Latest Odisha News

BREAKING NEWS

ବ୍ୟଙ୍ଗ : ରିଷ୍ଟ ଖଣ୍ଡନ

କାଳୀ ପୂଜା ଆସିଲେ ମନେପଡୁଛି ପୁରୁଣା କଥା । ଋଷି ଭାଇନାଙ୍କୁ ଏଇ ଦିନ କଥା କହିବାକୁ ଫୁରସତ ନଥାଏ । ଅଣ୍ଟିରେ ଦକ୍ଷିଣା ମୁହଁରେ ପାନ ଦେଖିଲା ମାତ୍ରେ ଖାଲି ହାତ ଉଠେଇ ‘ହଁ ସାଙ୍ଗ’ ବୋଲି କହି ଭକ୍ତିଆ ଗରାଖଙ୍କ ଭିତରେ ହଜି ଯାଉଥିଲେ । ଭିଡ଼ ଏମିତି ହୁଏ ଯେ ଏକା ସାଙ୍ଗରେ ପାଞ୍ଚ ପାଞ୍ଚଟା ଗାଡି ଲାଇନରେ ଛିଡା କରେଇ ଗୋଟିଏ ମନ୍ତ୍ରରେ ପୂଜା ସାରିଦେଉଥିଲେ । ଅଭିଯୋଗ କରିବାକୁ ଭକ୍ତଙ୍କ ଯୁ’ ନଥାଏ । କହିଲେ ଶୁଣିବାକୁ କେହି ନାହିଁ । ପଛରେ ଗାଡି ଧରି ଆଉ ଦଶ୍ ଛିଡା ହେଇଛନ୍ତି ପୂଜା ପାଇଁ ।

କାଳୀ ପୂଜାରେ କାଳେ ଗାଡି ପୂଜିଲେ ଗାଡି ଦୀର୍ଘାୟୁ ହୁଏ । ଅବଶ୍ୟ ଚାଳକର ଦୀର୍ଘ ଜୀବନ ପାଇଁ ଦୂତିଆ ଓଷା ଭଳି ଅନ୍ୟାନ୍ୟ ପୂଜା ଭିନ୍ନ ଭିନ୍ନ ଠାକୁରଙ୍କ ପାଖେ ହେବାର ବିଧି ଅଛି । ବିଶ୍ୱାସ ଅଛି କାଳୀ ମନ୍ଦିରରେ ପୂଜା କଲେ ଗାଡିର ଆକ୍ସିଡେଣ୍ଟ ହେବନି ଓ ରାସ୍ତାରେ ସର୍ ସର୍ ଗଡିବ । ନନା ଆମର ଗାଡି ହେଡ ଲାଇଟ କାଚରେ ସିନ୍ଦୂରରେ ଅର୍ଦ୍ଧ ଚନ୍ଦ୍ର କାଟି ଚକା ତଳେ ଲେମ୍ବୁ ରଖି ଆଙ୍ଗୁଠିରେ ଆଙ୍ଗୁଠି ଛନ୍ଦି ଗୁଣୁ ଗୁଣୁ ହେଇ ଦକ୍ଷିଣା ହିସାବ କରନ୍ତି କି କାଳୀ ମନ୍ତ୍ର ପଢ଼ନ୍ତି କେଜାଣି ? ଶେଷରେ ଦୁଇଥର ତାଳି ମାରି କହିବେ ଏବେ ଗାଡି ଗଡା । ଦେଖିବୁ ଯେମିତି ଚକା ତଳେ ଲେମ୍ବୁ ଚିପି ହେଇ ଫାଟିବ । ଲେମ୍ବୁ ଫାଟିଲା ମାନେ ଜାଣିବ ରିଷ୍ଟ କଟିଲା । ଅବଶ୍ୟ ଭାଇନା ମୋ ଗାଡି ଥରେ ପୂଜା କରିଥିଲେ । ଋଷି ନନା ଚାରିଟା ଲେମ୍ବୁ ମାଗଣା ଦେଇଥିଲେ । ମାଗଣା ପାଇଛି ନନାଙ୍କୁ ନିନ୍ଦିବିନି ।

ଋଷି ନନା ମୋ ସ୍କୁଲ ସହପାଠୀ । ଉତ୍ତରାଧିକାର ସୂତ୍ରରେ କାଳୀ ମନ୍ଦିର ପୂଜକ ହୋଇଛନ୍ତି । ନଚେତ ନୀତି ଭିଡ଼ ହେଉଥିବା କୌଣସି ମନ୍ଦିରରେ ପୂଜକ ହେବା ସହଜ କଥା ନୁହେଁ । ନନାଙ୍କ ବାପାଙ୍କୁ ସମସ୍ତେ ବଡ଼ ନନା ଭାବେ ଜାଣନ୍ତି । ଝଡା ଫୁଙ୍କା ଚିକିତ୍ସାରେ ତାଙ୍କର ବହୁ ଖ୍ୟାତି ଥିଲା । ବିଶେଷଭାବେ ପ୍ରେତାତ୍ମା ଲାଗିଲେ ବଡ଼ ନନାଙ୍କୁ ସମସ୍ତେ ଖୋଜନ୍ତି । ସିଏ ଯେତେବଡ଼ ଜିଦିଆ ଭୂତ ହେଇଥାଉ ନା କାହିଁକି ବଡ଼ନନାଙ୍କୁ ପ୍ରାଣେ ଭୟ । କାହାକୁ ଟଙ୍କାଟିଏ ମୁହଁ ଖୋଲି ମାଗନ୍ତି ନାହିଁ କି ଜୋର ଜବରଦସ୍ତ ନାହିଁ । କାନ୍ଥରେ ମୁଣାଟିଏ ଝୁଲୁ ଥାଏ । ଖୁସିବାସିରେ ଯାହାର ଯାହା ଦେବା କଥା ସେଇ ମୁଣା ଭିତରେ ରଖିଦିଅନ୍ତି । ଋଷିନନା ସିନା ଭୂତ ଛଡ଼େଇବା ମନ୍ତ୍ର ବାପାଙ୍କ ଠାରୁ ଶିଖି ପାରିଲେ ନାହିଁ ହେଲେ ଗାଡି ପୂଜା ମନ୍ତ୍ର, ଡେଉଁରିଆ ଶୁଦ୍ଧି ମନ୍ତ୍ର ରିଷ୍ଟ ଖଣ୍ଡନ ମନ୍ତ୍ର ଇତ୍ୟାଦି ଶିଖିଛନ୍ତି । ବଡ଼ନନାଙ୍କ ବିୟୋଗ ପରେ ଋଷିନନା ମନ୍ଦିରରେ ପୂଜକ ଭାବେ ଜଏନ କଲେ । ନିଜର ଅମାୟିକ ବ୍ୟବହାର ଯୋଗୁଁ ଭକ୍ତ ପୂଜା ପାଇଁ ତାଙ୍କୁ ଆଗ ଖୋଜନ୍ତି ।

ପୂଜା ହେବାର ଚାରି ପାଞ୍ଚ ମାସ ପରେ ମୋ ଗାଡି ଖରାପ ହୋଇ ଗ୍ୟାରେଜକୁ ଗଲା ଯେ ସଜଡ଼ା ହେବାକୁ ବରଷେ ବିତିଗଲା । ଭାଇନାଙ୍କ ପୂଜାର ଫଳ ଦେଖିଲୁ । କେଉଁଠି ଆକ୍ସିଡେଣ୍ଟ ହେଇନି । ଖାଲି କାଳୀ ପୂଜା କରିଥିଲୁ, ବିଶ୍ଵକର୍ମାଙ୍କୁ ପୂଜି ନଥିଲୁ ତେଣୁ ଗାଡି ଆକ୍ସିଡେଣ୍ଟ ସିନା ହେଲାନି କିନ୍ତୁ ଗାଡି ଇଞ୍ଜିନ ଏମିତି ଖରାପ ହେଲା ଯେ ପକେଟରୁ ପଇସା ସରିଗଲା ପଛେ ଗାଡି ଇଞ୍ଜିନ କାମ ସରିଲା ନାହିଁ । ଏଥିରେ ଋଷି ଭାଇନାଙ୍କ କି ଦୋଷ? ମୁଁ କି ଜାଣିଥିଲି, ଗାଡି ରଖିଲେ କାଳୀଙ୍କ ସହ ବିଶ୍ୱକର୍ମାଙ୍କୁ ବି ପୂଜା ଭୋଗରେ ଶାନ୍ତି କରିବାକୁ ପଡେ । ଦୋଷ ତ ମୋ ଠି । ସୋମବାର ଠୁ ରବିବାର ଯାଏଁ ସବୁ ବାରି ଅନୁସାରେ ଦେବା ଦେବୀଙ୍କୁ ପୂଜିଲେ ବି ଆଜି ଯାଏଁ ଏ ପୋଡା ଭାଗ୍ୟରେ ଦୁବଟିଏ କଅଁଳିଲାନାହିଁ ।

