Latest Odisha News

BREAKING NEWS

ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ଫୁଟାଇ ପାରନ୍ତି ଅନେକ ଚରିତ୍ର । ପୁଣି ସେଇ ଚରିତ୍ର ମାନଙ୍କରେ ରଙ୍ଗ ଭରି ଜୀବନ୍ତ କରନ୍ତି, ତାଙ୍କ କଲମ ନିଃସୃତ ପ୍ରତିଟି ଶବ୍ଦ ।

ନିକୁଳ, ଜହ୍ନ କେବେ ମରେ ନାହିଁ , ଚିତ୍ରରାତି , ସ୍ବପ୍ନର ଶହେ ବର୍ଷ , ପାସୱାର୍ଡ଼ , ଅସମ୍ପର୍କ, ଏଇ ଦୁଃଖର ନାଁ ନାହିଁ , ଆକାଶର ରଙ୍ଗ କଳା ଓ ଦ୍ରୋହକାଳ ଆଦି ପୁସ୍ତକର ସେ ସ୍ରଷ୍ଟା।

ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ‘କଥା ନବ ପ୍ରତିଭା ପୁରସ୍କାର , କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର , ଜଗଦୀଶ ଯୁବ ସମ୍ମାନ, ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ସମ୍ମାନ , କିଶୋରୀ ଚରଣ ପୁରସ୍କାର , ଟାଇମପାସ ବୁକର ପୁରସ୍କାର , ଜ୍ଞାନଦା କଥା ସମ୍ମାନ ଆର୍ଯ୍ୟ ସାହିତ୍ୟ ସମ୍ମାନ , ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ ଏବଂ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର’ ଆଦି ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ।

ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

 

୧. ସର୍ଜନାର ବ୍ୟାଖ୍ୟା ଆପଣ କେମିତି କରିବେ ?

ଉତ୍ତର : ସର୍ଜନାର ବ୍ୟାଖ୍ୟା ଏକ ଶବ୍ଦହୀନ ପ୍ରକ୍ରିୟା, ଯାହାକୁ କେବଳ ଅନୁଭବ କରାଯାଇପାରେ। ଫୁଟି ଯାଉଥିଲା ଫୁଲ ପରି, ଚାରି ପାଖରେ ବିତରି ଯାଉଥିବା ସେଇ ଫୁଲର ସୁଗନ୍ଧ ପରି ବଡ ଅପ୍ରକାଶ୍ୟ ଏଇ ଅନୁଭବ। ଯେତେବେଳେ ସବୁ କିଛିର ଅନ୍ତ ଘଟେ, ସେତେବେଳେ ଏଇ ଭଳି ଏକ ଅନୁଭବ ଖୁବ୍ ଅଳ୍ପ ସମୟ ପାଇଁ ପାଖକୁ ଆସେ।ଯାହା ମନକୁ ତତକ୍ଷଣାତ୍ ଗୋଟିଏ ଅଜର ଆନନ୍ଦ ଭେଟିଦିଏ। ମନଟା କ୍ଷଣିକ ପାଇଁ ମୁକ୍ତ ଆଉ ପରିପୂର୍ଣ୍ଣ ମନେ ହୁଏ । ୟାକୁ ସର୍ଜନା କହିପାରିବା ।

୨. ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ଉତ୍ତର : ପିଲାଦିନରୁ ପ୍ରଚୁର ବହି ପଢ଼ିବାର ଅବସର ମତେ ମିଳିଥିଲା । ମୁଁ ପାଠ ପଢି ଆସିଥିବା ପ୍ରାୟ ସବୁ ଶିକ୍ଷାନୁଷ୍ଠାନର ପାଠାଗାର ଗୁଡିକ ମୋର ଆକର୍ଷଣର ଜାଗା ଥିଲେ । ପରେ କିଛି କିଛି ଲେଖିବା ଆରମ୍ଭ କରିଥିଲି । ମାତ୍ର ଯେତେବେଳେ ୧୯୯୭ ରେ ‘କଥା ନବପ୍ରତିଭା’ ପୁରସ୍କାର ପାଇଥିଲି ( ୧୫୦ ଟି ଗପ ମଧ୍ୟରୁ ନିର୍ବାଚିତ ହୋଇ ଶ୍ରେଷ୍ଠ ୧୦ ଟି ମଧ୍ୟରେ ସ୍ଥାନ ମିଳିଥିଲା ), ସେତେବେଳେ ସେଇ ପୁରସ୍କାର ସହିତ ମିଳିଥିବା ସାହିତ୍ୟିକ ଶ୍ରଦ୍ଧା ଓ ଶୁଭେଚ୍ଛା ମତେ ସାହିତ୍ୟ ପ୍ରତି ବିଧିବଦ୍ଧ ଭାବରେ ଆକୃଷ୍ଟ କରିଥିଲା ।

