Latest Odisha News

ଅପାଠୁଆର ପାଠ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ମୁଣ୍ଡରେ ମଇଳା ଗାମୁଛାର ଠେକାଟେ ଭିଡ଼ି, ଆପଣା ଟ୍ରଲିକି ଆଉଜି ଦେହରୁ ଝାଳ ପୋଛି ରାସ୍ତାକଡେ ଏଡ଼େ ପାଟିରେ ଯାହା ଗପୁଛି, ତା କଥାକୁ ଶୁଣୁଥିବା ଲୋକଙ୍କ ଭିଡ ଠେଲି, ମୁଁ ବି ଶୁଣିଗଲି । କହୁଥିଲା… ଆଜ୍ଞାମାନେ ! ମତେ ଟିକେ ବୁଝେଇଦେଲେ, ଏଇ ଯୋଉ ପାଠ ସବୁ ଇସୁକୁଲୁ, କଲଜରେ ପଢ଼ାହଉଛି ସେଇଆକୁ ବିଦିଆ ଜ୍ଞାନ କହନ୍ତି, ତାକୁ ପଢି ମୁରୁଖ ଦୋଷ କଟି ଶିକ୍ଷିତ ହୁଅନ୍ତି ନା ଆଉ ଅଲଗା କଣ ଅଛି ? ମୁଁ ମୁରୁଖ ଟ୍ରଲି ରେକେସା ଭିଡୁଥବା ଚକରା ଯାହା ପଚାରୁଛି, ଉତ୍ତର ଦିଅ l ଯେମନ୍ତ ଏଇ ପାଠ ପଢି ବୁଦ୍ଧିଆ, ଚତୁରିଆ, ପଣ୍ଡିତ ବୋଲାନ୍ତି, ତେବେ ଆଗରୁ ଅପାଠୁଆ ମୁରୁଖ ବେଶି ଥିଲାବେଳେ ଯୋଉ ନାଁ ପକା କାମଗୁଡା ଏତେ ହଉନଥିଲା, ଏବେ କେମିତି ବଢ଼ିଯାଉଛି । ଧରମ -ଅଧରମ, ପାପ କରମ ବିଚାର ପଳଉଛି ? ଶିକ୍ଷିତ ପିଲାଏ ରାସ୍ତାରେ ଦିନ ଦି ପହରେ ଖଣ୍ଡା ବୁଲେଇ ଛୁରୀ ଧରି ଆକ୍ରମଣ କଲେଣି ତ କୋଉଠି କାହାର ଇଜ୍ଜତ ଲୁଟି, ଟଙ୍କା-ପଇସା ଅଳଙ୍କାର ଛଡେଇନେଇ ଛୁ ମାରିଲେଣି । ରାତି ପହିଲେ ଟିଭି,ଖବର କାଗଜରେ ଜବର ଖବର ଭେଣ୍ଡିଆ ପଢୁଆ ପୁଅ -ଝୁଅଙ୍କ ଆତ୍ମହତ୍ୟା । ଯୋଉକାମ ବାହାଘର ଆଗରୁ କରିବାକୁ ମହାପାପ ବିଚାର ଥିଲା.. ଆଜିକାଲି ଶିକ୍ଷିତ ହେଇ ସବୁ ଖୁଲୁମୁ ଖୋଲା ! ପିନ୍ଧା ବସନ ଚିରା କି ସାନ ହେଇଥିଲେ ଆଗରୁ ନାଜ ସରମରେ ବାହାରକୁ ବାହାରୁ ନଥିଲେ ମୁରୁଖ । ହେଲେ ଏବେ ଚିରା ଫଟା ଫେସନକୁ ଦେଖ । ଧିଅରୁ ନୁଗାପଟା