Latest Odisha News

BREAKING NEWS

ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ : ସଞ୍ଜୟ କୁମାର ମିଶ୍ର

ସଞ୍ଜୟ କୁମାର ମିଶ୍ର , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କ ଶବ୍ଦବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା କରିବା ପାଇଁ।

ଚିତ୍ର , ଭାଙ୍ଗି ପଡ଼ିବା ଆଗରୁ , ପଶ୍ଚିମ ଓଡ଼ିଶାର ଲୋକକଥା , ରାଏତ ସରତା ତମର ସାଙ୍ଗେ, ସାପ ପେଟର ଆକାଶ, ଧାସ , ଚେରେ ଗୁଡ଼ା , ଦାଦନ ସୁନ୍ଦରୀ , ନିଜସ୍ୱ ଆଲୋଚନା , ଆଗନ୍ତୁକ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜ ନିଆରା ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟ ସଂସଦ ତଥା ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ।

ଓଡ଼ିଆ ସାହିତ୍ୟର ସେଇ କାଳଜୟୀ ସ୍ରଷ୍ଟା ସଞ୍ଜୟ କୁମାର ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

ଆପଣ ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ମତେ ଲାଗେ ମୁଁ ପିଲାଟି ଦିନରୁ ଜୀବନ ସହ ସାହିତ୍ୟମନସ୍କ ଥିଲି। ଦ୍ଵିତୀୟ ଶ୍ରେଣୀ ପଢିବା ବେଳେ କିଛି ପାରିବାରିକ କାରଣରୁ ମୁଁ ବିନିକାରେ ମୋ କାକାଙ୍କ ଘରେ ରହିଥିଲି। ସେଠାରେ ମହାନଦୀ ଥିଲା, ବଡ଼ ବଡ଼ ପାହାଡ଼ ଥିଲା। ମୁଁ ସେଠାରେ ଘଣ୍ଟା ଘଣ୍ଟା ଅନ୍ୟମନସ୍କ ରହୁଥିଲି। ନିଜକୁ ହଜେଇ ଦେଉଥିଲି ନଦୀର ପାଣି ଦେଖି , ପାହାଡ଼ ଓ ତାର ଚୂଡ଼ା ଦେଖି ବର୍ଷାରେ ଖୁବ ଭିଜୁଥିଲି। ବୁଝିପାରୁନଥିବା ଅନେକ କିଛି ଭାବି ଓ ଶବ୍ଦମାନଙ୍କ ମଧ୍ୟରେ ଗୁଡେଇ ହୋଇ ରହୁଥିଲି। ତେଣୁ ମୋ କବି ଜୀବନର ଶୁଭାରମ୍ଭ ସେମିତି ହୋଇଥିଲା। ପରେ ବଲାଙ୍ଗୀରରେ ରହିବା ସମୟରେ ଆମର ଶିକ୍ଷକମାନେ ଆମକୁ ଗପ ଓ କବିତା ଲେଖିବା ପାଇଁ ଉତ୍ସାହିତ କରୁଥିଲେ ଏବଂ ସେତେବେଳେ ମୁଁ କିଛି କିଛି ଲେଖିବା ଆରମ୍ଭ କରିଥିଲି। ଏପରି ଭାବରେ ମୋର ସାହିତ୍ୟ ପ୍ରତି ଆକୃଷ୍ଟ ହେବା ଆରମ୍ଭ ହୋଇଥିଲା।

ଅନୁଭୂତି ଓ ଅନୁଭବ ଜଣେ ଲେଖକକୁ କିପରି ଭାବରେ ପ୍ରଭାବିତ କରେ ?

