ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ଆଜିକାଲି ଆଉ କିଏ କଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ ଲୁଚିଛି.. କାହାକୁ କହିବୁନି । ଯିଏ ଖୋଜିଆସି ପଚାରିଲେ,.. ପୁଅ କହିଲା ବାପା କହିଛନ୍ତି,-ସେ ଘରେ ଲୁଚିଛନ୍ତି କାହାକୁ କହିବୁନି କହିଛନ୍ତି । ମୁଁ ଆପଣଙ୍କୁ କେମିତି କହିଦେବି ? ବାପା ଦେଇଥିବା ଚକୋଲେଟ ଖାଇ, ସେ କଣ ମିଛ କହିପାରିଥାନ୍ତା , –ଆପଣ କହୁନାହାନ୍ତି!
ପିଲାଏ ଘରେ ପାଠ ନକରି ସ୍କୁଲକୁ ଆସିଲେ, ସାର ଯଦି କାହିଁ ପାଠ କରିନ ପଚାରନ୍ତି -ତେବେ ବାପା ରାଣ, ମା ରାଣ, ବିଦ୍ୟାରାଣ ପକେଇ ଯେଉଁ ସଫେଇ ଦିଅନ୍ତି,–ଆପଣ କଣ ତାକୁ ମିଛ କହିପାରିବେ ? ନେତାଙ୍କ ପରି ବାରମ୍ବାର କଥା ନବଦଳେଇ ଆଜିକାଲି ପୁଅ -ଝିଅ ଏକାଧିକ ପ୍ରେମିକା ବା ପ୍ରେମିକଙ୍କୁ ଯେତେବେଳେ ପ୍ରମିଶକରି ସେଇ ଗୋଟିଏ କଥା ସମସ୍ତଙ୍କୁ କହନ୍ତି.. ଡାର୍ଲିଂ! ଅନ୍ଲି ଆଇ ଲଭ ଇଉ, ତେବେ ଆପଣ ତାକୁ ମିଛ କହିପାରିବେ କି ? ନା, ଏମାନେ କେହିବି ମିଛୁଆ.. ମିଛେଇ ନୁହଁନ୍ତି । ଆଗରୁ ଗୋଟେ ରେକର୍ଡ ଗୀତ ବାଜୁଥିଲା.. “ସତ କହୁଛି ମୁଁ ତମ ଦେହ ଛୁଇଁ, ତମ ବିନା ମୋର କେହି ନାହିଁ.. । ଯେତେବେଳେ ଦେହଛୁଇଁ, ରାଣଖାଇ, ପ୍ରମିଶକରି କହୁଛନ୍ତି, ତେବେ କାହା ଜିଭରେ ହାଡ଼ ଅଛି ଯେ.. ତାହାକୁ ମିଛବୋଲି କହିବ ? ପିଲାଏ ପାଠ ପଢିବାକୁ ବାହାରକୁ ଯାଇ, ପାର୍କରେ ରୋମାନ୍ସ କଲେ କି ଫିଲ୍ମି ଦେଖିବାକୁ ଗଲାବେଳେ, ଯଦି ବାପା ମା କି ମାମ୍ମୀ ଡ୍ୟାଡି କିମ୍ୱା କୋଉ ଫ୍ରେଣ୍ଡ ଯଦି ଫୋନକରି କୋଉଠି ଅଛୁ ପଚାରନ୍ତି,-ତେବେ ଗଡ଼ ପ୍ରମିଶ.. ମୁଁ କଲେଜରେ କ୍ଲାସରେ ବିଜି ଅଛି ଯେବେ କୁହନ୍ତି, ତେବେ ସେମାନଙ୍କୁ ସନ୍ଦେହ କରିବା କି ମିଛୁଆ ଭାବିବା ମହାପାପ । ଯଦି ମିଛ କହୁଛୁ କହି ତର୍କ କରନ୍ତି, ଅବଶ୍ୟ ଆପଣ ମିଛୁଆ ବୋଲି