Latest Odisha News

BREAKING NEWS

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… 

କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର ଆନନ୍ଦରେ ଭରିଉଠେ ତ କେତେବେଳେ ଅପ୍ରାପ୍ତିର କ୍ଷୋଭ । କିଛି ଗୋଟାଏ କରି ନ ପାରିବାର ଅଭାବ ବୋଧରେ ଆନ୍ଦୋଳିତ ହୁଏ।କେବେକେବେ ମନ ବାତାୟନ ଦେଇ ଅତୀତର କେତେ ଘଟଣା ଉଙ୍କିମାରି ମନକୁ ଉଦବେଳିତ କରେ : ସତରେ କଣ ମୁଁ ସେ ପରିସ୍ଥିତିରେ ଅଲଗା କିଛି କରି ପରିଥାଆନ୍ତି? ଅନେକ ବର୍ଷ ପରେ ସେଦିନ ତାକୁ ଦେଖି ଏମିତି ଏକ ସ୍ମୃତି ଉଜ୍ଜୀବିତ ହେଇଉଠିଥିଲା।

ସେଦିନ ମେଡ଼ିକାଲ କାମରେ ମୁଁ ଓ ମୋ ସ୍ୱାମୀ ଝାରସୁଗୁଡାରୁ ନିଉଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡିଗୋ ଫ୍ଲାଇଟରେ ଅନ୍ୟତମ ପରିଚାରକ ଭାବରେ ସେ ଫ୍ଲାଇଟର ସାମନାପାଖ ଦର୍ଜା ନିକଟରେ ଠିଆ ହୋଇ ଆଗନ୍ତୁକ ଯାତ୍ରୀ ମାନଙ୍କୁ ସ୍ୱାଗତ ଜଣାଉ ଥାଏ। ମୋତେ ଦେଖି ଚିହ୍ନିଲା କି ନାହିଁ କିଏ ଜାଣେ, ଔପଚାରିକ ନମସ୍କାର କଲା ଓ ଆମର ଟିକେଟ ଦେଖି ନିର୍ଦ୍ଧାରିତ ଆସନ ଆଡକୁ ନିର୍ଦେଶ କଲା। ମୋ ନିର୍ଦ୍ଧାରିତ ସିଟଟି ବ୍ୟୋମଯାନର ମଧ୍ୟ ଭାଗରେ ବାମକଡ ଝରକା ପାଖକୁ ଥାଏ। ଭିଡ଼ ଭିତରେ ବ୍ୟକ୍ତିଗତ କଥା ପଚାରିବା ପାଇଁ ସମୟ ଓ ସ୍ଥାନ ସୁବିଧା ଜନକ ନୁହେଁ ବୋଲି ଅନୁଭବ କରି ,ଯାତ୍ରା ମଧ୍ୟବର୍ତୀ ସମୟ ଅବା ଓହ୍ଲାଇଲା ବେଳେ ତା ସାଙ୍ଗେ କଥାହେବି ବୋଲି ସୁଯୋଗ ଅପେକ୍ଷାରେ ରହିଲି, ହେଲେ ତାକୁ ଦେଖିଲା ବେଳୁ ମୋ ମାନସପଟଳରେ ଅତୀତର ସେଇ ଦୃଶ୍ୟ ଗୁଡ଼ିକ ଭାସି ଉଠୁଥାଏ।

