Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଆମ ଘରେ ଯୁଦ୍ଧର ପ୍ରଭାବ

ଆମ ଦି ପ୍ରାଣୀଙ୍କ ଲଢେଇ ପୁରୁଣା
ସିଏ ମୋଦି ହେଲେ ମୁଁ ଗାନ୍ଧି ପଟେ;
କେବେ ତାଙ୍କ ହାତରେ ବେଲଣା ବାଡି ତ
କେବେ ମୋ ହାତରେ ଜୋତା ପଟେ!

ବୟସ, ଅନୁଭବ ଓ ଗୁଣଦୃଷ୍ଟିରୁ
ଯଦି ତୁଳନାତ୍ମକ ବିଚାର କରାଯିବ;
ତେବେ ମୋତେ ରୁଷିଆ ଓ ତାଙ୍କୁ
ୟୁକ୍ରେନ ହିସାବରେ ଧରାଯିବ!

ମୋ ଶଶୁର ଘର ନାଟୋ,
ଶାଶୁ ଆମେରିକା ଶଶୁର ୟୁକେ;
ନଣନ୍ଦ ଇଟାଲି, ସଢୁ ଫ୍ରାନ୍ସ, ଧର୍ମଶଳା
ଓଗେର ସଦସ୍ୟ ରାଷ୍ଟ୍ର ଅନେକେ!

ମୋ ବୋଉ ଚୀନ୍ କହେ ମୁଁ ଅଛି
ତୁ ଡରନା କର ମାରଧର;
ବାପା ହେଲେ ଭାରତ ନା ଏପଟେ ନା
ସେପଟେ କହନ୍ତି ସଂଯମତା ଅବଲମ୍ବନ କର!

ଆମ ଭିତରେ ବିବାଦର କାରଣ
ମୁଁ ଚାହେଁ ସିଏ ମୋ ଅଧିନରେ ରହୁ;
ମୋତେ ପଚାରି ପିନ୍ଧୁ ଖାଉ ଶୋଉ
କାହା ସାଥିରେ ସାଙ୍ଗ ସାଥି ନହେଉ!

ତା ଇଛା ସିଏ ସ୍ବାଧୀନ ରହିବ
ମନ ମୁତାବକ ସାଙ୍ଗସାଥି କରିବ;
ବାପଘର ପଟୁ ଲୋକଙ୍କୁ ଆଣି
ମନଇଛା ମୋ ଘରେ ଭରିବ!

ମୁଁ ଭାବୁଛି ଆଗରୁ ତ କେତେ ଭାଇଙ୍କୁଇଁ
ସିଏ ଅମାନିଆ ହୋଇ ଘରକୁ ଆଣୁଛି;
ଏପରି ଘଟଣା ମୁଁ ନିଜ ଓ ପରିବାର
ଭବିଷ୍ୟତ ପାଇଁ ଅସୁରକ୍ଷିତ ମଣୁଛି!

ସେମିତି ହେଲେ କିଏ ଜାଣିଛି କୋଉଦିନ
ଆମ ଘରେ କିଏ ପଶିଯିବ;
ମୋ ପାଖ ବଖରାରୁ ବି କୋଉଦିନ
ମୋତେ କିଏ ଆକ୍ରମଣ କରିବ!

ଏଇ କଥାକୁ ନେଇ ବହୁବାର ଭଦ୍ରଲୋକମାନଙ୍କୁ
ବସେଇ ମାମଲା ତୁଟେ;
ସେମାନେ ବି ମିଳିତ ଜାତିସଂଘ ପରି
ଅଧିକାଂଶ ହୃଦୟରେ ଶଶୁର ଘର ପଟେ!

ଯୁଦ୍ଧର ଖବର ପାଇଲା ପରଠୁ ପତ୍ନୀଦେବୀ
ଯୁଦ୍ଧ ଛାଡି ଭଲ ବ୍ୟବହାର କରୁଛନ୍ତି;
କାଳେ ମୁଁ ରୁଷିଆ ପରି ଆକ୍ରମଣ କରିଦେବି
ସେଥିପାଇଁ ବୋଧେ ଡରୁଛନ୍ତି!

ତଥାପି ବାହାଦୁରୀ ମାରି କହନ୍ତି
ଯଦି କେହି ମୋତେ ମାରି କରିବ ମୁଣ୍ଡ କଣା;
ନାଟୋରାଷ୍ଟ୍ର ପରି ମୋ ବାପଘର ବି
କରିଦେବେ ଦବାନବାରେ କଟକଣା!

Comments are closed, but trackbacks and pingbacks are open.