ଖୋଲି, କହୁଛନ୍ତି ଆମେ ଫେସନବାଲି.. ନାଚବାଲୀ କହିଲେ କହୁଚ… ତେମେ ଗାଉଁଲି ? ହାତ ଗଣ୍ଠି ନ ପକେଇ କେତେ କିଏ ଶିକ୍ଷିତ ବୋଲେଇ ଛୁଆ କାଖେଇ କାହା ଦୁଆରେ ନ୍ୟାୟ ମାଗିଲେଣି ତ କିଏ କଚେରୀରେ ପଶିଲେଣି । ପୁଣି କିଏ ପେଟରୁ ପିଲା ମାରି ଧୋବ ଧାଉଳିଆ ହେଇ ଛାତି ଫୁଲେଇ ବୁଲିଲେଣି । କିଏ ନିଜ ପିଲା ଗିରସ୍ତ ଛାଡି ଆଉ କାହା ସାଙ୍ଗରେ ପଳେଇ ଉଜ୍ୱଳ ଭବିଷ୍ୟତ କଥା କହୁଛନ୍ତି ତ କିଏ ଆପଣା ଭାରିଜା ଛୁଆ ଛାଡି, ଆଉ କାହା ପାଲରେ ପଡ଼ି ପାଗଳ ହେଲେଣି ! ପୁଣି କିଏ ବାପା -ମା ଭୁଲି ଆଣ୍ଟି କି ଅଣ୍ଟିରେ ପୂରେଇ ତଣ୍ଟିଯାଏଁ ସୁଖୀ କହିଲାଣି ! କିଏ ବାହା ବେଦୀରୁ ଛୁ ତ କିଏ ଶାଶୁ ଘରକୁ ଆସୁ ଆସୁ, ବାଟରୁ ଅଦୃଶ୍ୟ.. ହରଣଚାଳ । ଆଃ, ଏଇ ଶିକ୍ଷିତଙ୍କଠୁ ଶିଖିବା କଥା, କେମିତି କେତେ କମ ଦିନରେ ଗିରସ୍ତ -ଭାରିଜା ଭଳିଆ ପବିତ୍ର ବନ୍ଧନକୁ ଛାଡ଼ ପତର ଦିଆଯାଇ ପାରେ । ଇଙ୍ଗିରେଜି ନଭ ୟୁ ର ଅଠାଳିଆ ପେରେମ, କେମିତି ଫଟାଫଟି ହୋଇପାରେ ।ଖବର କାଗଜଠୁ ଟିଭିରେ ଘର ଭିତର ଗୁମର କଥା ବିନା ସରମରେ ଗପାଯାଇ ପାରେ । ଏଇ ଶିକ୍ଷିତ ବାବୁ ଭାୟାମାନେ ଆମପରି ଦୁଃଖୀ ଲୋକଙ୍କ ଲୁହ ପୋଛିବେ କଣ, ବରଂ ଗରିବଙ୍କ ଧନ କୋଉ ବାଟରେ ଶୋଷି, ବେଶି ଲୁହ ରକତ ଝରେଇ ଚାଲିଛନ୍ତି । କାଁ ଭାଁ କୋଉଠି କେତୁଟା ସିନା ଦୁଃଖ ବୁଝି ଧରମ କରୁଛନ୍ତି, ନଇଲେ ବହୁତ କଥାରେ ଫଟ ମୋବାଇଲିରେ ବଡ଼ ବଡ଼ ଧାର୍ମିକ ବୋଲାଉଛନ୍ତି । ଏଇ ଶିକ୍ଷିତ ବେଶି ନିଶାରେ ମାତିଛନ୍ତି, ଉତୁପାତ ହେଇ ସଂସାର ଭାଙ୍ଗି ଉଛନ୍ନ କରି, ଜିଇଁ ଥାଉଁ ଥାଉଁ ମାରୁଛନ୍ତି -ମରୁଛନ୍ତି । କିଏ କାହାଠୁ ଧୋକାଖାଇ ବେକରେ ଦଉଡ଼ି ଲଗେଇ ତ କିଏ ବିଷ ଖାଇ, କିଏ ବ୍ରେନ ଖଟେଇ ଟ୍ରେନ ଲାଇନିରେ ଶୋଇ କଷି ବଅସରେ ଜୀବନ ହାରି ନିଜ ବଅଁଶ ବୁଡେଇଲେଣି । କିଏ ଜୀବନ ସାଥୀ କହି ଖଣ୍ଡ ଖଣ୍ଡ କାଟି ଥଣ୍ଡା ମିସିନୀରେ ପୂରେଇ କୁକୁରଙ୍କୁ ମାଉଁସ ଖୁଆଇ ନଲେ ଅଖାରେ ନେଇ ଫିଙ୍ଗିଲେଣି l କୋଉଠି କୁଆଁରୀ ଝିଅକୁ ନେଇ ଫେରାର ହେଲେଣି, ତ କିଏ କୋଉ ଛାତ୍ରୀ ଉପରକୁ ଏସିଡ଼ି ପକେଇ କଲବଲ କଲାଣି । ଖାଲି କଣ ସେତିକି, ଶିକ୍ଷିତ ବାବୁ ମୋଟା ଟଙ୍କା ଦରମା ପାଇବି, କୋଉ ସୁନ୍ଦରୀ ପାଲରେ ପଡ଼ି, ଦେଶର ଗୁପତ ନଥି ପତର, ଶତ୍ରୁ ଦେଶକୁ ଦେଇ ଦେଲେଣି । ଶିକ୍ଷିତ ହେଇ ଦେଶ ଭକତିଆ ବଢିବେ କଣ, ଗୁଡ଼ାଏ ଦେଶ ଦ୍ରୋହୀ ବଢ଼ି ଯାଉଛନ୍ତି l ଅର୍ଥ, ସ୍ୱାର୍ଥ, ପଦ ପାଇଁ ଦେଶ ଇଜ୍ଜତ ବାହାରେ ବିକି ବାହାଦୁରି ଭାବୁଛନ୍ତି.. ବୁଦ୍ଧିଆ ବୋଲାଉଛନ୍ତି ?

ଯେବେ ଏଇ ପାଠପଢି ଏତେ ଯୁଦ୍ଧ, ହଣା-କଟା, ସମ୍ପତ୍ତି, ସମ୍ପର୍କ, ସଂସାର ଉଚ୍ଛନ୍ନ ହଉଛି, ତେବେ ସେଇ ଶିକ୍ଷିତ ପଣକୁ ଧିକ.. ଶତଧିକ ।ହେଇ ଗଲା ଆଠଦିନ ତଳେ ମୋରି ଭଳିଆ କେତେ ଲୋକଙ୍କ ଆଖି ଆଗରେ ଗୋଟେ ଶିକ୍ଷିତ ଧନୀ ଚାକିରୀ କରୁଥବା ବଡ଼ ଅଫିସର, ତା ଦାମୀ ଗାଡ଼ିରେ ପୂରେଇ ସରକାରୀ ଅଫିସ ହତାରୁ କେଇଯେ ଫୁଲ ସହ କୁଣ୍ଡ ଖୁସିରେ ଚୋରେଇ ତା ଘରକୁ ପଳେଇଲେ । ମୋ ଟ୍ରଲିରେ ପରା କେତେ କିଏ ଅଫିସରୁ ପାଇପି ଠୁ ପାଇଖାନା, ବେସିନୀ ବୋହି ଘରକୁ ନେଇଛନ୍ତି । କୁଢ଼ କୁଢ଼ ଟଙ୍କା ଦେଶ ଧନ ଖାଇ, ସେବା କରୁଛନ୍ତି.. ଦେଶକୁ ଟେକି ଧରିଛନ୍ତି ବୋଲି ଗପୁଛନ୍ତି ।