୩. ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି?

ଉତ୍ତର : ଦେଖନ୍ତୁ , ଆଦର୍ଶବାଦ ଆସିଲେ ସେଥିରେ ବିଭେଦ ଓ ମତଭେଦର କଥା ଆସିବ। ବିଭେଦ ରହିବ ତ ତାହା ଆଗକୁ ଯାଇ ସଂଘର୍ଷ, ମତାନ୍ତର ,ଘୃଣା ,ହିଂସା ଏପରି ସବୁ ବିଷୟର ଅଭ୍ୟୁଦୟର କାରଣ ହେବ। ତେଣୁ ମୁଁ ଭାବେ ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ।

୪. ଦାୟିତ୍ୱ ଓ ଦାୟବଦ୍ଧତା ଭିତରେ କେବେ ଛନ୍ଦି ହୋଇଛନ୍ତି କି ?

ଉତ୍ତର : ଦାୟିତ୍ୱ ଓ ଦାୟବଦ୍ଧତା ଏଗୁଡ଼ିକ ଗୋଟେ ଗୋଟେ ସ୍ୱୟଂକ୍ରିୟ ଗତିଶୀଳ ଧାରା ବା ପ୍ରକ୍ରିୟା। ଏହାକୁ କାହାରିଠାରୁ ଧାର କରି ଅଣାଯାଇ ପାରେନାହିଁ କିମ୍ବା କାହାରି ଉପରେ ଜୋର କରି ଲଦି ଦେଇ ମଧ୍ୟ ହୁଏ ନାହିଁ । ଏଗୁଡ଼ିକ ସବୁ ଆପେ ଆପେ ଘଟି ଚାଲିଥାଏ ।ଯେ କୌଣସି ପ୍ରକାର ବନ୍ଧାବନ୍ଧିରେ ସାହିତ୍ୟର ଗତିଶୀଳତା ଅସମ୍ଭବ । ତେଣୁ ମୋ ପାଇଁ ଏମିତି କେବେ ଗୋଟିଏ ଅବସର ଆସିନାହିଁ ବା ଆସିବାର ମୁଁ କେବେ ଅନୁଭବ କରିନାହିଁ ।

୫. ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ଉତ୍ତର :  ଅନୁଭୂତି ରଚନାର ପୃଷ୍ଠଭୂମି । ଗଭୀର ଅନୁଭୂତିଟିଏ ନଥିଲେ ରଚନା ସୃଷ୍ଟି ଅସମ୍ଭବ । ବରଂ ରଚନା କରିବା ବେଳେ ନିଜକୁ ସବୁ ମୁହୂର୍ତ୍ତରେ ସଚେତନ ଓ ସତର୍କ ଭାବରେ ଏସବୁ ଅନୁଭୂତିକୁ ଗୋଟେଇବାକୁ ହୁଏ । ତାକୁ ନିଜ ସହିତ ସଂଶ୍ଲିଷ୍ଟ ରଖିବାକୁ ହୁଏ । ଯାହାଦ୍ୱାରା, ରଚନା ଆଗକୁ ଯାଇ ସ୍ପଷ୍ଟ ଆଉ ଗଭୀର ହୋଇପାରେ ।

