କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ସାହିତ୍ୟ ହେଉଛି ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର – ଏମିତି ଏକ ଚମତ୍କାର ବକ୍ତବ୍ୟ ରଖିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା କଳା ସମୀକ୍ଷକ ଅଶୋକ ବାଜପାୟୀ । ସାହିତ୍ୟରେ ସବୁପ୍ରକାର ସ୍ୱର ଜାଗା ପାଇବେ । ସାହିତ୍ୟରେ କେହି ବି ଅସ୍ପୃଶ୍ୟ ନୁହନ୍ତି, କିଛି ବି ବର୍ଜ୍ୟ ବା ତ୍ୟାଜ୍ୟ ନୁହେଁ । ଏଠି ବିଦୂଷକ ରହିବେ, ବିଦ୍ରୋହୀ ମଧ୍ୟ ରହିବେ । ଜହ୍ନକୁ ଭଲ ପାଉଥିବା ପ୍ରେମିକ ରହିବେ, ହତ୍ୟାକାରୀର ମନ ନେଇ ପାଗଳ ମାନେ ମଧ୍ୟ ରହିବେ । ସାହିତ୍ୟର ଇଏ ରହିବ, ସିଏ ରହିବ ନାହିଁ ବୋଲି କଦାପି କୁହାଯାଇପାରିବ ନାହିଁ । କାହାକୁ ସ୍ୱୀକାର କରାଯିବା ବା ଅସ୍ୱୀକାର କରାଯିବ, ତା’ ଭିନ୍ନକଥା । ହେଲେ ସାହିତ୍ୟ ସମସ୍ତଙ୍କୁ ନିଜ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ । ସେଇଥିପାଇଁ ତାହା ସାହିତ୍ୟ- ସମସ୍ତଙ୍କ ସାଙ୍ଗରେ ଥାଏ ବୋଲି, ସମସ୍ତଙ୍କ ହିତ କଥା ବୁଝେ ବୋଲି ।
ତେବେ ବିଦୂଷକ ଓ ବିଦ୍ରୋହୀମାନଙ୍କ ଭିତରୁ କାହାର ସାହିତ୍ୟକୁ ସମୟ ନିଜ ଛାତିରେ ଜାଗା ଦେବ, ତାହା ସମୟ ହିଁ ସ୍ଥିର କରିବ । ବେଳେ ବେଳେ ସାହିତ୍ୟର ନିର୍ଣ୍ଣାୟକ ଭାବରେ ଆମେ ଠିଆ ହେବାକୁ ଉଦ୍ୟମ କରିଥାଉ । କିଛି ଲେଖକ ଭାବନ୍ତି ସେମାନେ ସାହିତ୍ୟର ମୋଡ଼କୁ ବଦଳାଇ ଦେଇପାରିବେ । ସେମାନେ ଦମ୍ଭର ସହ କହନ୍ତି ଆମେ ଯାହା କହୁଛୁ, ତାହା ହିଁ ସାହିତ୍ୟ । ତେବେ ସେମାନଙ୍କର ଦମ୍ଭକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ । ଯିଏ ଯାହା ଚାହିଁବ, ସାହିତ୍ୟରେ କରିପାରିବ । ତେବେ ସାହିତ୍ୟର ଏହି ଲୋକତାନ୍ତ୍ରିକ ସ୍ୱାଧୀନତା ଅନେକ ସମୟରେ ଲେଖକମାନଙ୍କୁ ସ୍ୱେଚ୍ଛାଚାରୀ କରିଦିଏ । ସେମାନେ ସାହିତ୍ୟର ଲୋକତାନ୍ତ୍ରିକ ମର୍ଯ୍ୟାଦାକୁ ଅସମ୍ମାନ କରିବା ମଧ୍ୟ ନିଜର ଅଧିକାର ବୋଲି ଭାବନ୍ତି । ତେଣୁ ଫତୁଆ ମଧ୍ୟ ସାହିତ୍ୟର ଏକ ଅଂଶ ପାଲଟି ଯାଏ ।
