Latest Odisha News

BREAKING NEWS

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ନୋଟିସ୍ ଜାରି କଲେ ଏନଜିଟି

କୋରାପୁଟ: ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିକୁ ନେଇ ରାଜ୍ୟ ସରକାରଙ୍କୁ ଏନଜିଟିଙ୍କ ନୋଟିସ୍ । ଦେଓମାଳି ଶିଖରରେ କଟେଜ୍ ନିର୍ମାଣକୁ ନେଇ ଏନଜିଟି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।

କଟକର ୱାଇଲ୍ଡଲାଇଫ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଏନଜିଟିରେ ମାମଲା ହୋଇଥିଲା । ଯାହାକୁ ନେଇ ଏନଜିଟି ରାଜ୍ୟ ସରକାରଙ୍କ ସହ କୋରାପୁଟ ଜିଲ୍ଲା ପ୍ରଶାସନ, ରାଜ୍ୟ ଜୈବ ବିବିଧତା ବୋର୍ଡଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଶୁଣାଣି ଅଗଷ୍ଟ ୨୩ରେ ହେବ ।

ଦେଓମାଳି ଶିଖରରେ ଜଙ୍ଗଲ ବିଭାଗ ପକ୍ଷରୁ ପଟ୍ଟାଙ୍ଗିରେ ପର୍ଯ୍ୟଟକ ରହିବା ପାଇଁ କଟେଜ୍ ନିର୍ମାଣ ହେଉଛି । ଯେଉଁଥିରେ ସବୁ ପାଗ ପାଇଁ ଫାଇବର ସିମେଣ୍ଟ ବୋର୍ଡର ବ୍ୟବହାର କରାଯାଉଛି । ଆବେଦନକାରୀ ଦର୍ଶାଇଛନ୍ତି, ଜଙ୍ଗଲ ଆଇନ୍ ଉଲ୍ଲଂଘନ କରି ନିର୍ମାଣ ହେଉଛି ।

ଯେଉଁଥିରେ ୧୦ଟି କଟେଜ୍, ପାର୍କିଂ ଏରିଆ, ପ୍ରବେଶ ପଥ, ସିକ୍ୟୁରିଟି କ୍ୟାବିନ୍, ଟିକେଟ୍ କାଉଣ୍ଟର, ଡର୍ମିଟରି, ପାଇଖାନା ଆଦି ତିଆରି ହେଉଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କୁ ନିୟୋଜନ କରାଯାଇ ନାହିଁ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଦେଓମାଳି ଅଛି । ଏହି ଯୋଜନାରେ ଦେଓମାଲିର ଭିତ୍ତିଭୂମି ବିକାଶ ସହ ପର୍ଯ୍ୟଟକଙ୍କୁ ଆକର୍ଷଣ ଲାଗି ପଦକ୍ଷେପ ନିଆଯାଉଛି । ଏହା ଛଡ଼ା ଦେଓମାଳିର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ଅତିରିକ୍ତ ୧୬ କୋଟି ଟଙ୍କା ବ୍ୟୟବରାଦ କରିଛି ।

Leave A Reply

Your email address will not be published.