Latest Odisha News

ବିଲେଇ ଖାଇଗଲେ ମୁରୁଜ

ଅନସୂୟା ପଣ୍ଡାଙ୍କ ସ୍ମୃତିର ଫରୁଆରୁ …… 

ସମୟ ଅପରାହ୍ନ ସାଢେ ତିନିଟା ହେବ l ଅନ୍ୟ ଦିନ ପରି ମୁଁ କେଉଁ ଇଂରାଜୀ ମୋଟି ଭେଶନାଲ ବହି ପଢି କି ହିନ୍ଦୀ ଚଳଚ୍ଚିତ୍ର ଦେଖିବାରେ ବ୍ୟସ୍ତ ନରହି, ଶୀତ ଦିନର ଝାପସା ଖରାକୁ ସରିଯିବା ଆଗରୁ ବାଲକୋନୀରେ ଠିଆ ହୋଇ ନିଜ ଭିତରେ ସାଉଁଟୁ ସାଉଁଟୁ ମଣ୍ଟେବ୍ରେ ପାହାଡ , ତା’ ତଳେ ଖରା ପଡି ଚିକ ଚିକ କରୁଥିବା ଲୁଗାନୋ ଲେକର ପାଣିକୁ ଅନେଇ ରହିଥିଲି l

ନଭେମ୍ବରର ଶେଷ ସପ୍ତାହ l ଶରତ ତା ଆଗମନର ପ୍ରଚାର ପତ୍ର ଅନେକ ଦିନରୁ ସବୁଠି ବାଣ୍ଟି ସାରିଥାଏ l ସୁଇଜରଲାଣ୍ଡର ଲୁଗାନୋ ସ୍ଥିତ ମଣ୍ଟେବ୍ରେ ପାହାଡ ରଙ୍ଗବେରଙ୍ଗୀ ପତ୍ରର ଶାଢ଼ୀ ପିନ୍ଧି ଉଦ୍ଦାମରେ ଏବବି ଠିଆ ହୋଇଛି ଲ

କମଳା ରଙ୍ଗର ଅଟମନ ଲିଫ, କିଛି ଗଛ ହଳଦିଆପତ୍ର , ଆଉକିଛି ବୃକ୍ଷ ସବୁଜ ରଙ୍ଗର ପତ୍ରରେ ନିଜକୁ ଆଉକିଛି ଦିନ ପାଇଁ ସଜେଇ ହୋଇ ନିଜକୁ କେବଳ ପ୍ରଦର୍ଶିତ କରୁନଥାନ୍ତି ବରଂ ପତ୍ର ଛଡା ଦେଇଥିବା ଗଛଙ୍କୁ ଖତେଇ ହୋଇ କହୁଥାନ୍ତି ଦେଖ ମୋ ପାଖରେ କେତେ ରଙ୍ଗ ବେରଙ୍ଗୀର ଶାଢ଼ୀ ଅଛି ଯାହା ତମ ପାଖରେ ଏବେ ନାହିଁ !

ବରଫର ଧଳା ଶାଢ଼ୀ ପିନ୍ଧି ଶୀତ ଥୁରୁ ଥୁରୁ ହୋଇ ତାର ଅସ୍ତିତ୍ୱ ଠାଏ ଠାଏ ଜାହିର କରି ସାରିଲାଣି l ସୂର୍ଯ୍ୟ ମୁହଁ ଲୁଚେଇ ଲୁଚି ଯିବା ପୂର୍ବରୁ ମଣ୍ଟେବ୍ରେ ଉପରେ ନିଜର ଶେଷ କିରଣ ବିଛାଡି ଦେଇଥାନ୍ତି! ଖୁବ ଅପୂର୍ବ ଥିଲା ସେ ଦୃଶ୍ୟ l ଦଶ ହାତ ଛଡାରେ ଥିଲା ଭାଓଲିନ ପ୍ରଶିକ୍ଷଣ କେନ୍ଦ୍ର! କେତେ ଜଣ ଶିକ୍ଷ୍ୟାର୍ଥୀ ପିଠି ପଟେ ଭାଓଲିନ ପକେଇ ସେଇ ରାସ୍ତା ଦେଇ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବା ଦେଖି ନିଜକୁ ସେଇ ରୂପରେ ଦେଖିବାର ଲାଳଶା ଉଜ୍ଜୀବିତ ହେବାରେ ଲାଗିଥାଏ ! ସେଠୁ ଭାସି ଆସୁଥିବା ସଙ୍ଗୀତର ସୁଲଳିତ ସ୍ୱର, ଡ଼ିଡ଼ିଏଲଜେ ହିନ୍ଦୀ ଚଳଚିତ୍ରର ବ୍ରିଜ ଉପରେ ନାୟକ ଶାହାରୁକ ଖାନ ବଜାଉଥିବା ଭାଓଲିନର ଧୂନ ପରି ରୋମାଞ୍ଚ ଭରିଦେଉଥିଲା l

