Latest Odisha News

BREAKING NEWS

ବ୍ୟଙ୍ଗ : ବିକାଶର ଜୟଯାତ୍ରା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର

ବର୍ଷଯାକ ଜାକିଜୁକି ବସି ଘୁମଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି , ବାହାତିଥୀ ପୂର୍ବରୁ ଝାଡ଼ିଝୁଡ଼ି ହୋଇ ଉଠନ୍ତି ଇନକମଟ୍ୟାକ୍ସ, ସିବିଆଇ, ଇଡି ଭଳି ବିଭାଗବାଲାଙ୍କ ଚଢ଼ଉ କିମ୍ବା ନେତାମାନଙ୍କ ଦଳବଦଳ ଖବର ଜୋର ଧରିଲେ ସେମିତି ଜାଣିବେ ଯେ ଦେଶରେ ନିର୍ବାଚନ ସମୟ ପାଖେଇ ଆସିଲାଣି । ଦେଶର ଯାବତୀୟ ସର୍ଭେ କାମ ବେଳେ ଯେମିତି ସରକାରଙ୍କ ପ୍ରାଥମିକ ଶିକ୍ଷକମାନେ ମନେ ପଡନ୍ତି ସେମିତି ନିର୍ଵାଚନ ପାଖେଇ ଆସିଲେ ଏ ଚଢ଼ାଉ ବିଭାଗବାଲାଙ୍କୁ ସବୁ ବିରୋଧୀ ଦୁର୍ନୀତିଗ୍ରସ୍ତଙ୍କ ଭଳି ଦିଶନ୍ତି । ଠିକ୍ ନିର୍ବାଚନ ପୂର୍ବରୁ ତାଙ୍କୁ କେଉଁ ଦେବତାଙ୍କ ଦୈବବାଣୀ ହୁଏ କେଜାଣି ନିର୍ଭୁଲ ଓ ସଠିକ ଜାଗାରେ ଚଢ଼ାଉ କରନ୍ତି । ତା’ମାନେ ନୁହେଁ ଯେ ବର୍ଷ ତମାମ୍ କିଛି ଚଢ଼ାଉ ହୁଏନି । ହୁଏ । ଅବଶ୍ୟ ସେସବୁ ଚାଇନା ବାଣ ଭଳି କେତେବେଳେ ସୁରୁ ସୁରେଇ ଫୁଟିଯାଏ ଜଣାପଡେନି । କିନ୍ତୁ ନିର୍ବାଚନ ପୂର୍ବରୁ ହେଉଥିବା ଚଢଉରେ ଦେଶ ହଲଚଲ ହୋଇଯାଏ । ଜବତ ପରିମାଣ ଦେଖିଲେ ଆଖି ତରାଟି ଯାଏ । ଟିଭି , ଖବରକାଗଜଵାଲାଙ୍କ ରାତି ଅନିଦ୍ରା ଖବର ପରିବେଷଣ ଦେଖିଲେ ଲାଗିବ ଯେମିତି ଏହି ଏକମାତ୍ର କଳଙ୍କର ସମାପ୍ତି ପରେ ଦେଶରେ ଏବେ ରାମରାଜ୍ୟ ଆସିବାକୁ ଆଉ ଡେରି ନାହିଁ । ଏହାକୁ ଦେଖି କିଛି ବିରୋଧିଙ୍କ ମତ ହେଲା ଦେଶର ନେତା ଡିଜିଟାଲ ଭାରତ କଥା କହୁଛନ୍ତି । ପାଠପଢା, ଦେଣନେଣଠାରୁ ନେଇ ଦେଶର ଯାବତୀୟ କାରବାର ଅନଲାଇନ ହେଉଥିବା ବେଳେ ଏପ୍ରକାର ଅଫଲାଇନ ଚଢ଼ାଉ ଆଦୌ ଗ୍ରହଣୀୟ ନୁହେଁ । ଏହା ସମ୍ପୂର୍ଣ୍ଣ ରାଜନୈତିକ ଉଦେଶ୍ୟପ୍ରଣୋଦିତ । ଏପରି ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ କରିବାର ଅଛି । ପିଲା ପାଠପଢିବେ ଅନଲାଇନ ପରୀକ୍ଷା କରିବ ଅଫଲାଇନ । କାହିଁକି? ଲୋକଙ୍କ ଠାରୁ ଟିକସ ନେବ ଅନଲାଇନ କିନ୍ତୁ ଧରପକଡ଼ କରିବ ଅଫଲାଇନ। କଣପାଇଁ ? ଏ ଜନବିରୋଧୀ କାମକୁ ଆମେ ଦୁଢ ନିନ୍ଦା କରୁଛୁ । ଏ ସରକାର ଶୀଘ୍ର ଇସ୍ତଫା ଦେଇଦେବା ଉଚିତ୍ ।