ପ୍ରମାଣିତ ହେବେ । ସେମିତି କୋର୍ଟ କଚେରୀ ହେଉଛି ସତ୍ୟ, ନ୍ୟାୟ, ଧର୍ମର ବିଚାରାଳୟ । ଏଠାରେ କଣ କେହି ଗୀତା, କୋରାନ, ବାଇବେଲ ଛୁଇଁ ମିଛ କହିବା ସମ୍ଭବ ? ନା ଶପଥପାଠ କରି କାଗଜ ପତ୍ର ରେ ଯେଉଁ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଜାତି, ବୟସ ଇତ୍ୟାଦି ପ୍ରମାଣ ଦିଆଯାଏ..ତାକୁ ମିଛବୋଲି କୋଉ ସତିଆ ବୀର କହିପାରିବ? ଏମିତିକି ଯେଉଁ ନେତାମାନେ ଆମକୁ ସର୍ବଦା ଭଲହେବାକୁ ଶିକ୍ଷାଳୟଠାରୁ ନିର୍ବାଚନୀ ସଭାଯାଏ ଉପଦେଶ ଦେଇ ପୂର୍ବଜଙ୍କ ଅଧୁରା ସପନକୁ ସଫଳପାଇଁ ବହୁତବର୍ଷଧରି ଖାଲି ଜନତାଙ୍କ ସେବା କରନ୍ତି, ସେମାନେ କଣ କେବେ ମିଛ କହି ପାରନ୍ତି? ମୋର ଏକଥା ବିଶ୍ୱାସ ହେଉନି ।
ହଁ, ଏବେ ମୋର ଏଇ ସତ୍ୟ କହୁଥିବା ପ୍ରସଙ୍ଗ ଉପରେ ଗୋଟେ କଥା ମନେପଡ଼ିଲା.. ଶୁଣି ବିଚାର କରନ୍ତୁ । ଆମ ଗାଁ ପାଖରେ ଗୋଟେ ଭଲ ଝିଅ । ତାକୁ କେହି କେହି ଫୁଲେଇ ରିଙ୍କି ଡାକନ୍ତି । ସେ ଢ଼ିଙ୍କିଶାଳରେ ବସି ଢେଙ୍କାନାଳରେ ଥିବାକଥା ଏତେ ସୁନ୍ଦର ଭାବରେ କହେ ଯେ.. ତାକୁ କେହିବି ମିଛ ଭାବିପାରିବେନି । ତା କଥାରେ ବାଟୁଳି ବାଜେନି। ଏଇ ଭଲଗୁଣ ସେ ମା ପେଟରୁ ଧରି ଜନ୍ମହୋଇଛି.. ଏ ବିଶ୍ୱାସ ତା ସାଙ୍ଗ ଜଲୀର ଅଛି । ସେଇ ଜଲୀ ତା ବିଷୟରେ ବେଶି ଜାଣିଛି । ଏମିତି ସତ କହିବା କୁଆଡେ ତାଙ୍କ ବଂଶର ଲକ୍ଷଣ । ରିଙ୍କି ବାପା ଅଷ୍ଟମ ଫେଲ ହୋଇଥିଲେ ବି ସହରରେ ଦରୁଆନ ଚାକିରୀ କଲେ କଣ ହେଲା,-ଗାଁରେ ଆସିଲେ ଅଫିସର ଅଛି କହି ଦରମା ଛ ‘ହଜାର ଡାହାଣରେ ମାତ୍ର ଗୋଟେ ଶୂନ ବସେଇ ଷାଠିଏ ହଜାରେ ଟଙ୍କା ପାଉଛନ୍ତି ବୋଲି କୁହନ୍ତି । ତା ‘ମା ବି କାହା ଭୋଜିକି ବାହାଘର ଆଦି ଜାଗାକୁ ଗଲେ, ଗୁଡ଼ାଏ ଇମିଟେସନ (ସୁନା ରଙ୍ଗଦିଆ )ଗହଣା ପିନ୍ଧି, କେହି ନପଚାରିଲେ ମଧ୍ୟ ତାଙ୍କ ପାଖରେ ଥିବା ସ୍ତ୍ରୀ ଲୋକଙ୍କୁ ଆଗୁଆ କହନ୍ତିଯେ.. ଏ ସବୁ ରିଙ୍କି ବାପା ତା ପାଇଁ ସହରିଆ ସୋ ରୁମ ରୁ ନାକ୍ଷେ ନାକ୍ଷେ ଟଙ୍କା ଦେଇ କିଣିଛନ୍ତି । ତାଙ୍କଘରେ ସମସ୍ତଙ୍କର ଭଲ ପରୋପକାରୀ ଗୁଣ ଅଛି.. ଇତ୍ୟାଦି । ଏମିତିରେ ରିଙ୍କି ଗାଁ ପାଖ ସ୍କୁଲରୁ ମୁଣ୍ଡାମୁଣ୍ଡି ନମ୍ବର ରଖି ମାଟ୍ରିକ ପାଶକରି କଲେଜରେ ନାଁ ଲେଖିବାକୁ ସିଟ ନପାଇ ଦୁଇ ବରଷ ରହିବାପରେ ବାପା ସାଥୀରେ ସହରକୁ ଚାଲିଗଲା l ତିନି ବରଷ ପରେ ଗାଁ କୁ ଯେମିତି ରୂପରେ ସଜେଇ ହୋଇ ଯୋଉ ରଙ୍ଗ ଢଙ୍ଗରେ କଥାବାର୍ତ୍ତା କଲା, ସମସ୍ତେ ତାଟକା ହୋଇ ଚାହିଁ ତା କଥା ଶୁଣୁଥିଲେ । ଛିଟ ଫ୍ରକ ଛାଡି ଚିପା ଜିନ ପ୍ୟାଣ୍ଟ, ସର୍ଟ ଟପ ପିନ୍ଧି, ଆଖିରେ ସନଗ୍ଲାସ କୁ ଡାହାଣ ହାତରେ ବଡ଼ ଘଣ୍ଟା, ପାଦରେ ହାଇହିଲ ଜୋତା ସାଙ୍ଗକୁ ଲମ୍ବା ବେଣୀକି ପାର୍ଲରରେ କାଟି ଛୋଟ ଚୁଟି କରିଛି । ଓଠରେ ଗାଢ଼ ଲାଲ ଲିପିସ୍ଟି୍କ, ଦେହରୁ ଡିଓ ଅତର ମହକ ଆସୁଛି । କଥା କହିଲେ ଓଠକୁ ଦେଢ଼େଇ ଓ.. ହାଏ.. ବାଏ.. ଓକେ. ରିଅର୍ଲି.. ଆକଚୁଆଲି.. ବଟ.. ନଟ.. ସରି.. ଭେରୀ ସରି.. ଆଇ ଥିଙ୍କ.. ଓ ମାଇଁ ଗଡ଼.. ମମ.. ଡ୍ୟାଡ଼ ଇତ୍ୟାଦି ଅନେକ ଭାଷା ଖେଚୁଡ଼ିରେ ଗପୁଚି ।
ରିଙ୍କି ଦିନେ ଉପର ବେଳା ତା ମା ସହ ଗାଁ ବୁଲି ଯାଉ ଯାଉ ଦାଣ୍ଡ ପିଣ୍ଢାରେ ବସିଥିବା କେଇଜଣ ସ୍ତ୍ରୀ ଲୋକ ଭିତରୁ ଜେମା ମାଉସୀ ଡାକ ପକେଇଲେ… ଆଲୋ ରିଙ୍କି ବୋଉ ! କୁଆଡେ ଯାଉଛୁ ଇଆଡ଼େ ଟିକେ ଆସୁନୁ । ମା ଝିଅ ତାଙ୍କ ପାଖକୁ ଯାଉ ଯାଉ ଜଣେ ପଚାରିଲେ.. ଇଏ କାହା ପୁଅ କି? ରିଙ୍କି ମା ହସି ହସି କହିଲେ, ତେମେ କଣ ଚିହ୍ନି ପାରୁନା ମୋ ଝିଅ ରିଙ୍କି କି? ସେ ପରା ସହରକୁ ଯାଇ ରାଇଜଯାକର ପାଠ ପଢି ବଡ଼ ଚାକିରୀକରି ନାକ୍ଷେ ଟଙ୍କା ପାଖାପାଖି ଦରମା ପାଇଲାଣି । ସହରରେ ସବୁଲୋକ ତାକୁ ଜାଣନ୍ତି, ନମସ୍କାର ପକାନ୍ତି, ଆଉ କଣ ଗୋଟେ କି ନାଁ ରେ ଡାକନ୍ତି… ହେ ଝୁଅ , କହିଦେବୁଟି..! ରିଙ୍କି