ମନ ସ୍ୱତଃ ପ୍ରିୟବରଙ୍କୁ ଲୋଡୁଥିଲା l ହେଲେ ସନ୍ଧ୍ୟା ସତ ପୂର୍ବରୁ ତାଙ୍କ ଦ୍ଵିତୀୟ ପତ୍ନୀ ଅଫିସ, ତାଙ୍କୁ ଛାଡେନି କି, ସେ ଅଫିସ ଛାଡ଼ନ୍ତି ଜାଣେନି l ଆସିବା ପରେ ତୁରନ୍ତ ସ୍କାଇପରେ ତାଙ୍କ ଘର ସହ ଘଣ୍ଟା ଘଣ୍ଟା କଥାର ଲମ୍ବା ଖିଅ ଯୋଡା ହୋଇଯାଏ! ମଣିଷ କ’ଣ ମଣିଷକୁ ସୁଖ ଦେଇପାରେ, ଏଇ ସୂତ୍ର ଘୋଷି ଆମର ନୂଆ ବାହାଘର ହେଲେବି ନିଜ ସହ ନିଜେ ଖୁସି ରହିବାକୁ ମନକୁ ତାଲିମ ଦେବା ଆରମ୍ଭ କରିଥାଏ !

ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା ହୋଇଯିବ l ଶୀତ ସହ ସନ୍ଧ୍ୟା ବି ଏଠି ଜଲଦି ଆସେ! ଆଉ ସନ୍ଧ୍ୟା ଗଡ଼ିଯିବା ପୂର୍ବରୁ ଦୀପ ଦେବାକୁ ମୁଁ ନିଜଭିତରେ ପ୍ରସ୍ତୁତ ହେଉଥିଲି l ମାର୍ଗଶିର ମାସର ପ୍ରଥମ ଗୁରୁବାର, ଅବଶ୍ୟ ପ୍ରଥମାଷ୍ଟମୀ ଯାଇନଥିଲା, ଅନାଗି ପାଳି ହେଲେ କୋଉ ମାଣ ବସୁଛିଯେ, ନାଗି, ଅନାଗି ଖୋଜା ପଡୁଛି !

ଦେଶ ହେଉ କି ବିଦେଶ ହେଉ, ଓଡ଼ିଆଣୀ ଯେଉଁଠି ରହିଲେ ଘର ଓଳା, ପୋଛା, ଝୋଟି ଚିତା, ମାଣ ଧାନ ପୂଜାର ବିଶେଷ ଦିନ ମଗୁଶିର ମାସର ଗୁରୁବାର ସବୁ ଭୁଲେନି! ବୋଧେ ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆମ ଜାତିର ମହୁଡ଼ ମଣି, ସଂସ୍କୃତିର ପୁରୋଧା, ଆମ ଓଡ଼ିଆ ଘରର କର୍ତ୍ତା, କର୍ତ୍ତୀ l ତେଣୁ ତାଙ୍କୁ ଛାଡ଼ି ଆମ ସ୍ଥିତି କାହିଁ l

ଘର ଓଳା ପୋଛା ବୁଧବାର ଦିନରୁ ଦିନରୁ କରିଦେଇଥିଲି l ନୂଆ କରି ଦୁହେଁ ବାହାଘରର ଏଗାର ମାସ ପରେ ଏକାଠି ହୋଇଥାଉ, ଚାଉଳ ବାଟିବାକୁ ଗ୍ରାଇଣ୍ଡର ନଥାଏ l

