Latest Odisha News

BREAKING NEWS

ବ୍ୟଙ୍ଗ : ପ୍ରକାଶକ ମହୋଦୟଙ୍କ ସହ କିଛି ସମୟ

କିଛିଦିନ ତଳେ ମୋର କିଛି ଲେଖାକୁ ନେଇ ଜଣେ ପ୍ରକାଶକଙ୍କ ପାଖକୁ ଯାଇଥିଲି । ଜଣେ ବନ୍ଧୁଙ୍କ ସୁପାରିଶ କ୍ରମେ ନିର୍ଦ୍ଧାରିତ ସମୟରେ ଦେଖାକରିବାକୁ ଯାଇ ତାଙ୍କ ପ୍ରକାଶନ ସଂସ୍ଥାରେ ପହଞ୍ଚିଲି। ଯଦିଓ ମୋର ଲେଖା ଆଗରୁ କିଛି ଜାଗାରେ ପ୍ରକାଶିତ ହୋଇଛି, ତଥାପି ଭାବିଲି ଯଦି ଯେନ ତେନ ପ୍ରକାରରେ ଲେଖାସବୁ ଗୋଟେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଯା’ନ୍ତା ତେବେ ଲେଖକ ହିସାବରେ ସ୍ୱୀକୃତିଟିଏ ମିଳିଯାଆନ୍ତା !

କଥା ଅନୁସାରେ ବନ୍ଧୁ ଆଗୁଆ ଫୋନ କରି ପ୍ରକାଶକଙ୍କ ସହ ମୋ ବିଷୟରେ କଥା ହୋଇସାରିଥାନ୍ତି । ମୁଁ ପହଞ୍ଚି ପରିଚୟ ଦେବାମାତ୍ରେ ବସିବା ପାଇଁ କହି କଥା ଆରମ୍ଭ କଲେ, “ଆପଣ କ’ଣ ସବୁ ଲେଖୁଛନ୍ତି । କବିତା, ଆଲୋଚନା,ଉପନ୍ୟାସ ନା ଗପ ?”

ମୁଁ କହିଲି ,”ଅଜ୍ଞା କିଛି ଲଘୁକଥା ।”

ଓଃ ! ଗପ ଲେଖୁଛ ?

ନାହିଁ ଛୋଟ ଛୋଟ ବ୍ୟଙ୍ଗ, ସାମ୍ପ୍ରତିକ କିଛି କଥାବସ୍ତୁକୁ ନେଇ କଟାକ୍ଷ ତଥା କିଛି ଅନୁଭୂତିମୂଳକ ଲେଖା।

ହଁ ସେଇ କଥା ତ କହୁଥିଲି । ତୁମର ଶବ୍ଦ ଜ୍ଞାନ ବହୁତ କମ ଲାଗୁଛି ।

ହଠାତ ଆପଣରୁ ତୁମେକୁ ଆସିବା ଦ୍ୱାରା ଏ ଲେଖକର ଆତ୍ମସମ୍ମାନକୁ ବାଧିଲେ ବି ଏକ ବୃହତ ସ୍ୱାର୍ଥ ପାଇଁ ଚୁପ ରହିଲି ।

“ହଁ ଆଜ୍ଞା ଏମିତି କିଛି ଲେଖା ଲେଖି କରିଦେଉଛି । ”

ନିଜର ଲେଖା ଉପରେ ବହୁତ କିଛି ବିଶ୍ଳେଷଣ ଦେବା ହଠାତ ଉଚିତ ମନେକଲିନି ।

ଯଦି ଗପ ଫପ କିଛି ଲେଖୁନାହାନ୍ତି ତେବେ କିଛି ଲେଖନ୍ତୁ । ଯଦି ତୁମେ ନିଜେ ସଠିକ ଜାଣିନ ତୁମେ କଣ ଲେଖୁଛ ତେବେ ତାକୁ କୋଉ ପ୍ରକାର ପାଠକକୁ ବିକ୍ରି ପାଇଁ ବହି ଛାପିବ ?”

