ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି । ଗାଁ ଗାଁ ସହର ସହର ବୁଲି ଗର୍ଜନକରି କାନ ଫଟାଉଛି ।ଅଣ୍ଟାରେ ଗାମୁଛା ଭିଡୁଛି । ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖଡା କରାଉଛି । ସମ-ଧର୍ମୀ ଭାଇ ବିରାଦରିଙ୍କୁ ଏକାଠି କରି କହୁଛି…. ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ । ୟା’ର ଦୟା-ମାୟା ନାହିଁ । ନିର୍ଦ୍ଦୟଟା । ଅବିଶ୍ୱାସୀଟା । କିହୋ, ତମକୁ ଭୋକନାହିଁ କି ତମ ପେଟରେ ସିନା ଜାଗାନାହିଁ ବୋଲି ଗିଳିପାରୁନ, ହେଲେ ଆମକୁ କିଆଁ ବାଟ ଛାଡ଼ୁନ ? ଆମେ ତ ଗିଳିବାରେ ହେଳା ନକରି, ପେଟ ଜ୍ୱାଳାକୁ ଶାନ୍ତକରିବାକୁ କେତେ ଗୋ-ଖାଦ୍ୟ, ଚାରାଠୁ ସିମେଣ୍ଟ, ଛଡ଼ ଯାଏଁ ସବୁକିଛି ଚର୍ବଣକରି ଜୀର୍ଣ୍ଣ କରିବାର ଯଥେଷ୍ଟ ଶକ୍ତି ଅର୍ଜନ କରିଛୁ, ବିଡା ବିଡା ଟଙ୍କା ବି ଗିଳିପରିଛୁ । ତେମେ ଦଦେନିଆ -ଦରିଦ୍ର । ହେଲେ ଆମେ..ଖାଇଲା-ପିଇଲା ଘରର ପିଲାବୋଲି, ଗିଳି ପେଟକୁ ଟୁମାକରି ବୁଲୁଥାଉ । ତମେ ଖାଇପାରୁନ ବୋଲି ଆମ ପେଟକୁ କିଆଁ ନାତ ମାରୁଛ ? ମାରୁଛ ତ ମାରୁଛ, ଏମିତି ମାରୁଛ ଯେ ଆମ ପେଟଭିତରେ ଗଣ୍ଠି ଡେଇଁଯାଇଥିବା ପୁରୁଣା ଦାନା, ଟଙ୍କା, ସୁନା ବି ବାହାରକରି ପକାଉଚ ! ଯଦି ଆହୁରି ଅଛି ବୋଲି ଡାଉଟୁ କରୁଚ, ତେବେ ସିବିଆଇ, ଇଡି କି ଭିଡ଼ିଆଣି ତାଙ୍କ ହାତ – ମୁଣ୍ଡକୁ ଆମ ଆଁମାନଙ୍କରେ ପୂରେଇ ଏମିତି ଘାଣ୍ଟି-ଚକୁଟି ଦଉଚ ଯେ ଯୋଉଠି ଯାହା ପେଟ -କୋଠରୀରେ କୋଉକାଳୁ ଥିଲା.. ସବୁଗୁଡ଼ା ବାନ୍ତି କରେଇ ଦେଉଛ ! ଏଗୁଡା କଣ ଭଲ କରୁଛ ? କିହୋ !
ଦେହ ଆମର, ବୁଦ୍ଧି ଆମର, ବଳ ଆମର, ଚତୁରାମି ଗିଳିଥିବା ଧନ ଆମର । ହେଲେ ମୁଣ୍ଡ କିଆଁ ବିନ୍ଧୁଚି ତମର ? ଆମେ କେଡେକଷ୍ଟରେ କୋଉକାଳୁ ଧର୍ମ-ଅଧର୍ମ ବିଚାର ନକରି ଗିଳି ସଞ୍ଚି ସଞ୍ଚି ବଡ଼ଲୋକୀର ପାହାଡ଼ ଚଢି ଆକାଶରେ ମୁଣ୍ଡ ନଗେଇଲା ବେଳକୁ, ଭିଡିଆଣି ତଳେ କଚାଡିଦଉଛ ? ଏଗୁରା କ’ଣ ଭଲ କରୁଛ ?