ଅନୁଭବ ଓ ଅନୁଭୂତି ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରେ। ଆମେ ଜୀବନରେ ଯେଉଁ ଭଳି ରାସ୍ତାରେ ଗତି କରୁ, ଯେଉଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉ, ତାହା ପ୍ରତ୍ୟକ୍ଷ କି ପରୋକ୍ଷ ଭାବରେ ଲେଖକର ଛାତିରେ ରହିଯାଏ ଏବଂ ଲେଖକ ସେହି କଥାକୁ ହିଁ ଲେଖେ। ଲେଖକ ଯେଉଁଠି ନିଜେ ନାହିଁ, ସେ କଥାକୁ କେମିତି ପ୍ରକାଶ କରିପାରିବ! ଅନେକ ସମୟ ହେଲା ମୁଁ ପଶ୍ଚିମ ଓଡ଼ିଶାର ବଡ଼ ସମାସ୍ୟା, ଦାଦନ ବା ଶ୍ରମିକ ସ୍ଥାନାନ୍ତରଣ ଉପରେ କାମ କରୁଛି। ତାହା ମୋ ଜୀବନରେ ନେସି ହୋଇ ରହିଛି ; ମୋ ଭିତରକୁ ପଶିଯାଇଛି, ମତେ ଲୋକଙ୍କ ଦୁଃଖ , କଷ୍ଟ , କ୍ରନ୍ଦନ ଆଦି ସବୁବେଳେ ଶୁଭୁଛି। ତେଣୁ ଲେଖକ ଯାହା ଭୋଗେ, ତାକୁ ହିଁ ସାହିତ୍ୟର ରୂପ ଦିଏ। ବିଶ୍ୱ ସାହିତ୍ୟର ଯେତେ ସ୍ରଷ୍ଟା ଆମେ ଦେଖିବା, ସମସ୍ତେ ସେଇ କଥା ହିଁ କହିବେ। ଗୋପୀନାଥ ମହାନ୍ତି କୋରାପୁଟରେ ରହିଲେ ; ତାଙ୍କ ଜଣା ଜୀବନର କଥା ଲେଖିଲେ। ଅନ୍ୟମାନେ ମଧ୍ୟ ଯାହା ତାଙ୍କ ଜୀବନ ପରିଧିରେ ଅନୁଭବ କରିଛନ୍ତି , ଯେଉଁଥିରେ ମଜ୍ଜିଛନ୍ତି, ତାକୁ ହିଁ ଲେଖିଛନ୍ତି। ତେଣୁ ଅନୁଭୂତି ଓ ଅନୁଭବ ଜଣେ ଲେଖକକୁ ଅନେକ ମାତ୍ରାରେ ପ୍ରଭାବିତ କରେ।

ସାହିତ୍ୟ ସୃଷ୍ଟିରେ ଆପଣ କାହାକୁ ନିଜର ମାର୍ଗଦର୍ଶକ ବୋଲି ଭାବନ୍ତି ?

ପ୍ରକୃତରେ ମୋର ସେମିତି କେହି ମାର୍ଗଦର୍ଶକ ନାହାଁନ୍ତି। ବୟସ ବଢ଼ିବା ସହ ଅନୁଭୂତି ବଢୁଛି, ଜୀବନର ବିଭିନ୍ନ ଦିଗ ଖୋଲି ଖୋଲି ଯାଉଛି, ବ୍ୟାପ୍ତ ହେଉଛି ଆକାଶ, ମଧୁର ହେଉଛି ପୃଥିବୀ, ଗଭୀରତମ ହେଉଛି ପ୍ରେମ, ତାକୁ ହିଁ ମୁଁ ଲେଖୁଛି। ହଁ , ଅନେକ ଭଲ ବହି ମତେ ବାଟ ଦେଖାଇଛି, ଅନେକ ଭାରତୀୟ ଲେଖକ ଓ ଅନ୍ୟ ଦେଶର ଲେଖକଙ୍କ କିଛି ବହି ମତେ ଅନେକ ମାତ୍ରାରେ  ପ୍ରଭାବିତ କରିଛି। ଯେମିତିକି ମୋର ବଡ଼ ଭଉଣୀ ସାହିତ୍ୟିକା ଗାୟତ୍ରୀ ସରାଫ କିଛି ନ ଲେଖିଲେ ମତେ ଗାଳି କରନ୍ତି ; ତାହା ବି ମୋ ପାଇଁ ଏକ ଆଶୀର୍ବାଦ। ମୋ ପରିବାର ମଧ୍ୟ ମତେ ବାରମ୍ବାର ଲେଖିବା ପାଇଁ ଉତ୍ସାହିତ କରନ୍ତି। ଅନେକ ସାରସ୍ୱତ ସାଧକ ମଧ୍ୟ ମତେ ଲେଖିବା ପାଇଁ ଅନୁପ୍ରେରିତ କରନ୍ତି। ମୁଁ ସମସ୍ତଙ୍କ ପାଖରେ ଋଣୀ।