କଥାଟା ସେତେବେଳର, ଯେତେବେଳେ ମୁଁ ଗଙ୍ଗାଧର ମେହେର ମହାବିଦ୍ୟାଳୟ ପ୍ରଥମ ଛାତ୍ରୀ ନିବାସର ତତ୍ତ୍ୱାବଧାରିକା ଥାଏ । ମୋ ଘର ମହାବିଦ୍ୟାଳୟ ପଛ ପାଖରେ, ଛାତ୍ରୀ ନିବାସର ଅତି ନିକଟରେ, ବୋଧହୁଏ ସେଇଥିପାଇଁ ତତ୍କାଳୀନ ଅଧ୍ୟକ୍ଷ ରାମନାରାୟଣ ମିଶ୍ର ମୋତେ ବାଧ୍ୟକରି ଛାତ୍ରୀ ନିବାସର ଦାୟିତ୍ୱ ଦିଆ କରେଇଥିଲେ । ୧୯୭୬ -୭୮ ରାଜେନ୍ଦ୍ର ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ସ୍ନାତକ କରୁଥିବାବେଳେ ପ୍ରଫେସର ରାମ ନାରାୟଣ ମିଶ୍ର ଆମକୁ ରାଜନୀତି ବିଜ୍ଞାନ ପଢ଼ାଉଥିଲେ । ସେତେବେଳକୁ ଅବଶ୍ୟ ସେ ପ୍ରଫେସର ହେଇ ନଥିଲେ। ଶ୍ରେଣୀରେ ମାତ୍ର ଛଅ ଜଣ ଝିଅ ,ଏତତ୍ ବ୍ୟତୀତ ସେ ଏନ.ଏସ.ଏସ ଦାୟିତ୍ଵରେ ଥିବାରୁ ମୋତେ ଖୁବ ଭଲଭାବରେ ଚିହ୍ନି ଥିଲେ। ପରେ ଯେତେବେଳେ ମୁଁ ୧୯୯୯ ବେଳକୁ ବଦଳିହେଇ ଆସି ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଯୋଗଦାନ କଲି ଉଭୟ କନିଷ୍ଠ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୁଖ୍ୟ ଭାବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଥିଲେ, ଏପରିକି ଛାତ୍ରୀ ନିବାସର ଦାୟିତ୍ୱ ମଧ୍ୟ ମୋର ଘୋର ଅନିଚ୍ଛାସତ୍ତ୍ୱେ ମୋ ଉପରେ ନ୍ୟସ୍ତ କରିଥିଲେ। ପରେ ଅବଶ୍ୟ ମୋର ବଦଳି ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ହେଇଥିଲା।

ଅନେକ ବର୍ଷଧରି ସୁପେରିନଟେଣ୍ଡେଣ୍ଟ ଦାୟିତ୍ୱରେ ରହିଥବା ସମୟରେ ଅନେକ ପ୍ରକାର ପିଲାଙ୍କ ସମ୍ପର୍କରେ ଆସିଛି, ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ଓ ଅନେକ ଅପ୍ରିୟ ନିଷ୍ପତ୍ତି ମଧ୍ୟ ନେବା ପାଇଁ ପଡ଼ିଛି । ସେଥିରୁ ଏମିତି କିଛି ଘଟଣା ଅଛି ଯାହା ସହଜରେ ଭୁଲି ହେବାର ନୁହେଁ। ସେ ଭିତରେ ଏଇ ପିଲାଟି ସମ୍ପର୍କିତ ଘଟଣା ଅନ୍ୟତମ।