ବେଳେବେଳେ କୁତ୍ସାରଟନା, ଗାଳି, ବ୍ୟକ୍ତିଗତ ଆକ୍ରମଣ ଓ ନିନ୍ଦା ସାହିତ୍ୟର ପରିସର ଭିତରକୁ ଆସିଛି ଏମାନଙ୍କର ଆସିବା ଯେତିକି ତୀବ୍ର, ଉଭେଇ ଯିବା ମଧ୍ୟ ସେତିକି ପ୍ରଖର । ଲୋକତନ୍ତ୍ରରେ ଏକ ବଡ ଶକ୍ତି ହେଉଛି ବିରୋଧୀମାନଙ୍କୁ ଗୋଟିଏ ବିନ୍ଦୁରେ ସମାହିତ କରିପାରିବାର ସାମର୍ଥ୍ୟ । ଲୋକତନ୍ତ୍ରରେ ବିରୋଧ ହେଉଛି ମୂଳ । ଯଦି ସମସ୍ୱରରେ ସମେସ୍ତ କଥା କହିବେ, ସମଚିନ୍ତନରେ ବିଶ୍ୱାସ କରିବେ, ତା’ହେଲେ ସେଠି ଲୋକତନ୍ତ୍ରର ମୂଳଦୁଆ ଦୋହଲିଯିବ । ମଣିଷ ମାତ୍ରେ ଇ ବିରୋଧୀ । ତେଣୁ ବିରୋଧକୁ ଯେ ପର୍ଯ୍ୟନ୍ତ ସ୍ୱୀକାର କରାଯାଇନାହିଁ, ସେ ପର୍ୟ୍ୟନ୍ତ ଲୋକତନ୍ତ୍ର ପ୍ରତିଷ୍ଠା ପାଇ ପାରିବ ନାହିଁ । ତେବେ ବିରୋଧର ମଧ୍ୟ ଏକ ମର୍ଯ୍ୟାଦାଜନକ ସୀମା ରହିଛି । ବିରୋଧ କରିବା ପାଇଁ ବିରୋଧ ନା ବ୍ୟବସ୍ଥାରେ ଭୁଲ୍ ଅଛି ବୋଲି ତା’ର ବିରୋଧ । ଏହି ପ୍ରଶ୍ନ ବାରମ୍ବାର ନିଜକୁ ପଚାରିବାକୁ ପଡିବ । ପୃଥିବୀର କୌଣସି ବ୍ୟବସ୍ଥା ସ୍ୱୟଂ ସମ୍ପୂର୍ଣ୍ଣ ଓ ଦୋଷମୁକ୍ତ ନୁହେଁ । ଲୋକତନ୍ତ୍ର ଏହି ସବୁ ଅପରିହାର୍ଯ୍ୟ ଭୁଳ୍କୁ ଆଖି ଗେଞ୍ଜି ଦେଖାଇଦେବାର ସାହସକୁ ଉତ୍ସାହିତ କରିଥାଏ । ସାହିତ୍ୟରେ ଏହି ସ୍ଥିତି ଆହୁରି ପ୍ରଖର ହେବା ଦରକାର । ତେବେ ସାହିତ୍ୟ ନିଜ ଲୋକତାନ୍ତ୍ରିକ ମର୍ୟ୍ୟାଦାକୁ କେତେଦୂର ସୁରକ୍ଷା ଦେଇପାରିଛି, ତାହା ଆଜିର ସବୁଠୁ ବଡ ପ୍ରଶ୍ନ ।
