Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଗୁରୁ ତୁମେ ଗୁରୁ

ବନ୍ଧୁଗଣ ! ଜୀବନରେ ମୁଁ ଅନେକଙ୍କୁ ବ୍ୟଙ୍ଗ କରିଛି,
ଅନେକ ଅବାଗ ଓ ଅବ୍ୟବସ୍ଥାକୁ ସୁଧାରି ପାରିଛି!
ଏପରିକି ଗୁରୁଙ୍କୁ ବି କଲମ କମାଣର ମୂନରେ ରଖିଛି,
କହିବାକି ଦ୍ବିଧା ନାହିଁ ଏହି ନିର୍ଭିକତା ବି ମୁଁ ଗୁରୁଙ୍କଠୁ ଶିଖିଛି!
ଯାହାଙ୍କ ପାଇଁ ଆଜି ମୁଁ କବି କୁଳାଙ୍ଗାର ସୁଲକ୍ଷଣା,
ଜଣାଉଛି ମୋ ପାଖରେ ଉପଲବ୍ଧ ଶବ୍ଦାବଳୀରେ ଗୁରୁ ଦକ୍ଷିଣା !

ସେଇ ଧୋତି ସାର୍ଟର ମଣିଷ
ସେଇ ସାଇକେଲ୍ ଚଢା ପୁରୁଷ!
ସେଇ ଚକ୍ ଖଡି ଗୁଣ୍ଡ ବାସ୍ନା
ସେଇ ପାଚିଲା ଚୁଟି ଓ ଚଷମା ।
ଶିକ୍ଷା ପାଇଁ ସମର୍ପିତ ସମ୍ପୂର୍ଣ୍ଣ
ଯେତେ ଗୁଣ ଗାଇଲେ ବି ଅପୂର୍ଣ୍ଣ ।

ସେଇ ଛାପା ଚିହ୍ନ ବାଲା ଚାପୁଡା
ସେଇ ମୁଣ୍ଡି ଚକ୍ ଖଡି ଫୋପଡା ।
ସେଇ ବାଇଶି ପଳିଆ ବିଧା
ସେଇ ଅପାଣ୍ତୁକ ମୂର୍ଖ ନିନ୍ଦା ।
ବେତ ଛାଟ ମୋ ଦେହେ ବାଜିଛି
ଆଜି ସମାଜରେ ଶିଷ୍ଟ ସାଜିଛି!

ସେଇ ଆଣ୍ଠୁଆ ଚୈାକି କୁକୁଡା
ସେଇ ଗୁଗୁଚି ଓ ଘାସ ଉପୁଡା ।
ସେଇ କାନଧରି ଛିଡା ହୋଇବା
ସେଇ ସଭାରେ ଭାଷଣ କହିବା ।
ତାହା ମୋ ପାଇଁ ଗୁରୁତ୍ବ ରଖୁଛି
ଆଜି ମାଇକିରେ ଦେଖ ବକୁଛି ।

ଯିଏ ଅକ୍ଷରକୁ ଦେଲେ ଶିଖେଇ
ଯିଏ ଭଲବାଟ ଦେଲେ ଦେଖେଇ ।
ଯିଏ ଶିଖାଇଲେ ଶବ୍ଦ ଉଚ୍ଚାରଣ
ଯିଏ ବୁଝାଇଲେ ବାକ୍ୟ ବ୍ୟାକରଣ ।
ତାଙ୍କ ପ୍ରତିଛବି ଯେଣୁ ପଡିଛି
ଆଜି ଆତ୍ମବିଶ୍ବାସ ମୋ ବଢିଛି ।

ଯିଏ ଲଣ୍ଠନ ଆଲୁଏ ବସିଲେ
ଯିଏ ଆମପାଇଁ ଅଙ୍କ କଷିଲେ ।
ଯିଏ ସମୟର ମୂଲ୍ୟ ଶିଖାଇଲେ
ଯିଏ ଆଦର୍ଶ କଣ ଦେଖାଇଲେ ।
ତାଙ୍କ ତ୍ୟାଗକୁ ପ୍ରଣାମ କରୁଛି
ଏବେ ଦେଖିଦେଲେ ଭୟେ ଥରୁଛି ।

ଯିଏ କହିଲେ ଏ ଦେଶ ମହାନ
ଯିଏ ବୁଝାଇଲେ ସୁ ଭୋଜନ ।
ଯିଏ ଜଣାଇଲେ ଭଲମନ୍ଦକୁ
ଯିଏ ବନ୍ଦ କରାଇଲେ କାନ୍ଦକୁ ।
ସିଏ ମୋ ପାଇଁ ପଦ୍ମଶ୍ରୀ ରତ୍ନ
କରିଥିଲେ ଆଦର ଓ ଯତ୍ନ ।

ସିଏ ନେଲେଟି ବିଜ୍ଞାନ ମେଳାକୁ
ସିଏ ଆବିଷ୍କାର କଲେ କଳାକୁ ।
ସିଏ କହିଲେ ହଁ ତୁ ପାରିବୁ
ସିଏ କହିଲେ ତୁ ନାଆଁ କରିବୁ ।
ଖେଳ ଶିକ୍ଷକ ଏମିତି କରିଲେ
ପୃଥି ଘୂରାଇବୁ ହାତେ ଧରିଲେ ।

ସିଏ ବିନା ଦରମାରେ ଖଟିଲେ
ସିଏ ଖୁସି ହୋଇଯାନ୍ତି ଦେଖିଲେ ।
ସିଏ ପାଠ ସହ ସାଠ କହିଲେ
ସିଏ ଦୁଃଖରେ ବି ସାଥେ ରହିଲେ ।
ଗୁରୁ ଅଟ ତମେ ସତେ ଗୁରୁ ହେ
ମୁଁ ହାଲୁକା ତୁମରି ଠାରୁ ହେ !

ସିଏ ଅଟନ୍ତି ମୋ ବଡ ସାଆର
ସିଏ ପଣ୍ଡିତେ ମୋ ଆର ଗାଆଁର ।
ସିଏ ଆମ ପ୍ରିୟ ବଡ ମାଡାମ
ସିଏ ନୂଆ ସାର୍ ସାନ ମାଡାମ ।
ଧନୀ ବାବାଜି ପ୍ରଭାତ ରୁଦ୍ର ସାର୍
ଅଲିଦିଦିଙ୍କର ସୃଷ୍ଟି କୁଳାଙ୍ଗାର!

ଦୁଃଖର କଥା ଯେଉଁମାନେ ମୋ ପରି ଅନେକ ଲୋକଙ୍କୁ ଗଢୁଛନ୍ତି,
ତାଙ୍କୁ ଦେଖିଲେ ବ୍ୟବସ୍ଥା ସମେତ ଅନେକ କୁଳାଙ୍ଗାର ବୁଲି ପଡୁଛନ୍ତି!
ଅନନ୍ତ ଓ ଅସୀମ ସିଏ ଆକାଶ ଓ ଭୂମିଠାରୁ;
ଗୁରୁମାନେ ଖାଲି ଶିକ୍ଷକ ନୁହେଁ ବନ୍ଧୁ ଅଟନ୍ତି ସେ ଗୁରୁ !

Leave A Reply

Your email address will not be published.