ଛାତ୍ରୀ ନିବାସର ଅତି ନିକଟରେ ମୋର ଘର ଥିବାରୁ କେତେବେଳେ ଛାତ୍ରୀ ତ କେତେବେଳେ ସେମାନଙ୍କର ଅଭିଭାବକ ସମସ୍ୟା ନେଇ ଅବାଧରେ ପହଞ୍ଚି ଯାଆନ୍ତି। ସେଦିନ ରବିବାର ଥାଏ। ପ୍ରାୟ ଦଶଟା ହେବ ପ୍ରାତଃକର୍ମ ସାରି ମୁଁ ବଗିଚା ଭିତରେ ଏପଟେ ସେପଟେ ହେଉଥାଏ, ଜଣେ ଅଭିଭାବକ ଆସି ପହଞ୍ଚିଲେ ଅଭିଯୋଗ ନେଇ। ମହିଳା ଜଣଙ୍କର ବୟସ ପ୍ରାୟ ଚାଳିଶି ଭିତରେ ହେବ, ସାଙ୍ଗରେ ତାଙ୍କର ଆଉ ଜଣେ ଲୋକ ବୟସ ତିରିଶରୁ ବତିଶ ଭିତରେ। ନିଜକୁ ଷଷ୍ଠ ସେମିଷ୍ଟର ସ୍ନାତକ ଶ୍ରେଣୀର ଜଣେ ଅନ୍ତେବାସିନୀଙ୍କ ମା ବୋଲି ପରିଚୟ ଦେଇ ଝିଅ ବିଷୟରେ ଅଭିଯୋଗ କଲେ ଯେ ସେ ହଷ୍ଟେଲକୁ ଯାଇଥିଲେ ହେଲେ ତାଙ୍କ ଝିଅ ହଷ୍ଟେଲ ଭିତରେ ଥାଇବି ତାଙ୍କୁ ଦେଖା କରିବାକୁ ଆସିଲା ନାହିଁ। ତାଙ୍କ ସାଙ୍ଗରେ ଯେଉଁ ପିଲାଟି ଆସିଛି ସେ ତାଙ୍କର ଭାରି ବିଶ୍ଵାସୀ। ତାଙ୍କରି ଗାଁର, ପରିବା ବ୍ୟବସାୟ କରେ। ଝିଅର ବାପା ନାହାନ୍ତି। ପିଲାଟି ତାଙ୍କୁ ସମୟ ଅସମୟରେ ସାହାଯ୍ୟ କରିଥାଏ ଏଣୁ ସେ ତାକୁ ଜୋଇଁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଝିଅ ଏବେ ତାଙ୍କ କଥାରେ ରାଜି ହେଉ ନାହିଁ କି ଘରକୁ ଯାଉ ନାହିଁ।

ହଷ୍ଟେଲକୁ ଭେଟିବାକୁ ଆସିଥିଲେ ହେଲେ ଝିଅ ବାହାରିଲା ନାହିଁ। ସେ ସମୟରେ ତାଙ୍କୁ ବୁଝେଇ ସୁଝେଇ ବିଦା କଲି,କହିଲି ,” ଦୁଇ ପକ୍ଷର କଥା ନ ଶୁଣିଲା ପର୍ଯ୍ୟନ୍ତ ମୁଁ କିଛି କହିପାରିବି ନାହିଁ । ଏବେ ତୁମେ ଘରକୁ ଯାଅ। ମୁଁ ହଷ୍ଟେଲ ଯାଇ ପ୍ରଥମେ ଝିଅ ପାଖରୁ ସବୁ ବୁଝି ପରେ ତୁମକୁ ଡକେଇବି। ତୁମ ଫୋନ ନମ୍ବର ଦେଇଯାଅ। ” ବହୁ କଷ୍ଟରେ ତାଙ୍କୁ ବିଦା କରି ମୁଁ ଯାଇ ପହଞ୍ଚିଲି ହଷ୍ଟେଲରେ। ସହକାରୀ ତତ୍ତ୍ୱାବଧାରକ ଓ ଅଫିସ ଆସିଷ୍ଟାଣ୍ଟଙ୍କୁ ବି ଏମରଜେନସିରେ ଡକେଇଲି। ସେ ଝିଅକୁ ଅଫିସକୁ ଡକାଗଲା।

