ପ୍ରଦୀପ ବିଶ୍ୱାଳଙ୍କ ସ୍ମୃତିର ଫରୁଆରୁ ……
ପୁରୁଷୋତ୍ତମ ଆଡ଼େ ବୁଲିଯାଇଥିଲି। ଡୋରି ମୋ ପାଇଙ୍କି ଲାଗିଥିଲା କି ନାହିଁ ଜାଣି ନଥିଲି ମୁଁ। କିନ୍ତୁ ଗହଳି ଭିତର ଦେଇ ସିଂହଦ୍ଵାର ମୁହାଁ ଆଡ଼େ ଚାଲିଥିଲା ବେଳେ କିଏ କେତେ କଥା କହୁଥାନ୍ତି କାନରେ ବାଜୁଥାଏ। କିଏ କହୁଥାଏ ଡୋରି ମୋର ଆଜି ଲାଗିଥିଲା ବୋଲି କାଳିଆ ଦର୍ଶନ ପାଇଁ ଆସିଛି। କିଏ ପୁଣି କହୁଥାଏ ଯାହାହେଉ ସରକାର କୋଭିଡ଼ କଟକଣା ଉଠେଇ ଦେବାରୁ ମୁଁ ଆଜି ଆସିଲି। ଆଉ ପୁଣି କିଏ କହୁଥାଏ ଠାକୁର ଦର୍ଶନ ପାଇଁ କାହିଁକି ଏତେ କଟକଣା ? ଏମିତି କେତେ କଣ ସବୁ କଥା ହେଇ ଚାଲିଥାନ୍ତି ସବୁ ଏକ ମୁହାଁ ହେଇ ସିଂହଦ୍ୱାର ଆଡ଼କୁ। ପୋଲିସ ଭାଇମାନେ ମାସ୍କ ମୁହଁରେ ନଥିଲେ ବିଗୁଡୁ ଥାଆନ୍ତି। ଆମ ଲୋକଗୁଡାକ ବି ସେମିତି। ଆରେ ବାବା ସମୟଟା ଏବେ କଣ ଆମେ ସବୁ ଭଲ ଭାବେ ଜାଣିଛେ। କେତେ ଘର ଯେ ଉଚ୍ଛନ୍ନ ହେଇଯାଇଛି ତାର ହିସାବ ନାହିଁ। ମୁଁ ବି ଚାଲିଥାଏ। ହେଲେ ଏତେ କଥାକୁ ନା ମୋର ଧ୍ୟାନ ଥାଏ, ନା ସେମିତି କିଛି କଥା ମୋ ମୁଣ୍ଡରେ ପଶୁଥାଏ। ଗୋଟିଏ କଥା ମନରେ ଥାଏ। ଆସିଛି ପ୍ରଭୁଙ୍କୁ ମୋର ଦେଖାକରି ପୁଣି ଫେରିଯିବି। ସିଆଡେ ହଜାରେ କାମ। କାମ ନକଲେ ଚଳିବି କେମିତି। ବାସ୍ ସଅଳ ସଅଳ କାଳିଆ ସାଆନ୍ତଙ୍କ ଆଖିରେ ଆଖି ମିଳେଇ ଦେଇ ଘରକୁ ଫେରିବି। ସିଂହଦ୍ଵାର ପାଖେ ପହଞ୍ଚିଲା ବେଳକୁ ଦେଖିଲି ମିଡ଼ିଆ ଭାଇମାନେ ଭକ୍ତଙ୍କୁ ପଚାରୁଛନ୍ତି କି, ସରକାର କୋଭିଡି କଟକଣା ଉଠେଇ ଦେଇଛନ୍ତି। ଆଜିଠାରୁ ସବୁ ଭକ୍ତ ଠାକୁରଙ୍କୁ ମୁକ୍ତ ଦର୍ଶନ କରିପାରିବେ। କେତେ ଖୁସି ଆଜି ଆପଣ? ଗଦଗଦ ହେଇ ଭକ୍ତ ଜଣକ କହୁଥାଏ ବହୁତ୍ ବହୁତ୍ ଖୁସି ମୁଁ। ବଡ ଠାକୁରଙ୍କୁ ମୁଁ ଆଜି ମୋର ଚର୍ମ ଚକ୍ଷୁରେ ଦେଖିବି। ଆଉ କିଏ କହୁଥାଏ କି ମୁଁ ବଡ଼ ଭାଗ୍ୟବାନ କି ପ୍ରଭୁଙ୍କୁ ମୁକ୍ତ ଦର୍ଶନ କରିବାର ସୌଭାଗ୍ୟ ମୁଁ ଆଜି ପାଇପାରିଲି। ଅନେକ ଭକ୍ତଙ୍କ ଭିତରେ ମୁଁ ବି ଥିଲି ସେଇ ବଡ଼ ଦାଣ୍ଡରେ। ଅସମ୍ଭବ ଭିଡ଼। ଏତେ ଭିଡ଼ ଥିଲା ଯେ ତିନିରୁ ଚାରି ଘଣ୍ଟା ପାଖାପାଖି ଲାଗିଥିଲା ବେଢ଼ା ଭିତରେ ପଶିବାକୁ। ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଶଦ୍ଦରେ ପ୍ରକମ୍ପିତ ଚଉବେଢା। ଭକ୍ତଙ୍କର ଆବେଗପୂର୍ଣ୍ଣ ଚିତ୍କାର । ହେ ବଳିଆରଭୂଜ ଚକାନୟନ ନୀଳଚକ୍ରଧାରୀ ସଙ୍କଟ ମୋଚନ ହରି ଜଗତରନାଥ ଶ୍ରୀଜଗନ୍ନାଥ ରକ୍ଷାକର ଆଜି ତୋର ସୃଷ୍ଟିକୁ। ତୋର ସୃଷ୍ଟି ଆଜି ସଙ୍କଟ ଭିତରେ। କିଏ କାନ୍ଦିକି ତ କିଏ ହାତଟେକି ଆଉ କିଏ ପୁଣି ଗରୁଡ଼ଖୁମ୍ବକୁ ଜାବୁଡ଼ି ଧରି , ପୁଣି କିଏ ବାଇଶି ପାହାଚରେ ଗଡ଼ିଗଡ଼ି ପ୍ରଭୁଙ୍କୁ ଡାକି ଚାଲିଥାଏ। ସତରେ ବିରଳ ଏ ଦୃଶ୍ୟ। ଯେତେ ଆସିଲେ ବି ସବୁବେଳେ ଲାଗେ ଯେମିତି ମୁଁ ନୂଆ ଆସିଛି। ମର୍ତ୍ତ୍ୟର ବୈକୁଣ୍ଠ।
ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବୁ ତୁ କି କାରଣେ। ମୋର ଆଜ୍ଞା ଗୋଟିଏ ଠାକୁର ବଡ଼ଠାକୁର। ନା ମୁଁ ଆଉ କୁଆଡେ଼ ଯାଏ, ନା କାହାକୁ ଡାକେ। ବାସ୍ ସିଏ ମୋର ଆଦି, ଆଉ ସିଏ ବି ମୋର ଅନ୍ତ। ଅନନ୍ତ ବ୍ରହ୍ମ ସେ ଯେ ବ୍ରହ୍ମାଣ୍ଡ ଠାକୁର। ଛୁଆଟି ବେଳୁ ବାସ ତାକୁ ହିଁ ଦେଖି ଆସୁଛି। ଦର୍ଶନ କରି ଉତ୍ତର ଦ୍ୱାର ପଟେ ବାହାରକୁ ବାହାରିଲି। ପ୍ରସାଦ ପାଇବାକୁ ବହୁତ୍ ଇଚ୍ଛା ଥିଲେ ବି, ଭୋଗ ବାହାରିବାରେ ବିଳମ୍ବ ଆଉ ଏପଟେ ମୁଁ ମଧୁମେହ ରୋଗୀ ପୁଣି ଘରୁ ତର ତର ହୋଇ ବାହାରି ଥିବାରୁ ଔଷଧ ବି ଖାଇ ପାରିନଥିଲି, ଏମିତି ତ ଖାଇବା ବେଳ ଗଡ଼ି ଯାଇଥିଲା, ତେବେ ବେଶି ଡେରି ହେଲେ କାଳେ କଣ ଅସୁବିଧା ହେବ ଆଶଙ୍କାରେ ବଡ଼ ଦାଣ୍ଡ ଗ୍ରାଣ୍ଡ ହୋଟେଲରେ ଖାଇ ନେଇଥିଲି। ଭାବୁଥିବେ ଲୋକଟାର ବଞ୍ଚିବା ପାଇଁ ବହୁତ ଲୋଭ। ନାଇଁ ଆଜ୍ଞା ସେମତି ଭୟଫୟ କଥା କିଛି ନାହିଁ। ମରିବା ଯୋଗ ଥିଲେ କିଏ କଣ କାହାକୁ ରଖି ଦବ? ଗୋଟିଏ କଥା ସତ୍ୟ। ମୃତ୍ୟୁ, ଯାହାର ଆଦି ଅନ୍ତ କେହି ଜାଣନ୍ତିନି। କିନ୍ତୁ ବଞ୍ଚିଥିବା ପର୍ଯ୍ୟନ୍ତ ଲୋଭ ରହିବ। ସିଏ ମଣିଷ ହଉ ଅବା ଋଷି ମୁନି ରାଜା ମହାରାଜା ପଶୁ ଜୀବ ଜନ୍ତୁ ଯିଏ ହଉନା କାହିଁକି, ଜୀବନ ପ୍ରତି ଲୋଭ ରହିବା ସ୍ଵାଭାବିକ।
ହୋଟେଲରେ ଗଣ୍ଡେ ଖାଇ ଦେଇ, ବଡ଼ ଦାଣ୍ଡରେ ଚାଲି ଚାଲି ଫେରୁଥିବା ବେଳେ ଭାବୁଥାଏ… ଭାବୁ ଭାବୁ ଆଜ୍ଞା ଫେରି ଚାଲିଲି ପଛକୁ ଆଉ ପଛକୁ। ଦିନ ମାସ ବର୍ଷ କି ଇତିହାସ ନୁହଁ। ଟାଣି ହେଇଗଲି ପୁରାଣ ଯୁଗକୁ। ଯୁଗର ଆରମ୍ଭ। ସତ୍ୟ ତ୍ରେତୟା ଦ୍ଵାପରର ସ୍ମୃତିକୁ। ମନର ଦର୍ପଣ ରେ ସବୁ ଯେମିତି ପ୍ରତିଫଳିତ ହେଇ ଚାଲିଲା। ଭଗବାନଙ୍କର ମର୍ତ୍ତ୍ୟଲୋକକୁ ଆଗମନର କଥା। ଆଶ୍ଚର୍ଯ୍ୟ। ଆଜି ମଣିଷ କହୁଛି କରୋନା ଆସି ସବୁ ଛାରଖାର କରିଦେଇ ଗଲା। ମଣିଷର ଜୀବନକୁ ବିପର୍ଯ୍ୟସ୍ତ କରିଦେଲା। ମନ୍ଦିର ବନ୍ଦ ହୋଇଗଲା। ଠାକୁର କିଛି ବି କରିପାରିଲେନି। ସରକାର ପ୍ରଶାସନ ବିଜ୍ଞାନୀ ଭେଷଜ ବିଜ୍ଞାନୀ ଗୁଣୀ ଜ୍ଞାନୀ ମହାମାରୀ କୁ ପ୍ରତିହତ କରି ଯିଏ ଯେଉଁ ବାଟରେ ବାଃ ବାଃ ନେଇଚାଲିଲେ। ହେଲେ ସତ୍ୟ ତ୍ରେତୟା ଦ୍ଵାପରରେ ବି ମଣିଷ ପ୍ରତି କରୋନାଠାରୁ ଆହୁରି ଭୟଙ୍କର ସଙ୍କଟ ଦେଖା ଦେଇଥିଲା, ଏହାକୁ ଆମେ କେବହେଲେ ଅସ୍ୱୀକାର କରିପାରିବାନି। ହଁ ଆଜି କରୋନା ଅଦୃଶ୍ୟ ସେଇ ଅସୁର ରୂପରେ ଆସି ଦାଉ ସାଧୁଛି। ସେତେବେଳେ ତ ରାକ୍ଷସ ଆଉ ଅସୁର ମଣିଷ ରୁପରେ ଉଭା ହୋଇ ମଣିଷର ସମାଜକୁ ଧ୍ବସ୍ତ ବିଧ୍ବସ୍ତ କରିଦେଉଥିଲେ। ଆଉ ସେମାନଙ୍କୁ ବିନାଶ କରି ସୃଷ୍ଟିକୁ ରକ୍ଷା କରିବାପାଇଁ ସ୍ଵଂୟ ନାରାୟଣଙ୍କୁ ବାରମ୍ବାର ମର୍ତ୍ତ୍ୟ ଲୋକରେ ଅବତାର ନବାକୁ ପଡୁଥିଲା। ସଙ୍କଟମୋଚନ କରି ସେ ସବୁଦିନ ପାଇଁ ସଙ୍କଟମୋଚନ ହରି। ସେତେବେଳେ କରୋନା ରାକ୍ଷସ ଅସୁର ଦେହାଧାରୀ ମଣିଷ ରୂପରେ ଆସୁଥିଲେ। ଆଉ ସ୍ଵଂୟ ନାରାୟଣ ସଶରିରେ ଅବତାର ନେଇ ତାଙ୍କୁ ବିନାଶ କରି