ମା କହେ ମୁଁ ମରି ଯାଉଥାଏ
ମୋ ଗାଲରେ ଚୁମା ଦେଇ;
ଶ୍ରୋତା ମୋର ବ୍ୟଙ୍ଗ ଶୁଣି ହସି
କହେ ମୁଁ ମରିଗଲିରେ ଭାଇ!
ପ୍ରେମିକା ହାଣଇ ଆଖିରେ ତାହାର
ପ୍ରେମରେ ଦିଅଇ ମାରି;
ସ୍ବର୍ଗ ଦେଖିଚି ଅନେକ ଥର ମୁଁ
ବାଆର ଭିତରେ ଦି ବୋତଲ ମାରିଦେଇ!!
ଏତେ ସୁବିଧା ଥାଉ ଥାଉ କିଆଁ
ଆତ୍ମହତ୍ୟା କରି ମରିବା;
ଅନ୍ୟ କଥା ଛାଡ ନିଜକୁ ସବୁଠୁ
ବେଶି ପ୍ରେମ ଆମେ କରିବା ।
ଟିଭି ଚାନେଲ କ୍ୟାମରା ପକେଇ
ଦେଖାନ୍ତି ଏମିତି କରି;
ଜୀବିତ ଭାବେ ମୁଁ ଏ ଲୋକ ଥାନରେ
ନିଜେ ଥାଆନ୍ତି କି ମରି!!
ଅନ୍ୟମାନଙ୍କଠାରୁ ଦେଖି ମୋର ବି
ଇଛା ହେଲା ମରିବି ବୋଲି;
ଏ ବିଷୟରେ ମୁଁ ବହୁତ ପଢାପଢି,
ଦେଖାଦେଖି ଓ ଖୋଳତାଡ କଲି !
ଭାବିଲି ସହଜ ଉପାୟ ସବୁଠୁ
ମରିବି ମୁଁ ବିଷପିଇ;
ଥିଲା ସେ ନକଲି ଅସଲି ବିଷକୁ
ଦେଇଥିଲା କିଏ ଖାଇ!
ବେକେ ରଶିଦେଇ ଝୁଲିବି ବୋଲି
ମୁଁ ଫ୍ୟାନରେ ଝୁଲୁଥିଲି;
ଠିକାଦାର ଯେଣୁ ଠକିଥିଲା କାମ
ଫ୍ୟାନ ସହିତ କଚାଡି ହୋଇ ପଡିଲି!
ଟ୍ରେନ୍ ତଳେ ମୁଁ ଚାପି ହେବା ପାଇଁ
ଷ୍ଟେସନ କଡକୁ ଗଲି;
ଧର୍ମଘଟ ଯୋଗୁଁ ଆସିଲାନି ସିଏ
ଗନ୍ଧ ଶୁଙ୍ଘିକି ଫେରିଲି!
ନଈକୁ ଗଲି ମୁଁ ମରିବି ବୋଲିକି
ଗଭୀର ପାଣିରେ ଡେଇଁ;
ନଈରେ କୁମ୍ଭୀର ପହଁରିବା ଦେଖି
ଭୟରେ ଆସିଲି ଧାଇଁ!
ବେକ ମୋ କାଟିବି ବୋଲି ଆଣିଥିଲି
ନୂଆ ବ୍ଲେଡରୁ ଗୋଟ;
ବାପା ମାଗିନେଲେ କହିଲେ ଦାଢି ମୁଁ
କାଟିବି ଦେ ତା ମୋତେ!
ବନ୍ଧୁକ ଫୁଟେଇ ମରିବି ବୋଲିକି
କିଣିକି ଆଣିଲି ଗୋଟେ;
କୋଉଠୁ ଖବର ପାଇକି କେଜାଣି
ପୁଲିସି ବାନ୍ଧିଲା ମୋତେ!
ଜୀବତ୍ୟାଗ ପାଇଁ ଏମିତି ଅନେକ
ଶସ୍ତା ଉପାୟ ତ ରହିଛି;
ସବୁରେ ବିଫଳ ହେଲା ପରେ ମୁଁ
ବୋଲ ମାନି ବାହା ହୋଇଛି!
ଆତ୍ମହତ୍ୟା ଅଟେ ନଷ୍ଟ ନରକ
ସେ ପଥକୁ କିଆଁ ଧରିବା;
ଏ ବ୍ରହ୍ମାଣ୍ଡ ନିତ୍ୟ ସରଗଧାମ ହେଁ
ଏଠି ନିତି ଜୀଇଁ ଜୀଇଁ ମରିବା!!
Comments are closed.