ଜଣେ ଲେଖକ ସମାଜ ପ୍ରତି କିପରି ଦାୟିତ୍ୱବାନ ହେବା ଆବଶ୍ୟକ ?

ଆମେ ସମାଜରେ ରହୁ, ସମାଜରେ ଅନେକ ଚରିତ୍ରମାନଙ୍କ ସହ ଆମେ ପରିଚିତ ହେଉ। ତେଣୁ ସମାଜ ପ୍ରତି ନିଶ୍ଚିତ ଭାବରେ ଆମର ଦାୟିତ୍ୱ ଅଛି। ସମାଜକୁ ନେଇକି ହିଁ ଜଣେ ଲେଖକ ଲେଖେ। କିନ୍ତୁ ଜଣେ ଲେଖକ କୌଣସି ସାଧୁବାବା ନୁହେଁ ,ମଠାଧିଶ ନୁହେଁ। ତେଣୁ ସେ ତାର ନୀତି ନୈତିକତାରେ ସମାଜକୁ ପ୍ରଭାବିତ କରିବ, ଏହା ମୋ ମତରେ ଭାବିବା ଭୁଲ। ସେ ବ୍ୟକ୍ତିଗତ ଜୀବନରେ ଯାହା ହେଉ, ଲେଖକଙ୍କ ଜୀବନରେ ସଚ୍ଚୋଟ ହେଲେ ଗଲା। ଅନେକ ମୋ କଥାକୁ ନାପସନ୍ଦ କରିପାରନ୍ତି, କିନ୍ତୁ ମୁଁ ଭାବେ ଲେଖକୀୟ ସାଧୁତା ଅନେକ ପରିମାଣରେ ଲୋଡ଼ା ଏବଂ ଲେଖକୀୟ ସାଧୁତା ହିଁ ସମାଜ ପ୍ରତି ଦାୟିତ୍ୱବାନ ହେବା ଶିଖାଏ। ତା ଲେଖାରେ ସମାଜର ଯାବତୀୟ ସଙ୍ଗତି, ବିସଙ୍ଗତି ସ୍ଥାନ ପାଏ। ଲେଖକ ଅନେକ ସମୟରେ ଶିଖେ, ଶିଖାଏ, ନିଜକୁ ଚିହ୍ନେ, ସାହିତ୍ୟ ମାଧ୍ୟମରେ ସମାଜକୁ ବାର୍ତ୍ତା ଦିଏ। ଏସବୁ ପରେ ଲେଖକର ଏକ ସ୍ୱତନ୍ତ୍ର ପୃଥିବୀ ଅଛି। ସେ ପୃଥିବୀ ଏକାନ୍ତ ଭାବେ ତାର ମାନସ ପୃଥିବୀରେ ନୀତି ନିୟମରେ ଚାଲିବ ନ ଚାଲିବ ଭିନ୍ନ କଥା। ଲେଖକ ଲେଖେ, ସମାଜ ପ୍ରତି ଦାୟିତ୍ୱବାନ ହୁଏ, କିନ୍ତୁ ପ୍ରବଚନ ଦିଏ ନାହିଁ କି ନୀତିବାଣୀ ଶୁଣାଏ ନାହିଁ।

‘ଦାଦନ ସୁନ୍ଦରୀ ‘ ଆପଣଙ୍କର ଏକ ଚର୍ଚ୍ଚିତ ପୁସ୍ତକ । ତା’ ବିଷୟରେ କିଛି କହିବେ ?