ଯେବେ କୋଡିଏ ବରଷ ତଳେ ଆମେ ଶୁଣୁଥିଲୁ.. ବିଦେଶରେ ଗୋଟାକୁ ଛାଡି ଆଉ ଗୋଟାକୁ ବାହା ହଉଛନ୍ତି, ଚୁକ୍ତିରେ ଗିରସ୍ତ -ଭାରିଜା ସମ୍ପର୍କ ରଖୁଛନ୍ତି, ଆମ କାନକୁ ବିଶ୍ୱାସ କରୁନଥିଲୁ, ବରଂ କହୁଥିବା ଲୋକକୁ ମିଛୁଆ ଭାବୁଥିଲୁ । ହେଲେ ଆଜି, ସେଇ କୁକରମ -ଅପ କରମ, ଗାଁ ଠୁ ସହର ସବୁ ଜାଗାରେ.. ସବୁରି ସଂସାର ଭିତରେ ଶିକ୍ଷିତ ଘରେ ପଶିଲା କେମିତି? ଯେବେ ଶିକ୍ଷିତ ବୋଲେଇ, ସଂସାର.. ସମ୍ପର୍କ.. ସୁଖ ଶାନ୍ତି ଜାଗାରେ ବେଶି ଦୁଃଖ, ଅଶାନ୍ତି ବଢୁଛି.. ସୁନା ସଂସାର ଚୁନା ହେଇଯାଉଛି, ତେବେ କି ଲୋଡ଼ା… ଏମିତି ପାଠପଢ଼ା,  ଯୋଉଠି ଶିକ୍ଷକ ଓ ଛାତ୍ର-ଛାତ୍ରୀ ଭିତରେ ଥିବା ପବିତ୍ର ସମ୍ପର୍କ, କଳଙ୍କିତ ହେଉଛି, ଗୁରୁ ଶିଷ୍ୟ – ଶିଷ୍ୟାଙ୍କୁ ନୁହଁ, ବରଂ ସେମାନେ ଗୁରୁଙ୍କୁ ଶାସନକରିବା, ସନମାନ ନେବା ଶିଖିଗଲେଣି, ତେବେ ଆମ ଦେଶର ଶିକ୍ଷାର ଗତି କୁଆଡେ ? ଆମ ଭବିଷ୍ୟତ କଣ ହେବ? ଆଃ ହା ରେ, କି ଦେଖିଲା ଆଖି.. କି ଶୁଣିଲା ଏ କାନ ! ଏଇ ଅପକର୍ମିଆଙ୍କ କୀର୍ତ୍ତି କାଣ୍ଡ, ଦେଖିବାକୁ ଆସିଛି କଣ ଏଇ ଶିକ୍ଷାଦାନ?

ଆଜ୍ଞା! ଯେବେ ସଂସାରଠୁ ସମାଜ ଦେଶ ବିଗିଡି ଯାଉଛି, ଘୋଡାକୁ ଭାଗବତ ପଢ଼ା ଭୁଲ କୋଉଠି ? ଆପଣ କଣ ଚାହିଁବେ.. ଆପଣଙ୍କ ପିଲା ଅବାଟକୁ ଯାଉ, ଆତ୍ମହତ୍ୟା କରି ମରନ୍ତୁ କି ଭାରିଜା ପିଲା ଛାଡି ଯାଆନ୍ତୁ, ହେଲେ ମୋ ଧନ ସମ୍ପତ୍ତି, କୋଠା -ବାଡ଼ି, ଗାଡି ବଢୁଥାଉ ? ଟଙ୍କା ମୋହରେ ପଡ଼ି, ବିଷ ଖାଇ ଖୁଆଇ ସମସ୍ତେ ମାରନ୍ତୁ । କାହାପାଇଁ ଧନ, ଚାକିରୀ, ବେପାର, ଚାଷ, ନେତାଗିରି, ପଦ ପଦବୀ ଅହଂକାର? କି ଲାଭ ନାକ୍ଷେ ନାକ୍ଷେ ଟଙ୍କା ଖରଚା କରି ପିଲାଙ୍କୁ ଦାମୀ ବଡ଼ ଇସୁକୁଲୁରେ ପଢ଼େଇ ଏଇ ମରଣ ଦଶା ଦେଖିବାକୁ ? ବୋଇଲା ସାଧୁ ସାବଧାନ… ।  