୬ .ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଉତ୍ତର : ସମୀକ୍ଷକର ଦୃଷ୍ଟିରୁ ଏଇ ଲେଖକ ନିଜ ଲେଖାକୁ ସମୀକ୍ଷା କଲେ କୁହାଯାଇପାରେ ଯେ, ନିଜ ଆଖ ପାଖର ପ୍ରକୃତି ସହ ନିବିଡ଼ତା ଜଣେ ଲେଖକର ସବୁଠୁ ଭଲ ଦିଗ ବା ଲେଖାର ସବୁଠୁ ବଡ ଦିଗ । ଆଉ ମାର୍ଜିତ କରାଯାଇପାରିବାର ଦିଗଟି ହେଲା, ଚରିତ୍ର ଗୁଡ଼ିକୁ ଆଉ ଟିକେ ସ୍ପଷ୍ଟ ବା ଆଉ ଟିକେ ଭଲ ଭାବରେ ବର୍ଣ୍ଣନା କରିବାର ଆବଶ୍ୟକତା ରହିଛି ବୋଲି ମୁଁ ଅନୁଭବ କରେ ।

୭. ଜଣେ ଲେଖକର ସମାଜ ପ୍ରତି କି ଦାୟିତ୍ୱ ରହିବା ଆବଶ୍ୟକ?

ଉତ୍ତର : ଲେଖକର ଗୋଟିଏ ସାମାଜିକ ଦାୟିତ୍ୱ ଅବଶ୍ୟ ରହି ଆସିଛି । ଭିନ୍ନ ଭିନ୍ନ ସମୟରେ ସମାଜରେ ଦେଖାଯାଉଥିବା ବିସଙ୍ଗତି ସମ୍ପର୍କରେ ତାକୁ ସଚେତନ ଓ ସତର୍କ ରହିବା ନିହାତି ଜରୁରୀ । ମାତ୍ର ଏଇ କାମଟି ବାଧ୍ୟ ବାଧ୍ୟକତାରେ ବାନ୍ଧି ହୋଇଯିବା କଥା ନୁହେଁ ବୋଲି ମୋର ବିଶ୍ୱାସ ।

୮. ଦ୍ରୋହକାଳ ଆପଣଙ୍କ ଏକ ଉପନ୍ୟାସ। ଏପରି ନାମକରଣର ତାତ୍ପର୍ଯ୍ୟ କ’ଣ ?

ଉତ୍ତର : ଲେଖକଟିଏ ଆଜନ୍ମ ଏବଂ ଅବଲୀଳା କ୍ରମେ ବିଦ୍ରୋହୀ । ମଣିଷର ଅଧିକାର ପାଇଁ ହାତ ଉଠେଇବା ତାର ସହଜାତ ପ୍ରବୃତ୍ତି । ଏଣୁ ଏଇଭଳି କିଛି ଭାବବେଗକୁ ନେଇ ଦ୍ରୋହକାଳ ଉପନ୍ୟାସଟି ରଚିତ । ଏ ଉପନ୍ୟାସଟିର ମୁଖ୍ୟଚରିତ୍ର ଶିମୁଳି ଗୋଟିଏ ଚିରାଚରିତ ପରମ୍ପରା ବା ସ୍ଥିତିବଦ୍ଧତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି । କେବଳ ସ୍ୱର ଉତ୍ତୋଳନ କରିନି ହାତ ମଧ୍ୟ ଉଠେଇଛି । ଏହା ସହିତ ରହିଥିବା ତଥାକଥିତ ସାମାଜିକ ସାହାଯ୍ୟ ସୁଯୋଗର ସହାୟତା ନେବାପାଇଁ ଚେଷ୍ଟା କରିଛି । କିନ୍ତୁ ଯେତେବେଳେ ସେ ନିରାଶ ହୋଇଛି ସେତେବେଳେ, ସେ ନିଜେ ବ୍ୟକ୍ତିଗତ ଭାବରେ ନିଜ ଦମ୍ଭରେ ଗୋଟିଏ ପଦକ୍ଷେପ ନେବାକୁ ନିଷ୍ପତି ନେଇଛି । ଏମିତି କିଛି ଭାବାବେଗକୁ ନେଇକି ଉପନ୍ୟାସଟି ରଚିତ । ତେଣୁ ଏହାର ନାଁ ଦ୍ରୋହକାଳ ହୋଇଛି ।

୯ . ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତି କ’ଣ ହୋଇପାରେ?

