Latest Odisha News

BREAKING NEWS

ବ୍ୟଙ୍ଗ : ହାପି ସଣ୍ଡେ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ 

ଆଜିକାଲି ହ୍ଵାଟ୍ସଆପରେ ‘ସୁଖୀ ରବିବାର’ର ଶୁଭକାମନା ସବୁ ଶୁଭସକାଳ ସହିତ ଆସିବା ଆରମ୍ଭ ହେଲାଣି । କେବଳ ଜଣେ ସଂସାରୀ ଜାଣିପାରିବ ଏହି ରବିବାରିଆ ଖୁସିଟା କେତେ ପ୍ରଭାବୀ । ସପ୍ତାହ ଯାକର କାମ ଏହି ଦିନକୁ ରହିଥାଏ । ଯେମିତିକି ପତ୍ନୀଙ୍କ ଫର୍ମାଇସ୍ ,”ଆଜି ଅଫିସ ବନ୍ଦ ଯାଉନ ଛତ୍ର ବଜାରରୁ ପରିବା ଆଣିବ। ଆମର ଏଠି କିଲେ ଆଳୁ ଦଶ ଟଙ୍କା ; ପୁପୁନୁମା କହୁଥିଲା ସେଠି କାଳେ ଦଶ ଟଙ୍କାରେ ଦଶ କିଲୋ ମିଳୁଛି ।”

– ଆଜି ଛୁଟି ଅଛି, ଗାଡିଟାକୁ ଟିକେ ଧୋଇ ଦଉନ । ଅସନା ଗାଡ଼ିରେ ବସିବାକୁ ତୁମକୁ କେମିତି ଭଲ ଲାଗେ କେଜାଣି !
-ବହୁତ ଦିନ ହେଲାଣି ସେ ଦୋଛାତି ଉପରଟା ସଫା ହୋଇନି । ସବୁ ଜିନିଷ ପତ୍ର ତଳକୁ ବାହାର କଲ, ସେଇଟାକୁ ଆଜି ସଫା କରିବା ଇତ୍ୟାଦି ଇତ୍ୟାଦି ।

ଶଃ ! ସବୁଦିନ ତ ଆମେ ଅଫିସରେ ମୁରବୀ କିନ୍ତୁ ରବିବାର ଘରେ ମୂଲିଆଠୁ ବି ହୀନ । ସବୁଠୁ ବିରକ୍ତିକର ହେଲା ଯେତେବେଳ ସବୁ କାମ ସରିଲା ପରେ ଗୋଟେ କୋମଳ ଅନୁରୋଧଟିଏ ଆସେ “ଚାଲୁନ ଟିକେ ବଜ଼ାର ଯିବା ।” ଏ ବଜ଼ାର ଯିବାର ଅର୍ଥ ଯେ କେତେ ବ୍ୟାପକ ଭାବରେ ଭୟାନକ ତାହା କେବଳ ଜଣେ ଅନୁଭବୀ ହିଁ କହିପାରିବ । ମୁଁ ତ ଏବେ ବହୁ ପୂର୍ବରୁ ଚିନ୍ତା କରୁଛି କେଉଁ ବାଟ ଦେଇ ଗଲେ ଏ ଦୁଷ୍ଟ ” କେବଳ ଆଜିପାଇଁ ସବୁ ଜିନିଷରେ ୭୦% ଛାଡ଼’ , ‘ଗୋଟିଏ କିଣିଲେ ଦି’ଟା ଫ୍ରି ” ଭଳି ପୋଷ୍ଟର ସବୁ ଆମ୍ଭ ପତ୍ନୀଙ୍କ ଆଖିରେ ପଡିବ ନାହିଁ । ଆଖିରେ ପଡିଲେ ଏମିତି ସବୁ ଅଭିମାନ ମିଶା ଅନୁରୋଧ ଆସେ ଯେ ମନା କଲେ ଏହି ମନକୁ ବାଧେ ନ କଲେ ମନ ଭାରି ହୋଇଯାଏ ।

-“ପିଲାମାନଙ୍କର ସବୁ ଡ୍ରେସ ଛୋଟ ହୋଇଗଲାଣି ଗୋଟେ ବି ଭଲ ନାହିଁ । ଚାଲୁନ ଅଫର ଲାଗିଥିବ , ଦେଖିବା ।” ଆଉ ଯଦି ମନା କଲ ତେବେ ଉତ୍ତର ଆସିବ ‘ମୋ ପାଇଁ ମୁଁ କେବେ କହିଥିଲି ? ବାହାଘର ପରଠୁ ଯାହା ଦେଇଛନ୍ତି ସେଇ ବାପଘର । ସେସବୁ ଧୋଇ ଶୁଖେଇ ପିନ୍ଧୁଛି ମୁଁ । ପିଲାଙ୍କ ପାଇଁ ମୁହଁ ଖୋଲିବା କଥା । ମାଗି ଗୋଟେଇ ଆଣିଥିବା ପିଲାଙ୍କ ପାଇଁ ଲୋକେ କେତେ କଣ କରୁଛନ୍ତି ନିଜ ପିଲାଙ୍କ ପାଇଁ କରିବାକୁ ତୁମେ ଏମିତି କୁନ୍ଥଉଛ କାହିଁ ? ”

ଅନେକ ଥର ଏହି ଅନୁରୂପ ଇମୋସନାଲ ଅତ୍ୟାଚାରର କୌଣସି ପ୍ରଭାବ ନ ପଡିବାରୁ ଏବେ ଏକ ନୂତନ କୌଶଳ ମୋ’ ଶ୍ରୀମତୀ ବାହାର କରିଛନ୍ତି ଯଥା” ତୁମର ତ ସବୁ ସାର୍ଟ ପ୍ୟାଣ୍ଟ ଟାଇଟ୍ ହେଲାଣି ଆମ ପାଇଁ ନ ହେଲା ନାହିଁ ତୁମ ପାଇଁ ଦୁଇ ହଳ କିଣୁନ ।” ଯଦି ପାଟିରୁ ବାହାରିଗଲା,’ ହଉ’, ତେବେ ତା ପର ବାକ୍ୟଟା ଥିବ,” ତୁମର ସବୁ ମରହଟ୍ଟୀଆ ପସନ୍ଦ । ଏଥର ମୁଁ ଯିବି ତୁମ ସାଙ୍ଗରେ ।” ଏହି ‘ମୁଁ ଯିବି ତୁମ ସାଙ୍ଗରେ’ ର ପାର୍ଶ୍ଵ ପ୍ରଭାବଟା ଯେ କେଡ଼େ ପ୍ରଭାବଶାଳୀ ତାହା ମୋତେ ଆହୁରି ଫେଣେଇବାକୁ ପଡିବ କି ?

Leave A Reply

Your email address will not be published.