ବେଳ ଥାଉଁ ବନ୍ଧ ବାନ୍ଧ ରେ କୁମର…! ନଇଲେ ଦିନର ସୂରୁଜ ଆଲୁଅ.. ରାତିର ମରକୁରି ନାଇଟିରେ ବି ଦିଶିବ ଅନ୍ଧାର । ହେଇଟି ବାବୁମାନେ ! ନେହୁରା ହଉଚି, ଆଗରୁ ଯେମିତି ଆମ ଦେଶୀୟ ଶିକ୍ଷାରେ ଗୁରୁମାନେ ଶିଷ୍ୟା -ଶିଷ୍ୟଙ୍କୁ ସଂଯମ ଚରିତ୍ର ଗଠନ, ପାପ -ପୂଣ୍ୟ ବିଚାର ପାଠ ପଢ଼ାଉଥିଲେ, ଚୋରୀ ନାରୀ ଅପକର୍ମଠୁ ଦୂରେଇ, ପର ଆପଣା ଭେଦ ନ ରଖି ପରମାତ୍ମାଙ୍କ ମହତ୍ତ୍ୱ କଥା କହି ସତ ପଥରେ ଚଳି, ପର ଉପକାର କରିବା ମଣିଷ ଧରମ ବୁଝାଉଥିଲେ, ସେଇ ଶିକ୍ଷା ସଂଯମୀ ଗୁରୁଙ୍କ ଦ୍ୱାରା ଦିଆଯିବାର ବ୍ୟବସ୍ଥା ନ କରି ବେପାରିଆ ବୁଦ୍ଧି ବିଦ୍ୟା ଦିଆ ବିଦ୍ୟାଳୟ ଖୋଲି ଶିକ୍ଷିତ କରିଦେଲୁ କହିଲେ ମୁରୁଖ ସିନା ବଢ଼ି କୁଳ ବୁଡ଼ିଯିବ.. ହେଲେ ପଇସାକର ଲାଭ ହବନି l ଯୋଉଠି ବାପ –ମା ଲାଞ୍ଚୁଆ ମିଛୁଆ ଅନ୍ୟାୟ ଧନ କମେଇ, ଆପଣା ଚରିତ୍ର ନଷ୍ଟ କରୁଥିବେ, ସେମାନେ ପିଲାକୁ ଚରିତ୍ରବାନ କାହୁଁ କରିବେ ? ଆମ ଦେବ ଭୂଇଁ ଭାରତରେ, ଖାଲି ମାଳ ମାଳ ଅସୁର ଜନମ ହେବା ଥୟ l

ହେ ଭଗବାନ ! ମୁଁ ବିଚରା ମୁରୁଖ ଟ୍ରଲିଵାଲା, ଖଟିଖିଆ.. ମଳିମୁଣ୍ଡିଆ କାହିଁକି ଏତେ ବେକାର ବକର ବକର ହେଇ ଏ ଚେଇଁ ଶୋଇଥବା ନୋକଙ୍କୁ ଉଠ ଉଠ କହି ଚିଲାଉଛି କେଜାଣି? ଢ଼େରେ ସୁଖ ସଂସାର.. ଶିକ୍ଷା ପ୍ରହସନ ଦେଖିଲିଣି ।

ଟ୍ରଲି ବାଲାର ମୁରୁଖ ମୁହଁରୁ ବାହାରୁଥିବା ମୂଲ୍ୟବାନ୍ କଥାରେ ଥିବା ଦମ୍, ଯେମିତି ମୋ ମଥାରେ ବମ୍ ଖଞ୍ଜିଦେଇଗଲା…।

Comments are closed.