ଏବେ ସଦ୍ୟ ଦଳବଦଳ କରିଥିବା ଜଣେ ରାଜନୈତିକ ନେତା ଏକ ନିର୍ବାଚନୀ ଭାଷଣରେ କହିଲେ , ଭାଇ ଓ ଭଉଣୀମାନେ ସୁନାର ଭାରତ ଦେଖିଲ, ଇଣ୍ଡିଆ ସାଇନିଂ ବି ଦେଖିଲ, ସ୍ୱଚ୍ଛ ଭାରତ ଦେଖିଲ କିଛି ପରିବର୍ତ୍ତନ ହେଇଛି କି ? କିଛି ହେଇନି କି ଏମାନେ ସେମିତି କିଛି କରିପାରିବେନି । କାରଣ ପରିବର୍ତ୍ତନର ଚିନ୍ତାଧାରା ରଖୁଥିବା ଲୋକ ହିଁ କେବଳ ଦେଶକୁ ପରିବର୍ତ୍ତନ କରିପାରିବ । ଆମ ଦଳରେ ଥିବା ଅଧିକାଂଶ ନେତାମାନଙ୍କ ଦଳ ପରିବର୍ତ୍ତନର ଅଭିଜ୍ଞତା ଅନ୍ୟ ସବୁ ଦଳର ନେତାମାନଙ୍କଠାରୁ ଅଧିକ । ସ୍ୱୟଂ ମୁଁ ଜାତି ଧର୍ମ କର୍ମ ଆଦର୍ଶ ନିର୍ବିଶେଷରେ ମୋର ରାଜନୈତିକ ଜୀବକାଳ ଭିତରେ ଯେତିକି ଥର ଦଳ ପରିବର୍ତ୍ତନ କରିସାରିଲିଣି ଦେଶର ଆଉ କେଉଁ ନେତାଙ୍କର ସେତିକି ଅଭିଜ୍ଞତା ନଥିବ । ବିଜ୍ଞାନ କହୁଛି କେବଳ ଜୀବନ ଥିବା ପ୍ରାଣୀ ହେଲା ପରିବର୍ତ୍ତନଶୀଳ । ମଲା ଲୋକ କି ଜଡ଼ ବସ୍ତୁର ପରିବର୍ତ୍ତନ ହୁଏନି । ତେଣୁ ମୋତେ ଭୋଟ ଦେବେ କି ଜଣେ ମୁର୍ଦ୍ଦାରକୁ ଭୋଟ ଦେବେ ସେ ନିଷ୍ପତ୍ତି ଆପଣଙ୍କର । ମୁଁ କଥା ଦେଉଛି ଯଦି ଜିତିଲି ତେବେ ଦେଶ ବଦଳେଇ ଦେବି ନଚେତ ଏ ଦଳ । ଶେଷରେ ଏତିକି କହିବି କଥାରେ ଅଛି ଦେଇଥିଲେ ପାଇ । ଆପଣ ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୋ’ ରାସ୍ତା ଖୋଲିଦିଅନ୍ତୁ ପ୍ରତିବଦଳରେ ଆପଣମାନଙ୍କ ରୋଜଗାରର ପନ୍ଥା ମୁଁ ପରିଷ୍କାର ଦେଖେଇଦେବି ।