କୋଉଠି ଥିଲ , ରାତି ଅଧିଆ କଣ ଭାବିଲ, ଏମିତି ନାଟ ନଗେଇ ଦେଲଯେ.. ଚିନ୍ତାରେ ଦାନା ଛାଡ଼ିଦେଲୁ । ବଡ଼ଖଟ- ମୋଟାଗଦି -ଏସି ପବନରେ ବି ଆଖିକି ନିଦ ହେଲାନି । ତେମେ କଣ ଜାଣିନା.. ଟଙ୍କା ହେଲା ନକ୍ଷିମି ସାଆନ୍ତାଣୀ । ତାଙ୍କୁ କିଏ ନେବାକୁ ମନାକରେ ନା ହତାଦର କରେ ? ନା କୋଉଠି କିଏ ନୁଚେଇକି ରଖିଲେ, କାହାକୁ ଦେଖାଏ ? ତାକୁ ସିନା ଗୁପତରେ ରଖନ୍ତି.. ଭିତରେ ଭିତରେ କାୟା ବଢ଼ାନ୍ତି ! ଆମେ କଣ ମୋଫତରେ ଏଇ ଜ୍ଞାନ ପାଇଛୁ କି ? ହକ ଚୋର -ଡକେଇତଙ୍କୁ ଗୁରୁକରି ଏଇ ଗୁଣ ଶିଖିଛୁ । ଆମେ କଣ ମରିବୁ କେବେ ଭାବିଛୁ ? ହେଲେ ତେମେ କଣ କଲ ! ନୋଟ-ବନ୍ଦୀକରି ଆମ ଆଦର୍ଶକୁ ମାରିଦେଲ?
କେଇଦିନ ତଳେ ପାଞ୍ଚଶହ, ହଜାରିଆ ବଡ଼ନୋଟକୁ ଅଚଳ କଲନି ଯେ, ବରଂ ଆମ ବଡ଼ଲୋକିଆ ଗୁଣକୁ ଅଚଳକଲ ? ଆମ ଗିଳା ବୁଦ୍ଧି ଗିଳା ପାଟିକି ପେଟକୁ ଜାଣ ଅଚଳ କଲ । ଆମ ଟେବୁଲ ତଳାସନ ଆଦର୍ଶ-ପଦ୍ଧତିକି ଅଚଳକଲ । ବୁଦ୍ଧିବାଟ ଦିଶିଲାନି.. ଦିନ ବି ଅନ୍ଧାରିଆ ଦିଶିଲା ।
ଯୋଉ କେଇମାସ ସମୟ ଅଦଳ-ବଦଳକୁ ଦେଲ, ସେଇଟା ମୂଷିକର ପାହାଡ଼ ତାଡିବା ବାଗିଆ କଥା। ପର୍ବତ ଭଳିଆ କୁଢେଇଥିବା ଟଙ୍କାକୁ ନେଇ ଯେବେ କୋଉ ବେଙ୍କ ଦୁଆରେ ଜମେଇଥାନ୍ତୁ, ତେବେ ଆଉ ସଂସାରେ ରହିଥାନ୍ତୁଟି ? ଆମ ସବୁଜ ସପନ – ସବୁଜ ଘର.. ଖାଲି ରେଡ଼ ରେଡ୍ ହେଇଯାଇଥାନ୍ତା । ଛାତିରେ ଛନକା ପଶିଲା । ତାଙ୍କୁ ମନଇଚ୍ଛା ଖାଲି ଶୋଧିଲୁ । ତାଙ୍କ କାନରେ ପହଁଚିଲା କି ନା ଜାଣିନୁ । ଛାତିରେ ପଥର ଲଦି ସାଇତା ଲକ୍ଷିମି ସାଆନ୍ତାଣୀଙ୍କୁ ଅଖାରେ ପୂରେଇ ଦେଉଳ ଦୁଆରେ ରାତିଅଧିଆ ଥୋଇ ମହାପୁରୁଙ୍କୁ ଗୁହାରି କରିଥିଲୁ, ତାଙ୍କ ବଅଁଶ ବୁଡିଯାଉ । ତାଙ୍କୁ ଅଚିହ୍ନା ବ୍ୟାଧି ଖାଉ । ଏତେଟଙ୍କା ଦେଲାପରେ କିଛି ନ ହେବାରୁ ଦିଅଁଙ୍କୁ ଭଡ଼େ ଶୋଧି ମନବୋଧ କଲୁ । କେତେବସ୍ତା ଟଙ୍କା ନେଇ ରାତାରାତି ନଈ ପୋଖରୀରେ ଭସେଇଦେଲୁ । ଓ.. ହୋ.. ସେତେବେଳେ ଆମର ଯୋଉ ମରମ ପୋଡା ହଉଥାଏ, କହିବୁ କାହାକୁ.. ଶୁଣିବ କିଏ ? ସେଇ କଷ୍ଟର ଜଳା ପୋଡା ଟିକେ କମିଆସୁଥିଲା, ଯେବେ ଛନଛନିଆ ଆଖି ଝଲସିଆ ଦି’ହଜାରିଆ ନୋଟ ଘରେ ଲୁଚେଇ ଜମେଇ ଅସୁଥିଲୁ, ଥୋଡେ ଥୋଡେ ପାଟିରେ ପୂରେଇ ଦୁଃଖ ଭୁଲୁଥିଲୁ । ହେଲେ ପୁଣି ଧରମ ଛାଡିଲା କି ପାଗଳା କୁକୁର କାମୁଡ଼ିଲା ନା ପେଟ -ପିଚାକୁ କୁରୁମୀ କାମୁଡ଼ିଲା.. ନା କୋଉ ବଦମାସିଆ ଆମ ନାଁ ରେ କିଏ ତାଙ୍କ କାନରେ କଣ ଫୋଡିଲା ଯେ ତାକୁ ବି ଅଚଳ କରିବାକୁ ଘୋଷଣା କଲେ । ଛି ଛି..! ନିଜର କାଢ଼ନାହିଁ ଖାଇପାରୁନ, ହେଲେ ଆଉ କିଏ ଖାଇଲେ.. କାହିଁ ସାହିପାରୁନ ?