ଛାତ୍ରୀ ନିବାସର ଏତେ ପିଲା ଭିତରୁ ଜଣ ଜଣ କରି ସମସ୍ତଙ୍କୁ ନାମ ନେଇ ଚିହ୍ନିବା, ଏବଂ ତାଙ୍କ ବିଷୟରେ ସବିଶେଷ ଜାଣିବା ସମ୍ଭବ ନୁହେଁ। କିନ୍ତୁ ଏ ଘଟଣାର ମାତ୍ର ପାଞ୍ଚ , ଛଅ ଦିନ ପୂର୍ବରୁ ଝିଅଟିର ଦେହ ଅତ୍ୟନ୍ତ ଖରାପ ହେବାରୁ ନିକଟସ୍ଥ ନର୍ସିଂହୋମରେ ଭର୍ତ୍ତି କରିବାକୁ ପଡିଥିଲା। ଚିକିତ୍ସା ପାଇଁ ତା ପାଖରେ ଟଙ୍କା ନ ଥିବାରୁ , ଛାତ୍ରୀ ନିବାସର ପିଲାମାନେ ନିଜ ନିଜ ଭିତରେ ଚାନ୍ଦା ସଂଗ୍ରହ କରି ତାର ଚିକିତ୍ସା ପାଇଁ ଦେଇଥିଲେ । ଛାତ୍ରୀ ନିବାସ ତରଫରୁ ବି କିଛି ଦିଆ ଯାଇଥିଲା ଓ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ କିଛି ସାହାଯ୍ୟ କରିଥିଲି। ସେତିକିବେଳେ ଜାଣିଥିଲି ଯେ ସମ୍ବଲପୁର ନିକଟସ୍ଥ ଏକ ପଲ୍ଲୀଗାଁ ର ନିହାତି ସାଧାରଣ ଆଦିବାସୀ ପରିବାରର ଝିଅଟି । ଅସୁବିଧା ହେତୁ କିଛି ମାସ ହେଲା ମେସ ଫିସ ମଧ୍ୟ ଦେଇ ପାରିନାହିଁ।

ସହକାରୀ ତତ୍ତ୍ୱ।ବଧାରକ ତଥା ଅଫିସ ଆସିଷ୍ଟାଣ୍ଟଙ୍କ ଉପସ୍ଥିତିରେ ଛାତ୍ରୀ ନିବାସର ଅଫିସ ପ୍ରକୋଷ୍ଠ ଭିତରେ ଝିଅଟିକୁ ଅନେକ ସମୟ ଧରି ପଚରା ଉଚରା କଲା ପରେ ଝିଅଟି ଯାହା କହିଲା ଆମେ କିଂକର୍ତ୍ତବ୍ୟବିମୁଢ଼ ହୋଇଗଲୁ ଓ ଧର୍ମ ସଙ୍କଟରେ ପଡିଗଲୁ।

ଝିଅର କହିବା କଥା ତାର ବାପା ନାହିଁ। ଗରିବ ହେଲେ ବି ସରକାରୀ ବୃତ୍ତି ହେତୁ ପଢ଼ିବାରେ ବି ଅସୁବିଧା ନଥିଲା , ହେଲେ ଏବେ ତା ମା ଗାଁର ସେଇ ଲୋକପାଖରୁ ଟଙ୍କା ଆଣି ତାକୁ ବହାହେବାକୁ ବାଧ୍ୟ କରୁଛି , ସେଇ ଡ଼ରରେ ସେ ଘରକୁ ମଧ୍ୟ ଯାଉ ନାହିଁ। ମା କଥାରେ ରାଜି ନହେବାରୁ ସେ ତାକୁ ଚଳିବା ପାଇଁ ବି ଟଙ୍କା ପଇସା ଦେଉନାହିଁ, ସେଥିପାଇଁ ସେ ମେସ ଫିସ ବି ଦେଇ ପାରିନାହିଁ । ସେହି ସମାନ କାରଣରୁ ତା ଦେହ ଖରାପ ବେଳେ ସେ ମାକୁ ଖବର ଦେଇ ନଥିଲା ।