ଆଜ୍ଞା ହଁ ଏଇଟା ବି ଠିକ କଥା । ଆଗକୁ ଏ ବିଷୟରେ ଚିନ୍ତା କରିବି । ଅପ୍ରସ୍ତୁତ ହେବା ଛଡ଼ା କିଛି ହେବାର ନଥିଲା ସେତେବେଳେ ।

“ଯାହାହେଉ କିଛି କିଛି ବୁଝିଲଣି ଏବେ । ହଉ ଆଗରୁ ତୁମ ବହି କୋଉଠି ପ୍ରକାଶିତ ହୋଇଛିକି ?”

“ନାହିଁ । କିନ୍ତୁ କିଛି ଫେସବୁକ ଓ ହ୍ଵାଟ୍ସଆପ ଗ୍ରୁପରେ ଲେଖି ଆସୁଛି । ଭଲ ପ୍ରତିକ୍ରିୟା ସବୁ ପାଇଛି ।”

ଏହାକୁ ପ୍ରକାଶିତ ନୁହେଁ ପୋଷ୍ଟ କୁହନ୍ତି । କିଛି ଭଲ ଗୀତି କବିତା ସବୁ ଲେଖା ଲେଖି କରିଛ କି ? ରମାକାନ୍ତ ରଥ କି ସଚ୍ଚି ରାଉତରାୟଙ୍କ ନାଁ ଶୁଣିଛ ?”

ଆଜ୍ଞା ସଚ୍ଚି ରାଉତରାୟ ତ ମୋ ପ୍ରିୟ କବି । ମୁଁ ଉତ୍ସାହ ଦେଖେଇଲି ।

ଆଚ୍ଛା ! ସେ ବି ମୋର ବହୁତ ପ୍ରିୟ । ତାଙ୍କର କିଛି ବହି ମୁଁ ଛପେଇଛି । ତାଙ୍କ ସବୁ କବିତା ମୁଁ ପଢେ । ତାଙ୍କର ଗୋଟେ କବିତା ବୋଲିଲ । ରୀତିମତ ସାକ୍ଷାତକାର ପ୍ରକ୍ରିୟା ।

“ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ।
ମୋ’ ମନ ଦୁଆରେ ପହେଲି ବସନ୍ତ ଉଙ୍କି ମାରିଦେଇ ଗଲା ଗୋ
ଭଅଁର ପାଗଳ ହେଲା ।।”

“ଆରେ ବାଃ ! ବହୁତ ବଢିଆ । ଯାହା କୁହ ସଚ୍ଚି ରାଉତରାୟ ଇଜ୍ ସଚ୍ଚି ରାଉତରାୟ । କେତେ ସୁନ୍ଦର ଲେଖିଛନ୍ତି ।”

ଆଜ୍ଞା ଏଇଟା ସଚ୍ଚି ରାଉତରାୟ ଲେଖିନାହାନ୍ତି ।

ତେବେ !! ସେ ଟିକେ ଗୁମ ମାରି ବସି ପଡିଲେ ।

ହା…ହା.. ମୁଁ ଦେଖୁଛି ତୁମେ ବଡ଼ ମଜାଳିଆ ଲୋକ । ତେବେ ଏଇଟାକୁ କିଏ ଲେଖିଛି ? ସେ ଯେ କିଛି ଅପ୍ରସ୍ତୁତ ହୋଇ ନାହାଁନ୍ତି ଜଣେଇ ଦେବାକୁ ଚେଷ୍ଟା କଲେ ।

ଜାଣିନି ଅଜ୍ଞା ଗୋଟେ ପଲ୍ଲୀ ଗୀତ ହଠାତ ମନେପଡ଼ିଗଲା । ଗାଇଦେଲି ।

ହା ହା ହା , ତୁମେ କମେଡି କର । ଏ ଲେଖା ଫେକା କରିବାକୁ ତୁମକୁ କିଏ କହିଲା ?