ଉତ୍ତର : ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତିଟି ମନରେ ନିହାତି ଅଛି କିନ୍ତୁ ତାକୁ ବ୍ୟକ୍ତ କାରବାର ସମୟ ଆସିନି ସମୟ ଆସିଲେ ନିଶ୍ଚୟ ବ୍ୟକ୍ତ କରିବି ।

୧୦ . ପାଠକ ନକରାତ୍ମକ ମତ ରଖିଲେ ଆପଣ ତାକୁ କେମିତି ଭାବରେ ଗ୍ରହଣ କରନ୍ତି ?

ଉତ୍ତର : ନକରାତ୍ମକ ଅଥଚ ଗଠନମୂଳକ ମତକୁ ମୁଁ ସାଦରେ ଗ୍ରହଣ କରିଥାଏ। କାରଣ ମୁଁ ବିଶ୍ୱାସ କରେ ଯେ ୟା ବିନା ଆଗକୁ ଯିବା ଅସମ୍ଭବ । ତେଣୁ ପାଠକ ମାନଙ୍କର ଯେକୌଣସିତା ପ୍ରକାର ମତକୁ ଭଲରେ ଗ୍ରହଣ କରିବାକୁ ହୁଏ ଏବଂ ତାକୁ ଗ୍ରହଣ କଲାପରେ ନିଜ ସହିତ ନିଜେ ବସି ତାର ସମୀକ୍ଷା କରିବାକୁ ପଡ଼େ । କିନ୍ତୁ ଅମୂଳକ ମନ୍ତବ୍ୟଠାରୁ ସବୁବେଳେ ଦୂରେଇରହିବାକୁ ଚେଷ୍ଟାକରେ ।

୧୧. ପୁରସ୍କାର ଜଣେ ସ୍ରଷ୍ଟାଙ୍କୁ କିପରି ଭାବରେ ପ୍ରଭାବିତ କରେ ?

ଉତ୍ତର : ପୁରସ୍କାର ଜଣେ ସ୍ରଷ୍ଟାର ଦାୟିତ୍ୱକୁ ବଢେଇ ଦେଇଥାଏ। ଲେଖକ ଅଧିକ ଭଲ ଲେଖିବାକୁ ଯତ୍ନବାନ ହୁଏ, ସତର୍କ ବି ହୁଏ । ସେ କଣ ଲେଖୁଛି ଓ ତାର ପାଠକୀୟତା ଭଲ ରହିବ କି ନାହିଁ, ଯେଉଁମାନେ ଗୁରୁଜନ ଅଛନ୍ତି ସେମାନଙ୍କୁ ଭଲ ଲାଗିବ କି ନାହିଁ, ଏହି ପ୍ରକାର ଗୋଟିଏ ଦାୟବଦ୍ଧତା ମନକୁ ଆସେ ।

୧୨ . ସମସାମୟିକ ଲେଖକ/ ଲେଖିକାମାନଙ୍କୁ କି ବାର୍ତ୍ତା ଦେବେ ?

ଉତ୍ତର : ସମସାମୟିକ ଲେଖକ, ଲେଖିକାମାନେ ନିଜ ନିଜ ଜାଗାରେ ବେଶ ଗତିଶୀଳ ଏବଂ କ୍ରିୟାଶୀଳ ମଧ୍ୟ । ସେମାନଙ୍କୁ ବାର୍ତ୍ତା ଦେଇ କହିବା ପାଇଁ ମୋ ପାଖରେ କିଛି ନାହିଁ । ଗୋଟିଏ ଆବେଦନ କରିପାରିବି ଯେ ଓଡ଼ିଆ ସାହିତ୍ୟର ଆଜି ଓ ଆସନ୍ତା କାଲି ପାଇଁ ଆସନ୍ତୁ ଆମେ ସମସ୍ତେ ଏକାଠି ଚାଲିବା ଓ ଭଲ ଲେଖା ଜାରି ରଖିବା ।

Leave A Reply

Your email address will not be published.