ସରୋଜ ସେଠି ପାଞ୍ଚ ବର୍ଷ ହେଲା ରହିଥିଲେବି, ତେଲି ଘରେ ବଦଳ ବଢିଲା ପରି, ରୋଷେଇ, ଘରକରଣା ଏସବୁଥିରୁ ସେ ଅନେକ ଦୂରରେ l ତାପରେ ସେଠି ସୁପର ମାର୍କେଟରେ ସୁଜି ନୁହେଁ ମକା ତିଆରି ସିମୋଲିନା ମିଳେ l ସବୁକାମ ସରିବା ପରେ ରାତି ଦଶଟା ବେଳକୁ ବାହାରେ ସେଇ ସିମୋଲିନାରେ ମୁରୁଜ ପକେଇଲି! ମସୃଣ ନୁହେଁ ବୋଲି ଭଲ ପକେଇ ହେଉନଥିଲା ସେଥିରେ, ତାପରେ ଡର ଲାଗୁଥିଲା ଏକୁଟିଆ ରାତିରେ କବାଟ ଖୋଲି ପକେଇବା ବେଳେ, ବେଳେ ବେଳେ ଡାକୁଥିଲି ତାଙ୍କୁ ହେଲେ ଖଟରେ ଖାଇ ମଠରେ ଶୋଇବା ଲୋକର ନିଘା ନିଜ ଉପରେ ଯେତେବେଳେ ନ ଥାଏ ଅନ୍ୟ କେଉଁଠି ରହିବ କେମତି ! ସେ ଶୋଇ ପଡ଼ିଥିଲେ ବୋଧେ !

ସେ ଯାହା ହେଉ କୌଣସି ମତେ ମା, କମଳିନୀଙ୍କ ନିଟୋଳ ପାଦ,ଲକ୍ଷ୍ମୀ ପାଦ, ତାଙ୍କ ପ୍ରିୟ ପଦ୍ମ ଫୁଲ ଆଉ ଏରୁଣ୍ଡି ଉପରେ ଚିତା ପକେଇ ଗୋଟେ ପରିତୃପ୍ତିରେ ଶୋଇବାକୁ ଗଲି, ସକାଳୁ ଗାଧୋଇ ସାରି ସିନ୍ଦୁର ଟୋପା, ଗୋଲାପ ଫୁଲ ଟିଏ (ସେଠି ମଣ୍ଡା ଫୁଲ ମିଳେନି ) ଲକ୍ଷ୍ମୀ ପାଦ ଉପରେ ରଖିବାକୁ ଗଲା ବେଳେ ଦେଖିଲି ଚିତା ପୁରା ଶୂନ୍ୟ ! ଆକୁଳ ହୋଇ ସରୋଜଙ୍କୁ ଡାକି ଦେଖାଇଲି! ହେଲେ ଚିତା ସବୁ ଗଲା କୁଆଡେ! ସେ ବି ନିରୁତ୍ତର! କଣ ରାତିକ ଭିତରେ ଏତେ ଗୁଡ଼ାଏ ମୁରୁଜ କ’ଣ ସବୁ ପିମ୍ପୁଡି ମୂଳପୁଛ କରି ଖାଇଗଲେ! କ’ଣ ହେଲା! କଣ ହେଲା ! ଗୁଡ଼ାଏ ଘାଣ୍ଟି ହେଲି, ହେଲେ କିଛି ଉତ୍ତର ନଥିଲା l ପୁଣି ଲକ୍ଷ୍ମୀପାଦ, ପଦ୍ମ ଫୁଲ ବାହାରେ ପକେଇ ମୁଁ ପୂଜା କଲି, ହେଲେ ମୁରୁଜ ଶୂନ୍ୟ ହେଇ ଯିବାର ରହସ୍ୟ ଭେଦି ପାରିନଥିଲି !

