେ କବିତାକୁ ନିଜ ନାଁ ଟାକୁ ଛପା ଅକ୍ଷରରେ ଦେଖି ଖୁବ୍ ଖୁସି ହୋଇ ବାରମ୍ବାର ଦେଖିଥିଲି। ପ୍ରଥମେ ବୋଉକୁ ପଢ଼ି ଶୁଣେଇଲି। ଏଇଠି ମୋ ନାଁ ବାହାରିଛି ବୋଲି ଆଙ୍ଗୁଠିରେ ଚିହ୍ନେଇଲି।

ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?

ପରସ୍ପର ବିଶ୍ବାସ ଭଲପାଇବା ଏବଂ ସୁନ୍ଦର ସମ୍ପର୍କର ପୃଥିବୀ ମୋର ଜୀବନ ଦର୍ଶନ। କାହାଣୀ ଓ କବିତାରେ ମୁଁ ଏଇ ଆଦର୍ଶକୁ ରୂପାୟିତ କରେ।

ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?

ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାଙ୍କର ପ୍ରଭାବ ଯଥେଷ୍ଟ ବେଶି। ମାଧବୀ ଦାସୀ , ବୃନ୍ଦାବତୀ ଦାସୀଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ତାହା ପରିଲକ୍ଷିତ। କୁନ୍ତଳା କୁମାରୀଙ୍କ କବିତା ପ୍ରେମ ମାନବିକତା ସରଳପଣର ଅବବୋଧ ସହିତ ତାଙ୍କର ଦେଶାତ୍ମବୋଧ କବିତା ଘରକୋଣରୁ ମହିଳାମାନଙ୍କୁ ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଇଥିଲା। କେଉଁ ଅଜଣା ସ୍ତ୍ରୀ ଲୋକଙ୍କର କବିତା ଏବେବି ବାମଣ୍ଡା ରାଜ ପ୍ରାସାଦର କାନ୍ଥରେ ଶୋଭା ପାଉଛି ଓ ଲୋକଙ୍କୁ ପ୍ରେରିତ କରୁଛି। ସେହିସବୁ ସମୟରେ ଯେଉଁ ସାମାଜିକ ଚାପ ଥିଲା ; ଏବେ ତ ସେସବୁ ନାହିଁ। ଲେଖିକାମାନେ ଅନେକ ଭାବରେ ସ୍ୱଚ୍ଛନ୍ଦ।

ଆପଣ ଅନେକ ପୁସ୍ତକର ଅନୁବାଦ କରିଛନ୍ତି । ତେବେ ସୃଜନ ଓ ଅନୁସୃଜନ ଭିତରେ କଣ ପାର୍ଥକ୍ୟ ରହିଛି ?

ସୃଜନ ଓ ଅନୁସୃଜନର ଆନନ୍ଦ ଭିନ୍ନ ଭିନ୍ନ । ତେବେ ଉଭୟ ସର୍ଜନା ଆତ୍ମାକୁ ଆପ୍ଳୁତ କରେ। ସୃଜନରେ ଯେଉଁ ସ୍ୱଚ୍ଛନ୍ଦତା ଥାଏ ତାହା ଅନୁସୃଜନରେ କିଛି ପରିମାଣରେ ବାଧା ପାଏ। ଅନୁସୃଜନ ଏକ ସ୍ୱତନ୍ତ୍ର କଳା ; ଏହା କେବଳ ଧାଡ଼ି ଧାଡି ଅନୁବାଦ ନୁହେଁ। ଅନୁବାଦ ମଧ୍ୟ ଜଣକର ପ୍ରତିଭାର ପରିଚୟ ଦିଏ। ଯଦି ତାହା ଠିକ ଭାବରେ ହୋଇଥାଏ। ଅନୁବାଦ ପୃଥିବୀର ସମ୍ପର୍କକୁ ସବୁଜ କରେ। ସେଇଥି ପାଇଁ ମୁଁ ଅନୁବାଦରେ ଥାଏ।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଲେଖକ ଯଦି ସମୀକ୍ଷକ ହୁଏ, ସର୍ଜନା ନିଶ୍ଚୟ ସୁନ୍ଦର ହୁଏ। ସମୀକ୍ଷା ବି ତ ନିରପେକ୍ଷ ହେବା ଦରକାର ! କେତେଜଣ ଲେଖକ ନିଜ ରଚନାର ସମୀକ୍ଷା ନିରପେକ୍ଷ ଭାବେ କରନ୍ତି ? ମୋର ଭିନ୍ନ ଭିନ୍ନ ରଚନା ସମୀକ୍ଷାର ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଅପେକ୍ଷା ରଖେ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

୧୯୮୧ ମସିହାରେ ଗଙ୍ଗ ଶିଉଳି ନାମରେ ପତ୍ରିକାଟିଏ କରୁଥିଲି। ସେଇଟିକୁ ମରିବା ପୂର୍ବରୁ ଆଉଥରେ ପ୍ରକାଶ କରିବାକୁ ଇଚ୍ଛା। ପିଲାଙ୍କ ପାଇଁ ପତ୍ରିକାଟିଏ କରିବାର ସ୍ୱପ୍ନରେ ଅଛି। ଉପନ୍ୟାସକୁ ଛାଡ଼ି ସାହିତ୍ୟର ବିଭିନ୍ନ ଦିଗରେ ହାତ ଦେଇଛି। ଚେଷ୍ଟା କରୁଛି ଉପନ୍ୟାସଟିଏ ଲେଖିବା ପାଇଁ।

ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?

ପ୍ରଚୁର ପଠନ , ଅନ୍ତର୍ଦୃଷ୍ଟି , ସର୍ଜନାର ନିରୁତା ସମୀକ୍ଷା ଜଣକୁ ଭଲ ଲେଖକ ବା ଲେଖିକା କରିପାରେ। ସଫଳ ହେଲା କି ନାହିଁ ସେକଥା ସମୟ କହିବ। ଭଲ ଲେଖକଟିଏ ହେବା ପାଇଁ ନିଜ ଅନୁଭବ ନିକଟରେ ନିଜେ ସତ୍ ହେବାକୁ ପଡ଼ିବ ।

Leave A Reply

Your email address will not be published.