ସେ ବରଷ ଆଉ ଏ ବରଷ । କରୋନା ଦାଉରୁ ମନ୍ଦିର ଅଧା ଦିନ ବନ୍ଦକୁ ଅଧା ଦିନ ଖୋଲା । ଯାହା ବି ଖୋଲୁଛି ସିଏ ପୁଣି ବିଶେଷ ପୂଜା ଦିନ ମନ୍ଦିର ବନ୍ଦ । ଭକ୍ତଙ୍କ ଗହଳି ଡରରେ ସରକାର ଦର୍ଶନ ବନ୍ଦ କରୁଛନ୍ତି । ମନ୍ଦିର ଦୁଆରେ କାଉ ଉଡୁଛନ୍ତି । କା ଭାଁ ଗାଡିକୁ ନନା ମାଳ ମାଳ । ଏମିତି କିଏ ସାଙ୍ଗ ସାଥି ଗଲେ ଗୋଟେ ଦୁଇଟା ଫୋଟ ଉଠେଇବା ଛଡା ନନାଙ୍କ ପ୍ରାୟ ଆଉ କିଛି କାମ ନାହିଁ । ଗଲା ଶନିବାର ଋଷି ନନାଙ୍କ ଆଡେ ବୁଲିଯାଇଥିଲି । ମନ ଦୁଃଖରେ ବସିଥିଲେ । ଖାସ କାଳୀ ପୂଜା ଦିନ ଯେତିକି ଗାଡି ପୂଜା ହୁଏ ଟୋଟାଲ ବର୍ଷକ ଯାକ ମିଶେଇଲେ କମ ହେବ । ନନାଙ୍କ କହିବା କଥା ଟୀକା ତିଆରି କରୁଥିବା କମ୍ପାନୀର ଏ ସବୁ ଚାଲ । କରୋନାକୁ ଆଦୌ ଭୟ କରିବା କଥା ନୁହେଁ । ମା କାଳୀଙ୍କ ସିନ୍ଦୁର ଓ ଧଣ୍ଡା ପାଖରେ ରଖିଲେ କରୋନା ଜୀବାଣୁ ପାଖରେ ପଶିବେନି । ସେ ନିଜେ କାଳେ ସବୁ ଆଡେ ବୁଲୁଛନ୍ତି । ଗୋଟିଏ ବି ଟୀକା ନେଇ ନାହାଁନ୍ତି କି ମାସ୍କ ପିନ୍ଧୁ ନାହାଁନ୍ତି । ତଥାପି ତାଙ୍କୁ କରୋନା ହେଉନି । ସରକାର ଅଯଥା ମାଗଣା ଟୀକାରେ ଖର୍ଚ୍ଚ କରୁଛନ୍ତି । ସମସ୍ତେ କାଳୀଙ୍କ ସିନ୍ଦୁର ଓ ଧଣ୍ଡା ପାଖରେ ରଖିଥିଲେ କରୋନା କେବେଠୁ ଭାରତ ଛାଡି ଚାଲି ଯାଆନ୍ତିଣି।

ମୁଁ ମାଆଙ୍କୁ ମୁଣ୍ଡିଆ ମାରି ବାହାରିଲା ବେଳକୁ ଆଉ ଜଣେ ବନ୍ଧୁ ସସ୍ତ୍ରୀକ ସେଠି ପହଞ୍ଚିଲେ । କି ଖରା କି ବର୍ଷା ପ୍ରତି ଗୁରୁବାର ଚଣ୍ଡୀ ମନ୍ଦିର ଦର୍ଶନ ନକଲେ ଜଳ ସ୍ପର୍ଶ କରନ୍ତି ନାହିଁ । ତାଙ୍କୁ କାଳୀ ମନ୍ଦିରରେ ଦେଖି ମୁଁ ଆଶ୍ଚର୍ଯ୍ୟ । ଚଣ୍ଡୀ ମନ୍ଦିରର ନାଗୁଆ ଭକ୍ତ ଆଜି କାଳୀ ମନ୍ଦିରରେ !! ଯାହା ଶୁଣିଲୁ ଭାଇ ଗୁରୁବାର ଚଣ୍ଡୀ ମନ୍ଦିର ଆଉ ଶନିବାର କାଳୀ ମନ୍ଦିର ଭିଜିଟ କରନ୍ତି । ଭଲ କଥା, ଯେଉଁ ବାରିରେ ଯେଉଁ ଠାକୁର ଭୋଗ ପାଇବା କଥା ସେଇଠି ଭୋଗ ଲାଗି କଲେ ଫଳ ମିଳିବା ନିଶ୍ଚିତ । ନହେଲେ ମୋ ଭଳିଆ ସୋମବାର ସନ୍ତୋଷୀ ମା’ ଆଉ ଶୁକ୍ରବାର ମହାଦେବଙ୍କୁ ପୂଜିଲେ ଜୀବନ ସରିଯିବ ପଛେ ଟଙ୍କାକର ଫଳ ମିଳିବ ନାହିଁ ।

ଦୀପାବଳି ଆସୁଛି । ଗାଡି ପୂଜା ସହ ନିଜର ଦୀର୍ଘ ଜୀବନ ପାଇଁ ଗାଡି ଚଳେଇଲା ବେଳେ ହେଲମେଟ କିମ୍ବା ସିଟ ବେଲ୍ଟର ବ୍ୟବହାର ନିଶ୍ଚିତ କରିବେ । ନଚେତ ନନାଙ୍କ ଦୋଷ ଦେବାକୁ ଆପଣ ନଥିବେ । ସମସ୍ତଙ୍କୁ ଶୁଭ ଦୀପାବଳୀର ଶୁଭଭକାମନା ।
ବନମାଳୀ ଭବନ , ଖାନ ନଗର , କଟକ

Leave A Reply

Your email address will not be published.