ମୋ ରଚିତ ଦାଦନ ସୁନ୍ଦରୀ ପୁସ୍ତକଟି ଏକ ଉପନ୍ୟାସ ଯାହା ଅପାର ପାଠକୀୟ ସ୍ୱୀକୃତି ପାଇଛି। କେବଳ ଓଡ଼ିଶାରେ ନୁହେଁ , ସମଗ୍ର ଭାରତରେ ଏବଂ ବିଦେଶରେ ମଧ୍ୟ ତାର ଅଗଣିତ ପାଠକପାଠିକା, ତାକୁ ଖୁବ ଭଲ ପାଇବା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ବଡ଼ ସମସ୍ୟା, ଦାଦନ ଶ୍ରମିକର ସମସ୍ୟାର ପୃଷ୍ଠାଭୂମି ଉପରେ ଏହି ଉପନ୍ୟାସଟି ରଚିତ। ଦାଦନ ନାଁରେ କେମିତି ଅସହାୟ ହୋଇ ପଡ଼ୁଛନ୍ତି ମଣିଷମାନେ, ଦୁଃଖ ପାଉଛନ୍ତି ତାଙ୍କର ପିଲାମାନେ ଏବଂ ଆହୁରି ଅନେକ କଥା ସେଥିରେ ଅଛି। ଆମର ସଭ୍ୟତା , ଦେବାଦେବୀ , ପାହାଡ଼ , ପର୍ବତ ଓ ଶିଶୁର ମନସ୍ତତ୍ତ୍ୱରେ ଉପନ୍ୟାସର କାହାଣୀ ଗତିଶୀଳ ହୋଇଛି। ତାର ହିନ୍ଦୀ ଅନୁବାଦ କରିଛନ୍ତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା ଏବଂ ଲୋହିତାକ୍ଷ ଯୋଶୀ ତାର ଇଂରାଜୀ ଅନୁବାଦ ମଧ୍ୟ କରିଛନ୍ତି। ଏହା ସହ ବଙ୍ଗାଳୀ ଓ ମରାଠୀରେ ଅନୁବାଦ କରିବାକୁ ମଧ୍ୟ ଦୁଇ ଜଣ ଲେଖକ ଅନୁମତି ନେଇ ସାରିଛନ୍ତି।

ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ କେଉଁ ସବୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି ?

ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ମୋର ବ୍ୟକ୍ତିଗତ ମତ ହେଲା ; ଓଡ଼ିଶାରେ ଅନେକ ପ୍ରକାର ଭାଷା ଅଛି। ଅଲଗା ଅଲଗା ଅଞ୍ଚଳରେ ଅଲଗା ପ୍ରକାରର ଭାଷା। ସେହି ଭାଷାଗୁଡ଼ିକ ଚିହ୍ନଟ ହେବା ଉଚିତ। ତାର ବର୍ଣ୍ଣନାଶୈଳୀ , ଭାବଗତ ସାମଞ୍ଜସ୍ୟ ଉପରେ ଗବେଷଣା ହେବା ଆବଶ୍ୟକ। ତାହା ହେଲେ ଓଡ଼ିଆ ଭାଷାର ଐକତ୍ୱ ବଜାୟ ରହିବ। ଏହା ଛଡ଼ା ବିଭିନ୍ନ ଅଞ୍ଚଳରେ ଯେଉଁ ସବୁ ଲୋକଗୀତ ବା ପ୍ରଚଳିତ ଲୋକକଥା ରହିଛି, ତାକୁ ସଂଗ୍ରହ କରି ତା ଉପରେ ଗବେଷଣା ହେବା ଉଚିତ। ବିଭିନ୍ନ ସମୟରେ ଭାଷାଭିତ୍ତିକ ସଭା ଆୟୋଜନ କରି, ତା ଉପରେ ଆଲୋଚନା ହେବା ଆବଶ୍ୟକ। ଏହା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ନିଶ୍ଚୟ ସହାୟକ ହେବ।

ପୁରସ୍କାର ଓ ପରିଚିତି ଜଣେ ଲେଖକଙ୍କୁ କିପରି ପ୍ରଭାବିତ କରେ ?