ଧୂପ ଦେବାକୁ ଯିବାକୁ ବାହାରୁଛି ତ ବାହାରେ କଲିଂ ବେଲର ଶବ୍ଦ ଆନମନା କଲା ! ଆରେ କଥା କଣ! ଆଜି କ’ଣ ସତରେ ସରୋଜ ଏତେ ଶୀଘ୍ର ଘରକୁ ଫେରି ଆସିଲେ? ଖୁସିରେ ଅଧିର ହୋଇ କବାଟ ଖୋଲିବାକୁ ଯାଉଛିତ ମନେ ପଡିଲା ସେ କହିଥଲେ ଏକୁଟିଆ ଥିବାବେଳେ ପିପି ହୋଲରେ ନଦେଖି କହାକୁ କବାଟ ଖୋଲିବନି! ଦେଖିଲା ବେଳକୁ ସେ ନୁହଁନ୍ତି, ଅନ୍ୟ କିଏ ! ପୁରୁଷ ପରି ଦୃଶ୍ୟମାନ, ଏକ ବିଶାଳ କାୟ ମହିଳା ! ଡର ଲାଗୁଥିଲା, ହେଲେ ଟିକେ ନିରେଖି ଦେଖିଲା ପରେ ପିପି ହୋଲ ର ଲେନ୍ସରେ ଚଟକା ପରି ଦିଶୁଥିବା ମୁହଁ ଏବେ ମିସ ମାରିଆ ବୋଲି ଜାଣିଲି l ସେ ଇଟାଲୀଆନ, ଆମେ ରହୁଥିବା ଆପାର୍ଟମେଣ୍ଟରର ଆଡମିନ ବୋଲି ଜାଣିଥିଲି l ଆମରି ଫ୍ଲୋରରେ ରୁହନ୍ତି , ଆଗରୁ ଜାଣିଥିଲି, ତେଣୁ ଭୟ ଲାଗିଲେବି କବାଟ ଖୋଲିଲି l

ମିସ ମାରିଆ, ଖୁବ ଗୋରା, ଆବଶ୍ୟକତା ଅପେକ୍ଷା ଖୁବ ପୃଥୁଳ l ଜିନ୍ସ ଟପ ପିନ୍ଧିଲେବି, କିଛି ଗୋଟେ ଗୁଡେଇ ହେଲା ପରି ଜଣା ଯାଉଥିଲା l ବେଳେ ବେଳେ ଆଣ୍ଠୁ ତଳ ଯାଏ ପଡ଼ିଥିବା ଫ୍ରକ ପିନ୍ଧନ୍ତି l

ଅନବରତ ତାଙ୍କ ଗୋଡ଼ରେ ଘଷି ହେଉଥିବା ତାଙ୍କର ଚାରୋଟି ଧଳା, ପାଉଁଶିଆ ରଙ୍ଗର ପୃଥୁଳ କାୟ ବିଲେଇ ଓ ଗୋଟେ କଳା ବିଲେଇ ତାଙ୍କ କୋଳରେ ଧରି ମୋତେ ବୋଉନଜିଓର୍ନୋ (ଗୁଡ଼ ଡେ) କହି ଅଭିବାଦନ କଲେ ମିସ ମାରିଆ l ଅପରାହ୍ନରେ ବୋଉନ ସେରା(ଗୁଡ଼ ଇଭିନିଙ୍ଗ ) ନକହି,ବୋଉନଜିଓର୍ନୋ ( ଗୁଡ଼ ଡେ), କି ବୋଉନ ସେରା( ଗୁଡ଼ ଇଭିନିଙ୍ଗ) କହିବାକୁ ସ୍ଥାନୀୟ ଇଟାଲିଆନ ମାନେ ଭଲପାଆନ୍ତି l ମୁଁ ବି ଗୁଗୁଲରୁ ପ୍ରାରମ୍ଭିକ ଇଟାଲିଆନ ଶିଖି ପ୍ରତିଉତ୍ତର ଦେବା ଜାଣିଥାଏ l ତାପରେ ସେ ଇଟାଲୀରେ କହିଲେ ନୋ ମି ତେରଲୋ କୁଇ ( ଡୋଣ୍ଟ ପୁଟ ହିଅର ) l ଗ୍ୟାତି କେ ମାରଯୋନୋ ( କ୍ୟାଟସ ଆର ଇଟିଙ୍ଗ ) l

ମୁଁ ବୋକାଙ୍କ ପରି ତାଙ୍କ ମୁହଁକୁ ଅନେଇ ରହିବାରୁ, ସେ, ମୁଁ ସକାଳେ ପକେଉଥିବା ମୁରୁଜ ତାଙ୍କ ବିଲେଇ ଖାଇଯାଉଥିବା ଦେଖି ଠାରରେ ବୁଝେଇ ଦେଲେ ଏଠି ମୁରୁଜ ନ ପକାଇବାକୁ l ବିଲେଇ ଖାଇଲେ ତାଙ୍କ ଦେହ ଖରାପ ହେବ! ମୁଁ ବୁଝିଗଲି ଗତ ରାତିର ମୁରୁଜ ଗୁଡିକ କେଉଁଆଡେ ଯାଇଥିଲା l

କାର୍ଡଗୁଡ଼ି, ବାଙ୍ଗାଲୋର 

Comments are closed.