ଆପଣମାନେ ଆପଣଙ୍କ ବାପ ଅଜା ଚଉଦ ପୁରୁଷରେ କେବେ ଶୁଣିଥିଲେ କି ଜଣେ ପିଅନଙ୍କ ପାଖରୁ କୋଟି କୋଟି ଟଙ୍କା ମିଳିବା ? ଏହା ଯଦି ଆଜି ସମ୍ଭବ ହୋଇଛି ତାହା କେବଳ ଆମ ନେତାଙ୍କ ମାର୍ଗଦର୍ଶନ ଯୋଗୁଁ । ଯିଏ ସବୁ ବେଳେ କୁହନ୍ତି ଦେଶର ତଳସ୍ତରର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ସମସ୍ତଙ୍କ ସହଯୋଗରେ ସମସ୍ତଙ୍କ ବିକାଶ ହେଲା ଆମର ଉଦେଶ୍ୟ । ଯଦି ଅଫିସର ତଳସ୍ତରର ଜଣେ କର୍ମଚାରୀଙ୍କ ଏତେ ଉନ୍ନତି ହୋଇଛି ତେବେ ସେହି ଅନୁପାତରେ ଉପରସ୍ତରରେ ଥିବା ଲୋକମାନଙ୍କ କେଉଁଭଳି ଉନ୍ନତି ହୋଇଥିବ ତାହା ଆପଣମାନେ ଅନ୍ଦାଜ ଲଗାଇପାରନ୍ତି । ବିରୋଧୀ କହୁଛନ୍ତି କାଳେ ବିକାଶ ହୋଇନି । ଆଉ କେତେ ବିକାଶ ସେମାନଙ୍କୁ ଦରକାର !! ସବୁ କ୍ଷେତ୍ରରେ ବିକାଶ ହୋଇଛି । ସବୁଠୁ ଅଧିକ ବିକାଶ ହୋଇଛି ଶିକ୍ଷା କ୍ଷେତ୍ରରେ । ଅ , ଆ ଶିକ୍ଷା କରିନଥିବା ଲୋକ ଶିକ୍ଷା ମନ୍ତ୍ରୀ, ମାଟ୍ରିକ ଛ’ ଥରରେ ପାସ କରିଥିବା ଲୋକ କଲେଜ ପ୍ରିନ୍ସପାଲ , ନବମ ଶ୍ରେଣୀ ଦେଖିନଥିବା ଲୋକ ଦି’ ଦିଟା ଇଂରାଜୀ ମାଧ୍ୟମ ସ୍କୁଲର ମାଲିକ ହେବା କଣ ସୂଚେଇ ଦେଉନି ଯେ ବିଶ୍ୱର ଯେକୌଣସି ଦେଶର ଶିକ୍ଷା କ୍ଷେତ୍ରରେ ହେଉଥିବା ବିକାଶ ଠାରୁ ଆମ ଆମ ଦେଶରେ ହେଉଥିବା ବିକାଶ କେତେ କ୍ଷୀପ୍ର ଓ ଉନ୍ନତମାନର ? ଏହି ଭଳି ଆମ ଦେଶର ସବୁ ବିଭାଗରେ ହେଉଥିବା ଅତି ଉନ୍ନତମାନର ତୀବ୍ର ବିକାଶକୁ ଆଜି ବିଶ୍ୱର ବଡ଼ ବଡ଼ ଦେଶ ହାତଯୋଡି ନମସ୍କାର କରୁଛନ୍ତି । ଏତେ ସବୁ ପ୍ରତିକୂଳ ପରିସ୍ଥିତି ଥାଇବି ଆଜି ଆମ ଦେଶ ବିକାଶ କ୍ଷେତ୍ରରେ କିପରି ବିଶ୍ୱଗୁରୁ ହୋଇ ପାରିଛି ତାହା ବିଶ୍ୱବାସୀଙ୍କୁ ଚକିତ କରିଛି । ଖାସ ସେଇଥିପାଇଁ ଆଜି ୟୁନେସ୍କୋ ସଂସ୍ଥା ଦେଶର ସବୁ ନେତାଙ୍କୁ ବିଶ୍ୱର ଶ୍ରେଷ୍ଠ ନେତାର ମାନପତ୍ର ଦେଇଛି ।

ଶେଷରେ ଏତିକି କହି ମୋ ବକ୍ତବ୍ୟ ଶେଷ କରିବି, ମୋତେ ଭୋଟ ଦେଇ ମୋ’ ବିକାଶ କଥା ଚିନ୍ତା କଲେ ମୁଁ ଆପଣମାନଙ୍କ ବିକାଶ କଥା ଚିନ୍ତା କରିବି । ମୋର ବିଶ୍ୱାସ ଆପଣମାନେ ମୋ’ କଥାକୁ ହୃଦୟଙ୍ଗମ କରି ଦେଶର ବିକାଶ ଧାରାକୁ ଆଗେଇନେବାକୁ ମୋତେ ଅଧିକରୁ ଅଧିକ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରେଇବେ । ଜୟ ହିନ୍ଦ୍ । ଭାରତ ମାତାକୀ ଜୟ ।

Leave A Reply

Your email address will not be published.