ସେ ଝିଅଟି ପୁଣି ସ୍ୱୀକାର କରିଥିଲା ଯେ ସେ ତାର ଜଣେ ସହପାଠୀକୁ ଯୁକ୍ତ ଦୁଇ ଶେଣୀରୁ ଭଲ ପାଉଥିଲା ଓ ଉଭୟେ କିଛିଦିନ ଆଗରୁ ରେଜିଷ୍ଟ୍ରି ବିବାହ କରିସାରିଛନ୍ତି। ପିଲାଟି ଏବେ ଭୁବନେଶ୍ୱରରେ ବିମାନ ପରିଚାରକ ଟ୍ରେନିଂ ନେଉଛି, ଛମାସ ପରେ ସେ ନିୟମିତ ଚାକିରୀ ପାଇଲା ପରେ ଦୁହେଁ ବିବାହ କରିବାର ଯୋଜନା କରିଥିଲେ ମାତ୍ର ମାର ବ୍ୟବହାର ଦେଖି ଏ ପ୍ରକାର ଚରମ ପଦକ୍ଷେପ ନେଲେ । ସେମାନେ ଭାବିଥିଲେ ଏମିତିରେ ଛ ମାସ ପାର ହେଇଯିବ, ଝିଅ ର ବି.ଏ ପରୀକ୍ଷା ସରିଯିବ ପୁଅଟିର ଚାକିରୀ ପ୍ରାୟ ନିଶ୍ଚିତ । ତାପରେ ସେମାନେ ଘରେ ଜଣେଇବେ ।

ଝିଅର କାର୍ଯ୍ୟକଳାପରେ ସନ୍ଦେହ କରି, ତା ମା ତାକୁ ନେବାକୁ ଆସିଛି। ଝିଅ ହଷ୍ଟେଲ ଭିତରୁ ବହାରିନି ଏଣୁ ହଷ୍ଟେଲ ସାମ୍ନାରେ ମା ଓ ଭାବି ଜ୍ଵାଇଁ ପାଟିତୁଣ୍ଡ କରୁଥିଲେ, ୱାଚମେନ ଓ ମେଟ୍ରନ ଯେତେ ମନାକଲେ ମଧ୍ୟ ନ ମାନିବାରୁ ସେମାନେ ମୋ ଘରକୁ ପଠେଇ ଦେଇଥିଲେ।

ବର୍ତ୍ତମାନ ଆମ ଆଗରେ ଗମ୍ଭୀର ସମସ୍ୟା। ଝିଅ ଯଦିକୁ ହଷ୍ଟେଲରେ ରହିଥିବାକୁ ଦିଆଯାଏ ଝିଅର ମା ବାରମ୍ବାର ଆସି ହଷ୍ଟେଲ ଆଗରେ ପୂର୍ବପରି ପାଟିତୁଣ୍ଡ କରିବ, ଅନ୍ୟ ପିଲାମାନେ ହଇରାଣ ହେବେ, ହଷ୍ଟେଲର ବଦନାମ ହେବ । ଏପଟେ ପୁଅ ଝିଅ ଉଭୟେ ସାବାଳକ , ଆଇନତଃ ପତିପତ୍ନୀ। ତାଙ୍କ ଉପରେ ଆମର କିଛି କର୍ତ୍ତୃତ୍ୱ ନାହିଁ। ବର୍ତ୍ତମାନ ତାକୁ ହଷ୍ଟେଲରେ ରହିବାକୁ ଦେବା ମାନେ ଅନେକ ସମସ୍ୟାକୁ ଆମନ୍ତ୍ରଣ କରିବା, କିଛି ଦଣ୍ଡ ବିଧାନ ନ କରିବା ଅର୍ଥ ଅନ୍ୟ ଝିଅଙ୍କ ଆଗରେ ଏକ ଖରାପ ନିଦର୍ଶନ ପ୍ରସ୍ତୁତ କରିବା। ଅନେକ ବିଚାର ବିମର୍ଶ ପରେ ଠିକ କଲୁ ପ୍ରଥମେ ପୁଅଟିକୁ ଡକେଇବା।