ଗମ୍ଭୀର ପରିସ୍ଥିତି ଟିକେ ସହଜିଆ ହେଲାରୁ ମୁଁ ଟିକେ ସହଜ ହୋଇଗଲି । ମୋ ବସିବା ଶୈଳୀରେ ପରିବର୍ତ୍ତନ ଦେଖି ପ୍ରକାଶକ ମହାଶୟ ଭାବିଲେ ବୋଧେ ସେ ମୋତେ ବେଶି ଭାଉ ଦେଇଦେଲେ । ତେଣୁ ପଚାରିଲେ କେଉଁ ସବୁ ଗ୍ରୁପରେ ତୁମେ ଲେଖୁଛ ଦେଖିବା ।ସେ ଗ୍ରୁପରେ କେଉଁମାନେ ଅଛନ୍ତି । ମୋଠୁ ଫୋନ ନେଇ ଗୋଟେ ହ୍ଵାଟ୍ସଆପ ଗ୍ରୁପର ମେମ୍ବର ସବୁ ସର୍ଚ୍ଚ କଲେ, ଆରେ ଇଏ କଣ ଏ ଗ୍ରୁପରେ ତ ଭାଇ ,ନାନୀ, ଦାଦା ଖୁଡିରେ ଭର୍ତ୍ତି । କଣ ଏଇମାନେ ସବୁ ତୁମ ଲେଖା ପଢି ତୁମକୁ ଉତ୍ସାହିତ କରୁଛନ୍ତି ! ଆଛା ତୁମର ଏହି ଫେସବୁକ ଫ୍ରେଣ୍ଡସ ଲିଷ୍ଟରେ କଣ ଏତେ ସବୁ ନାମକରା ଲେଖକ ଲେଖିକା ଅଛନ୍ତି ।

ଆଜ୍ଞା ଫ୍ରେଣ୍ଡସ ରିକୁୱେଷ୍ଟ ପଠେଇଥିଲି । ସବୁ ଆକସେପ୍ଟ କରିଥିଲେ ।

ସେମାନେ କଣ ତୁମ ଲେଖା ପଢ଼ନ୍ତି ?

ଜାଣିନି ଆଜ୍ଞା । ସେମାନଙ୍କ ଭିତରୁ କାହାରି କେବେବି କିଛି ମତ ଆସେନି ତେଣୁ କହିପାରିବିନି ପଢ଼ନ୍ତି କି ନାହିଁ ।

ପ୍ରକାଶକ ମହୋଦୟ ଟେବୁଲରେ ହାତ ଥାପୁଡ଼େଇ କହିଲେ ସେଇୟାତ ମୁଁ ଭାବୁଥିଲି । ଏତେ ବଡ଼ ବଡ଼ ଉଚ୍ଚାଙ୍ଗ ସାହିତ୍ୟ ସାଧିକ ସାଧିକାମାନଙ୍କୁ ତୁମର ଏ ହେରସାଙ୍ଗି ଲେଖା ସବୁ ପଢିବାକୁ ସମୟ କେମିତି ମିଳୁଛି ? ହଉ ଛାଡ଼ ସେ ସବୁ କଥା । ତୁମ ବିଷୟରେ ମୁଁ ଚିନ୍ତା କରି ପରେ କହିବି । ତୁମ ନାଁ ଆଉ ଫୋନ ନମ୍ବରଟା ଦେଇଯାଅ ।

ହଉ ଲେଖନ୍ତୁ ମୋ ନାଁ ଓଁ ଅଭିଜ୍ଞାନ ସାହୁ ମୋବାଇଲ ନମ୍ବର ହେଲା
ମୋ କଥା ନ ସରୁଣୁ ମୋତେ ଆଉ ଥରେ ପଚାରିଲେ କ’ଣ କହିଲ ତୁମ ନାଁ ?

—-ଓଁ ଅଭିଜ୍ଞାନ ସାହୁ

ମୋ ନାଁ ଶୁଣି ଧରିଥିବା ପେନକୁ ଟେବୁଲ ଉପରେ ଥୋଇଦେଲେ ।କିଛି ସମୟ ଚିନ୍ତା ମୁଦ୍ରାରେ ରହିବା ପରେ କହିଲେ ଦେଖ ତୁମକୁ ଗୋଟେ କଥା କହିବି ଖରାପ ଭାବିବ ନାହିଁ । ମୁଁ କହିଲି,” ନାହିଁ ନାହିଁ ଏତେ କଥା ସବୁ ସରିଲା ପରେ ଆଉ ଖରାପ ଭାବିବାକୁ ରହିଲା କଣ ? କୁହନ୍ତୁ ଅଜ୍ଞା କଣ କହିବାକୁ ଚାହୁଁଛନ୍ତି ।