ଜଗତକୁ ଉଦ୍ଧାର କରୁଥିଲେ। ଆଜି ସତ୍ୟ ତ୍ରେତୟା ଦ୍ଵାପର ପରି ସେକାଳର ମଣିଷ ରୂପୀ ରାକ୍ଷସ ଅସୁର ଆଜି କରୋନାର ରୂପ ନେଇ ଅଦୃଶ୍ୟ ଅସୁର ରୂପରେ ଜଗତକୁ ବିନାଶ କରିବାକୁ ଆମ ବିଜ୍ଞାନ ଯୁଗରେ ଉଭା ହୋଇଥିଲା। ଆଉ ଅଦୃଶ୍ୟ ଅସୁରକୁ ଆଜି ପରାହତ କରିଛନ୍ତି ଆମ ଅଦୃଶ୍ୟ ଠାକୁର ପ୍ରଭୂ ସଙ୍କଟ ମୋଚନହାରି ପ୍ରଭୂ ଶ୍ରୀ ଶ୍ରୀ ଜଗତର ନାଥ ଶ୍ରୀଜଗନ୍ନାଥ। ସେ ଯୁଗରେ ସଙ୍କଟ ଥିଲା, ଆଉ ଆଜି ର ଯୁଗରେ ବି ସେଇ ସଙ୍କଟ ଅଛି। ଭଗବାନ ସେ ଯୁଗରେ ଅବତାର ନେଇ ସଙ୍କଟ ମୋଚନ କରୁଥିଲେ ଆଉ ଆଜି ବି କରୁଛନ୍ତି। ସେ ସୃଷ୍ଟି କରିଛନ୍ତି ଆଉ ତାଙ୍କ ସୃଷ୍ଟି କୁ ସେ ଉଦ୍ଧାର କରୁଛନ୍ତି। ସୃଷ୍ଟିର ସନ୍ତୁଳନ ରକ୍ଷା କରିବା ପାଇଁ ଯୁଗ ଯୁଗ ଧରି ପ୍ରଚଳିତ ହେଇ ଆସୁଥିବା ଏହା କେବଳ ଗୋଟିଏ ପ୍ରକ୍ରିୟା ମାତ୍ର। ଅସୁର ଆସିବେ। ସୃଷ୍ଟି ଯେତେପର୍ଯ୍ୟନ୍ତ ରହିଥିବ, ବିଧ୍ୱଂଶକାରୀ ମଣିଷ ସେମିତି ଜନ୍ମ ନେଉଥିବ ଆଉ ଭଗବାନ ସେମିତି ଅବତାର ନେଉଥିବେ। କିନ୍ତୁ କେଉଁ ଯୁଗର କୋଉ ରୂପରେ ଆସିବେ ତାହା କେବଳ ସମୟ କହିବ।
ଆଉ ଆମେ ମଣିଷ କହୁଛେ କି ଆମେ ସବୁ….. ହଠାତ୍ “ଆରେ କୁଆଡେ଼ ଦୌଡୁଛ ଟିକେ ଧିରେ ଚାଲୁନ। ଆମ ଗାଡ଼ି ପରା ଏଠି । ତମେ ସିଆଡେ କୁଆଡେ଼ ଯାଉଛ” ଡାକରେ ମୋର ସ୍ମୃତି ପୁଣି ଫେରି ଆସିଥିଲା ଆମ ବିଜ୍ଞାନ ଯୁଗକୁ ହା ହା ହା ହା ହା ଖାଲି ହାଲକା ହସୁଟିଏ ହସି ଦେଇ କହିଲି ଆରେ ନାଇଁ ଆସ ଟିକେ ଚା’ ପିଇ ଦେଇ ଆମେ ବାହାରିଯିବା। ବୁଝିଲ ତମେ ତ ପାଗଳ ଆଉ ଭଲ ଲୋକକୁ ବି ପାଗଳ କରିଦବ.. ଗୋଟେ ଜୋର୍ ଖୋଲା ହସ ହସି ଦେଲି ଚା’ ବାଲାଟି ଆବାକାବା କରି ଚାହିବାକୁ ଏପଟେ ହାତରେ ମୋର ଜୋର ଚିମୁଡ଼ା ଯନ୍ତ୍ରଣା.. ସବୁ ଚୁପ୍… ବାସ୍ ଖାଲି ଭାବୁଥାଏ ମୁଁ ମଣିଷ କେଡ଼େ ସ୍ୱାର୍ଥପର ସତରେ…. ବିଜ୍ଞାନ ଯୁଗକୁ କଣ ପାଇଁ ଫେରିଲି
ଜୟ ଜଗନ୍ନାଥ
ପ୍ରଦୀପ୍ ବିଶ୍ଵାଳ
Comments are closed.