ପିଲାକୁ ଡକା ହେଲା। ତହିଁ ଆରଦିନ ସକାଳୁ ସେ ଆସି ପହଞ୍ଚିଲା । ସୋମବାର ,ଏଗାରଟା ହେବ। କଲେଜରେ କ୍ଲାସ ଚାଲିଥାଏ। ହଷ୍ଟେଲରୁ ଫୋନ ପାଇ ଆମେ ହଷ୍ଟେଲକୁ ଗଲୁ ଓ ଦୁଇ ଜଣଯାକଙ୍କୁ ଅଫିସକୁ ଡାକିଲୁ। ପିଲାଟି ସୌମ୍ୟଦର୍ଶନ, ବରଗଡ଼ ଅଞ୍ଚଳର ଚାଷୀ ଘରର ପିଲା। ଆମେ ତାକୁ କହିଲୁ,” ଦୁହେଁ ସାବାଳକ, ତୁମ ବିବାହ ବିଷୟରେ ଆମର କିଛି କହିବାର ନାହିଁ। କିନ୍ତୁ ଏ ପରିସ୍ଥିତିରେ ଆମେ ୟାକୁ ଆଉ ହଷ୍ଟେଲରେ ରଖିପାରିବୁ ନାହିଁ। ଏବେ କଣ କରିବ? ତୁମ ଘରେ କଣ ଏ ବିବାହକୁ ଗ୍ରହଣ କରିବେ?”

ଆଗକୁ କିଛି କହିବା ପୂର୍ବରୁ ପିଲାଟି କହିଲା, ସେ ଝିଅକୁ ହଷ୍ଟେଲରୁ ନେଇଯିବ, ନିଜ ପାଖରେ ଭୁବନେଶ୍ୱରରେ ରଖିବ। ପରେ କେବଳ ପରୀକ୍ଷା ଦେବା ଲାଗି ଆସିଲା ବେଳେ ଆମେ ତାକୁ କିଛିଦିନ ହଷ୍ଟେଲରେ ରହିବା ପାଇଁ ସୁଯୋଗ ଦେବୁ।ଅରାଜି ହେବାର କିଛି ନଥିଲା।

ସେହିଦିନ ସନ୍ଧ୍ୟାରେ ସେ ଝିଅଟିକୁ ସାଙ୍ଗରେ ନେଇ ଯାଇଥିଲା । ସାରା ହଷ୍ଟେଲର ଝିଅ ତାକୁ କନ୍ୟାବିଦା କଲା ପରି ବିଦା କରଥିଲେ। ଛାଡିଯିବାକୁ ଇଚ୍ଛା ଥିଲେ ମଧ୍ୟ ଗଲିନି, ରୁମ ଭିତରେ ବସି ରହିଲି । ତାପରଠୁ ସେ ଝିଅକୁ ମୁଁ ଆଉ ଦେଖନି ଏପରିକି ପରୀକ୍ଷା ସମୟରେ ମଧ୍ୟ। ଏବେବି ମନେ ପଡ଼ିଗଲେ ବିବେକ ଦଂଶନ କରେ, “ଝିଅଟିକୁ ସେତେବେଳେ ହଷ୍ଟେଲରୁ ଛାଡି ଦେବା କ’ଣ ଠିକ ହେଲା? ଆଉ ଛମାସ ରଖି ଦେଇଥିଲେ କ’ଣ ଅସୁବିଧା ହେଇଥାନ୍ତା? ଝିଅଟିକୁ ଶାଶୁ ଘରେ ଗ୍ରହଣ କଲେ କି ନାହିଁ? ସେ ପରୀକ୍ଷା ଦେଲା କି ନାହିଁ?”

ଭାବିଥିଲି ପଚରି ବୁଝିବି ,ସେଦିନ ବି ଆଉ ସୁଯୋଗ ମିଳିଲା ନାହିଁ। ଦିଲ୍ଲୀ ବିମାନ ବନ୍ଦରରେ ପ୍ଲେନ ଅବତରଣ କରିବା ପରେ ତାକୁ ଅନେକ ଖୋଜିଲି ହେଲେ କୁଆଡେ ଉଭେଇ ଗଲା ଯେ……,ଆଜିବି ଖୋଜୁଛି ଝିଅଟି ବିଷୟରେ କିଛି ଜାଣିବା ପାଇଁ!!! ଭଗବାନଙ୍କ ନିକଟରେ ପ୍ରାର୍ଥନା ସେ ଯେଉଁଠି ବି ଅଛି ଭଲରେ ଥାଉ।

Comments are closed.