—ଦେଖ ତୁମ ନାଁ ଟା ଗୋଟେ ଦାର୍ଶନିକ ବା ସଂସ୍କୃତ ବିଦ୍ୱାନ ଭଳି ଲାଗୁଛି । ତୁମର ଲେଖାର ଷ୍ଟାଣ୍ଡର୍ଡ ସାଙ୍ଗକୁ ତୁମ ନାଁ ଟା ମ୍ୟାଚ କରୁନି । ତୁମର ଲେଖାର ଷ୍ଟାଣ୍ଡର୍ଡ ଅନୁସାରେ ଯଦି ତୁମ ନାଁ ଟା ଯେମିତିକି ସତ୍ୟାନାଶୀ , କୁଳଙ୍ଗାର , ଘୋଡାମୁହାଁ , ମାଡୁଆ ଇତ୍ୟାଦି ରଖନ୍ତ ତାହାହେଲେ ପାଠକଙ୍କ ଦ୍ୱାରା କିଛିଟା ଆଦୃତ ହୁଅନ୍ତା ।

— ଏବେ ଆଉ କଣ କରିପାରିବି କୁହନ୍ତୁ !ବାପା ମା’ କଣ ଜାଣିଥିଲେ ତାଙ୍କ ପୁଅ ବଡ଼ ହୋଇ ଏ ଫେସ ବୁକ କି ହ୍ଵାଟ୍ସଆପ ଗ୍ରୁପରେ ବସି ସାହିତ୍ୟ ସାଧନା କରିବ ! ସେ ବୋଧେ ଭାବିଥିଲେ ପୁଅ ବଡ଼ ହୋଇ ଆଇନ୍ ଷ୍ଟାଇନ ଭଳି ହେବ ଆଉ ନୋବେଲ ପୁରସ୍କାର ପାଇବ। ନୋବେଲ ଲରେଟ ପାଇଁ କି ନାଁ ଭଲ ଶୁଭିବ ସେଥିପାଇଁ ବାଛି ବାଛି ଭଲ ନାଁ ଟା ରଖିଲେ ।

— ମୋ କଥା ଶୁଣି ପ୍ରକାଶକ ଆଜ୍ଞା କହିଲେ ହଉ ତୁମ ନାଁ ଯେଉଁ ପଦସ୍ଥ ଅଫିସର ଜଣଙ୍କ ସୁପାରିଶ କରିଛନ୍ତି ତାଙ୍କ ଦ୍ୱାରା ଆମେ ଅନେକ ଲାଇବ୍ରେରୀ ଅର୍ଡର ପାଇଛୁ । ତେଣୁ ତୁମକୁ ମନା କରିବୁନି କିନ୍ତୁ ପ୍ରକାଶନ ଖର୍ଚ୍ଚ ତୁମେ ସବୁ କରିବ ଖାଲି ପ୍ରକାଶକ ନାଁ ଆମର ରହିବ ଯଦି ଏଥିରେ ରାଜି ତେବେ କାଗଜ କିଣା ପାଇଁ ଆଗ ପାଞ୍ଚ ହଜ଼ାର ଏକ ଟଙ୍କା ଦେଇଥାଅ ପରେ ଆଉ ଖର୍ଚ୍ଚ କଥା କହିବି ।”
ତାଙ୍କ କଥା ଶୁଣି ମୁଁ କହିଲି , ଆଜ୍ଞା ପ୍ରକାଶକ ଆପଣ । ମୁଁ କେମିତି ଖର୍ଚ୍ଚ କରି ବହି ଛପେଇବି ? ମୋ’ କଥା ଶୁଣି ସେ ଟିକେ ଚିହିଁକି ଆସିଲେ –” କଣ ତୁମେ କୋଉ ଆଇଏସ ଅଫିସର ଲେଖକ କି ?ତୁମ ବହି ଆମେ ମାଗଣା ଛପେଇବୁ ।
ସେଠାରେ ଆଉ ଅଧିକ ସମୟ ରହି ଆହୁରି ଅଧିକ ବେଇଜ୍ଜତ ହେବାକୁ ଚାହିଁଲିନି । ପ୍ରକାଶକ ମହୋଦୟଙ୍କୁ ଧନ୍ୟବାଦ ଦେଇ କହିଲି, “ଠିକ ଅଛି ! ଟଙ୍କା ଯୋଗାଡ କରି ଆଉ ଦିନେ ଆସିବି ।ଏବେ ଗୋଟେ ଜରୁରୀ କାମ ମନେପଡ଼ିଗଲା ।”

 

Leave A Reply

Your email address will not be published.