ଜଣେ ଲେଖକ ପାଇଁ ପୁରସ୍କାର ଓ ପରିଚିତି ବିଶେଷ ପ୍ରଭାବ ପକାଏ ନାହିଁ। ଜଣେ ଲେଖକ ଅନନ୍ତ କାଳ ଧରି ତା ଲେଖା ମାଧ୍ୟମରେ ବଞ୍ଚିପାରେ। ସାମୟିକ ଯଶ ଓ ପ୍ରଶସ୍ତି ଜଣେ ଲେଖକ ପାଇଁ ମୂଲ୍ୟହୀନ। ପ୍ରକୃତ ଲେଖକ ପାଠକଙ୍କ ମଧ୍ୟରେ ସବୁବେଳେ ପରିଚୟ ପାଉଥାଏ। ହଁ, ପୁରସ୍କାର କିଛି ପରିମାଣରେ ଆନନ୍ଦ ଦିଏ; ମାତ୍ର ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ। ସମୟ ହିଁ ସାହିତ୍ୟର ପ୍ରକୃତ ବିଚାରକ। ସମୟ ସହିତ ଲେଖକର ସୃଷ୍ଟିର ପାଠକୀୟ ଆଦୃତି ହିଁ ପ୍ରକୃତ ପରିଚିତି ଓ ପୁରସ୍କାର।

ସାହିତ୍ୟ ସହିତ ଆଦର୍ଶବାଦ କେତେ ମାତ୍ରାରେ ଜଡ଼ିତ ?

ମୋ ମତରେ ସାହିତ୍ୟ ସହ ଆଦର୍ଶବାଦ ଏତେଟା ଜଡ଼ିତ ନୁହେଁ। ଜଣେ ଲେଖକ ନିଜସ୍ୱ ଜୀବଦ୍ଦଶାରେ ଯାହା ବି ଦେଖେ, ଯାହା ଭୋଗେ, ଯାହା ଚିନ୍ତା କରେ, ତାକୁ ନେଇକି ଲେଖେ। ସେ ଯାହା ଲେଖିବ, ସେ ସେମିତି ହେବାକୁ ବାଧ୍ୟ ନୁହେଁ। ତେଣୁ ଆଦର୍ଶବାଦର କଥା କହୁଥିବା ଅନେକ ଲୋକ, ଅନେକ ସମୟରେ, ଅନେକ ଭୁଲ ମଧ୍ୟ କରିପକାନ୍ତି। ସେ ଭୁଲ ଓ ଭଲ ମଧ୍ୟ ତର୍ଜମାର ବିଷୟ। ଏହା ଏକ ଆପେକ୍ଷିକ ଶବ୍ଦ। ଜଣେ ସ୍ରଷ୍ଟା ତାର ସର୍ଜନ କଳା ପ୍ରତି କେତେ ସତ୍ୟନିଷ୍ଠ ହେବ, ତାହା ଦେଖିବାର କଥା। ଜଣେ ଲେଖକ ଆଦର୍ଶବାଦୀ କି ସନ୍ନ୍ୟାସୀ ହେବା ଆଦୌ ଆବଶ୍ୟକ ନୁହେଁ। ଜଣେ ଲେଖକ କେବଳ ଜଣେ ଲେଖକ ହେବା ଦରକାର।

 ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଦେଖନ୍ତି ?

ଓଡ଼ିଆ ସାହିତ୍ୟର ଭବିଷ୍ୟତ ବହୁତ ଉଜ୍ଜ୍ଵଳ। ଅନେକ କବି ଓ ଲେଖକ ଏହି ଭାଷାକୁ ବହୁତ ସମୃଦ୍ଧ କରିଛନ୍ତି। ଅନେକ ନୂଆ ମୁହଁ ଆସୁଛନ୍ତି। ଅନେକ ନୂଆ ନୂଆ ବିଷୟରେ ଲେଖା ଯାଉଛି। ନୂଆ ନୂଆ ଶବ୍ଦର ପ୍ରୟୋଗ ହେଉଛି। ଲୋକକଥା ଉପରେ ମଧ୍ୟ ଅନେକ ନୂଆ ନୂଆ ଲେଖା ପ୍ରକାଶ ପାଉଛି। ତେଣୁ ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜ୍ଵଳ।

ମୂଳତଃ ଆପଣ ଜଣେ କବି, କବିତାରେ କେଉଁ ଭାବକୁ ପ୍ରକାଶ କରନ୍ତି ?

