କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା
ଖବରକାଗଜ ଧରି ପଢୁଥିଲି
ଧରା ପଡିଛି ରାଣୀ ମହୁମାଛି;
ଭାବିଲି ଯାହା ହେଉ ସହରରେ ବି
ଅସଲି ମହୁ ଉତ୍ପାଦନର ସୁବିଧା ଅଛି!
ଦୁଇଜଣ ବାବାଜୀ ଏତିକି ବେଳେ
ଘରେ ପହଁଚି କହିଲେରେ ବାବୁ;
ତୁ ଟିକେ ବୁଝାବୁଝି କର
ଆମେମାନେ ସିନେ ପ୍ରଯୋଜକ ହେବୁ!
ବାବାଜୀଙ୍କ କଥା ଶୁଣି କହିଲି
ଆପଣ ସାଧୁ ମହାତ୍ମା ଲୋକ;
ସେଥିରେ କାହିଁକି ପଶିବେ
ନିନ୍ଦା ପାଇବେ ଛି ଛି କରିବେ ଲୋକ!
ସାମାଜିକ ଗଣମାଧ୍ୟମରେ
ଅନ୍ଧ ଭକ୍ତଙ୍କୁ ଗଣି ହୁଅନ୍ତୁନି ଉତ୍ସାହିତ;
ଆଧ୍ୟାତ୍ମିକ ସିନେମା କଲେ ବି ଟିକେଟ
କିଣି ଦେଖି ଯିବେନି ଏ କଥାଟି ସତ!
ବାବଜି କହିଲେ ନାଇଁ ଆଗରୁ
ଆମ ବିରାଦରିର କିଛି ଗୋସେଇଁ;
ଯୋଉ ମାମଲରେ ଫସି ଭିତରେ
ପଶିଛନ୍ତି ଯେ ବାହାରିବାର ବାଟନାଇଁ!
ସେଇ ମାମଲା କରି ବିନ୍ଦାସ୍ ବୁଲୁଛନ୍ତି
ବୟସ୍କ ସିନେ ପ୍ରଯୋଜକ;
ତାଙ୍କୁ ନୁହେଁ ମହୋଦୟାଙ୍କୁ ବାନ୍ଧିଚି
ପୁଲିସ ଛି ଛି କରୁଛନ୍ତି ଲୋକ!!
ବାବାଜିଙ୍କ କଥାଶୁଣି କାନମୋର
ହେଲା ଠିଆ ମୁଣ୍ଡ ଘାଇଁ ଘାଇଁ;
ମୁଁ ବୋକା ପ୍ରଯୋଜକ ନ ହୋଇ
ସଂଘର୍ଷ କରୁଛି ଅଭିନୟ ପାଇଁ!
ହେଲେ ବାବାଜୀଙ୍କୁ ଦେଖ
ସାଧନାର ବାଟ ତାଙ୍କୁ ଜଣା;
ଦିବ୍ୟଚକ୍ଷୁ ବଳରେ ଦିଶିଲା ତାଙ୍କୁ
ବ୍ୟବସ୍ଥାର ବେଲୁନରେ ଥିବା ଛୋଟକଣା!!
Comments are closed.