ନା, ଆଉ ସହିହବନି । ଢ଼େରେ ହେଇଗଲା ଏ ଅନ୍ୟାୟ-ଅନୀତି। ଆସରେ ନିତିଆ, ନାଲୁଆ, ନିଶିଆ, ବିଶିଆ, ଚନ୍ଦରା ! ଦେଖେଇଦେବା ଆମ କାଢ଼ପଣ । ହଇରେ , ତେମେ ବାରମ୍ବାର ନକ୍ଷିମି ମା କୁ କାଗଜବିଡା କରେଇ ଏତେ ହତାଦର କରିବ ? ଆମ ପେଟକୁ ଗୋଇଠା ମାରିବ? ନା.. ଏଇଟା ସରାସର ସ୍ୱାର୍ଥ ବିରୋଧୀ । ଏଇଟା ଦେଶ ବିରୋଧୀ । ଏଇ ନିୟମ ଆମ ଭଳିଆ ଗରୀବଗୁରୁବାଙ୍କ ବିରୋଧୀ । ଆମ ଖାୱାଙ୍କ ଫନ୍ଦି ଫିକର ବୁଦ୍ଧି ବିରୋଧୀ । ଆସରେ ଯେତେ ସର୍ବଗିଳା ଭାଇ ! ହାତରେ ହାତମିଳେଇ ମେଳହୁଅ । ଏମିତି ଖେଳ କରିବା.. ଯେମିତି ତାଙ୍କ ନାକରୁ ଝୋଳ ନିକାଲିବା । ଆ… ରେ.. ତେମେ ଢ଼ିଙ୍କିକି କାଠବୋଲି ଠଉରେଇଛ ? ଭଲକି କୁଟିଦେବୁ.. ବେଳଉଣ୍ଡି ସବୁ ଲୁଟିନବୁ । ଆସରେ ସବୁ ଧଡ଼ିଆ.. ଦାନ୍ତକାଠିଆ ! ଏକାଠିହେଇ କାଠଗଡ଼ ହେଇଯିବା । ଯେତେସବୁ ସରୁ ସ୍ୱରରେ ବିଲୁଆଭଳିଆ ଭୁକୁଛ.. ଏକାଠି ମିଶି ଏମିତି ଗର୍ଜିବା, ଆମ ରଡ଼ିରେ ବାଘ -ସିଂହ ବି ଗାଦୀଛାଡ଼ି ପଳେଇବେ । ଆରେ ଆମେ ପରା ସର୍ବଗିଳା ଦଳ ! କେତେ କାହା ଘର-ଦ୍ୱାର ଧନ-ସମ୍ପତ୍ତି ଗିଳି କରିଛୁ ଛାରଖାର । ତାଙ୍କୁ ଛାଡିବନି । ତାଙ୍କୁ ତଡିବା.. ଦେଶ ବଂଚେଇବା । ଆମେ ବଞ୍ଚିଲେ.. ଦେଶ ବଞ୍ଚିବ । ଆମେ ରହିଲେ.. ଦେଶ ରହିବ । ଆଜିର ଏଇ ମିଳିତ ପେଞ୍ଚ.. ଆମ ବଂଶଧରଙ୍କ ଭବିଷ୍ୟତ । ଶୁଣ ! କୋଠରୀ-ପେଟକୁ ଦଶ ଗୁଣା ମଜବୁତକରି ବଡ଼କର । ତେମେ ଯାହାବି କୁହ, ହେଲେ ଗୋଟେକଥା ଏ ଗିରିଆ-ସର୍ବଗିଳାର ମନେରଖ… ଗିଳିବାରେ ? ନୋ କମ୍ପରମାଇଜ୍ !!
Comments are closed.