ହଁ , ମୁଁ ଜଣେ କବି। କବିତାରୁ ହିଁ ମୋର ସାହିତ୍ୟ ଯାତ୍ରା ଆରମ୍ଭ। କବିତାରେ ମୁଁ ନିଜକୁ ପ୍ରକାଶ କରେ, ମୋ ସ୍ୱପ୍ନକୁ ରଙ୍ଗ ଦିଏ। କେବେ ଅସହାୟ ହୁଏ ତ, କେବେ ଶକ୍ତି ସଞ୍ଚୟ କରେ। କେବେ ମୋର ଭଙ୍ଗା ଅବଶୋଷର କଥା କହେ। କବିତା ମୋ ପାଇଁ ମନ୍ତ୍ର ଭଳି ତନ୍ମୟ ଅବସ୍ଥା, ସେଠାରେ ସମସ୍ତେ ଆପଣାର ହୋଇ ଏକାକାର ହୋଇଯାଆନ୍ତି। କବିତା ଜୀବନକୁ ଆହୁରି ଜୀବନ୍ତ କରାଏ।

 ଆପଣ ଆଞ୍ଚଳିକ ଭାଷାରେ ଅନେକ ସାହିତ୍ୟ ସୃଷ୍ଟି କରିଛନ୍ତି । ସେ ବିଷୟରେ କିଛି କୁହନ୍ତୁ ।

ମୁଁ ମୋର ମାତୃଭାଷା କୋଶଲିରେ ମଧ୍ୟ ଗପ, କବିତା ଓ ପ୍ରବନ୍ଧ ଲେଖାଲେଖି କରେ। ସମୟ ସହ ପୃଥିବୀର ଅନେକ ଭାଷା ଲୋପ ପାଇବାକୁ ବସିଲାଣି। ମୋର ମାତୃଭୂମିର ଭାଷା, ସାହିତ୍ୟକୁ ବଞ୍ଚେଇ ରଖିବା ପାଇଁ ଏହା ମୋର ଏକ ପ୍ରୟାସ। ସାହିତ୍ୟ ନଥିଲେ ଭବିଷ୍ୟତ ପୀଢ଼ି ନିଜ ସଂସ୍କୃତି, ପରମ୍ପରା, ରୀତିନୀତି ବିଷୟରେ ଜାଣିବେ କିପରି? ଏହାଛଡା ମୋ ଜନ୍ମମାଟିର ଲୋକକଳା, ପର୍ବପର୍ବାଣୀ, ସାମାଜିକ ଚଳଣି, ମତେ ସବୁବେଳେ ଲେଖିବା ପାଇଁ ପ୍ରେରିତ କରେ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ନୂଆ ଲେଖକମାନଙ୍କ ପାଇଁ ମୋର ନିର୍ଦ୍ଦିଷ୍ଟ କିଛି ବାର୍ତ୍ତା ନାହିଁ। କେବଳ ଗୋଟିଏ କଥା କହିବି, ଜୀବନ ପ୍ରତି ସତ୍ୟନିଷ୍ଠ ହୁଅନ୍ତୁ, ଅନୁଭବ ସାଉଁଟନ୍ତୁ , ସ୍ବପ୍ନମାନଙ୍କୁ ପରଖନ୍ତୁ, ପଢାପଢି କରନ୍ତୁ, ଅନୁବାଦ ସାହିତ୍ୟ ପଢନ୍ତୁ ଏବଂ ଲେଖନ କଳା ପ୍ରତି ସମର୍ପିତ ହୋଇ ଲେଖନ୍ତୁ।

 

Leave A Reply

Your email address will not be published.