କହିଲା.. ମ୍ୟାଡମ ବୋଲି ଡାକନ୍ତି । ମୋ ଫ୍ରଣ୍ଡମନେବି ମ୍ୟାମ ଡାକୁଛନ୍ତି । ଏତିକି ବେଳକୁ ରିଙ୍କି ମା ଥିଲା ଥିଲା.. ଗୋଟେ ଟାଣକରି ଛିଙ୍କିଦେଲା l ହଠାତ ସବୁ ମାଇପେ କହିଉଠିଲେ.. ହଁ ହଁ ସତ ସତ । ଦେଖୁନ, କେମିତି କହୁ କହୁ ଛିଙ୍କ ପଡିଲା । ସତକଥା କହିଲେ କୋଉଠି କେଜାଣି ଥାଏ ସେ ଛିଙ୍କ.. ଭୁସ କିନା ତ ପଡିବ.. ଉ ।
ସେଇ ବାଟଦେଇ ରିଙ୍କିର ପିଲାବେଳ ସାଙ୍ଗ ଜଲୀ ଯାଉଥିଲା । ଏତେଦିନେ ରିଙ୍କିକି ଦେଖି ଧାଇଁ ଆସି ଖୁସିରେ ତାକୁ କୁଣ୍ଢେଇବାକୁ ଯାଉଯାଉ ରିଙ୍କି ଦେହ ଗଲୁକଲା କି କରୋନା ବେମାରିଆ ସତେ ଯେମିତି ଛୁଇଁଲା ଭଳିଆ, ନାକକୁ ଟେକି ଦୂରକୁ ଘୁଞ୍ଚିଗଲା । ସାଙ୍ଗର ଏମିତି ବ୍ୟବହାର ଦେଖି ଜଲୀ ମନ ପୂରା ଶୁଖିଗଲା । ଏଇବେଳକୁ ଜେମା ମାଉସୀ କହିଲେ,.. ହାଇଲୋ ଜଲିଆ ! ତୁ ଗାଁରେ ବଇଥା । ତୋରି ସାଙ୍ଗର ହୋଇ ରିଙ୍କି ସହରକୁ ଯାଇ ରାଇଜଯାକର ପାଠ ପଢି ବଡ଼ ଚାକିରୀକରି ନାକ୍ଷେ ଟଙ୍କା ଦରମା ପାଇଲାଣି । ଆଉ ତୁ..? ଜଲୀର ମନଦୁଃଖ ହେଲାବେଳକୁ ମାଉସୀର ଏଇକଥା ଯେମିତି ତା ଦେହରେ ନିଆଁ ଖୁଣ୍ଟା ଗେଞ୍ଜିଦେଲା ପରି ଲାଗିଲା । ତା ପାଟିରୁ ବାହାରି ପଡିଲା.. କିଏ କହୁଛି ବା ? ସେ ଯୋଉ ସହରରେ ରହୁଛି, ମୋ ବଉଳ ପରା ତାକୁ ଦେଖିଛି, ତା ବାପା ଯୋଉ ମଅଲରେ ଦରୁଆନ ଚାକିରୀ କରୁଛନ୍ତି, ସେଇଠି ସିଏ ଗୋଟେ ଗାର୍ମେଣ୍ଟ ଦୋକାନରେ ଲୋକଙ୍କୁ ଡ୍ରେସ ବିକ୍ରିକରୁଛି । ହୁଁ, ଦରମା ଲାକ୍ଷେ ! ହେଇ ହେଇ ଟଙ୍କା ପାଞ୍ଚ କି ସାତ ହଜାରେ ପାଉଥବ କି ନା । ମୁଣ୍ଡାମୁଣ୍ଡି ମାଟ୍ରିକ ପଢି ତାକୁ ଏଡ଼େବଡ଼ ଚାକିରୀ କିଏ ଦଉଥିଲା ?
ଏତିକି ଶୁଣି ସବୁ ମାଇପେ ଜଲୀକି ଚୁପ କରେଇ କହିଲେ.. ହଇଲୋ ଜଲୀ ! ତୁ ଏଡ଼େ ହିଂସୀକୁଟିଆଣି.. ଏଡ଼େ ମିଛେଇ ! ଆମେ ସମସ୍ତେପରା ତା ଠାରୁ ଶୁଣୁଶୁଣୁ ଛିଙ୍କ ପଡିଲା । ସିଏ କିଆଁ ମିଛ କହିବ ??
Comments are closed.