ଅନେକ ସମୟରେ ଦେଖାଦେଇଛି ବିରୋଧାଭାସକୁ ସ୍ୱୀକାର କରିବାକୁ ଯାଇ ସାହିତ୍ୟ ଏକପାଖିଆ ହୋଇଯାଇଛି । ବିଦ୍ରୋହୀ ଅପେକ୍ଷା ବିଦୂଷକମାନଙ୍କ ସ୍ୱର ସାହିତ୍ୟ ଇତିହାସରେ ଅଧିକ ଉଚ୍ଚ ଆସନ ପାଇଛନ୍ତି । ରଜା ନାଁରେ ଭଣିତା କରୁଥିବା କବି ସାହିତ୍ୟ ଇତିହାସରେ କାଳଜୟୀ ହେବାର ସୁଯୋଗ ପାଇଛନ୍ତି । ଅଥଚ ଆଉ ଜଣେ କବି ଯିଏ “ମୂର୍ଖକୁ ସ୍ତୁତି ନ କରି ଛାତିକୁ କାତି ମାରିବା ଭଲ ବୋଲି” କହିଥିଲା, ତାକୁ ବହୁ କଷଣ ସହିବାକୁ ପଡିଛି । ମୁଁ କବି ଦୀନକୃଷ୍ଣଙ୍କ କଥା କହୁଛି । ରାଜାଙ୍କ ନାଁରେ ଭଣିତା ନ କରି ରଜାକୁ ମହାମୂର୍ଖ ବୋଲି କହିବାର ଯେଉଁ ମହାନ୍ ସାହସ ଦୀନକୃଷ୍ଣ କବିତାରେ ପ୍ରତିଷ୍ଠା କରିଗଲେ, ତା’ର କୌଣସି ପଟାନ୍ତର ନାହିଁ । ହେଲେ ଦୀନକୃଷ୍ଣ କବି ସମ୍ରାଟ ହୋଇପାରିଲେ ନାହିଁ । ଦୀନକୃଷ୍ଣଙ୍କ ମୁଣ୍ଡରେ ପାଟଛତି ନଥିଲା କିମ୍ବା ସେ କୌଣସି ନିର୍ବାସିତ ରାଜପୁତ୍ର ନଥିଲେ । ଜଣେ ସାଧାରଣ ମଣିଷ ଯିଏ ପାପକୁ ସ୍ୱୀକାର କରେ, ସନ୍ଦେହକୁ ଜୀବନର ସତ୍ୟ ଭାବରେ ଦେଖେ ଓ କବିତାକୁ ଜୀବନର ସବୁଠୁ ବଡ ସାମର୍ଥ୍ୟ ବୋଲି ଚିନ୍ତା କରେ, ତା’କୁ ଇତିହାସ ମୁକୁଟ ପିନ୍ଧେଇବ କି ନାହିଁ, ସେକଥା ଭାବିବାକୁ ସେ ଲୋକ ପାଖରେ ବେଳ ନାହିଁ । ଦୀନକୃଷ୍ଣ ଦାସ କେବଳ କବି- ଶତ ପ୍ରତିଶତ କବି । କବି ଆଗରେ ଠିଆ ହେବାକୁ ରଜା କିଏ ? କବି ଆଗରେ ତଥାକଥିତ ନୀତି, ନୈତିକତା, ସମାଜଶାସ୍ତ୍ର, ଶୃଙ୍ଖଳା ଓ ନିୟମବଦ୍ଧତାର କୌଣସି ମୂଲ୍ୟ ନାହିଁ । କବି ନିଜ ଲୋକତନ୍ତ୍ରରେ ନିଜ ଲୋକଙ୍କ ପାଇଁ ଏକ ସମ୍ବେଦନଶୀଳ ସମାଜ ଗଢେ । ସେ ସମାଜରେ ଜୀବନ ହେଉଛି ଏକମାତ୍ର ନିୟମ । ନିୟମ ଭାଙ୍ଗିବା ଜୀବନର ସବୁଠୁ ବଡ ନିୟମ ।
ଆଧୁନିକତା ସାହିତ୍ୟରେ ଲୋକତନ୍ତ୍ରକୁ ଅଧିକ ଗରିମାମଣ୍ଡିତ କରିଛି ବୋଲି କୁହାଯାଏ । ସେଇ ଆଧୁନିକ ସମୟରେ ଏକ ଉଦାହରଣକୁ ଦେଖାଯାଉ – ଯେଉଁ ସମୟରେ ଆମ ସମାଜର ବଡ ଅମଲାମାନେ ଆଧୁନିକ ସାହିତ୍ୟକୁ ସୃଷ୍ଟି କରୁଛନ୍ତି, ସେଇ ସମାନ ସମୟରେ ଓଡ଼ିଶାର ଗଡଜାତ ମୂଲକରେ କନ୍ଧ କବିଟିଏ କବିତାକୁ ନେଇ ଏକ ବ୍ୟାପକ ଆନ୍ଦୋଳନ ଗଢି ତୋଳୁଛନ୍ତି । ଆଧୁନିକତାର ମଙ୍ଗୁଆଳମାନେ କବିତା ଲେଖି କେଉଁ ରାଜାଙ୍କଠୁ କେତେ ପାରିତୋଷିତ ପାଇବେ, ତା’କୁ ନେଇ ଭାଳି ହେଉଥିବାବେଳେ ଭୀମ ଭୋଇ କବିତାକୁ ଅସ୍ତ୍ର ପରି ଶାଣ ଦେଉଛନ୍ତି । ତାଙ୍କ ପାଇଁ କବିତା ହେଉଛି ସମାଜର ଅବହେଳିତ ମଣିଷମାନଙ୍କର ଭାଷା । ଯେଉଁ ଭାଷାକୁ ତଥାକଥିତ ଶିଷ୍ଟ ସାହିତ୍ୟ ଅସ୍ୱୀକାର କରେ । ସେହି ଭାଷାକୁ ନେଇ କବିତା ରଚନା କରନ୍ତି ଭୀମ ଭୋଇ । ତେଣୁ ଆଧୁନିକତାର ଇତିହାସରେ ତାଙ୍କ ନାଁ ଦରଜ ହୁଏ ନାହିଁ । ସେ ଥାଆନ୍ତି ଦୂର ଅନ୍ଧାରରେ । ଇତିହାସର ଆଢୁଆଳରେ ।
ବିଦୂଷକ ଏବଂ ବିଦ୍ରୋହୀଙ୍କ ଭିତରେ ସାହିତ୍ୟ ଯୁଦ୍ଧ କ୍ଷେତ୍ର ନୁହେଁ । ଉଭୟେ ସାହିତ୍ୟରେ ନିଜ ନିଜର ସ୍ୱାକ୍ଷର ରଖି ଯାଆନ୍ତି । ସେହି ସ୍ୱାକ୍ଷରକୁ ସମୟ ଓ ସମାଜ ପ୍ରତି ନିୟତ ପରୀକ୍ଷା କରୁଥାଏ । ସମୟ ଏବଂ ସାହିତ୍ୟର ଏକମାତ୍ର ସମ୍ପର୍କ ହେଉଛି ସଂଘର୍ଷର । ସମୟ ସାହିତ୍ୟ ଉପରେ ନିୟମିତ ଆକ୍ରମଣ କରୁଥାଏ । ଏହି ଆକ୍ରମଣରୁ ଯେଉଁ ସାହିତ୍ୟ ବର୍ତ୍ତି ଯାଏ ସେଇ ସାହିତ୍ୟ କାଳଜୟୀ । କାଳର ଆକ୍ରମଣ ଆଗରେ ଯେଉଁ ସାହିତ୍ୟ କାକୁସ୍ଥ ହୋଇ ଠିଆ ହୁଏ ସେଇ ସାହିତ୍ୟ ସେଇଠି ମରିଯାଏ । ତେବେ ମରିଯାଉଥିବା ସାହିତ୍ୟକୁ ଆପଣ ଅପସାହିତ୍ୟ ବା ଅସାହିତ୍ୟ ବୋଲି କହିପାରିବେ ନାହିଁ । ସାହିତ୍ୟରେ ସେମାନଙ୍କ ପାଇଁ ମଧ୍ୟ ଜାଗା ରହିବ । ଯେଉଁମାନେ ସାହିତ୍ୟର ମହାନ୍ ଓ ବିଶିଷ୍ଟ ପରମ୍ପରା କଥା ଉଠେଇଥାଆନ୍ତି, ସେମାନଙ୍କୁ ସାହିତ୍ୟ ସ୍ୱୟଂ ଉପହାସ କରେ । କୌଣସି ମହାନ୍ ପରମ୍ପରା ସାହିତ୍ୟରେ ନଥାଏ । ସାହିତ୍ୟ ହେଉଛି ଲୋକଙ୍କ ପରମ୍ପରା, ଲୋକତନ୍ତ୍ରର ପରମ୍ପରା ।
Comments are closed.